କ୍ଷୁଦ୍ରଗଳ୍ପ-ଶାକମ୍ବରୀ

ଆଖିବୁଜି ଶୋଇରହି ଅନ୍ଧାର ହେଇଛି, ଅନ୍ଧାର ହେଇଛି କହିହେଲେ ତ, ସକାଳ କେବେ ବି ଆସିବନି । ସକାଳ ସୂର୍ଯ୍ୟର ସୁନେଲି କିରଣ ହେଉ ବା ଦିବାସୂର୍ଯ୍ୟର ପ୍ରଚଣ୍ଡ ଆଲୋକ, ସବୁକିଛି ଆଖି ଖୋଲିଲା ପରେ ହିଁ ଦୃଷ୍ଟିକୁ ଆସିବ । କେତେ ଦିନ ଏମିତି ଆଖି ବୁଜି ବୁଜି ଶୋଇବାର ବାହାନା କରିବ ଆଉ ଚୁପ୍ ଚାପ ସବୁ ସହୁଥିବ । ଏତିକି କହି ସଦାନନ୍ଦ ଟିକେ ଚୁପ୍ ରହି ନାତୁଣି ମୁହଁକୁ ଚାହିଲେ । ଶାକମ୍ବରୀ ସେମିତି କାଠଟା ପରି ଠିଆ ହୋଇ ଜେଜେଙ୍କ ଭାଷଣ ଶୁଣୁଥାଏ, ତା ମୁହଁରେ ଡର ଏବେବି ସ୍ପଷ୍ଟ ଦିଶୁଥାଏ, ଡର ଜେଜେଙ୍କ ଭାଷଣ ଶୁଣି ନୁହେଁ ବରଂ ଆଜି କଲେଜରୁ ଫେରିବା ବେଳେ ରାସ୍ତାରେ ଯାହା ଘଟିଲା ସେଇ କଥା ମନେ ପକେଇ ଏବେବି ତା ଦେହ ଶିତେଇ ପଡୁଛି । ସଦାନନ୍ଦ ଶାକମ୍ବରୀର ଏ ଅବସ୍ଥା ଦେଖି ଟିକେ ନରମି ଗଲେ, ସ୍ୱରକୁ ନରମ କରିି କହିଲେ ଆରେ ଠିଆ ହେଇଚୁ କଣ ଆ ମୋ ପାଖରେ ବସ୍, ଶାକମ୍ବରୀ ଆସି ସୋଫାରେ ଜେଜେଙ୍କ ପାଖରେ ବସିଗଲା । ସଦାନନ୍ଦ ତାକୁ ପାଖକୁ ଆଉଜାଇ ନେଇ ତାର ମୁଣ୍ଡ ସାଉଳି ଦେଇ କହିଲେ ।

: ତୁ ଜାଣିଚୁ, ତୋ ନାଆ ଶାକମ୍ବରୀ କିଏ ଦେଲା ? ତୋ ଜେଜେମା ତୋ ନାଆଁ ରଖିଛି । ତୁ ଯେତେ ବେଳେ ଜନ୍ମ ହେଲୁ ତୋତେ ଦେଖି ତୋ ଜେଜେମା କେତେ ଖୁସି ହୋଇଥିଲା, କହିଲା ମୋ ଘରକୁ ଲକ୍ଷ୍ମୀ ଆସିଲେ, ତୋ ମୁହଁକୁ ଦେଖି କହିଲା, ଦେଖ କି ତେଜ ଅଛି ଝିଅଟାର ମୁହଁରେ, ମାଆ ଦୂର୍ଗାଙ୍କର ତେଜ, ୟାର ନାଆ ଦୂର୍ଗା ରଖିବା, ହେଲେ କଣ ଭାବିଲା କେଜାଣି, କହିଲା, ନାହିଁ ଦୂର୍ଗା ପୁରୁଣାକାଳିଆ ଲାଗୁଚି ତା ନାଆ ଶାକମ୍ବରୀ ରଖିବା । ଜାଣିଛୁ ଶାକମ୍ବରୀ କାହା ନାଆ ? ଶାକମ୍ବରୀ ମୁଣ୍ଡ ହଲେଇ ହଁ କହିଲା, କହିଲା ସେଇଟା ପରା ଦୁର୍ଗାଙ୍କର ଆଉ ଗୋଟିଏ ନାଆଁ । ସଦାନନ୍ଦ ଟିକେ ମୁରୁକି ହସିଲେ ଆଉ ଶାକମ୍ବରୀ ବି ଟିକେ ହସିଦେଲା । ତା ମୁହଁ ଉପରୁ ଡରର ବାଦଲ ଧୀରେ ଧୀରେ ଯେପରି ପତଳା ହୋଇ ଆସୁଥିଲା । ଜେଜେଙ୍କ ପାଖରେ ବସିଲେ ଏମିତି ହୁଏ । ସତରେ ଜେଜେଙ୍କ ପାଖରେ ଯେପରି ଅଭୟଛତ୍ର ଅଛି । ସେଇ ଛତା ତଳେ ନା ଖରାକୁ ଡର ନା ବର୍ଷାକୁ । ଜେଜେ ପରା ବାପାଙ୍କର ବି ବାପା ।

ଶାକମ୍ବରୀ, ଚୁଲବୁଲି ସାଧାରଣ ଝିଅଟିଏ । ମାଆବାପାଙ୍କର ଗେହ୍ଲାଝିଅ, ଜେଜେ ଆଉ ଜେଜେ ମାଆଙ୍କର ସତେ ଆଖିର ଡୋଳା । ପିଲାଟି ଦିନରୁ ତାକୁ ପରଘର ପାଇଁ ନୁହେଁ, ସମାଜ ପାଇଁ ଯୋଗ୍ୟ ହେବା ପାଇଁ ଶିଖା ଯାଉଥିଲା । ଏକ ନିର୍ଭୀକ ସ୍ୱାବଲମ୍ବି ଏବଂ ସ୍ୱାଭିମାନୀ ନାଗରିକ ହେବ ସିଏ । ଭଲ ଝିଅଟିଏ ହେବ, ଆଦର୍ଶ ଛାତ୍ରୀ, ଯୋଗ୍ୟ ଅଧିକାରୀ ହେବ ସମାଜ ପାଇଁ । ଭଲ ପତ୍ନୀଟିଏ ହେବ, ସୁଗୃହିଣୀ, ଆଦର୍ଶ ବୋହୁ ହେବ । ଝିଅ ବୋଲି କେବେ ବି ତା ମନରେ ଏ ଭାବନା ନଆସୁ କି ସେ ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ୍, ସେଥିପାଇଁ ସମସ୍ତେ ତାର ମନୋବଳକୁ ବଢାଇବାକୁ ଚେଷ୍ଟା କରୁଥିଲେ ।

ପିଲାଟି ଦିନରୁ ଜେଜେ ନାତୁଣୀଙ୍କର କେମିଷ୍ଟ୍ରୀ ଖୁବ୍ ଜମେ । ସଦାନନ୍ଦ ବାବୁ ଆଉ ଶାକମ୍ବରୀ ଦି’ଜଣଙ୍କ ରାଶି କୁଆଡେ ଗୋଟିଏ ରାଶି, ମେଷ ରାଶି । ସଦାନନ୍ଦ କହନ୍ତି ‘ମେଣ୍ଢା ମୁଣ୍ଡ ଭାରି ଟାଣ’ ଆଉ ଶାକମ୍ବରୀ ବାକିଟା ପୁରଣ କରିଦିଏ, ‘ତା ମୁଣ୍ଡକୁ ସାବଧାନ’ ଦିହେ ପୁଣି ସାଙ୍ଗ ହୋଇ ହୋ ହୋ ହୋଇ ବଡ ପାଟିରେ ହସି ଘର ଫଟେଇ ଦିଅନ୍ତି। ଜେଜେମା ପାଟିଟାଏ କରି କହନ୍ତି, ବୁଢାଟିଏ ହେଲଣି ଆସି, ନାତୁଣିକୁ ଏଇଆ ଶିଖାଅ, ଅଣ୍ଡିରା ଚଣ୍ଡିଟାଏ ହେବ ଯେ ଦେଖିବ ! ଜେଜେ ହସି ହସି କହନ୍ତି ତା ନାଆଁ ଶାକମ୍ବରୀ ରଖିଛଟି । ପୁଣି ଡରୁଛ କାହିକି ? ମୋ ନାତୁଣି ଦୂର୍ଗା, ରାଣୀ ଦୂର୍ଗାବତୀ ହେବ, ବିରାଙ୍ଗନା । ଡରି ଡରି ଜିଇଁବନି, ଡରେଇବ ସିଏ, ଯିଏ ଅନ୍ୟାୟ କରିବ । ସେଇ ହିସାବରେ ସଦାନନ୍ଦ ନାତୁଣିକୁ ପ୍ରତି ପଦକ୍ଷେପରେ ନିର୍ଭୀକ ହେବାକୁ ଶିଖେଇ ଆସନ୍ତି । କହନ୍ତି ଡର ତ ସମସ୍ତଙ୍କୁ ଲାଗେ, କୁକୁର ଭୂକିଲେ ସାମ୍ନାରେ ଠିଆ ଲୋକଟା ଡରେ, କିନ୍ତୁ କୁକୁର ଭୂକେ କାହିଁକି ? କାରଣ କୁକୁରକୁ ବି ଡର ଲାଗେ, ହେଲେ ସେ ନିଜ ଡରକୁ ଲୁଚାଇ ମଣିଷକୁ ଡରାଇବାକୁ ଚେଷ୍ଟାକରେ । ଉଭୟଙ୍କୁ ଡରଲାଗେ କିନ୍ତୁ ଉଭୟ ନିଜ ଡରକୁ ଲୁଚାଇ ଅନ୍ୟକୁ ଡରାଇବାକୁ ଚେଷ୍ଟାକରନ୍ତି । ଶେଷରେ ଯିଏ ନିଜ ଡରକୁ ଲୁଚାଇବାରେ ସଫଳ ହେଲା ସିଏ ଜିତିଲା । ତେଣୁ ନିଜ ଡର ଉପରେ ବିଜୟଲାଭ କରି ପାରୁଥିବା ବ୍ୟକ୍ତି ହିଁ ସାହସୀ ।

