କ୍ଷୁଦ୍ରଗଳ୍ପ-କେବେ ଆମ ଗାଆଁ ଆଡେ ଆସ Kebe Aam Gaan Ade Asa

କେବେ ଯଦି ଆମ ଗାଆଁଆଡେ ଆସିବାର ପ୍ରୋଗ୍ରାମ ହୁଏ, ତେବେ ଟିକିଏ ସମୟ ବାହାରକରି, ଦୁଇ ମିନିଟ୍ ପାଇଁ ଆମ ଘରଆଡେ ଆସିବ, ମୁହଁମାରିଦେଇ ଯିବ । ବହୁତଦିନ ପରେ ଆସୁଛ, ସବୁକିଛି ମନେଥିବକି ନାହିଁ ତେଣୁ ତୁମକୁ ଦି’ପଦ କହିଦିଏ, ଯେପରି ଘର ଖୋଜିବାକୁ କିଛି ଅସୁବିଧା ନହବ । ଆଗୁଆ କହିଦେବାଟା ଠିକ୍ ହେବ । ବହୁତକିଛି ବଦଳି ଯାଇଛି ଏହି ଜନପଦରେ, ଯେମିତି ସମୟ ସଙ୍ଗରେ ସମସ୍ତେ ବଦଳି ଯାଆନ୍ତି । ଟିକିଏ ବର୍ଷା ହେଲେ ରାସ୍ତାଘାଟ ଆଉ କାଦୁଅରେ ପଚ୍ ପଚ୍ ହଉନି ଆମ ଗାଆଁରେ, ଝଡି ବର୍ଷାରେ ରାସ୍ତାମଝିରେ ଆଉ ଝର ଫିଟି ଯାଉନି । ବର୍ଷାହେଲେ ଗାଆଁ ମଝିଦାଣ୍ଡରେ ଆଗରୁ ଯେମିତି ପାଣିର ସୁଅ ଚାଲୁଥିଲା, ଆମେ ସେ ପାଣିରେ କାଗଜ ଡଙ୍ଗା ଭସେଇ କେତେ ମଜା କରୁଥିଲୁ, ବର୍ଷାରେ ଭିଜି ଭିଜି କାଗଜ ଡଙ୍ଗା ପଛରେ ଗୋଡେଇ ଗୋଡେଇ ଯାଉଥିଲୁ, କାହା ଡଙ୍ଗା ଓଲଟିଗଲା, କାହାର ସିଧା ଆଗକୁ ଚାଲିଗଲା ଦେଖିବାକୁ । ଏବେ ଆଉ ସେମିତି ପାଣି ବୋହୁନି ଗାଆଁ ମଝିଦାଣ୍ଡରେ । ପିଲାବି ନାହାନ୍ତି କାଗଜ ଡଙ୍ଗା ଭସେଇବା ପାଇଁ । ଗାଆଁ ରାସ୍ତାସବୁ ସିମେଣ୍ଟ କଂକ୍ରିଟ ହୋଇ ଯାଇଛି, ବର୍ଷାପାଣି ଏବେ ରାସ୍ତା କଡ ଡ୍ରେନ୍ ରେ ବୋହୁଛି । ବର୍ଷାପରେ ରାସ୍ତା ଏକଦମ ସୁଖିଲା, ପାଦରେ ପାଣିବି ଲାଗୁନି ।

ଗାଆଁରେ ଏବେ ଚାଳଘର କଁ ଭାଁ ଗୋଟେ ଅଧେ କେଉଁଠି କେଇମିତି ଦିଶିଯିବ, ବାକି ସବୁ କୋଠାଘର ହୋଇଗଲେଣି । ମୋ ଘରଟି କିନ୍ତୁ ଯେଉଁଠି ଥିଲା, ସେଇଠି ସେଇମିତି ମିଳିଯିବ ତୁମକୁ । ସେଇ ପୁରୁଣା ଧୁସର ନଡା ଛପର ଚାଳ, ଝାଟି ଆଉ ମାଟିବୋଳା କଚ୍ଚାଘର । ନାଲି ରଙ୍ଗମାଟିର ଲିପା ଚିକ୍କଣ କାନ୍ଥ, କାନ୍ଥରେ ଚାଉଳ ପିଠଉର ଚିତା, ଶେଷ ମାଗୁଶିର ଗୁରୁବାର ପାଇଁ, ଭାଉଜ ପକେଇ ଥିଲା । ତୁମେ ଆସିଲେ ନିଶ୍ଚୟ ଦେଖିବ । ଗୋବରଲିପା କସରା କଳା ରଙ୍ଗର, ଚିକ୍କଣିଆ ଉଚ୍ଚ ପିଣ୍ଡା, ଏବେ ବି ଗୋବରର ବାସ୍ନା ମହକିଉଠେ । ସେ ମହକ ସତେ ଆତ୍ମାରେ ଛୁଇଁଯିବ । ତୁମେ ଯେବେ ଆସିବ ମୋତେ ମୋ ପିଣ୍ଡା ଉପରେ ସେଇ ଶିଶୁକାଠର ପୁରୁଣା ଆରାମ ଚୌକିରେ ଖଣ୍ଡେ ପୁରୁଣା ବହି, ଅବା ବାସି ଖବର କାଗଜ ଧରି ବସିଥିବାର ଦେଖିବ ।

ଏବେ ଏଇ ଗାଆଁରେ ତୁମକୁ ଦେଖି କେତେଲୋକ ଚିହ୍ନି ପାରିବେ କେଜାଣି, ତୁମେବି ଚିହ୍ନି ପାରିବନି କେତେ ଲୋକଙ୍କୁ । କାଲି ଯେଉଁ ଛୁଆସବୁ ଏଇ ଗାଆଁ ଦାଣ୍ଡରେ ଲଙ୍ଗଳା ହୋଇ ବୁଲୁଥିଲେ, ଏଇ ଦାଣ୍ଡରେ ଗୁଲିଦଣ୍ଡା, ବାଟି କି କବାଡି ଖେଳୁଥିଲେ, ଆଜି ସେମାନଙ୍କର ପିଲାମାନେ ବି ବଡ ବଡହୋଇ ଫୁଲ୍ ପେଣ୍ଟପିନ୍ଧା ବାବୁ ହୋଇଗଲେଣି । କିଏ ସ୍କୁଲ ତ କିଏ କଲେଜରେ ପଢିଲେଣି । ଏବେ ମୋଟର ସାଇକେଲରେ ଗାଆଁରେ ଚକ୍କର କାଟୁଛନ୍ତ । ଆମର କେତେ ସାଙ୍ଗସାଥି ଏବେ ଆଉ ନାହାନ୍ତି । ଗଲା ମାସରେ ମଦନ ଭାଇ ଚାଲିଗଲେ । ବ୍ଲଡ ପ୍ରେସର ବଢି ପାରାଲିସିସ୍ ହୋଇଯାଇଥିଲା ତାଙ୍କୁ । ପିଲାମାନେ ସହରରେ ରହୁଛନ୍ତି, ବୁଢାବୁଢି ଦି’ଜଣ ରହୁଥିଲେ ଗାଆଁରେ । ପୁଅ ଝିଅମାନେ କେବେ କେମିତି ଆସୁଥିଲେ, ଦେହ’ପା ଖବର ବୁଝିଯାଉଥିଲେ । ସହରରୁ ଔଷଧପତ୍ର ଆଣି ଦେଇଯାଉଥିଲେ । ବୁଢିପାଖରେ ମୋବାଇଲ ଫୋନଟିଏ ବି ଦେଇଥିଲେ । ଯେତେବେଳେ ବେଶି ଜରୁରିହେବ ଫୋନ କରିବାକୁ କହିଥିଲେ । ହଠାତ୍ ଦିନେ ରାତିରେ ମଦନ ଭାଇର ଦେହ ବେଶି ଖରାପ ହେଲା, ଭାଉଜ ଫୋନ କଲାରୁ ବଡପୁଅ ଆସି କଟକ ନେଇଯାଇଥିଲା, ବଡ ଡାକ୍ତରଖାନାରେ ଦୁଇ ଦିନ ରହି ଶେଷରେ ମଦନଭାଇ ଚାଲିଗଲା । ଗାଁରେ ଅଳ୍ପବହୁତ ସମସ୍ତଙ୍କର ଖବର ସେମିତି ଏକାପରି । ଜୀବନ ସାରା ଖଟି ଖଟି ପିଲାଙ୍କୁ ବଡକଲେ, ହେଲେ ଏଇ ବୁଢା ବୟସରେ ପିଲାଙ୍କଠାରୁ ଦୂରରେ ଏକୁଟିଆ ରହୁଛନ୍ତି । ପିଲାଏ ଭାବୁଛନ୍ତି କିଛି ଟଙ୍କା ପଇସା ପଠେଇଦେଲେ ମାଆ ବାପାଙ୍କ ପାଇଁ ତାଙ୍କ ଦାୟିତ୍ୱ ଶେଷ । ମାଆ ବାପା କଣ କେତେଟା ଟଙ୍କାପାଇଁ ପିଲାଙ୍କୁ ପାଠଶାଠ ପଢାଇ ବଡ କରିଥାଆନ୍ତି । ସ୍ନେହ ମମତାର ମୂଲ୍ୟ କିଛିନାହିଁ ? ପିଲାଏ କେମିତି ବୁଝିବେ, ଏ ବୁଢା ବୟସରେ ମାଆ ବାପାଙ୍କୁ ଟଙ୍କାପଇସା ନୁହେଁ ପିଲାଙ୍କ ସାହଚର୍ଯ୍ୟ, ସେମାନଙ୍କ ଠାରୁ ଟିକିଏ ସେବା ଆଦର ପାଇଁ ବ୍ୟାକୁଳ ହୃଦୟରେ ଚାହିଁ ରହିଥାଆନ୍ତି । ପିଲାଏ ପାଖରେ ଥିଲେ ବାପା ମାଆଙ୍କୁ କେବେ ଲାଗେନା ସେମାନେ ବୁଢା ହୋଇଗଲେଣି ବୋଲି । ପୁଅ ଝିଅ ପାଖରେ ଥିଲେ କେତେ ସାହାସ ଆସେ ମନରେ । ନାତି ନାତୁଣୀଙ୍କ ସାଥିରେ ଦିଘଢି ଖେଳିଲେ ପୁଣି ପିଲାଟିଏ ହୋଇଯାଆନ୍ତି ଏ ବୁଢାବୟସରେ । ଏଇ ଟିକିଏ ଆନନ୍ଦ ପାଇବା ଦେଖିଲେ, ଯମ ବି ମାଆବାପଙ୍କ ବୟସରେ ଆଉ କେଇଟା ଦିନ ଜୋଡିଦେଇଯାଏ ।

ତୁମର ମନେଥିବ ବନ୍ଧୁ, ଆମ ଘର ସାମ୍ନା ଦାଣ୍ଡରେ, ଯେଉଁଠି ହଳେ କାଳିଆ କସରା ବଳଦ ବନ୍ଧା ହେଉଥିଲେ, ତାର ଟିକେ ଆଗକୁ ଖାଲି ଶଗଡ ଗାଡିଟାଏ ଦି’ପହର ସାରା ସେମିତି ଠିଆହୋଇ ରହୁଥିଲା । ସେଇ ଶଗଡ ଦଣ୍ଡାରେ ବସି କେତେ ମସ୍ତି କରୁଥିଲେ ଆମେ । ଏବେ ସେଇଠି କାହାର ଗୋଟେ, ମାରୁତି କାର ଠିଆହେଉଛି । ଆଜିକାଲି ଗାଆଁରେ ଲୋକବାକ ଚାଷ ଛାଡି ସାରିଲେଣି, ଆଉ କାହା ପାଖରେ ହଳ ବଳଦ ନାହିଁ କି ଶଗଡ ବି ନାହିଁ । ପିଲାମାନେ ସବୁ ସହରରେ, ଗାଆଁରେ ଘର ଛପର କି ଚାଷକାମ ପାଇଁ ମୂଲିଆ ମିଳୁ ନାହାନ୍ତି, ଜମିଜାକ ସବୁ ପଡିଆ ପଡିଛି । ସମସ୍ତେ ଭାବୁଛନ୍ତି ବଜାରରେ ସବୁକିଛି କିଣିବାକୁ ତ ମିଳୁଛି, ଚାଷକରିବା କଣ ଦରକାର? କିନ୍ତୁ କହିଲ ଦେଖି, ସମସ୍ତେ ଯଦି ଏମିତି ଭାବି ଚାଷ ଛାଡିଦେବେ, ତେବେ ବଜାରକୁ ଏତେସବୁ ଜିନିଷ ଆସିବ କେଉଁଠୁ ?

ତୁମେ ତ ଜାଣିଛ ଆମ ଗାଁ ଚାରିପାଖେ ଚାରୋଟି ପୋଖରୀ । ପୋଖରୀରେ ଗାଧୋଇବା ପାଇଁ ନୁଆବୋହୁ ଆଉ ତୁଠକୁ ଯାଉନି । ପୋଖରୀ ତୁଠରେ ସେ ଗହଳ ଚହଳ, ନଣନ୍ଦ ଭାଉଜ ଟାହି ଟାପରା ଶୁଭେନି । କାହାଘର ବୋହୁ କଣ କଲା କାହା ଘରେ କଣ ହେଲା କିଛି ଚର୍ଚ୍ଚା ହୁଏନି । ତୁଠ ପଥର ଏବେବି ବାହୁନୁଛି, ନହୁଲି ବୟସର ବଧୁଲି ବୋହୁର ନରମ ପାଦର ପରଶ ଟିକିଏ ପାଇଁ, ରୁଣୁଝୁଣୁ ପାଉଜିର ମଧୂର ସଙ୍ଗିତ ଶୁଣିବା ପାଇଁ । ଘରେ ଘରେ ଗଧୁଆଘର ପାଇଖାନା ସବୁ ହୋଇଗଲାଣି । ଆମେ ସଭ୍ୟତା ଦିଗରେ ବହୁତ ଆଗକୁ ମାଡି ଗଲୁଣି । ହେଲେ ଗ୍ରାମ୍ୟ ଜୀବନର ସେଇ ସରସତା ମଧୂରତା ଆପଣାପଣ ସବୁ ଯେପରି ଇତିହାସ ହୋଇଯାଉଛି । ଆମେ ଯେତେଦିନ ବଞ୍ଚିଛେ, ଆମ ନାତି ନାତୁଣୀ ମାନଙ୍କୁୁ ଶୁଣେଇ ଯିବା ଏସବୁ କଥା। ହେଲେ ସେମାନେ କଣ ଏସବୁ ଶୁଣିବେ ? ନା ଶୁଣିଲେ ବିଶ୍ୱାସ କରିବେ ? ବିଶ୍ୱାସ କଲେ ବି ନାକ ଟେକିବେ, କହିବେ ପୋଖରୀର ସେଇ ଅସନା ପାଣିରେ କିଏ କଣ ଗାଧାଏ? ଏସବୁ ଅନହାଇଜିନି । ହେଲେ ସେ କଣ ବୁଝିବେ, କେଉଁ ଯୁଗରୁ ଆମ ବାପା ଜେଜେବାପା ଏଇ ପାଣିରେ ଗାଧୋଇଛନ୍ତି ହେଲେ କେହିକେବେ ପାଣିଲାଗି ବେମାର ପଡିନି । ଧୋବା ତୁଠ କିନ୍ତୁ ଏବେବି ଅଛି ସେଇଠି । ଦି’ପହରେ ଧୋବା ଧୋବଣି ଲୁଗା ପିଟୁଥିବାର ଦେଖିବ। ହୁଡା ଉପରେ ମାଟି ହାଣ୍ଠିରେ ଖାରସୋଡା ପାଣିରେ ଲୁଗା ଶିଝୁଥିବା ଦେଖିବ । ଧୋବ ଫରଫର ଳୁଗା ସୁଖୁଥିବାର ଦେଖିବ ।

ସେଇ ପୋଖରୀରେ ଏବେବି ପଞ୍ଚାୟତି ମାଛଚାଷ ହୁଏ । ଖରାଦିନେ ଯଦି ଆସିବ ଆମ ଗାଆଁର ସୁଆଦିଆ ମାଛ ତିଅଁଣ ଖାଇବ । ଯଦି ଅନ୍ୟଦିନ ମାନଙ୍କରେ ଆସିବ ତେବେବି ଚିନ୍ତାନାହିଁ, ଗାଆଁରେ ଏବେ ଗୁରୁବାରକୁ ଛାଡିଦେଲେ, ସବୁଦିନ ସବୁକିଛି ମିଳି ଯାଉଛି, ମାଛ ମାଂସ ବଏଲର ଚିକେନ ଅଣ୍ଡା ସବୁକିଛି । ଆଇଁଶ ଟିକିଏ ଖାଇବାପାଇଁ ଆଉ ସାପ୍ତାହିକ ହାଟପାଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁନି । ଗାଁମୁଣ୍ଡ ଛୋଟ ବଜାରଟି ଏବେ ବଡ ହୋଇଗଲାଣି । ସବୁ ଦିନ ସବୁକିଛି ମିଳିଯାଉଛି ।

ଆଜିବି ମନେପଡେ ପିଲାଦିନ କଥା । ମାଆ ବାପାଙ୍କୁ କୁହେ, ଏତେ ବଡ ପରିବାର ଖାଇବାକୁ, ହାଟ ପରିବା ପାଇଁ ପାଞ୍ଚଟଙ୍କା ଦିଅ, ହାଟରୁ ପରିବା ନଆଣିଲେ ଏ ଗାଆଁରେ କିଛିବି ମିଳିବନି । ପାଞ୍ଚଟଙ୍କା ହାତରେ ଧରେଇଦେଇ ମାଆ ମୋତେ, ହାଟକୁ ପଠେଇଦିଏ । ଗଲାବେଳେ ବଡ ବଡ ଦୁଇଟା ବ୍ୟାଗ୍ ହାତରେ ଧରାଇ ଦିଏ । ହାଟ ସଉଦା ବଡ କଷ୍ଟକର କାମ, ଦଶ ଜାଗା ଦାମ ବୁଝ, ଭଲ ଭଲ ପରିବା ଶସ୍ତାରେ ବାଛି ବାଛି କିଣ । ପାଞ୍ଚ ଟଙ୍କା ପରିବାରେ ଦୁଇବ୍ୟାଗ ପୁରା ହୋଇଯାଉଥିଲା, ତଥାପି ଆଠଣି ଚାରଣି ପକେଟ ଖର୍ଚ୍ଚ ବଞ୍ଚିଯାଉଥିଲା । ହାଟସାରି ଯେତେବେଳେ ମୁଁ ଘରକୁ ଫେରେ, ବ୍ୟାଗ ଦୁଇଟା ପରିବାରେ ଭରିଯାଇଥାଏ । ମୁଁ ଉଠାଇ ପାରେନି, ବଡ କଷ୍ଟରେ କୁନ୍ଥେଇ କୁନ୍ଥେଇ ଘରେ ପହଞ୍ଚେ । ମନେ ମନେ ଖୁବ୍ ରାଗିଯାଏ, ମାଆ ବାପାଙ୍କୁ ମନେମନେ କେତେ କଥା ବକିଯାଏ । କହେ ପିଲାଟା ଉପରେ ଟକିଏ ହେଲେ ହେଲେ ଦୟା ନାହିଁ କାହାର । ମୁଁ ପରା ଛୋଟ ପିଲାଟିଏ, ଛୋଟ ପିଲାଙ୍କୁ ପାଞ୍ଚ ଟଙ୍କାର ପରିବାପାଇଁ କିଏ କଣ ହାଟକୁ ପଠାଏ ? ପାଞ୍ଚ ପାଞ୍ଚ ଟଙ୍କାର ପରିବା ପାଇଁ ଯାହା ମାଆ ମୋତେ ହାଟକୁ ପଠାଇ ଦିଅନ୍ତି ।