ହେଲେ, ଆଜି ଶାକମ୍ବରୀ ଡରିଗଲା ଦିଟା ଲଫଙ୍ଗା ପିଲାଙ୍କର କମେଣ୍ଟ ଶୁଣି । ସେ ପିଲା ଦିଟା ଶାକମ୍ବରୀ ପଛେ ପଛେ ସାଇକେଲରେ କେତେବାଟ ଯାଏ କମେଣ୍ଟ କରି କରି ଡାକୁ ଗୋଡେଇଲେ ଆଉ ସେ ପ୍ରାଣ ବଞ୍ଚାଇ ଡରି ଡରି ଘରକୁ ଆସି ଜେଜେଙ୍କୁ ସବୁ କହିଲା ।

ସଦାନନ୍ଦ ବାବୁ ଶାକମ୍ବରୀ ମୁଁହକୁ ଚାହିଲେ । ପଚାରିଲେ, ଆଜି ତ ତୁ ଆସିଗଲୁ, କାଲି ପୁଣି କଲେଜ ଯିବୁ । ସେ ପିଲା ଦିଟା ପୁଣି ଆସିବେ, ପୁଣି କମେଣ୍ଟ କରିବେ, କଣ କରିବୁ ତୁ?

: ଶାକମ୍ବରୀ ଡରି ଡରି କହିଲା ସେ ପିଲା ଦିଟା ବଦମାସ ପରି ଦିଶୁଥିଲେ, ମୁଁ ଲଢେଇ ଚାହୁଁ ନଥିଲି ।

ସଦିନନ୍ଦ କହିଲେ, ଲଢିବାକୁ କିଏ କହୁଛି ? ଲଢେଇ ତ ସବୁ ଜିନିଷର ଶେଷପନ୍ଥା ନୁହେଁ ! ତୁ କଣ ଜାଣିନୁ, ମହାତ୍ମା ଗାନ୍ଧୀ ବିନା ଲଢେଇରେ ଏତେବଡ ଦେଶଟାକୁ ସ୍ୱାଧୀନ କରିଥିଲେ । ବାର୍ତ୍ତା ହେଉଛି ଉତ୍ତମ ପନ୍ଥା । ଜାଣିଛୁ, ଭାରତ ପାକିସ୍ଥାନ ପରସ୍ପରର ସବୁଠାରୁ ବଡ ଶତ୍ରୁ, ଦି’ଜଣ ନିଜ ସେନାକୁ ସବୁବେଳେ ତିଆରି କରିରଖିଛନ୍ତି ଯୁଦ୍ଧ କରିବାକୁ । କିନ୍ତୁ ଯୁଦ୍ଧ ହେଉନି, ଜାଣିଛୁ କଣ ପାଇଁ ? ଶାକମ୍ବରୀ ପ୍ରଶ୍ନିଳ ଆଖିରେ ଜେଜେଙ୍କ ମୁହଁକୁ ଚାହିଁରହିଥାଏ । ଜେଜେ ଥରେ ଶାକମ୍ବରୀ ମୁହଁକୁ ଚାହିଁ ପୁଣି କହିବା ଆରମ୍ଭ କଲେ, ବାର୍ତ୍ତା, ଦିଜଣଙ୍କ ମଧ୍ୟରେ ସବୁବେଳେ ଦ୍ୱିପକ୍ଷୀୟ ବାର୍ତ୍ତା ବିନିମୟ ଚାଲିଛି । ଯେଉଁଦିନ ଏହି ବାର୍ତ୍ତା ବିନିମୟ ବନ୍ଦ, ଜାଣ ସେହି କ୍ଷଣରେ ସୀମାନ୍ତରେ ଘମାଶାନ ଆରମ୍ଭ ହୋଇଯିବ । ତୁ ସାହସୀ ଝିଅ, କରାଟେରେ ବ୍ଲାକବେଲ୍ଟ ଚମ୍ପିୟନ, କିନ୍ତୁ ତାର ଅର୍ଥ ନୁହେଁ ସବୁବେଳେ ନିଜର ଶକ୍ତି ପ୍ରଦର୍ଶନ କରିବା କିମ୍ବା ଅନ୍ୟକୁ ଡରେଇବା । ଶକ୍ତି ଅନ୍ୟର ରକ୍ଷାପାଇଁ ବ୍ୟବହାର କରିବା ବୀରତ୍ୱର ଗୁଣ ଏବଂ ନିଜ ଆତ୍ମରକ୍ଷା ପାଇଁ ତ ନିଶ୍ଚୟ । କଛି ଲୋକ କଥାରେ ବୁଝି ଯାଆନ୍ତି, ଆଉ କିଛି ‘ଲାତ୍ କା ଭୂତ’ ଥାଆନ୍ତି । ତାଙ୍କୁ କଥାରେ ନୁହେଁ ହାତରେ ବୁଝାଇବାକୁ ପଡେ । ତୁ ତ ଦୁଇଟି ବିଦ୍ୟାରେ ନିପୁଣ, ଡରିବାର କିଛି ନାହିଁ । ବୁଝିଲୁନା ? ଶାକମ୍ବରୀ ଟିକେ ହସିଦେଲା । ସଦାନନ୍ଦ ତାକୁ ସ୍ନେହରେ କୋଳେଇ ନେଲେ ।

ପରଦିନ ସକାଳେ, ସବୁଦିନ ପରି କଲେଜ ଯିବା ପାଇ ବାହାରି ପଡିଲା ଶାକମ୍ବରୀ । ସଦାନନ୍ଦ ସକାଳୁ ତାକୁ ଅବଜର୍ଭ କରୁଥାଆନ୍ତି । ତା ମୁହଁରେ ଏକ କନଫିଡେନ୍ସର ତେଜ ଝଲକୁଥାଏ । କାଲିର ଡର ତା ବ୍ୟବହାରରେ କେଉଁଠି ବି ଦିଶୁନି । ହେଲେ ସଦାନନ୍ଦଙ୍କ ମନରେ ଟିକେ ଡରଥାଏ । ଯେତେ ହେଲେ, ଝିଅଟାଏ । ଯଦି କିଛି ଏପରି ହୁଏ, ଆଉ ସେ ହାଣ୍ଡଲ କରି ନପାରେ ? ହୁଏତ ସଦାନନ୍ଦଙ୍କର ଏହି ଡର, ନାତୁଣୀପ୍ରତି ନିଜର ଅତ୍ୟଧିକ ସ୍ନହ ବା ପ୍ରୋଟେକ୍ଟିଭ ମନୋବୃତି ଯୋଗୁ ହେଉ କିମ୍ବା ଆମ ସମାଜର ସେହି ପୁରୁଣା ମନୋବୃତି ଝିଅଙ୍କୁ ଦୁର୍ବଳ ଭାବିବା ଏବଂ ତାଙ୍କର ଶକ୍ତିକୁ କମ୍ କରି ଅଙ୍କିବାର ମନୋଭାବ ଯୋଗୁ ହେଉ । ଯେତେ ହେଲେ ସଦାନନ୍ଦ ତ ଏଇ ସମାଜର ମଣିଷଟିଏ । ସଦାନନ୍ଦ ସ୍ଥିର କଲେ ସେ ଶାକମ୍ବରୀର ପଛେପଛେ ଟିକେ ଦୂରତା ରଖି ଯିବେ । ସେ ଠିକ୍ ଠାକ୍ ନିରାପଦରେ କଲେଜରେ ପହଞ୍ଚିଲା ପରେ ଘରକୁ ଫେରିସପଝଙଫବେ । ଏବଂ କଲେଜ ଛୁଟି ସମୟରେ ମଧ୍ୟ । କିଛିଦିନ ଏପରି କରିବାକୁ ସେ ସ୍ଥିର କରିନେଲେ । ଯେତେହେଲେ ଶାକମ୍ବରୀ ତାଙ୍କର ହୃଦୟଠାରୁ ଅଧିକ ନିଜର ।

ଶାକମ୍ବରୀ ଆଗେ ଆଗେ ତାର ସାଇକେଲରେ ଚାଲୁଥାଏ ସଦାନନ୍ଦ କିଛି ଦୂରରେ ତା ପଛେ ପଛେ ସାଇକେଲରେ । କିଛିବାଟ ଗଲାପରେ କଲୋନୀର ଶେଷରେ ଗୋଟାଏ ଛକ, ଡାହାଣ ପଟକୁ ଗଲେ କଲେଜ ବାଆଁ ପଟକୁ ବଜାର ଆଡକୁ ରାସ୍ତା । କଲେଜପଟକୁ ରାସ୍ତା ଟିକେ ନିଛାଟିଆ, ବେଶି ଭିଡଭାଡ ହୁଏନା । ଶାକମ୍ବରୀ କଲେଜ ରାସ୍ତାର କିଛି ଦୂର ଯିବାପରେ ସେ ପିଲା ଦୁଇଟି ଯେପରି ତାର ଅପେକ୍ଷା କରିଥିଲେ ସେଇଠି । ତା ପଛେ ଚାଲିବା ଆରମ୍ଭ କରିଦେଲେ ଏବଂ ବିଭିନ୍ନ କମେଣ୍ଟ ବି । କିଛିବାଟ ଯାଇ ଶାକମ୍ବରୀ ସାଇକେଲରୁ ଓହ୍ଲାଇ ପଡିଲା । ଏବଂ ପିଲା ଦୁଇଟି ତା ପାଖରେ ପହଞ୍ଚି ଗଲେ । ଶାକମ୍ବରୀ ତାଙ୍କୁ କହିଲା, ଭାଇ, ମୁଁ ଯଦି ତୁମର ଭଉଣୀ ହୋଇଥାନ୍ତି ତେବେ ବି କଣ ମୋ ସହିତ ଏପରି ବ୍ୟବହାର କରି ଥାଆନ୍ତ ? ତୁମର କଣ କେହି ଭଉଣୀ ନାହାନ୍ତି । ତାର ଏଇକଥା ଶୁଣି ସେ ପିଲାଙ୍କ ଭିତରୁ ଜଣେ କହିଲା ସରି ସିଷ୍ଟର ଭୂଲ ହୋଇଗଲା । ଆର ପିଲାଟି ଆଡକୁ ଚାହିଁ କହିଲା, ଚାଲ, ତାକୁ ଯିବାକୁ ଦେ । କିନ୍ତୁ ଅନ୍ୟ ପିଲାଟି ଟିକେ ଅଲଗା ପ୍ରକାରର ଥିଲା । ସେ ଶାକମ୍ବରୀ ଚାହିଁ କହିଲା, ହେ ମିସ୍, ସବୁ ସୁନ୍ଦରୀ ଝିଅଙ୍କୁ ଯଦି ସିଷ୍ଟର କହିବୁ ତେବେ ରୋମାନ୍ସ କାହା ସାଙ୍ଗେ କରିବୁ ?

ଶାକମ୍ବରୀ ସେ ପିଲାଟିକୁ ଟିକେ ଭଲ କରି ଦେଖିଲା, ପୁଣି କହିଲା, ସରି, ଏଇଟା ମୋର ଭୂଲ, ସବୁ ପୁଅଙ୍କୁ ରାମ ଭାବି ପୂଜା କଲେ ରାବଣ ମାନେ କୁଆଡେ ଯିବେ ? ତାଙ୍କୁ ପୁଣି ଦଣ୍ଡ କିଏ ଦେବ ? ପିଲାଟି ସାଙ୍ଗେ ସାଙ୍ଗେ ବଡପାଟିରେ ହସିଦେଇ କହିଲା, ରାବଣ କହିଲଣି ଯେତେବେଳେ, ତାହା ହେଲେ ସୀତା ହରଣଟା ବି ହୋଇଯାଉ, କହି ସେ ଶାକମ୍ବରୀର ହାତକୁ ଧରି ପକାଇଲା । ବିଚରା ସେଇଠି ତା ଜୀବନର ମସ୍ତବଡ ଭୂଲଟାଏ କରିଦେଲା । ସେ ହୁଏତ ଠିକଭାବେ ବୁଝିପାରି ନଥିଲା ଶାକମ୍ବରୀକୁ । ଶାକମ୍ବରୀ ତାର ଆଣ୍ଠୁ ଉଠାଇ ମାରିଲା ସିଧା ଆଣ୍ଠୁଆଟାଏ ସେ ପିଲାର କୋଳସନ୍ଦାକୁ । ହଠାତ୍ ଯେପରି ହଜାର ଭୋଲ୍ଟର କରେଣ୍ଟ ଲାଗିଗଲା ପିଲାଟା ଦେହରେ, ସେ ନିଜର ଅଣ୍ଡକୋଷକୁ ଜାବୁଡିଧରି ସେଇଠି ନଇଁ ପଡିଲା । ଏଇ ସମୟରେ ଶାକମ୍ବରୀ ଯୋରଲଗାଇ ମାରିଲା କହୁଣୀଟାଏ ତା ପିଠିରେ । ବିଚରା ସମ୍ଭାଳି ପାରିଲା ନାହିଁ ଏହି ଅତର୍କିତ ପ୍ରହାର, ଗଡିଗଲା ସେଇ ରାସ୍ତାଟାରେ । କିଛି ଲୋକ ବି ସେତେବେଳକୁ ଜମା ହୋଇ ଯାଇଥିଲେ । କିଏ ଜଣେ ପୋଲିସକୁ ବି ଫୋନ କରିଦେଲା । ସଦାନନ୍ଦ ଭିଡରେ ଠିଆ ହୋଇ ସବୁ ଦେଖୁଥାନ୍ତି । ସେ ସମୟରେ ପୋଲିସ ଗାଡି ଆସି ପିଲାଟିକୁ ସାଙ୍ଗରେ ନେଇଗଲେ ।

ଜେଜେ ଶାକମ୍ବରୀ ପାଖରେ ପହଞ୍ଚି ତାକୁ କହିଲେ ତୁ ମୋତେ ନିରାଶ କଲୁ । ଶାକମ୍ବରୀ କିନ୍ତୁ ବୁଝି ପାରୁନଥାଏ ଜେଜେ କଣ କହିବାକୁ ଚାହୁଁଛନ୍ତି । ଜେଜେ ହସି ହସି କହିଲେ ଆଜି କିଛି କରାଟେ ଦେଖିବାକୁ ଇଚ୍ଛା ଥିଲା ହେଲେ…., ଶାକମ୍ବରୀ ଟିକେ ହସିଦେଲା, ହସି ହସି କହିଲା, ସେ ପିଲାଟିକୁ ଦେଖିଲନି, ଏଇ ଦେଶି ମେଡିସିନରେ ସେ ଚିତ୍ ହୋଇଗଲା, କରାଟେ ତା ପାଇଁ ଓଭରଡୋଜ ହୋଇ ଯାଇଥାଆନ୍ତା । ଦିହେ ହସି ଉଠିଲେ ।

***37/03/2018***

Advertisements

ବେଳାଭୂମୀ

ବେଳାଭୂମୀ କିଛି ତ ରଖେନା ସାଇତି
ଏବେର ସ୍ମୃତି, ଏବେ ଧୋଇଦିଏ
ସମୁଦ୍ରର ଉତ୍ଥାଳ ତରଙ୍ଗ ଜଳରେ ।
ପୁଣି କୁମାରୀ ପାଲଟିଯାଏ,
ପର ମୁହୁର୍ତ୍ତରେ ।
ଭୂଲିଯାଏ ଗଲା ପ୍ରହରର କଥା,
କିଏ ଆସିଲା, କିଏ ଗଲା,
କିଏ ଲେଖିଦେଲା ନିଜ ନାମ,
ପ୍ରେମିକାର ନାମ ସାଥେ ଯୋଡି ।
ପୁଣି ଲେଖିଦେଲା ତା ପ୍ରେମ କୁଆଡେ
ତା ପ୍ରେମିକା ପାଇଁ ସମୁଦ୍ରଠୁ ବଳି ।
କିଏ କଣ ସତରେ ଜାଣିଛି
ଏ ସମୁଦ୍ରଟା କେତେ ଯେ ଗଭୀର
କେତେ ଯେ ବିଶାଳ ?
କିଏ ଆସିଲା, ପ୍ରେମିକାର ହାତ ହାତେ ଧରି
କେତେ ଯେ ସପନ ଦେଖେଇଗଲା,
ସେ ସ୍ୱପ୍ନ ମାନଙ୍କର କଣ ହେଲା
ବେଳାଭୂମୀ କେବେ ରଖେନି ଖବର,
ଖାଲି ଶୁଣେ, ମନେ ମନେ ହସେ, ପୁଣି ଭୂଲିଯାଏ ।
କେତେ ଆସିଲେ,
ଭିଜା ଭିଜା ବାଲିରେ ବସିଲେ, ଲହଡି ଗଣିଲେ,
ବାଦାମ ବାରମଜା ସବୁ ଖାଇଗଲେ
ଅଳିଆ କାଗଜ ଆଉ ପଲିଥିନ୍
ଏଇଠି ଫୋପାଡି ଗଲେ ।
ଦିନେ ଶିଳ୍ପିଟିଏ ଆସିଲା ଦି’ଘଡି ପାଇଁ
ବାଲିରେ ବାରବାଟି ଦୁର୍ଗ ଗଢିଦେଲା ।
ଏଇ ବାଲୁକା ଶଜ୍ୟାରେ
ନିତି ଜଳିଯାଏ ଜୁଇ କେତେ,
ଜଳଯାଏ ପଞ୍ଚଭୂତର ଶରୀର,
କିଛି ଯାଏନା ଆସେନା ବେଦରଦୀ ତା’ର ।
ନା ବେଳାଭୂମୀ ହସେ, ନା କେବେ କାନ୍ଦେ,
ନା କେବେ ପ୍ରେମ କରେ ନା କେବେ ଘୃଣା,
ନିର୍ଲିପ୍ତ, ନିରାଶକ୍ତ ସତେ ଅବା ଯୋଗୀଟିଏ ।
ପ୍ରତି ମୁହୁର୍ତ୍ତର ଇତିହାସ ଧୋଇଦିଏ,
ପ୍ରତିକ୍ଷଣ ଏକ ନୂତନ ଜୀବନ ଜିଏଁ ।
ବେଳାଭୂମୀର ନା ଗତକାଲି ଥାଏ
ନା ଆଜି ନା ଆସନ୍ତା କାଲି,
କେବଳ ଥାଏ ବର୍ତ୍ତମାନ ।
ଏ ମୂହୁର୍ତ୍ତର ବାଲିଘର,
ଘଡିକରେ ଧୋଇଯାଏ,
ବେଳା ଭୂମି କିଛି ରଖେନା ସାଇତି ।
ମୋ ହୃଦୟ ଯଦି ହୋଇ ପାରନ୍ତା
ସତେ ନିର୍ଲିପ୍ତ ବେଳାଭୂମୀ ଯେମିତି ।

***15/03/2018***

ନିସ୍କାମ

ମୁଁ ଜାଣେନା
ଥରେ ରାମନାମ ନେଲେ
କେତେ ପାପ ନାଶ ଯାଏ !
ମୁଁ ଜାଣେନା ରତ୍ନ ସିଂହାସନରେ
ଥରେ ମୋ ଜଗାକୁ ଦେଖିଲେ
ମୁକ୍ତି ମିଳେ ଅବା ନାହିଁ !
ମୁଁ ତ ଜାଣେନା
ପ୍ରଭୂଙ୍କୁ ମାଗିଲେ ସବୁକିଛି
ମିଳେ ଅବା ନାହିଁ !
ମାନସିକ ଜାଚି ଦେଲେ
ମନକାମନା ସବୁ ପୁରାହୁଏ ଅବା ନାହିଁ !