ହେଲେ ବନ୍ଧୁ, ଆଜି ଆଉ ସେଇକଥା ନାହିଁ, ଭାବିଲେ ଗପ ପରି ଲାଗୁଛି । ପରିବାର ଛୋଟ ହୋଇଗଲା । ଏବେ ତ ଘରେ ଆମେ ଦୁଇଜଣ, ପିଲାମାନେ ସବୁ ସହରରେ ରହୁଛନ୍ତି । ହେଲେ ପରିବା ମହଙ୍ଗା ହୋଇଗଲାଣି । ହାଟ ପାଳିରେ ଘରଣୀ ଦୁଇଶହ ଟଙ୍କା ଧରେଇ ଦିଅନ୍ତି, ଆଉ ବ୍ୟାଗ କେବଳ ଗୋଟିଏ ଦିଅନ୍ତି । କୁହନ୍ତି ବୁଢା ହୋଇ ଗଲଣି, ବେଶି କିଛି ବୋହି ପାରିବନି, ଏତିକି ଟଙ୍କାରେ ଅଧା ମୁଣି ଭରିଯିବ, ଆଣିବାକୁ ତୁମକୁ କଷ୍ଟ ବି ହେବନି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପରିବା ଦାମ ବଢିଗଲା ନା ପଇସାର ମୂଲ୍ୟ କମିଗଲା ।

ଏବେ ଆମ ଗାଆଁ ଆଉ ଗାଆଁ ପରି ଲାଗେନି, ଛୋଟ ମୋଟ ସହରରେ ବଦଳି ଗଲାଣି, ସହରକୁ ଯିବାପାଇଁ ବସ୍ ଲାଗି ଏବେ ଆଉ ନୂଆ ବୋହୁକୁ ପାଞ୍ଚ କୋଶ ଶଗଡରେ ଯିବାକୁ ପଡୁନି । ଆଜିବି ମନେପଡୁଛି, ପିଲାଦିନେ ମାମୁଁ ଘରକୁ ଯିବାକୁ ହେଲେ, ସକାଳ ଚାରିଟାରୁ ଉଠିବାକୁ ପଡୁଥିଲା । ହଳିଆ ଶଗଡଗାଡି ସଜାଡିଦିଏ । ସେଥିରେ ବସି ପାଞ୍ଚ ମାଇଲିଯାଏ ଯିବାକୁ ହୁଏ । ସେଇଠି ଗୋଟିଏ ସ୍କୁଲ ଥିଲା ସେତେବେଳେ । ସେଇ ସ୍କୁଲ ବାରଣ୍ଡାରେ ଆମେ ବସି ଅପେକ୍ଷା କରୁ । ସକାଳ ଛଟା ବେଳେ ଗୋଟିଏ ବସ୍ ଆସେ, ସେଥିରେ ବସି ଆମେ ମାମୁଁ ଘରକୁ ଯାଉ । ଯଦି ସେ ବସ ଫେଲ ହୋଇଗଲ, ତାହେଲେ ଆଉ ବସନାହିଁ ସେଦିନ । ପୁଣି ଆସନ୍ତା କାଲି ମିଳିବ ବସ । ତେଣୁ ଆଗୁଆ ବାହାରିବାକୁ ପଡେ । ଏବେ ପିଲାଏ ସହରକୁ କଲେଜ ପଢିବା ପାଇଁ ଯାଉଛନ୍ତି । ପୁଅ ଛୁଟିରେ ଘରକୁ ଆସିଲେ ସହର ଫେରିବାକୁ ପାଇଁ ବସ ଧରିବାକୁ ସାଇକେଲ ଖୋଜା ପଡେନି, ବସଯାଏ ଯିବାପାଇଁ । ଗାଆଁରୁ ଏବେ ତିନି ଟାଇମ ସହର ବସ ଆରାମରେ ମିଳିଯାଏ ।

ତୁମ ସହରର ସୂର୍ଯ୍ୟ ପରି, ମୋ ଗାଆଁ ସୁରୁଜ, ବେଳ ଉଛୁର ଯାଏ ଶୋଇ ରୁହେନାହିଁ । ମୋ ଗାଆଁର ଚଞ୍ଚଳିଆ କାଉ, ସିନ୍ଦୁରା ଫିଟିବା ଆଗରୁ, ସୂରୁଜ ଉଇଁବା ଖବର କହିଦେଇଯାଏ । ନୂଆ ବୋହୁ ମାଛି ଅନ୍ଧାରରୁ ଉଠି ଅଗଣାରେ ଝାଡୁଲଗାଇ ଗୋବରର ପିଣି ସିଞ୍ଚିଦିଏ । ଏବେ ବି ସେମିତି ସହଳ ସକାଳୁ, ହଳ ବଳଦଙ୍କ ସଙ୍ଗରେ କ୍ଷେତ ଯୋଚିବାକୁ ଚାଷି ଟାକରା ଫୁଟାଇ ବାହାରିଯାଏ । ସଂଜ ସକାଳେ ସେଇମିତି ମନ୍ଦିରରେ ଘଣ୍ଟ ଘଣ୍ଟା ମୁର୍ଦ୍ଦଳ ବାଜେ, ଚଉରା ମୂଳରେ ବୃନ୍ଦାବତୀଙ୍କ ପାଶେ ସଂଜ ସଳିତା ଜଳେ ।

ଗାଆଁରେ ଏବେବି ବାର ମାସେ ତେର ଜାତ ହେଉଛି । ରଥଯାତ୍ରା, ଦୋଳ ମେଲଣ, ରାସନାଚ, ପଣା ସଂକ୍ରାନ୍ତି ଆଦି । ଆଜି କାଲି ବଡ ଧୂମ ଧାମରେ ହେଉଛି ସବୁ ଜାନିଜାତରା । ସହରରୁ ପିଲେ ଛୁଟିରେ ଘରକୁ ଆସନ୍ତି, କିଛିଦିନ ପାଇଁ ଗାଆଁ ପୁଣି ଭର ପୁର ଲାଗେ, ଗହଳ ଚହଳ ହୁଏ, ପିଲାମାନଙ୍କୁ ପାଖରେ ପାଇ ମାଆ ବାପାଙ୍କର ଗୋଡ ତଳେ ଲାଗେନି । ମାଆ ଜାଣିଥାଏ ପୁଅକୁ କଣ ଖାଇବାକୁ ଭଲ ଲାଗେ । ବାପାଙ୍କୁ ଦଶଥର ବଜାର ପଠେଇଦିଏ ଅମୁକଟା ନେଇଆସ, ସମୁକଟା ନେଇଆସ । ନାତିନାତୁଣୀଙ୍କ ପାଇଁ କେତେକଥା ସାଇତି ରଖିଥାଏ ଜେଜେମାଆ । ପାଖରେ ବସି ଏଇଟା ଖାଆ ସେଇଟା ଖାଆ କହି କହି ପେଟପୁରାଇ ଖୁଆଇଦିଏ ପିଲାମାନଙ୍କୁ । ହେଲେ ଏ ଖୁସି ବେଶିଦିନ ରହେନି, ଦିନ ଦୁଇ ଚାରିଦିନ ପରେ ପୁଣି ପିଲାମାନେ ସହରକୁ ଫେରିଯାଆନ୍ତି । ଘରବାରି ଖାଲିଖାଲି ଲାଗେ, ଘର ଖାଁ ଖାଁ କରି ଗୋଡାଏ । ଗାଆଁ ରାସ୍ତା ପୁଣି ଶୁନସାନ ହୋଇଯାଏ ।

ଗାଆଁ ଏବେ ବଡ ଶୁନ୍ ଶାନ୍, ଖାଲି ଖାଲି ନିଛାଟିଆ ଲାଗେ । ଯୁଆନ ଭେଣ୍ଡିଆ ଯେତେକ ସବୁ କାମପାଇଁ ଗାଆଁଛାଡି ସହରକୁ ଚାଲି ଯାଉଛନ୍ତି । ଗାଆଁ ଏବେ କେବଳ ବୁଢାବାପା, ବୁଢିମାଆଙ୍କର ଜିମାରେ ଅଛି । ବୁଢା ବୁଢି ଯେତେକ କେବଳ ଘରକୁ ଜଗିରହିଛନ୍ତି । ସଂଜ ହେଲେ କେହି ଆଉ ଘରୁ ବାହାରକୁ ଯାଉନା । ଅଗଣାରେ ଦଉଡିଆ ଖଟଟା ଉପରେ ଆମେ ବୁଢାବୁଢି ବସୁ, ଅତୀତର କଥା କହୁ ଶୁଣୁ, ଏଇ ଅଗଣାରେ ପିଲାଙ୍କର ଖେଳ କୁଦ, ଗହଳ ଚହଳ କଥା, ଭାଇ ଭଉଣୀର ଖେଣ୍ଟା ଖେଣ୍ଟି, ଛୋଟ ଛୋଟ ଲଢେଇ, ରାଗ ରୁଷା, ମାନ ଅଭିମାନ, ୟାର ତାର ଅଭିଯୋଗ, ପିଲାମାନଙ୍କର ଛୋଟବେଳର କଥା ମନେପକାଉ, ଗପୁଥିଲେ କଥା ସରେ ନାହିଁ, ସେଇ ସ୍ମୃତିଟିକକ ପରା ଆମ ଅସରନ୍ତି ଖୁସିର ଭଣ୍ଡାର । କେବେ କେବେ ମିଞ୍ଜି ମିଞ୍ଜି ଆଲୁଅରେ ପୁରୁଣା ଆଲବମ ଅଣ୍ଡାଳୁ ପିଲାଙ୍କୁ ଦେଖି ପୁଣି ସେଇ ପୁରୁଣା ଦିନରେ ହଜିଯାଉ ।