ତଥାପି,
ସେ ମୋ ଆରାଧ୍ୟ ମୋ ପ୍ରାଣର ଦେବତା ।
ମୁଁ ରାମ ନାମ ଜପେ,
ଶହେ ଆଠର ତୁଳସୀ ମାଳ ଗଡାଏ,
ଥରେ ରତ୍ନ ସିଂହାସନରେ
ମୋ ଜଗାକୁ ଦେଖିବାକୁ
ମନ ବ୍ୟାକୁଳ ହୋଇଯାଏ ।
ବଡଦାଣ୍ଡେ ଧାଇଁଯାଏ,
ଭିଡଭାଡେ ବାଟକାଟି ମାଡିଯାଏ ।
ସଂଧ୍ୟା ଆରତୀ ବେଳେ,
ମୋ ଜଗାର ଟିକିଏ ଦରଶନ ପାଇଁ
ସବୁକିଛି ସହି ଯାଏ ।
ଜାଣେନା ଏ ସବୁ ଭକ୍ତି ଅବା
ମୋର ବିଶ୍ୱାସ ଅବା ଅନ୍ଧ ବିଶ୍ୱାସ ।

ତଥାପି
ମୋତେ ଯାହା ମିଳେ
ତାର ମୂଲ୍ୟାଙ୍କନ କି ସମ୍ଭବ ସଂସାରେ ?
ଯେଉଁ ଆତ୍ମ ସନ୍ତୋଷ ଆସଇ ମନକୁ,
ଯେଉଁ ଶାନ୍ତି ମିଳଇ ପ୍ରାଣକୁ
ଯେଉଁ ତୃପ୍ତି ମିଳେ ହୃଦୟକୁ,
କି ମୂଲ୍ୟ ଦେବ କିଏ ମୋର
ଏ ସକଳ ପ୍ରାପ୍ତିକୁ ?
ସବୁତ ମିଳିଯାଏ ଟିକେ ଦରଶନରେ,
ଏ ସବୁତ ମିଳେନାହିଁ ସଂସାରର
ସକଳ ସମ୍ପତ୍ତିରେ ।

***18/03/2018***

ସିଏ, ତୁମେଇ ତ ଥିଲ

କେବେ ମୁଁ ନିଜକୁ ଦେଖେ,
କେବେ ଦଶଦିଗେ ତୁମକୁ ଖୋଜେ,
ଭାବେ, ମୁଁ ଆଜି ଯେମିତି ଅଛି,
ସେମିତି କାହିଁକି ?
କିଏ ପୁରା କରିଗଲା
ଛୋଟ ଛୋଟ ଇଚ୍ଛା ସବୁ ମୋର ?

ଜୀବନର ପୃଷ୍ଠା ଖୋଲିବସେ,
ଶୁନ୍ୟ ହାତ ପାପୁଲିକୁ ଦେଖେ,
କପାଳରୁ ଝାଳ ପୋଛିନିଏ,
ଆଖିରେ ତ ଲୁହ ନାହିଁ ପୋଛିବାକୁ,
କୌଣସି ଇଚ୍ଛା ଶେଷ ନାହିଁ ମାଗିବାକୁ ।
ବିନା ମାଗେ ସବୁତ ଦେଇଛ,
ଭରିଦେଇଛ ଏଇ ମୋର ଜୀବନ,
ସାତ ରଙ୍ଗରେ, ନବ ରସରେ,
ଆଉ କିଛି ବାକି ନାହିଁ ମାଗିବାକୁ !
ମାଗି ଥିଲେ ବା ଅଧିକ
କଣ ମିଳିଥାନ୍ତା ମୋତେ?

ଆକାଶକୁ ଚାହିଁଲି,
ତୁମେ ତ ନଥିଲ ସେଇଠି,
କିନ୍ତୁ ମୁଁ ଦେଖୁଥିଲି ତୁମର ପାଦଚିହ୍ନ,
ତୁମର ଯାଦୁକର ହାତର କଳାକାରୀ ।
ମନେ ମନେ ଟିକେ ହସିଲି,
ପୁଣି ଭାବିଲି,
ହେ ନଟ, ହେ ନାଟ୍ୟକାର,
ନେପଥ୍ୟରେ ରହି
ସବୁ କିଛି ତୁମେ ତ ସଂଚାଳନ କରୁଥିଲ,
ହେ ମୋର ବନ୍ଧୁ, ସିଏ ତୁମେଇ ତ ଥିଲ !

***27/02/2018***

କ୍ଷୁଦ୍ରଗଳ୍ପ-ଧାନକଟା ଛୁଟି (ଶୀତ ସକାଳ-ବାସିପଖାଳ-1)

(1970 ଦଶକର ଏ କଥା- ବିଶେଷ କରି ମାଇନର ସ୍କୁଲରେ ପଢିବା ସମୟର । ମାଇନର କହିଲେ, ଚତୁର୍ଥ ଶ୍ରେଣୀରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ଯାଏ । ସିଏ ଗୋଟିଏ ବୟସ ସମସ୍ତେ କହନ୍ତି ଛୋଟପିଲା, ଛୋଟପିଲା । ହାଇସ୍କୁଲ ହୋଇଗଲେ କୁଆଡେ ବଡପିଲା ହୋଇଯାଆନ୍ତି ! ସେ ବୟସରେ ସ୍କୁଲ ଛୁଟିକୁ ସବୁବେଳେ ଅପେକ୍ଷା ଥାଏ । ଛୁଟି ହେଲେ ବଡ ଖୁସି ଲାଗେ । ଡିସେମ୍ବର ମାସ ଶେଷ ଆଡକୁ ଠିକ୍ ଏକ୍ସ ମାସ ସମୟର ଏଇ ଛୁଟିଟା । ଆଜିକାଲିର ଏକ୍ସମାସ ଛୁଟି ଆଉ ଆମ ବେଳର ଧାନକଟା ଛୁଟି ଗୋଟିଏ । ବୋଧହୁଏ ସେତେବେଳେ ଶିକ୍ଷକମାନେ ନିଜ ଜମିରେ ଧାନ ଅମଳ କରନ୍ତି, ସେଥିପାଇଁ ହୁଏ ଏଇ ଛୁଟିଟା) ।
ସୂର୍ଯ୍ୟ ଉଇଁବା ଆଗରୁ, ବାପା ଆସି ଉଠେଇ ଦିଅନ୍ତି, ଆରେ ଦି’ଭାଇଯାକ ଉଠରେ, ଆଜି ଧାନକଟା ହେବ ପରା । ହଳଧର ଆସି ସାରିଲିଣି (ହଳଧର ଆମର ହଳିଆର ନାଆଁ ଥିଲା)। ସେ ବଳଦଙ୍କୁ ଖାଇବାକୁ ଦେଉଚି, ଜଲ୍ଦି ଉଠିପଡ ଦାନ୍ତ ଘଷି ପକାଆ । ମୋ ବଡଭାଇ ଆଉ ମୁଁ ଆମେ ଗୋଟିଏ ବଖରାରେ ଶୋଉ । ସଂଧ୍ୟାବେଳେ ମୁଁ ତ ବାପାଙ୍କ ଖଟରେ ଶୋଇଯାଏ, କିନ୍ତୁ ବଡ ଭାଇର ହାଇସ୍କୁଲ, ସେ ପଢାପଢି ସାରି ଡେରିର ଶୁଏ, ପଢା ସରିଲା ପରେ ରାତିରେ କେତେବେଳେ ଆସି ବାପାଙ୍କ ଖଟରୁ ମୋତେ ଉଠେଇ ନେଇଯାଏ । କେବେ କେବେ କାଖେଇକି, କେବେ ଚଲେଇ ଚଲେଇକି । ରାତିରେ କାଳେ ତାକୁ ଏକୁଟିଆ ଶୋଇବାକୁ ଡର ଲାଗେ । ସେ ସମୟରେ ବିଜୁଳି ନଥିଲା । ଲଣ୍ଠନ ଆଲୁଅରେ ସବୁ କାମ । ଶୋଇଲା ପୂର୍ବରୁ ଲଣ୍ଠନ ଲିଭାଇ ଦିଆଯାଏ । ମୁଣ୍ଡ ପାଖରେ ଟର୍ଚ୍ଚ ଆଉ ଦିଆସିଲ ରଖାଯାଏ, ରାତିରେ ଏମରଜେନ୍ସି ପାଇଁ ।
ବାପା ଉଠେଇଦେଇ ଚାଲି ଯାଆନ୍ତି, ମୋ ନିଦ ଭାଙ୍ଗିଯାଏ, ମୁଁ ବଡ ଭାଇକୁ ଉଠାଏ । ଉଠ, ବାପା ଡାକିଲେଣି, ଧାନକଟେଇବାକୁ ଯିବା ପରା ! ବଡ ଭାଇ ଟିକେ ପରଫେକ୍ସନିଷ୍ଟ, ମାନେ ସବୁ କାମ ଧିରେ ସୁସ୍ଥେ ଆରାମରେ କରନ୍ତି, କିନ୍ତୁ ରେଜଲ୍ଟଟା ପରଫେକ୍ଟ ଥାଏ । ନିଦରେ ବି ସେମିତି, ଓଲଟି ମୋତେ କହିଲେ ଶୋଇପଡ । ସକାଳ ହେଇନି । ଡେରି ହେଲେ ବାପା ଆମକୁ ଆଉ ପଠେଇବେନି । ଛୁଟି ଅଛି ଘରେ କ୍ୟାରାମ ଖେଳିବା । ମୁଁ କିନ୍ତୁ ଉଠି ପଡିଲି, ବଡ ଭାଇକୁ ଜାଣିଶୁଣି ଆଉ ଉଠାଇଲିନି । ସଇତାନର ଦିମାଗ ! ମନେମନେ ଭାବିଲି, ବଡ ଭାଇ ବୋଲି ସବୁ ବେଳେ ସବୁ କାମରେ ଦାଦାଗୀରି ଦେଖାନ୍ତି । ତୁ ଛୋଟ ପିଲା, ଏମିତି କରନା ସେମିତି କରନା । ବାପାଙ୍କ ସାଇକେଲ ବି ଛୁଇଁବାକୁ ଦିଏନି, ନିଜେ ଶିଖିବା ପାଇଁ ନେଇ ପଳାଏ । କହିବ ତୁ ଛୋଟପିଲା ତୋ ଉପରେ ସାଇକେଲ ଖସି ପଡିବ, ତୁ ସମାଳି ପାରିବୁନି, ଖସି ପଡିଲେ ଖୋଡ ହାତ ଖଣ୍ଡିଖାବରା ହୋଇଯିବ । କେବେ କେବେତ ଏମିତି ମଉକା ମିଳେ ବାପାଙ୍କ ଠାରୁ ତାକୁ ଗାଳି ଶୁଣେଇବାକୁ । ମୁଁ ଦାନ୍ତ ଘଷି ରେଡି ହୋଇ ବାପାଙ୍କ ପାଖରେ ପହଞ୍ଚି ଯାଏ । ବାପାଖୁସି ହୋଇ ଯାଆନ୍ତି, କହନ୍ତି ଗୁଡ ବୟ, ପଚାରନ୍ତି ଭାଇ କୁଆଡେ ଗଲା ? ମୁଁ କହେ ତାକୁ ଉଠାଇଲି ସେ ଉଠିଲାନି । ବାପା ନିଜେ ଯାଇ ତାକୁ ଆଉଥରେ ଉଠାନ୍ତି ଏବଂ କହନ୍ତି ହଳଧରକୁ ଡେରି ହେଉଛି, ମୂଲିଆ ଆସି ବିଲ ମୁଣ୍ଡରେ ପହଞ୍ଚି ସାରବେଣି । ତୁ ଦାନ୍ତକାଠି ନେଇଯା, ସେଇଠି ଘଷି ପକେଇବୁ । ମାଆ ଗୋଟାଏ ମୁଣିରେ ତିନିଚାରି ମାଣ ମୁଡି ବାଦାମ ପିଆଜ ରଖି ଆଣି କହେ ଏଇନିଅ, ରାସ୍ତାରେ ଦି’ଜଣ ଖାଇଖାଇ ଯିବ । ଭଲ କି ଖରାଆସିଲେ ପଖାଳ ଆଳୁଭଜା ଆଉ ସୁକୁଆ ଭଜା ଦେଇଛି, ବିଲରେ ଦି’ଭାଇ ବସି ଖାଇବ, ଝଗଡା କରିବନି । ଦି ପହର ଖାଇବା ମୁଁ ସେବତୀ ହାତରେ ପଠେଇ ଦେବି (ସେବତୀ ହଳଧର ଦାଦାଙ୍କ ଝିଅ, ସେ ବି ଆମ ଘରେ କାମରେ ମାଆକୁ ସାହାଯ୍ୟ କରେ)। ବଡ ଭାଇ ଆଡକୁ ଚାହିଁ କହିଲେ, ତୁ ସାଙ୍ଗରେ ଯାଉଚୁ ସାନର ଖୟାଲ ରଖିବୁ, ଜାଣିଚୁ ସେ କେତେ ଦୁଷ୍ଟ । ଏଇଟା କହି ମୋ ଆଡକୁ ଇସାରା କରିଦିଅନ୍ତି । ମୁଁ ଫିକ୍ କିନା ହସିଦିଏ, ବଡଭାଇ ନିଦ ଆଉ ରାଗରେ ମୋ ମୁହଁକୁ ଚାହିଁ କହନ୍ତି, ତୁ ମୋତେ କାହିଁକି ଉଠେଇଲୁନି । ବାପା ମୋତେ ରାଗିଲେ, ଅଳୁସୁଆ କହିଲେ । ମୁଁ ଖୁସିରେ ଟିକେ ହସିଦେଇ କହେ ମୁଁ ତ ଉଠେଇଥିଲି ତୁ ଉଠିଲୁନି ମୁଁ କଣ କରିଥାଆନ୍ତି । ଏଇ ସମୟରେ ହଳଧର ଡାକେ, ଚାଲ ସାନ ବାବୁ ମାନେ, ଶଗଡ ଜୋଚି ସାରିଲିଣି । ଶଗଡରେ ବସୁବସୁ ମୁଁ ମୁଢି ବାଦାମ ଖାଇବା ଆରମ୍ଭ କରିଦିଏ, ବଡଭାଇ କହେ, ଆରେ ପେଟୁ, ସବୁ ଖାଇବୁନି, ମୋ ପାଇଁ ରଖିବୁ । ଶଗଡଗାଡି ଧକଡ କଚଡ ହୋଇ ଆଗକୁ ମାଡିଚାଲେ ।