ହଉ, କହୁ କହୁ ବହୁତ କଥା କହିଦେଲିଣି, ଏବେ ମୁଁ ରହୁଛି, ଯେବେ ଆସିବ ଦୁଇ ଚାରିଦିନ ରହିବ ଆମ ସାଙ୍ଗରେ । ବହୁତ ଗପିବା, ରିଟାୟଡ ପରେ ଏବେ ଆଉ କିଛି କାମ କରିବାକୁ ବାକିନାହିଁ । ତୁମେ ଆସିଲେ ରୋଷେଇ ପାଖରେ ବସିବା, ବହୁତ ଗପିବା, ଭାଉଜ ବି ଶୁଣିବ, ଦି’ ପଦ ସିଏ ବି କହିବ, ବଡ ଆନନ୍ଦ ଆସିବ । ପୁଣି ଥରେ ଅତୀତକୁ ମନ ଭରି ଜିଇଁବାର ବାହାନା ମିଳିଯିବ ।

*** 07/10/2018 ***

Advertisements

କ୍ଷୁଦ୍ରଗଳ୍ପ-ଯାତ୍ରା

ରମାନାଥ ବାବୁ ଏମିତି ଚାଲୁଚାଲୁ ପଛକୁ ଫେର ଚାହିଁଲେ, ପଛରେ କିଛି ସ୍ପଷ୍ଟ ଦିଶୁନି । ସବୁ ଧୂଆଁ ଧୁଆଁ କୁହୁଡିଆ । ଯେମିତି ମାଘମାସର ଘନ କୁହୁଡି, ସକାଳର ପ୍ରଥମ ସୂର୍ଯ୍ୟ ଉଇଁଲା ପରେ ବି ଖରା ଦିଶେନା ଆଉ ସୂର୍ଯ୍ୟ ନୁଆବୋହୁ ମଥାରେ ନାଲି ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଥାଏ । ସମୟର କେତେ ଆଗକୁ ଚାଲି ଆସିଲେଣି ସିଏ । ଏବେ ଆଉ ସୂର୍ଯ୍ୟର ତୀବ୍ର କିରଣ ଦେହକୁ ଜାଳିଦିଏନା । ସବୁ ଯେପରି ଦେହସୁହା ହୋଇଗଲାଣି । ଅପରାହ୍ନର ସୂର୍ଯ୍ୟ ବି ଥକିଗଲାଣି ତାଙ୍କ ସାଥିର ଚାଲିଚାଲି । ପଥ ଯେମିତି ଲମ୍ବା ହୋଇଚାଲିଛି, ସରିବାର ନାଆଁ ନେଉନି । ହେଲେ ପଥ ସରିବ କେମିତି । କୁଆଡେ ଯାଉଛନ୍ତି ସିଏ ? କିଛି ଗନ୍ତବ୍ୟବି ତ ଧାର୍ଯ୍ୟ କରିନାହାନ୍ତି ! କେଉଁଠି ପହଞ୍ଚିବାକୁ ଥିଲା ? କିଛି ଜଣାନାହିଁ, ଖାଲି ଏମିତି ଚାଲିଛନ୍ତି । କିଛି ଉଦ୍ଦେଶ୍ୟ ବି ସ୍ଥିର ନାହିଁ । ସକାଳୁ ସକାଳୁ ବାହାରି ପଡିଥିଲେ ଏଇ ଯାତ୍ରାରେ । ସୂର୍ଯ୍ୟ ଯେତେବେଳେ ଉଇଁଲା, କାଉ ହାତରେ ଖବର ପଠେଇଥିଲା । କହିଲା ଚାଲ ମୋ ସାଥିରେ । ରମାନାଥ ପଚାରିଲେ କୁଆଡେ ? ସୂର୍ଯ୍ୟ କହିଲା ମୁଁ କଣ ଜାଣିଛି ? ଏମିତି ଚାଲିବା, ଯେ ପର୍ଯ୍ୟନ୍ତ ରାସ୍ତା ଦିଶୁଥିବ । ତା’ପରେ ତୁ ଫେରିବୁ, ମୁଁ ବି, କାଲି ସକାଳେ ପୁଣି ଦେଖା ହେବ । ରମାନାଥ ପଚାରିଲେ କାଲି ପୁଣି କେଉଁଠି ଭେଟିବା ? ସୂର୍ଯ୍ୟ କହିଲା ମୋର ତ ସେଇ ଗୋଟିଏ ରାସ୍ତା, ସେଇଟା ନିର୍ଦ୍ଦିଷ୍ଟ ହୋଇଛି, କିନ୍ତୁ ତୋର ଜଣା ନାହିଁ । ସେ ଯାହାହେଉନା କାହିଁକି, କାଲି ପୁଣିଥରେ ଭେଟିବା ନିଶ୍ଚୟ !

କିଛି ଗନ୍ତବ୍ୟ ନଥିଲା, ଖାଲି ରାସ୍ତା ଅନେକ ଥିଲା ଚାଲିବାକୁ । ରାସ୍ତା ବି ଗୋଟିଏ ନଥିଲା, ଅନେକ ରାସ୍ତା, ବାଛିବା କଷ୍ଟ । ସୂର୍ଯ୍ୟକୁ ପଚାରିଲେ । କେଉଁ ରାସ୍ତା ଠିକ ? ସୂର୍ଯ୍ୟ କହିଲା ମୋର ତ ଗୋଟିଏ ରାସ୍ତା, ତୋର କିନ୍ତୁ ଜଣାନାହିଁ । ନିଜକୁ ପଚାରେ ! ମୋ ପାଖରେ କିଛି ବିକଳ୍ପ ନାହିଁ ବୋଲି ମୁଁ ପ୍ରତିଦିନ ସେଇ ପୂର୍ବରେ ଉଏଁ ଆଉ ପଶ୍ଚିମରେ ଅସ୍ତଯାଏ । ମୋ ପାଇଁ ସେଇ ଗୋଟିଏ ରାସ୍ତା ନିର୍ଦ୍ଦିଷ୍ଟ । ତୋ ପାଖରେ କିନ୍ତୁ ହଜାରେ ବିକଳ୍ପ । ସୁବିଧାରେ ପହଞ୍ଚିବା ପାଇଁ, ନିରାପଦରେ ପହଞ୍ଚିବା ପାଇଁ ଅନେକ ରାସ୍ତା । ଆଉ କେତେ ରାସ୍ତା ସିଧା ସିଧା, ସଟକଟ୍ ଜଲ୍ଦି ପହଞ୍ଚି ଯିବ, କିନ୍ତୁ ରିସ୍କି । ନେଇ ଆଣି ଥୋଇ ପାରିଲେ ହେଲା । କିଛି ରାସ୍ତା ବଡ କଠିନ ବିପଦରେ ଭରପୁର, ସେଥିରେ ସୁଖ ମିଳବକି ନାହିଁ ଜଣାନାହିଁ, କିନ୍ତୁ ସନ୍ତୋଷ ନିଶ୍ଚୟ ମିଳିବ । ନାମ ଯଶ ବି ମିଳିପାରେ । ହେଲେ କଷ୍ଟ ଅଛି ସେ ରାସ୍ତାରେ । ସେଥିପାଇଁ ଭଗବାନ ତୋତେ ମନ ବିବେକ ବୁଦ୍ଧି ଜ୍ଞାନ ସବୁ ଦେଇଛନ୍ତି, ନିଜ ରାସ୍ତା ନିଜେ ଠିକ୍ କରିବାକୁ । ମୋତେ କଣ ପଚାରୁଚୁ? ନିଜେ ସ୍ଥିରକର ନିଜ ରାସ୍ତା ! ମନକୁ ପଚାର, କହନ୍ତି ପରା, ‘ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’ କିନ୍ତୁ ସାବଧାନ, ଏଇଠି ଆଉ କାହାକୁ ରାସ୍ତା ପଚାରିବନି । କିଛି ଠିକଣା ନାହିଁ, ସହଜରେ ସମସ୍ତଙ୍କୁ ବିଶ୍ୱାସ ବି କରିହୁଏନି । କେତେ ତ ତାମସା ଦେଖିବାକୁ ଓଲଟା ସିଧା ରାସ୍ତା ବତେଇ ଦେବେ । ଆଉ କିଏ ସିଧା ଖାଲରେ ପକେଇ ଦେବେ । ଠିକ୍ ରାସ୍ତା ବତେଇଦେଲା ଭଲି ଲୋକ ବହୁତ କମ ମିଳିବେ । ତେଣୁ ମନ ବିବେକ ଅନୁଶାରେ ନିଜ ରାସ୍ତା ନିଜେ ବାଛିବା ସବୁଠାରୁ ନିରାପଦ ।