ଆଜି ଭାବିଲେ ବାପାଙ୍କ ଦୂରଦୃଷ୍ଟି କଥା ମନକୁ ଆସେ । ପିଲାଦିନେ ଲାଗୁଥିଲା ଧାନ କଟା ସମୟରେ ହଳିଆ ମୂଲିଆ କାଳେ ଧାନ ଚୋରି କରିନେବ, ସେଥିପାଇଁ ତାଙ୍କ ଉପରେ ଦୃଷ୍ଟି ରଖିବାକୁ ପଠାଉ ଥିଲେ । କିନ୍ତୁ ଆଜି ଠିକ୍ ଠିକ୍ ବୁଝିହୁଏ ତାଙ୍କ ଉଦ୍ଦେଶ୍ୟ । ପିଲାଟି ଦିନରୁ ମାଟି ସହିତ ଜୋଡିହୋଇ ରହିବାର ଟ୍ରେନିଂ ଥିଲା ସେସବୁ । ପିଲାଏ ଜାଣନ୍ତୁ, ଆମର ଜମି କେଉଁଠି କେଉଁଠି । ମଣିଷ ମାଟି ସହିତ ମାଟି ହୋଇ କେତେ ପରିଶ୍ରମ କଲେ ଖାଇବା ଗଣ୍ଡାକ ଘରକୁ ଆସେ । ଥାଳିଏ ଭାତ ପଛରେ କେତେ ଲୋକଙ୍କର ପରିଶ୍ରମ ଲାଗିଛି ! ତେବେ ଯାଇ ସିନା ମଣିଷ ଭାତ ମୁଠାକର ମହତ୍ୱ ବୁଝିପାରିବ । ଆଜି ଟଙ୍କାଦେଇ ସପିଙ୍ଗ ମଲରୁ ଚାଉଳ କି ଡାଲି କି ପନିପରିବା କିଣିବା ବେଳେ କିଏ କଣ ଭାବେ, ଏ ଚାଉଳ, ଡାଲି ଗଣ୍ଡାକ ପଛରେ କାହାର, କାହାର କେତେ ଝାଳ ବୋହିଛି ! ଖାଲି ହିସାବ ହୁଏ ଅମୁକ କମ୍ପାନୀର ଚାଉଳ ଏତେ ସରୁ ଏତେ ଲମ୍ବା ଆଉ ଏତେ ବେଶି ବାସ୍ନା । ଚାଷି ତ କେବେ ମନେ ପଡେନା । ତାଛଡା ଆମ ଦି ଭାଇଙ୍କୁ ଏକାଠି ପଠାଇବା ପଛରେ କଣ ଉଦ୍ଦେଶ୍ୟ ଥାଏ ? ଯେମିତି ଆଗରୁ କହିଛି, ବଡ ଭାଇ ଟିକେ ଧୀର ସ୍ଥିର ମୁଁ କିନ୍ତୁ ତାଙ୍କର ଓଲଟା, ପୁରା ଦୁଷ୍ଟ, ଚାଲିଗଲା ଶଗଡ ଚକରେ ହାତ ମାରିବା ପିଲା । ଆମେ ଦିଜଣ ସାଥିରେ ରହିଲେ ସେ ମୋ ଚଞ୍ଚଳତାକୁ ନିୟନ୍ତ୍ରଣ କରିବେ, ଆଉ ମୁଁ ତାଙ୍କର ଅଳସୁଆ ପଣକୁ ଚଞ୍ଚଳତାରେ ପରିବର୍ତ୍ତିତ କରିବି, ମାନେ ମୁଁ ଦୁଷ୍ଟ ହେଲେ ଗୋଡେ ଗୋଡେ ମୋତେ ଜଗିବେ ଆଉ ନଜର ରଖି ମୋ ପଛେ ପଛେ ଗୋଡଉ ଥିବେ । ତା ଛଡା ଭାଇ ଭାଇର ସମ୍ପର୍କ ଆହୁରି ନିବିଡ ହେବ ।
ଘର ପାଖରୁ ଆମ ଜମି ପ୍ରାୟ ତିନି ଚାରି କିଲୋମିଟର ଦୂର । ଆମ ଜମି ଜଙ୍ଗଲ ପାଖା ପାଖି । ଆଉ ସେଠାକୁ ଯିବାପାଇଁ ପକ୍କା ସଡକ ନଥାଏ । ଦୁଇ କିଲୋମିଟର ଦୂର କଚ୍ଚା ରାସ୍ତାରେ ଗଲା ପରେ ଜମି ସବୁ ଆରମ୍ଭ, ଆଉ ରାସ୍ତା ନଥାଏ ଆମ ଜମି ପାଖକୁ ଯିବା ପାଇଁ । ସେଇଥି ଲାଗି ଯେଉଁ ଯେଉଁ ଜମିର ଧାନ କଟା ସରି ଯାଇଥାଏ, ସେଇ ସବୁ ଜମି ଭିତରେ ଶଗଡକୁ ବୁଲେଇ ବୁଲେଇ ନେବାକୁ ହୁଏ । ବର୍ଷା ଦିନେ ଜମିର ହୁଡା ଏକ ମାତ୍ର ରାସ୍ତା, ତେଣୁ ଆମ ଜମିର ଦୂରତା ଏଇ ହିସାବରେ କମ୍ ବେଶି ହୋଇଥାଏ । ମୁଢି ଖାଇ ଶୋଷ ଲାଗିଲା, ପାଣି ବୋତଲଟା ଉଠେଇଲା ବେଳେ ଭାଇ କହିଲେ ଏବେ ପାଣି ପିଇନା, ମାଆ କହେନି, &ଖାଆ ମୁଢି ପିଇ ପାଣି, ବାପା ଯାଇଛି ବଇଦ ଆଣି&। ମୁଢି ଖାଇ ପାଣି ପିଇଲେ ଜ୍ୱର ହେବ । ମୁଁ କିନ୍ତୁ ବୋତଲଟା ଛଡେଇବା ଆରମ୍ଭ କରିଦିଏ, ଭାଇ କହନ୍ତି, ଆରେ ରହ ଦେଉଚି, କିନ୍ତୁ ଅଳ୍ପ, ମାନେ ଢୋକେ ପିଇବୁ । ତୁ ଯେମିତି ଛଡଉଚୁ, ଖସି ପଡିଲେ କାଚ ବୋତଲଟା ଭାଙ୍ଗିଯିବନି ? ଆଉ ମିଳିବନି ପାଣି ପିଇବାକୁ ଜାଣିଚୁନା ।
ସେତେବେଳେ ଆଜିର ୱାଟର ବଟଲ ନଥିଲା । ଯାହା ବି ବୋତଲ ଥିଲା ସବୁ କାଚର । ସବୁ ପାଣିଆ ଜିନିଷ କାଚ ବୋତଲରେ ମିଳୁଥିଲା । ସେ ଶୋରିଷ ତେଲ ହେଉ ବା ଟନିକ୍ । ସେତେବେଳେ କାଗଜ ଠୁଙ୍ଗା ଆଉ କାଚ ବୋତଲ । ମୁଢି କିଣିବାକୁ ଗଲେ ବ୍ୟାଗ ନେଇଯାଅ ନହେଲେ କାନି ପତାଇ ଦିଅ । ତେଲ କି ଘିଅ କିଣିବାର ଅଛି ତ ଘରୁ ଜାଗା ନେଇକରି ଯାଅ । କିନ୍ତୁ ଆଜି ତ ଖାଲି ହାତରେ ବଜାର ଯାଅ, ପଲିଥିନରେ ସବୁ ବୋହିଆଣ । ପାଣି ବି ପାଉଚ, ଖିର ବି, ଦହି ବି । ବଜାରରୁ ବରା ଘୁଗୁନି ଆଣିଲେ ପଲିଥିନ୍ ରେ ପ୍ୟାକ କରି ଦେଉଛନ୍ତି, ଜଣା ନାହିଁ ସେ ପରିଷ୍କାର ଅଛି କି ନାହିଁ । ତାଛଡା ପଲିଥିନ ସାଇତିବା ବି ଦରକାର ନାହିଁ । ଏଠି ସେଠି ଯେଉଁଠି ଇଚ୍ଛା ଫୋପାଡି ଦିଅ । ତେଣିକି ଗାଈ ଖାଇକି ମରୁ କି ନାଳି ଜାମ ହୋଇଯାଉ କାହାର ବା କଣ ଯାଉଛି । ଏସବୁ ଚିନ୍ତା କରିବା କଣ ଆମର କାମ ? କାହା ପାଖରେ ଏତେ ସମୟ ଅଛି ଏସବୁ ଭାବିବାକୁ । ସେସବୁ ସରକାରଙ୍କ କାମ । ଖାଲି କହିବା ଶୁଣିବା ଆଉ ପଢିବା ପାଇଁ ଅଛି ‘ପରିମଳ ପରିବେଶ’ର କଥା ।
ଶେଷରେ ଘଣ୍ଟାଏ କାଳ ଶଗଡରେ ଧକଡ କଚଡ ହୋଇ ପହଞ୍ଚି ଗଲୁ ଜମି ପାଖରେ । ଶଗଡରୁ ଓହ୍ଲାଇ ଟିକେ ଅଣ୍ଟା ସଳଖ କରିନେଲୁ । ଜମି ମାଲିକ ପଣିଆରେ ଆଖି ବୁଲେଇ ଆଣିଲି ଚାରିପଟରେ । କହିଲି ହଳଧର ଦାଦା, ସେ ଉପର ପୋଖରୀରେ କେତେ ପାଣି ଅଛି ଏବର୍ଷ ? (ମାଆ ସବୁବେଳେ ଶିଖାଏ ସମସ୍ତଙ୍କ ସହିତ ସମ୍ମାନର ସହିତ ବ୍ୟବହାର କରିବାକୁ, ହଳଧର ଆମ ହଳିଆ ହେଲେ କଣ ହେବ, ସେ ବୟସରେ ଆମଠାରୁ ବହୁତ ବଡ, ତାଛଡା ସେ ଆମ ଘରର ବହୁତ ପୁରୁଣା ଚାକର, ଆମକୁ କୋଳେଇ କାଖେଇ ମଣିଷ କରିଛି, ବହୁତ ଜତ୍ନ କରେ ଆମର, ତେଣୁ ତାଙ୍କୁ ଦାଦା ଡାକୁ) । ଆମ ଜମି ଉପରେ ଗୋଟିଏ ଛୋଟ ପୋଖରୀ, ଜେଜେ ଖୋଳେଇ ଥିଲେ । ଇନ୍ଦ୍ରଦେବତାଙ୍କ ଉପରେ ତାଙ୍କର ଭରଷା ନଥିଲା । ତେଣୁ ବର୍ଷା ପାଣିକୁ ସଞ୍ଚୟ କରି ଦରକାର ବେଳେ ବ୍ୟବହାର କରିବାକୁ ଏଇଟା ତାଙ୍କର ଯୋଜନା ଥିଲା । ଯେଉଁ ବର୍ଷ ଅଧିକ ବର୍ଷା ହୁଏ ଏଥିରେ ପାଣି ବର୍ଷସାରା ରହେ । ଆଗରୁ ଜଙ୍ଗଲରୁ ହରିଣ କୁଟୁରା ବାଘ ପର୍ଯ୍ୟନ୍ତ ଏଠିକୁ ପାଣି ପିଇବାକୁ ଆସୁଥିଲେ । ଜେଜେ ଏଇ ପୋଖରୀ ହୁଡାରେ ବସି କେତେ ହରିଣ ଶିକାର କରିଛନ୍ତି ବୋଲି ବାପା କହନ୍ତି । ଥରେ ତ ବାଘ ହାବୁଡରେ ପଡିଯାଇଥିଲେ ଏଇ ପୋଖରୀ ହୁଡାରେ, ସେ ଲମ୍ବା କାହାଣୀ ପରେ କେବେ କହିବି, ଶୁଣିବେ । ଏବେ ଆଉ ସେ ଜଙ୍ଗଲ ନାହିଁ, ଏଇ ଠାରୁ ପାଞ୍ଚ, ସାତ କିଲୋମିଟର ପଛକୁ ଘୁଞ୍ଚି ଗଲାଣି ଜଙ୍ଗଲ । ହେଲେ ଆଜି ଆଉ ସେ ଜଙ୍ଗଲ କାଇଁ, ନାଆଁ ଖାଲି ଜଙ୍ଗଲ । ସେଇ ଶାଳ ପିଆଶାଳ କି ବାଉଁଶ ଜଙ୍ଗଲ ସବୁ କେବେଠାରୁ କଟା ସରିଲାଣି । ସରକାରୀ ରେକର୍ଡରେ ଖାଲି ଜଙ୍ଗଲ । ଦେଶର ସବୁଆଡର ଜଙ୍ଗଲ ସବୁ ନଷ୍ଟ, ସେଇଥି ପାଇଁ ତ ଆଜି ଏତେ ଖରା ଆଉ ଗରମ ହେଉଛି, ବର୍ଷାର ତ ଠିକଣା ନାହିଁ ଏମିତି ଜଙ୍ଗଲ ନଷ୍ଟ ହୋଇ ଚାଲିଲେ ସବୁ କିଛି ଜଳିଯିବ ଶେଷରେ, ଟୋପିଏ ପାଇବା ପାଣି ପାଇଁ ହା’ହା କାର ପଡିଯିବ ସାରା ସଂସାରରେ

ଳଧରଦାଦା କହିଲେ ସାନବାବୁ, ଏବର୍ଷ କାଇଁ ବର୍ଷା ହେଇଚି ଭଲକି ! ଯାହା ପାଣି ଥିଲା ଧାନ ପାଚିବା ସମୟରେ ମଡେଇ ଦେଇଥିଲି, ଏବେ ସୁଖି ଆସିଲାଣି । କୋଉଠି କୋଉଠି ପଙ୍କ କାଦୁଅ ଥିବ ଯଦି ଥିବ । ମୋର ମନେ ପଡିଗଲା ଗତ ବର୍ଷ କଥା । ସେତେବେଳେ ବି ସୁଖି ଯାଇଥିଲା ପୋଖରୀଟା, ହେଲେ ସେ ପଙ୍କରେ କେତେ ଗଡିଶା ମାଛ ସାଲୁବାଲୁ ହେଉଥିଲେ ! କଦୁଅରେ ପଶି ମୁଁ କିଲୋକରୁ ଅଧିକ ମାଛ ଧରିଥିଲି । ମାଆତ ବହୁତ ଖୁସି ହୋଇଯାଇଥିଲେ, ରାତିରେ ସମସ୍ତେ ମଜାରେ ଖାଇଲେ, ହେଲେ ବାପା ଭୀଷଣ ରାଗିଥିଲେ ମୋ ଉପରେ । କହିଲେ କାଦୁଅରେ କାହିଁକି ପଶିଲୁ ? ଯଦି ସାପ କି ଆଉ କଣ ଥାଆନ୍ତା କଣ ହୋଇଥାନ୍ତା ? ଆଗେ ସେମେତି କେବେ କରିବୁନି । ହେଲେ ମୁଁ ବାପାଙ୍କ ରାଗକୁ ମନେ ପକାଇବାକୁ ଚାହୁଁ ନଥିଲି । ମୋତେ ଲାଗୁଥିଲା ଯେପରି ପୋଖରୀ ପଙ୍କରେ ଗଡିଶା ମାନେ ମୋତେ ଡାକୁଛନ୍ତି, ତାଙ୍କୁ ସେଠାରୁ ଉଦ୍ଧାର କରି ସ୍ୱର୍ଗକୁ ପଠାଇବାର ବନ୍ଦୋବସ୍ତ କରିବାକୁ ।
ସୂର୍ଯ୍ୟ ଉଇଁ ସାରେଲାଣି କେତେବେଳୁ । ହେଲେ ଘରପାଖ ସୁର୍ଯ୍ୟ ଆଉ ଜମି ପାଖ ସୂର୍ଯ୍ୟ କେତେ ଅଲଗା ସତରେ । ଘରପାଖ ସୂର୍ଯ୍ୟ ବୀର ସୈନିକଟିଏ, ହେଲେ ଶତ୍ରୁପକ୍ଷର ବନ୍ଦିଶାଳାରେ ବନ୍ଦି ହୋଇ ଯାଇଛି । ଚାରି ପାଖରେ ଉଞ୍ଚା ଉଞ୍ଚା ପାଚେରୀରେ ଘେରା ବନ୍ଦିଶାଳା, କିନ୍ତୁ ଜମି ପାଖର ସୂର୍ଯ୍ୟ ସତେ ଅବା ଚଗଲା ପିଲାଟିଏ, ଉନ୍ମୁକ୍ତ ବିସ୍ତିର୍ଣ୍ଣ ପ୍ରାନ୍ତର, ଦିଗନ୍ତ ବିସ୍ତାରୀ ଖୋଲା ଆକାଶ, କେଉଁ ଶାଳଗଛ ଆଢୁଆଳରୁ ଉଙ୍କି ମାରି କହୁଛି ମୋତେ ଖୋଜ, ମୁଁ କେଉଁଠି ଲୁଚିଛି ଦେଖ, ସତେବା ଲୁଚକାଳି ଖେଳର ମଜ୍ଜା ନେଉଛି ସୂର୍ଯ୍ୟ । ମନ ପୁଲ୍ଲକିତ ହୋଇ ଉଠିଲା, ଶିତ ସକାଳର କଅଁଳ ଖରା, ସୁଲୁ ସୁଲୁ ଶୀତଳ ପବନ, ଲାଗୁଥିଲା ଯେମିତି ମୁଁ ସୂର୍ଯ୍ୟ ସାଥେ ସାଥେ ମୁକ୍ତ ଆକାଶରେ ଉଡୁଛି । ଜମି ହୁଡାରେ, ପାଚିଲା ଧାନର ହଳଦିଆ ପଡି ଆସିଥିବା ପତ୍ରରେ ଜମା ହୋଇଥିବା କାକର ବିନ୍ଦୁ ଉପରେ ସକାଳ ସୂର୍ଯ୍ୟର ନାଲିଆ କିରଣ, ସତେବା ମୁକ୍ତା ବିଛାଡି ହୋଇ ଯାଇଛି ପୃଥିବୀ ସାରା । ଏ ଅନୁଭୂତିକୁ ଶବ୍ଦରେ ଗୁନ୍ଥିଦେବା ସମ୍ଭବ ନୁହେଁ । ଏ ଦୃଶ୍ୟକୁ ଗପରେ ପଢି ଅଥବା କଳ୍ପନାରେ ଉପଭୋଗ କରି ହୁଏନା । ସେ ସମୟରେ ସେହି ସ୍ଥାନରେ ଥାଇ ଏସବୁ ଅନୁଭବ କରିହୁଏ, ତାର ଆନନ୍ଦ ନେଇ ହୁଏ ।
ବଡଭାଇ ଛଣ ଛପର କୁଡିଆ ସାମ୍ନାର ବସି ମୁଢି ବାଦାମର ମଜା ନେଉଥିଲେ । ଏଇ କୁଡିଆଟି ଜମିପାଖ ପଡିଆଟାରେ ରାତିରେ ଖେତ ଜଗିବା ପାଇଁ ତିଆରି ହୋଇଥାଏ । ଏଇ ପଡିଆଟାକୁ କେନ୍ଦୁ ପଡିଆ କହନ୍ତି । କେନ୍ଦୁ ପଡିଆର ଶେଷ ସନ୍ତକ ଥୁଣ୍ଟା କେନ୍ଦୁ ଗଛଟିଏ ଠିଆ ହୋଇଛି । ଏଇ ପଡିଆ କେନ୍ଦୁଗଛରେ ଭରା ଜଙ୍ଗଲଟିଏ ଥିଲା ବୋଲି କହିବାକୁ ଶେଷ ସାକ୍ଷୀ ଭାବରେ ବଞ୍ଚି ରହିଛି, ଆଉ ତାଆରି ତଳେ ଏଇ କୁଡିଆଟା । ଗୋଟାଏ କଡକୁ ଜମା ହୋଇଛି କୁଢେ ଅଙ୍ଗାର, ପାଉଁଶ ଆଉ ଅଧାଜଳା କାଠ ଗଡଟାଏ । ରାତିରେ କୁଟୁରା, ହରିଣ, ସମ୍ବର ଆସି ଖେତ ଉଜାଡି ଯାଆନ୍ତି, କେବେ କେବେ ହାତୀ ପଲ ବି ଆସନ୍ତି । ବିଚରା ଜଙ୍ଗଲି ପଶୁ ଯିବେ କୁଆଡେ ? ମଣିଷ ତ ସବୁ ସ୍ଥାନରେ ନିଜର ଆସ୍ଥାନ ଜମେଇବାରେ ବ୍ୟସ୍ତ । ଏମିତିକି ଜଙ୍ଗଲି ପଶୁ ମାନଙ୍କର ଘରକୁ ବି ଜବର ଦଖଲ କରି ସାରିଲାଣି । ଖେତ ଉଜାଡି ରହିବାକୁ ଘର ତିଆରି କଲାଣି । ମଣିଷ ଭୂଲି ଯାଇଛି, ଭଗବାନ ମଣିଷକୁ ପେଟଟିଏ ଦେଇଛି ବୋଲି । ଆଉ ପେଟ ଭରିବାକୁ ଆହାରର ଆବଶ୍ୟକ । ମଣିଷ ଭାବୁଛି ପଇସା ଅଛି, ସବୁ କିଛି ବଜାର ରେ ମିଳିଯିବ କିଣିବାକୁ । କିନ୍ତୁ କେମିତି ? ଚାଷ ହେବନି ତ ଧାନ ଗହମ ଡାଲି ପନି ପରିବା ଆସିବ କେଉଁଠୁ?
ମୋ ପେଟର ମୁଢି ବାଦାମ କେତେବେଳୁ ହଜମ ହୋଇ ସାରିଲାଣି କିନ୍ତୁ ବଡଭାଇ ଏଯାଏ ମୁଢି ଖାଇବା ସାରି ନାହାନ୍ତି । ପଖାଳ ଖାଇବାକୁ କହିଲେ, କହିବେ ପେଟୁ, ଧାନକଟା ଦେଖିବାକୁ ଆସିଛୁ ନା ଖାଇବାକୁ ? ଆଉ କିଛି ଚାରା ନାହିଁ । ତାଙ୍କର ମୁଢି ହଜମ ହେବା ଯାଏ ଅପେକ୍ଷା କରିବାକୁ ହେବ । ହେଲେ କାଲିରାତିର ବେସର ମସଲା ଦିଆ ଖାରପାଣିଆ ଆଉ ଚୁଙ୍ଗୁଡି ସୁଖୁଆର ସ୍ୱାଦ ମନେ ପଡି ଯାଉଛି । ଆଉ ଲୋଭ ସମ୍ଭାଳି ହେଉନି । ଚୁପ୍ ଚାପ କୁଡିଆ ଭିତରକୁ ଯାଇ ପଖାଳ ଥିବା ଟିଫିନ ଖୋଲିଲି । ସବା ଉପରଥାକରେ ଅଛି ଖାରପାଣିଆ ଆଉ ଚୁଙ୍ଗୁଡି ସୁଖୁଆ ଭଜା । ଚୁପକରି ଖାରପାଣିଆ ସୁକୁଆର ଲାଞ୍ଜ ଆଡୁ ଭାଙ୍ଗି ପାଟିରେ ପକେଇ ଟିଫିନ ବନ୍ଦ କରି ବାହାରକୁ ଆସିଲି । ସମ୍ନାରେ ବଡଭାଇ ଠିଆ, କଣ କରୁଥିଲୁ ଟିଫିନ ଖୋଲି? ପେଟୁ, ଟିକେ ଅପେକ୍ଷା କରି ପାରୁନୁ? ଟିକେ ରହି ଯାଆ, ଅଧଘଣ୍ଟା ପରେ ଖାଇବା । ମନ ମୋର ପଖାଳ ଟିଫିନ୍ ପାଖରେ ଅଟକି ରହିଥାଏ । ଖାଇ ସାରିଲେ କିପରି ଯାଇ ପୋଖରୀ ପଙ୍କରୁ ଗଡିଶା ଧରିବି ସେଥିପାଇଁ ମନ ଉଚ୍ଛନ୍ନ । ମନେ ମନେ ଭାବୁଥାଏ ଗତ ବର୍ଷ ଅପେକ୍ଷା ଅଧିକ ଗଡିଶା ନେଇକରି ଯିବି ଘରକୁ ଆଜି । ବାପାଙ୍କ ଠାରୁ ଗାଳି ଶୁଣିବାକୁ ପଡିବ । ହେଲେ ନିଜ ପୋଖରୀ ଆଉ ନିଜେ ଧରିଥିବା ତାଜା ଗଡିଶାର ସୁଆଦ ଆଗରେ ଏ ଗାଳିର ସୁଆଦ ଫିକା ପଡିଯାଏ ।
***22/03/2018***