ପଥ ଜଣାନଥିଲା, ସମୟର ବନ୍ଧନ ନଥିଲା, ଖାଲି ଚାଲିବାକୁ ରାସ୍ତା ଅନେକ ଥିଲା । ରାସ୍ତା ଯେଉଁ ଆଡେ ନେଇଗଲା ପାଦ ଠିକ୍ ଠିକ୍ ତାକୁ ଅନୁଶରଣ କରୁଥିଲା । ହଜିଯିବାର ଡର, ଥକି ଯିବାର ଭୟ ଥିଲା । ଏବେ ଆଉ କିନ୍ତୁ ଡର ଲାଗୁନଥିଲା ରମାନାଥଙ୍କୁ । ଜୀବନର ଏଇ ଚାଲିବା ଭିତରେ ଅନେକ କିଛି ଦେଖିଛନ୍ତି । ଉଠାଣି ଗଡାଣି ଖାଲ ଢିପ ସବୁ ଦେଖିଛନ୍ତି । ଆଗରୁ ଟିକିଏ ଡର ଲାଗୁଥିଲା, ଉଠାଣି ଦେଖିଲେ ମୁଣ୍ଡ ଘାବରେଇ ଯାଉଥିଲା, ଭାବୁଥିଲେ ଚଢିପାରିବିତ ? କେତେଥର ଚେଷ୍ଟାକରି ହାରିଛନ୍ତି, କେତେଥର ଜିତିଛନ୍ତି ବି । କେବେ ଡରକୁ ଡରେଇ ଦେଇଛନ୍ତି, କେବେ ନିଜେ ଡରିଯାଇ ରାସ୍ତା ବଦଳେଇ ନେଇଛନ୍ତି, ହେଲେ ଚାଲିବା ବନ୍ଦ କରିନାହାନ୍ତି । ଥକିଗଲେ ଦି’ଘଡି ଗଛମୂଳରେ ବସିପଡନ୍ତି, ପଛକୁ ଦେଖନ୍ତି ରାସ୍ତାରେ ନିଜ ଅନୁଭୂତିର ରୋମନ୍ଥନ କରନ୍ତି, ନିଜର ପରାଜୟରୁ କଣ ଶିଖିଲେ ତାର ତର୍ଜମା କରନ୍ତି । କେତେ ଚାଲିଲେ ସେକଥା ଭୂଲି ଆଗକୁ ଦେଖନ୍ତି । ଭାବନ୍ତି ଆଗକୁ ଯାଉଥିବା ପଥ ବିଷୟରେ କିଛି ଜଣାନାହିଁ । ତା ବିଷୟରେ ଭାବିଲେ ଲାଭ କଣ ହେବ ? ସିଏତ ଅନିଶ୍ଚିତ, ବର୍ଷା ଆସିବ ବୋଲି କଣ ଏବେଠାରୁ ଛତାଖୋଲି ରଖିବେ ? କିଏ ଜାଣିଛି ଯେତେବେଳେ ବର୍ଷା ଝଡ ତୁଫାନ ଆସିବ ସେତେବେଳେ ଏଇ ଛତା କେତେ କାମକୁ ଆସିବ ! ତାଙ୍କର ରକ୍ଷା କରିପାରିବ କି ନାହିଁ ? ଭବିଷ୍ୟତ କଥା ଭାବି ଏବେ ଡର ଲାଗେନା । ମନ ବ୍ୟଗ୍ର ହୋଇଯାଏନା । ଯେତେ ସବୁ ରାସ୍ତା ସବୁ ଏକାପରି, କେବଳ ରାସ୍ତାଟିଏ ପରି ଲାଗେ । ରାସ୍ତା ତ ଉଠାଣି ଗଡାଣି, ଉବଡ ଖାବଡ ହେବଇ ହେବ । ଏଇଟା କେଉଁ ଡ୍ରଇରୁମର ଟାଇଲ ବିଛା ଚଟାଣ ନୁହେଁ ଯେ ଚାଲିବାକୁ ମଖମଲି ଗାଲିଚା ମିଳିବ । ଏଇଟା ରାସ୍ତା । ଯେମିତି ମିଳିବ, ସେଇଟା ଭଲ, ତା ଉପରେ ଯିବାକୁ ହେବ ।

ପ୍ରଥମ ଦିନରୁ ଏମିତି ଚାଲିବା ଆରମ୍ଭ ହୋଇଯାଇଛି, କେବେ ମାଆବାପା କୋଳରେ ଥାଇ, ଆଉ କେବେ ନିଜର ସନ୍ତାନକୁ କୋଳରେ ନେଇ ଚାଲିଛନ୍ତି, ରାସ୍ତା ଏବେବି ଚାଲିଛି । ବେଳେବେଳେ ରମାନାଥଙ୍କୁ ଲାଗେ ସେ ଯେପରି ଗୋଟିଏ ସ୍ଥାନରେ ସ୍ଥାଣୁ ପାଲଟି ଯାଇଛନ୍ତି । ବାସ୍ ନିଜକୁ ଜାବୁଡି ଧରି ଠିଆ ହୋଇଛନ୍ତି ଗୋଟିଏ ଜାଗାରେ ଏବଂ ପାଦ ତଳର ରାସ୍ତା ନଦୀଟିଏ ପରି ବୋହି ଚାଲିଛି । ସେ ସୂର୍ଯ୍ୟପରି ସ୍ଥିର ଆଉ ପୃଥବୀ ତାଙ୍କର ପରିକ୍ରମା କରିଚାଲିଛି । ବେଳେବେଳେ ମନେହୁଏ ସେ ତ ସମୟର ରେଲଗାଡିରେ ଝରକା ପାଖ ସିଟ୍ ରେ ବସିଛନ୍ତି । ପାହାଡ ପର୍ବତ, ଗଛ, ବିଜୁଳିଖୁଣ୍ଟ, ନଦୀ ନାଳ, ପୋଲ ସହର ଆଉ ଷ୍ଟେସନ ସବୁ ପଛକୁ ଦୌଡି ଯାଉଛନ୍ତି । କିଛି ବୁଝିହୁଏନା । କିଏ ଚାଲିଛି କିଏ ସ୍ଥିର ! ହେଲେ ଏଇ ଚାଲିବା ସେମିତି ନିରନ୍ତର ଜାରିରହିଛି । କେବେ ସରିବ ଏ ଯାତ୍ରା ? ଆକାଶକୁ ଚାହିଁଲେ, ସୂର୍ଯ୍ୟକୁ ଦେଖିଲେ । ସୂର୍ଯ୍ୟବି କ୍ଳାନ୍ତ ଦିଶୁଥିଲା । ରମାନାଥ କହିଲେ, ବାସ ବହୁତ ହୋଇଗଲା । ଏବେ ଏ ଚାଲିବା ବନ୍ଦ ହେଉ । ସୂର୍ଯ୍ୟ ଟିକିଏ ନିରେଖି ଦେଖିଲା ରମାନାଥଙ୍କୁ । ଟିକିଏ ହସିଦେଇ ପୁଣି କହିଲା, ତୁମେ ସିଏନା, ଯିଏ ସକାଳୁ ମୋ ସାଥିରେ ଚାଲୁଛି ? ରମାନାଥ ଆଶ୍ଚର୍ଯ୍ୟହୋଇ ସୂର୍ଯ୍ୟକୁ ପଚାରିଲେ, ମୋତେ ଚିହ୍ନି ପାରୁନ ? ମୁଁ ସେଇ, ଯିଏ ସକାଳୁ ଚାଲିଛି ତୁମ ସାଥିରେ, କିନ୍ତୁ ତୁମର କଣ ହେଲା ? ହଠାତ୍ ଏମିତି ଦୋ ଦୋ ଚିହ୍ନା ପରି ସନ୍ଦେହର ଏ ପ୍ରଶ୍ନ କାହିଁକି ? ମୁଁ କଣ ବଦଳି ଯାଇଛି ? ସୂର୍ଯ୍ୟ ହସିଲା, ଅଳ୍ପ ନୁହେଁ ବହୁତ ହସିଲା । କହିଲା ମୋତେ କଣ ପଚାରୁଛ ? ମୋ ପାଖରେ ତ ଆଇନା ନାହିଁ, ନହେଲେ ଦେଖେଇ ଦିଅନ୍ତି । ହୁଏତ ତୁମେ, ତୁମ ନିଜକୁ ଚିହ୍ନି ପାରିବନି କି ନାହିଁ ସନ୍ଦେହ । ଗୋଟେ କାମକର, ସେଇ ଗଛ ମୂଳକୁ ଦେଖ, ରାସ୍ତା କଡରେ କିଛି ଦିଶୁଛି ? ରମାନାଥ କହିଲେ, ହଁ, ସେଇଠି ଭଣ୍ଡାରୀଟିଏ ଠିଆହୋଇଛି । ଗଛର ଗଣ୍ଡିରେ କଣ୍ଟାଟିଏ ପିଟି ବଡ ଆଇନାଟାଏ ଟାଙ୍ଗିଛି ଆଉ ଆଇନା ସାମ୍ନାରେ ଚଉକିଟିଏ ପଡିଛି । ସେ ଅପେକ୍ଷା କରିଛି, କାଳେ କିଏ ନୁଆ ଖରାଖ ଆସିବ, ଦାଢି କି ବାଳ କଟେଇବ । ସୂର୍ଯ୍ୟ କହିଲା, ସେଇଠିକି ଯାଅ, ସେ ଆଇନାରେ ଥରେ ନିଜକୁ ଦେଖିନିଅ । ରମାନାଥ କହିଲେ, ତୁମେ ଏଇଠି ଅପେକ୍ଷା କରିବନା, ଚାଲି ଯିବନି ତ? ସୂର୍ଯ୍ୟ କହିଲା, ନାହିଁ ନାହିଁ ମୁଁ କୁଆଡେ ଯିବିନି ଏଇଠି ତୁମର ଅପେକ୍ଷା କରିଛି । ଯାଅ, ଶିଘ୍ର ନିଜ ମୁହଁ ଦେଖି ଆସ, ଡେରି କରନି । ସେ ତା ଦୋକାନ ବନ୍ଦ କରିଦେଲେ ଆଉ ଥରେ ତୁମ ପାଇଁ ଖୋଲିବନି ।