କେମିତି ଏ ପ୍ରେମ

ପ୍ରତିଟି ସକାଳେ ଦିଅଙ୍କ ଆଗେ
ମଥା ନୋଇ, ଅବା
ପ୍ରତି ସଂଞ୍ଜରେ ବୃନ୍ଦାବତୀଙ୍କ ପାଖେ
ସଞ୍ଜ ସଳିତା ଜାଳିଦେଇ
ତୁମେ ନିଇତି ତ ମୋ ପାଇଁ
ଦୀର୍ଘଜୀବନ ମାଗ,
ଆଉ ବିନତୀ କର
ଅହ୍ୟ ସୁଲକ୍ଷଣୀ ହେବା ପାଇଁ
ସଙ୍ଖା ସିନ୍ଦୁର ସାଥେ ବାହୁଡିବା ପାଇଁ ।

ହେଲେ, ନିର୍ଲଜ ମୋ ପ୍ରାଣ
ମୁଁ ବି ସେଇଆ କାମନା କରେ,
ହେ ପ୍ରଭୂ, ମୋ ଅର୍ଦ୍ଧାଙ୍ଗୀର
ପ୍ରାର୍ଥନା ସ୍ୱୀକାର କର,
ମୋ ପୂର୍ବରୁ ତାକୁ ନେଇଯାଅ !
କେମିତି କହିଦେବି,
ତୁମ ବିନା ଜୀବନ ମୋ କେମିତି ଯେ ହେବ !
ଚନ୍ଦନଗଛରୁ ବାସ ଚାଲିଗଲା ପରେ
କଣ ବା ମୂଲ୍ୟ ତାର,
ନିର୍ଜୀବ କାଠ ଗଡଟାଏ,
କେବଳ ଦହନର ଅପେକ୍ଷାରେ ଥିବ ।
ତୁମେ ହୁଏତ ଜାଣନା
ମୋ ପାଇଁ ତୁମେ ଯେ କ’ଣ,
ତୁମେ କେବଳ ଅଧା ଶରୀର ନୁହେଁ ଗୋ
ତୁମେ ବି ତ ଅଧାପ୍ରାଣ ମୋର ।
ମୁଁ ତ ସୁପ୍ତ ଇଲେକ୍ଟ୍ରୀକ ବଲ୍ବଟିଏ
ତୁମେ ତ ବିଜୁଳି ମୋ ପାଇଁ
ତୁମ ବିନା କୁହ ଜଳିବି କେମିତି ?

ଜୀବନର ଏଇ ସଂଜବେଳେ
ଏକ ବିନା ଆରେକର ଜିଇଁବା କଠିନ ।
ହେଲେ ଯେବେ ଭାବେ,
ତୁମେ ମୋ ବିନା ଜିଇଁବ କିପରି
କେତେ ଯେ ଭଲ ପାଅ ମୋତେ ।
ଲତାଟିଏ ପରି ଗୁଡେଇ ତୁଡେଇ ରହିଛ
ତୁମେ ମୋର ଜୀବନର ସାଥେ ।
ଏତେ ସରଳତା, ଏତେ ସହନଶିଳତା ନେଇ,
ତୁମେ ଅବା ବଞ୍ଚିବ କିପରି ।
ଲତା ବିନା ଗଛ ତ ଜିଇଁଯିବ, ହେଲେ
ଗଛ ବିନା କେମିତି ହେବ ଲତାର ଜୀବନ ।
ସେଥିପାଇଁ ଡରିଯାଏ,
ନିଇତି ବଦଳୁଥିବା ମଣିଷ ଗହଳରେ
ମୋ ପରେ କେମିତି ହେବ
ପୁଅ ବୋହୁ ଝିଅ ଜୋଇଁ
ନାତି ନାତୁଣିଙ୍କ ବ୍ୟବହାର ତୁମ ସାଥେ ।
ଯଦି କିଏ କହିଦିଏ ଟାଣ କଥା ପଦେ
ତୁମେ କୁହ ସହିବ କେମିତି ?
କାହା ଛାତିରେ ମୁହଁଗୁଞ୍ଜି
ଦି ଟୋପା ଲୁହ ଢାଳିଦେବ,
ଅବା କାହାକୁ ଦୁଃଖ ଶୁଣାଇ
ମନ ବୋଝ ହାଲୁକା କରିବ ।
ସେଥିପାଇଁ ଚାହେଁନା ଗୋ
ଆଗେ ଯିବା ପାଇଁ !
ଇଚ୍ଛା ମୋର ଚାଲିଯାଅ ତୁମେ
ମୋର ଯିବା ଆଗୁ ।

***23/03/2018***

କାହା ପାଇଁ ଗାଉଛି Kaha paain Gauchhi

ଆଜି ମୁଁ ଲେଖୁଛି ଗୀତ
କାହା ପାଇଁ ଜାଣେନା,
ଆଜି ମୁଁ ଝୁରୁଛି କା’ରେ
ମନ କାହିଁ ବୁଝେନା ।
ନିତି ଗୀତ ଗାଇବାରେ
କଣ୍ଠ ଥକି ଯାଏନା,
ନିତି ନିତି ଝୁରିଲେ ବି
ଦୁଃଖ କେବେ ସରେନା ।
ଜିଇଁ ଥିବି ଯେତେ ଦିନ
ଗୀତ ନିତି ଗାଉଥିବି,
ଜିଇଁ ଥିବି ଯେତେ ଦିନ
ତାହା ଲାଗି ଝୁରୁଥିବି ।
ଗାଉଥିବା ଯାଏ ପ୍ରିୟେ
ଏ ଜୀବନ ରହିଥିବ,
ଝୁରୁଥିବା ଯାଏ ସଖି
ତୁମ ସ୍ମୃତି ନାଚୁଥିବ ।
ନ ବୁଝିବ ଯଦି କେହି
କିଛି ଯାଏ ଆସେନା,
ତୁମେ ଯଦି ଦିନେ ହେଲେ
ମୋ ମନ ବୁଝନା ।
ସେଇ ଦିନ ପ୍ରିୟା ମୋର
ଗୀତ ସୁର ଥମିବ,
ସେଇ ଦିନ ଆଗୋ ସଖି
ଲୁହ ମୋର ସୁଖିବ ।
ସେଇ ଦିନ ଆଗୋ ସାଥି
ମନ ମୋର ମରିବ,
ତୁମ ମନ ଶମଶାନେ
ଜୁଇ ମୋର ଜଳିବ ।

***22/02/2018***