ରମାନାଥ ଗଲେ ସେଇ ଗଛ ମୂଳକୁ, ତାଙ୍କୁ ଦେଖୁଦେଖୁ ଭଣ୍ଡାରୀ ପିଲାଟି ବି ଖୁସି ହୋଇଗଲା । ଭାବିଲା ନୁଆ ଗରାଖଟିଏ ଆସିଗଲା । ସେ ତାର କଇଚି ଖୁର ଟିକେ ସଜାଡିନେଇ ପଚାରିଲା ମଉସା, ବାଳ ନା ଦାଢୀ କାଟିବ ? ରମାନାଥ ଆଶ୍ଚର୍ଯ୍ୟହୋଇ ତା ମୁହଁକୁ ଚାହିଁଲେ, ମଉସା? ସାର ନ’ଡାକି ମଉସା ଡାକୁଛି । କମ ସାହାସତ ନୁହେଁ ଟୋକାର, ତା ଆଇନାରେ ମୁହଁ ଦେଖିବି ବୋଲି କଣ ଚାଲି ଆସିଲି ଯେ ମୋତେ ବାଳ ଦାଢୀ କାଟିବା କଥା ପଚାରିଲାଣି । ଆଜି ଯାଏ ଯେବେବି ବାଳଦାଢୀ କାଟିଛନ୍ତି ବଡବଡ ଏୟାରକଣ୍ଡିସନ ହେୟରଷ୍ଟାଇଲର ହେୟର ଡ୍ରେସର ପାଖରେ କାଟିଛନ୍ତି । ଯାହାର ଫିଜ୍ ଥରକେ ଦୁଇ ହଜାରରୁ କମ୍ ନୁହେଁ । ନିଜ ଅସନ୍ତେଷକୁ ଲୁଚାଇ କହିଲେ, ନାହିଁ ମୁହଁରେ କଣ ଲାଗିଗଲାତ ସେଇଟା ଦେଖିବାକୁ ଆସିଛି । ପିଲାଟି ଟିକିଏ କଡକୁ ଘୁଞ୍ଚିଯାଇ କହଲା, ହଉ ଦେଖ । ରମାନାଥ ଦର୍ପଣ ଆଗରେ ଠିଆ ହୋଇଗଲେ, ମୁହଁ ଉଠାଇ ଦର୍ପଣକୁ ଦେଖିଲେ, ଚମକିପଡି ଦୁଇପାଦ ପଛକୁ ଘୁଞ୍ଚିଯାଇ ପଚାରିଲେ, ଇଏ କିଏ ?? କାହାକୁ ଦେଖୁଛନ୍ତି ସିଏ ? ପୁଣି ସାହସ କରି ଦର୍ପଣ ଆଡକୁ ମୁହଁ ଉଠାଇ ଅନେଇଲେ କିନ୍ତୁ କାହାକୁ ଦେଖୁଛନ୍ତି ରମାନାଥ? ନିଜର ସନ୍ଦେହ ଦୂରକରିବା ପାଇଁ ଗାଲରେ ହାତ ମାରିଲେ, ନାକରେ ହାତ ମାରିଲେ, ଦାନ୍ତ ଦେଖାଇ ହସିଲେ, ଶେଷରେ ଜିଭ ଦେଖେଇ ଖତେଇ ହେଲେ । ପୁଣି ପଚାରିଲେ ତୁ ଯିଏ ଏଇ ଆଇନାରେ ଦିଶୁଚୁ, ସିଏ ମୁଁ ? ମୁଁ ସିଏ, ଯିଏ ଏ ଆଇନାର ଦିଶୁଛି ?? ଭଣ୍ଡିରୀ ପିଲାଟି ଆଡକୁ ଦେଖିଲେ, ସିଏବି ଚାହିଁଛି ତାଙ୍କୁ, ତା ଆଖିରେ ସତେ ଯେପରି ସନ୍ଦେହ ଆଉ କୌତୁହଳ ଭରି ରହିଛି, ଆଁଟା କରି ଅନାଇଛି । ସତେଅବା ସାମ୍ନାରେ ଗୋଟାଏ ବଦ୍ଧ ପାଗଳକୁ ଦେଖୁଛି । ରମାନାଥ ପିଲାଟିକୁ ପୁଣି ଦେଖିଲେ, ବିରକ୍ତଭରା ସ୍ୱରରେ କହିଲେ, ହେ, କଣ ଦେଖୁଚୁ ? ପିଲାଟି ଘାବରେଇ ଯାଇ କହିଲା, କିଛି ନାହିଁ ମଉସା । କଥା ବଦଳେଇବାକୁ ପଚାରିବସିଲା, ମଉସା ବାଳ କାଟିବ ନା ଦାଢୀ ? ବାଳ କାଟିଲେ କୋଡିଏ ଟଙ୍କା, ଦାଢୀ କାଟିଲେ ଦଶଟଙ୍କା, ଦାଢୀବାଳ ଉଭୟ କାଟିଲେ ପଚିଶ ଟଙ୍କା । ରମାନାଥଙ୍କ ଭୃକୁଞ୍ଚିତ ହୋଇଗଲା । ପିଲାଟି ଟିକିଏ ଡରିଯାଇ କହିଲା, ଗଲା ରବିବାର ଦିନଠାରୁ ରେଟ ବଢିଯାଇଛି ପରା । ହଉ ହଉ ବସ, ବାଳ ଦାଢୀ ଉଭୟ କାଟିଦେବି, କୋଡିଏ ଟଙ୍କା ଦେବ । ଖାଲି ଆପଣଙ୍କ ପାଇଁ ପୁରୁଣା ରେଟ ଲଗେଇ ଦେବି, କାହାକୁ କହିବେନି ଏକଥା । ରମାନାଥ ତାକଥା ନଶୁଣିଲା ପରି ମୁହଁ ବୁଲେଇ ପୁଣି ଦର୍ପଣକୁ ଦେଖିଲେ, ନିଜକୁ ନିଜେ ଚିହ୍ନି ପାରୁ ନାହାଁନ୍ତି । ଭାବିଲେ ସୂର୍ଯ୍ୟକୁ ଖାଲି ମିଛଟାରେ ଏତେକଥା କହିଗଲେ । କୁଆଡେ ଗଲା ତାଙ୍କର ସେହି ସୌମ୍ୟ ସୁଦର୍ଶନ ମୁହଁଟା? ଡଉଲ ଡାଉଲ ଅଣ୍ଡାକୃତି ମୁଖ, କୁଞ୍ଚକୁଞ୍ଚିଆ ଘନ କଳାକେଶ, ନାକ ତଳର ସେଇ ପତଳା ନିଶ, ଡେଲି ସେଭିଂ ଚିକ୍କଣ ଗାଲ ହେଲେ, ସାମ୍ନା ଦର୍ପଣରେ ଏଇ ଯେଉଁ ଲୋଳିତ ଚର୍ମ, ଧଳାକଳା ମିଶା କର୍କଶ ଦାଢି, ଅଧା ଚନ୍ଦା ମୁଣ୍ଡ, କପାଳରେ ଏ କୁଞ୍ଚିତ ରେଖା କିଏ ଏଇ ବୃଦ୍ଧ ? ମୁଁ ?? ମୁଁ ନିଜେ ??? ମିଷ୍ଟର ରମାନାଥ ???

ହଠାତ୍ ରମାନାଥ ବୁଲି ପଡିଲେ ଏବଂ ଏକ ମୁହାଁ ହୋଇ ଧାଇଁଲେ ସୂର୍ଯ୍ୟ ପାଖକୁ, କହିଲେ, ଏବେ ବୁଝିଲି, ତୁମେ କାହିଁକି ମୋତେ ସନ୍ଦେହଭରା ଦୃଷ୍ଟିରେ ଦେଖୁଥିଲ । କିନ୍ତୁ ଏସବୁ ହେଲା କିପରି ?? ସୂର୍ଯ୍ୟ ହସିଲା, କହିଲା ସକାଳ ଆଉ ସଞ୍ଜ ଭିତରେ କେତେ ପାର୍ଥକ୍ୟ ସେକଥା କଣ ବୁଝିପାରୁନ ? ସକାଳ ସଞ୍ଜ ଭିତରେ କେତେ ଯେ ସମୟ ବିତିଯାଏ, ମଣିଷ ସତେ ଯେପରି ଭ୍ରମରେ ପଡଥାଏ । ଆଖିରେ କଳା ଚଷମା ଲଗାଇନିଏ ଆଉ ଜୁଟିଯାଏ ଧା ଦଉଡରେ । ସେଇ ଭ୍ରମରେ କିଛିବି ଦିଶେନା ତାକୁ, କେବଳ ଗୋଟିଏ ନିଶା, ଶୀର୍ଷରେ ପହଞ୍ଚିବାର ନିଶା, ଅନ୍ୟ ଅପେକ୍ଷା ସ୍ରେଷ୍ଟ ହେବାର ନିଶା, କିନ୍ତୁ କେବେ ନିଜର ସ୍ରେଷ୍ଟତା କଥା ଭାବେନି । ସମୟ ଚାଲି ଯାଉଛି, ସକଥା ଭାବେନା । ସମୟକୁ ହାତ ମୁଠାରେ ବାନ୍ଧି ରଖିବାକୁ ବୃଥା ଚେଷ୍ଟାକରେ । ଯାହା ମିଳିଲା ସବୁ ଏକାଠି କରିବାର ନିଶାରେ ପାଗଳ ହୋଇଯାଏ । ନିଜେ ଦେଖିପାରେନା, ଆଙ୍ଗୁଳି ସନ୍ଧିରୁ ଝୁରୁ ଝୁରୁ ହୋଇ ଚୋରାବାଲି ସବୁ ଖସିଯାଉଛି । ମୁଠାକୁ ଯେତେ ଯୋରରେ ବନ୍ଦ କରିବାକୁ ଚେଷ୍ଟାକରେ, ସେତେ ଯୋରରେ ବାଲି ଝରିଯାଏ । ଶେଷରେ ଯେବେ ହାତ ମୁଠା ଖୋଲି ଦେଖେ ଦୁଇ ହାତ ଶୂନ୍ୟ, କିଛିନାହିଁ ହାତ ମୁଠାରେ । ଯେତେବେଳେ ଆସିଥିଲା ହାତ ଯେମିତି ଖାଲି ଥିଲା, ଜୀବନର ଶେଷ ଦିନରେ ଠିକ୍ ସେମିତି ହାତ ଶୂନ୍ୟ ରହିଯିବ । ରମାନାଥ ସୂର୍ଯ୍ୟର ମୁହଁକୁ ସେମିତି ବଲ ବଲ କରି ଚାହିଁ ରହିଥାଆନ୍ତି । ସୂର୍ଯ୍ୟ ଆଡୁ ମୁହଁ ଫରାଇ ନିଜ ଦୁଇ ହାତକୁ ଉଠାଇ ଦେଖିଲେ, ମୁଠା ଖୋଲିଦେଲେ । ଏ କଣ ? ହାତ ତ ଶୂନ୍ୟ, ସତରେ କିଛି ନାହିଁ ହାତରେ, କୁଆଡେ ଗଲା ସବୁ?

ପୁଣି ସୂର୍ଯ୍ୟକୁ ଦେଖିଲେ । ସୂର୍ଯ୍ୟ ଟିକିଏ ହସିଲା । କହିଲା, ଦେଖ ବେଳ ସରି ଆସିଲାଣି । ଏବେ ତ ଯିବାକୁ ହେବ । ମୁଁ ଆସିଲାବେଳେ ଯେମିତି ଦିଶୁଥିଲି ଏବେବି ସେମିତି ଦିଶୁଛିନା ? ସକାଳେ ଯେମତି ହସୁଥିଲି, ଏବେବି ସେମିତି ହସୁଛି । ତୁମର ସକାଳ ଚେହେରା ସିନା ଏବେ ନାହିଁ କିନ୍ତୁ ସକାଳେ ତୁମେ ଯେମିତି କାନ୍ଦି କାନ୍ଦି ଆସିଥିଲ ଏବେବି କଣ ସେମିତି କାନ୍ଦି କାନ୍ଦି ଫେରିଯିବ । ଏବେ ତ ଟିକିଏ ହସି ଦିଅ, ଯେମିତି ମୁଁ ହସୁଛି ! ଯିବା ଆସିବା ତ ଲାଗି ରହିବ । କାଲି ମୁଁ ବି ଆସିବି ତୁମେବି ଆସିବ । ଦୁଃଖ କାହିଁକି ? ଖାଲିହାତ ଦେଖି ଦୁଃଖ ଲାଗୁଛି ?? ଆରେ ଏଥିରେ ଦୁଃଖ କାହିଁକି ? ସିଏତ ସବୁ ସ୍ୱପ୍ନଥିଲା । ମାୟା ଥିଲା, ଦୃଷ୍ଟିଭ୍ରମ ଥିଲା । ଯାହା ଦେଖିଲ ତାହା ମାୟାଥିଲା, ଯାହା କରିଲ, ଦେଲ ନେଲ ପାଇଲ ସବୁ ମାୟା ଥିଲା । ନା ତୁମେ କାହାର ଥିଲ ନା କେହି ତୁମର ଥିଲା । ଜୀବନଟାତ ଗୋଟାଏ ଜର୍ଣ୍ଣିଂ ଥିଲା । ଗାଡିରେ ବସିଲ, କେତେ ଯାତ୍ରୀ ଆସିଲେ ଗଲେ, କିଏ ପାଖରେ ବସିଲା, କିଏ ଭାଇ ଡାକିଲା କିଏ ବନ୍ଧୁ, କିଏ ସମ୍ପର୍କ ବଢେଇ ଦେଲା । କିନ୍ତୁ ଶେଷରେ ସମସ୍ତେ ନିଜ ନିଜର ଯାତ୍ରା ସମାପ୍ତ ପରେ ଓହ୍ଲେଇ ଗଲେ ଆଉ ଯିବେ । ତୁମର ଯାତ୍ରା ଏଇଠି ଶେଷ । ମୁଁ ଯିବି, ତୁମେ ବି ଓହ୍ଲେପଡ ଏଇ ଷ୍ଟେସନରେ । ଓହ୍ଲାଇଲା ବେଳେ ଥରେ ତୁମର ସହଯାତ୍ରୀମାନଙ୍କୁ ଦେଖିନିଅ । ଦେଖ, କେତେଜଣ ହାତ ହଲେଇ ଟା ଟା କରୁଛନ୍ତି । କେତେ ଜଣ ମନ ଦୁଃଖରେ କାନ୍ଦୁଛନ୍ତି, କିଏ ଦୁଃଖରେ ବିଭୋର ହୋଇ ଯାଉଛି, କିଏ ବାହୁନି କାନ୍ଦୁଛି । ତୁମେ ଓହ୍ଲେଇଗଲା ପରେ କେତେଜଣ ଖୁସିବି ହେବେ, ପାର୍ଟି ମନେଇବେ, ଆଉ କେତେ ହାତ ଦେଖେଇ ଖତେଇ ହେବେ । ଏମିତିବି କିଛି ଲୋକ ଥିବେ ଯେଉଁମାନଙ୍କୁ କିଛି ଫରକ ପଡିବନି । ତୁମେ ଥିଲ କି ଗଲ ସେଥିରେ ତାଙ୍କର କିଛି ଯାଏ ଆସେନା । କିନ୍ତୁ ତୁମର ଜାଣିବାକୁ ଇଚ୍ଛା ହେଉନି, ତୁମର ଏଇ ଯାତ୍ରା ଏକ ସଫଳ ଯାତ୍ରା ଥିଲା କି ନାହିଁ ? ରମାନାଥ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲେ ସୂର୍ଯ୍ୟ ମୁହଁକୁ । ସୂର୍ଯ୍ୟ କହିଲା ତୁମେ ଓହ୍ଲେଇ ଗଲାପରେ ଲୋକେ ହିସାବ କରିବେ । କେତେ ପାଇଥିଲ ତାର ହିସାବ ନୁହେଁ, ବରଂ କେତେ ଦେଇକି ଗଲ ତାହାର ହିସାବ କରିବେ । କାହାକୁ ହସେଇବାକୁ, କାହାକୁ ଖୁସିକରିବାକୁ କାହାର ଦୁଃଖ ଦୂରକରିବାକୁ କଣ ଦେଇକି ଆସିଲ ତାର ହିସାବ କରିବେ । ଯେତେ ଅଧିକ ଯାତ୍ରୀ ବିନା ସ୍ୱାର୍ଥରେ ତୁମର ଅନୁପସ୍ଥିତିକୁ ଅନୁଭବ କରିବେ ତୁମର ଯାତ୍ରା ସେତେ ସଫଳ । ଚାଲ, ଏବେ ଯିବା, ସମସ୍ତଙ୍କୁ ଗୁଡବାୟ କହିଦିଅ । ଏତିକି କହି ସୂର୍ଯ୍ୟ ବୁଡିଗଲା । ରମାନାଥ ସେଇଠି ବସି ପଡିଲେ ।
××××
ହସପିଟାଲ ବେଡରେ ରମାନାଥଙ୍କ ନିର୍ଜୀବ ଶରୀରଟା ସେମିତି ପଡି ରହିଥାଏ, ସାଇଡରେ ରଖାହୋଇଥିବା ଲାଇଫ ସେଭିଙ୍ଗ ଉପକରଣ ଗୁଡିକ ସେମିତି ଶୁନସାନ । ମୁଣ୍ଡପାଖରେ ସ୍ତ୍ରୀ ସୁନନ୍ଦା ବସି ଲୁହଗଡାଉଛନ୍ତି, ପୁଅ ବିକ୍ରମ ବ୍ୟଗ୍ରତାର ସହିତ ଏପଟ ସେପଟ ହେଉଛି । ହସପିଟାଲରୁ ଡାକ୍ତରଙ୍କ ଡେଥ ସାର୍ଟିଫେକଟ୍ ପାଇଁ ଅପେକ୍ଷା । ସେଇ ଡକୁମେଣ୍ଟଟା ବହୁତ ଜରୁରି ଆଉ ମୂଲ୍ୟବାନ । ସେଇ ଗୋଟାଏ ଡକୁମେଣ୍ଟ ବିଶ୍ୱଜିତ୍ ପାଇଁ ‘ରମାନାଥ ଏମ୍ପାୟାର’ର ଏକମାତ୍ର ଉତ୍ତରାଧିକାରୀ, ସବୁ ମାଲିକାନା ସତ୍ୱର ଚାବିକାଠୀ ।

***25/09/2018***

କ୍ଷୁଦ୍ରଗଳ୍ପ- ଅନ୍ତହୀନ କାମନା Antahina Kamana

ବାଲକୋନିକୁ ଆସିଲା ପରେ ଜୀବନବାବୁଙ୍କ ନଜର ଖବରକାଗଜ ବଣ୍ଡଲଟା ଉପରେ ପଡିଲା । ଖବର କାଗଜବାଲା ତା ସାଇକେଲରେ ବସି ରାସ୍ତାଉପରୁ ରୋଜ ଏମିତି ବଣ୍ଡଲକରି ଫୋପାଡେ । କାଗଜ କୋଉଦିନ ବାଲକୋନୀରେ ମିଳେ ତ କେଉଁଦିନ ଲନ୍ ରେ ଥିବା ପିଜୁଳିଗଛରେ ଲଟକୁଥାଏ । କେବେ କେବେ ଲନ୍ ରେ ମିଳିଯାଏ । ଖବରକାଗଜଟା କେଉଁଦିନ କେଉଁଠି ମିଳିବ ତାର କିଛି ଠିକଣା ନଥାଏ । ଆଜି ବୋଧେ ଲକି ଡେ, କାଗଜଟା ବାଲକୋନୀରେ ଠିକ୍ ଜାଗାରେ ମିଳିଗଲା । ଖବରକାଗଜ ବଣ୍ଡଲଟା ହାତରେ ଉଠାଇ ସୁମିତ୍ରାଙ୍କୁ କହିଲେ ଆରେ ଚା ନେଇ ବାଲକୋନିକୁ ଚାଲିଆସ, ଏଇଠି ଭଲ ସୁଲୁସୁଲିଆ ଥଣ୍ଡାପବନ ବୋହୁଛି । ଚା’ ସାଙ୍ଗରେ କିଛି ଫ୍ରେସ ପବନ ବି ପିଇବାକୁ ମିଳିବ ଆଜି, କହି ଆରାମ ଚୌକିରେ ବସିପଡିଲେ । ଖବରକାଗଜଟା ଖୋଲି ପ୍ରଥମେ ‘ଆଜିର ଅନୁଚିନ୍ତା’ ପଢିବାକୁ ଆରମ୍ଭ କଲେ । ଏଇଟା ତାଙ୍କର ନିତିଦିନିଆ ଅଭ୍ୟାସ, ପ୍ରଥମେ ନୀତିବାକ୍ୟଟାହିଁ ପଢନ୍ତି । ତାଙ୍କୁ ଭଲ ଲାଗେ, ପ୍ରତିଦିନ କିଛି ନୁଆ ଜ୍ଞାନ ମିଳିଯାଏ ସଂସାର ବିଷୟରେ । “କାମନାର ବିନାଶରେ ଦୁଃଖର ବିନାଶ” । ସେଇଠି ଅଟକିଗଲେ ଜୀବନବାବୁ । ଏଇ ବାକ୍ୟଟି କିଛି ନୁଆ ନୁହେଁ ତାଙ୍କ ପାଇଁ । ପିଲାଟି ଦିନରୁ ଶୁଣି ଆସୁଛନ୍ତି ଗୌତମବୁଦ୍ଧଙ୍କର ଏଇ ପବିତ୍ର ବାଣୀଟି । ଆଜି କିନ୍ତୁ ନୂଆ ନୂଆ ଲାଗୁଛି । ଖବରକାଗଜଟା ଖୋଲାହୋଇ ପଡିଛି କୋଳଉପରେ ଆଉ ଜୀବନବାବୁଙ୍କ ଆଖିଦୁଇଟି ଶୂନ୍ୟରେ କେଉଁ ଅନ୍ତରିକ୍ଷରେ ଅଟକିଯାଇଛି ଯେପରି । ହଠାତ୍ ଗୋଟିଏ ବାକ୍ୟ ଆଜି ତାଙ୍କୁ ଦାର୍ଶନୀକ କରିଦେଇଛି ସତେ । କଥାଟାକୁ ବାରମ୍ବାର ମନଭିତରେ ଦୋହରାଇ ଚାଲିଛନ୍ତି । ସେଇ ଗୋଟିଏ ପ୍ରଶ୍ନ ମନକୁ ବାରମ୍ବାର ଆସୁଛି । କାମନାର ବିନାଶ କିପରିହୁଏ? କାମନାର ବିନାଶ ହୋଇଗଲେ କଣ ସତରେ ସବୁ ଦୁଃଖ ଚାଲିଯାଏ?

କିଛିଦିନ ଆଗରୁ ରାସ୍ତାରେ ଛିଣ୍ଡା ଫ୍ରକ ଖଣ୍ଡିଏ ପିନ୍ଧି, ଶୀତରେ ଥୁରୁଥୁରୁ ହୋଇ ଛୋଟ ପିଲାଟିଏ ଭୋକରେ କିଛି ଖାଇବାକୁ ମାଗୁଥିଲା, ବିଚାରୀ, ଆଖିରୁ ତାର ଲୁହ ଗଡି ପଡିଲା, ଯେତେବେଳେ ସେ କହିଲା ‘ବାବୁ କାଲିଠୁ କିଛି ଖାଇନି, ଭୋକଲାଗୁଛି କିଛି ପଇସା ଦିଅ ଖାଇବାକୁ’ । ଜୀବନବାବୁ ବି ତରଳି ଯାଇଥିଲେ ତାକୁ ଦେଖି, ତାଙ୍କ ଆଖିବି ଜକେଇ ଆସିଥିଲା । ସେଇ ଛୋଟ ଝିଅଟିର ମୁହଁରେ ତାଙ୍କୁ ନିଜର କୁନି ଝିଅର ମୁହଁ ଦିଶିଗଲା । ସଙ୍ଗେ ସଙ୍ଗେ ତାକୁ ସାଥିରେ ନେଇ ପାଖ ହୋଟେଲରେ ବସେଇ ପେଟଭରି ଖାଇବାକୁ କହିଥିଲେ । ଝିଅଟିର ସାମ୍ନାରେ ବସି ତାକୁ ଦେଖୁଥାନ୍ତି, ସେ ଭୋକ ବିକଳରେ କିପରି ଜଲ୍ଦି ଜଲ୍ଦି ଖାଉଥାଏ, ତାର ସମସ୍ତ ଧ୍ୟାନ କେବଳ ସେଇ ଭାତଥାଳି ଉପରେହିଁ ରହିଥିଲା, ଯେପରି କେଉଁ କେତେ ଦିନରୁ ଭୋକିଲା ଥିଲା ! ଆଉ ପାଖରେ କିଏ ଅଛି, କିଏ ତାକୁ ଦେଖୁଛି, ଚାରିପାଖରେ କଣ ହେଉଛି, କୌଣସି ଦିଗକୁ ତାର ଧ୍ୟାନ ନାହିଁ । ଖାଇ ସାରିଲା ପରେ ତା ଆଖିରେ ଯେଉଁ ତୃପ୍ତି ଓ ଆନନ୍ଦ ଦେଖାଯାଇଥିଲା, ସେ ଦୃଶ୍ୟ କିଛି ଦିଅଁ ଦର୍ଶନ ଠାରୁ କମ୍ ନଥିଲା । ତା ଆଖିର ଚମକ୍ ତା ଓଠର ସେଇ ଟିକିଏ ତୃପ୍ତିଭରା ହସ ସତେ ଯେମିତି ଜୀବନବାବୁଙ୍କୁ ଜୀବନର ସମସ୍ତ ଉପଲବ୍ଧିର ଅନୁଭବ ଦେଉଥିଲା । ଛପନଭୋଗ ଖାଇ ସାରିଲା ପରେ ଜଗନ୍ନାଥଙ୍କ ମୁହଁରେ ହୁଏତ ଏ ତୃପ୍ତିର ଭାବ ଦେଖିବାକୁ ମିଳିବ କି ନାହିଁ ଜଣାନାହିଁ ।

ତାପରେ ଜୀବନବାକୁ ଝିଅଟିକୁ ନେଇ ଗୋଟିଏ ଶିଶୁ ଆଶ୍ରମରେ ଛାଡିଦେଇ ଆସିଥିଲେ । ମଝିରେ ମଝିରେ ନିଜେ ଯାଆନ୍ତି ସେଇ ଆଶ୍ରମକୁ, ଝିଅଟିକୁ ଥରେ ଦେଖିଆସିବାକୁ । ଯେପରି ଗୋଟାଏ ମାୟାର ବନ୍ଧନ ଯୋଡି ହୋଇଯାଇଛି ସେଇ ଝିଅଟି ସାଥିରେ । ଥରେ ସୁମିତ୍ରାଙ୍କୁ ସାଥିରେ ନେଇ ଯାଇଥିଲେ ଆଶ୍ରମକୁ । ଝିଅଟିକୁ ଦେଖି ସୁମିତ୍ରାଙ୍କର ମାତୃତ୍ୱ ଜାଗି ଉଠିଥିଲା । ହାତବଢାଇ କୋଳେଇ ନେଇଥିଲେ ତାକୁ, ଜାବୁଡି ଧରିଥିଲେ ଛାତିରେ । ଆଖିରୁ ଲୁହ ଗଡି ଆସିଥିଲା ତାଙ୍କର । ବଡ କରୁଣଭାବେ ପଚାରିଥିଲେ, କି ପାପ କରିଥିଲା ବିଚାରୀ ? ଏଇଟା ତାର ଅପରାଧନା’ ସେ ଝିଅଟିଏ ହୋଇ ଜନ୍ମ ହେଇଗଲା ! ସୁମିତ୍ରା ତା ମୁହଁକୁ ସେମିତି ଅପଲକ ନୟନରେ ଅନେଇ ରହିଥାଆନ୍ତି, କହିଲେ ଏଇ ଝିଅଟିର ନାଆଁ ଏବେଠାରୁ ଜାଜ୍ଞସେନୀ ହେଲା । ସେ କହନ୍ତି, ଝିଅଟି ଏଇ ସଂସାରର ଅଗ୍ନିରୁ ଜନ୍ମିଛି, କୌରବ କୂଳର ନାଶ କରି ପାରିବ କି ନାହିଁ ଜଣାନାହିଁ, କିନ୍ତୁ ତା ମୁହଁର ଜ୍ୟୋତିକୁ ଦେଖ, ସତେ ଯେପରି ଐଶ୍ୱରୀୟ ଆଭା ଝଟକୁଛି ତା ମୁହଁରୁ । ସେ ଜାଜ୍ଞସେନୀ ସେ କୃଷ୍ଣା, ମୋ ଆଡକୁ ଅନାଇ କହିଲେ ତୁମେ ତାର ସଖା ହୋଇପାରିବ? ତା ପାଇଁ କୃଷ୍ଣ ହୋଇ ତାକୁ ଆଗକୁ ବଢିବାରେ ସହାୟତା କରିପାରିବ? ମୁଁ ଅଛି ତୁମ ସାଥିରେ, ସେ ପଢିବ, ବଢିବ, ବହୁତ ବଡ ମଣିଷଟିଏ ହେବ । ଆମର ଦୁଇଟି ନୁହେଁ ଆଜିଠାରୁ ତିନୋଟି ସନ୍ତାନ । ସେଇଦିନ ତାକୁ ସାଥିରେ ନେଇ ଆସିଥିଲେ ଶିଶୁ ଆଶ୍ରମର ମ୍ୟାନେଜରଙ୍କୁ ବଡ ବିନତି କରି । ସପ୍ତାହକ ପରେ ସରକାରୀ ଫରମାଲିଟି ପୁରା ହୋଇଗଲା ପରେ ଆଇନତଃ ସେ ଆମର ତୃତୀୟ ସନ୍ତାନ, ଗେଟିଏ ପୁଅ, ଗୋଟିଏ ଝିଅ ପରେ କୃଷ୍ଣା ଆମର ଆଉ ଗୋଟିଏ ଝିଅ । ସେତେବେଳକୁ ଜାଜ୍ଞସେନୀ ଚାରିବର୍ଷର ଥିଲା, ଆଜି ସିଏ ନଅବର୍ଷର ହୋଇଗଲାଣି । ସ୍କୁଲ ଯାଉଛି, କ୍ଲାସରେ ସବୁବେଳେ ଫାଷ୍ଟ ହେଉଛି, ଖେଳକୁଦ ହେଉ କି ନାଚଗୀତ ସବୁଥିରେ ସେ ପାରଙ୍ଗମ । ତାପାଇଁ ମନରେ ଗର୍ବ ଆସେ, ଭଗବାନଙ୍କୁ ଧନ୍ୟବାଦ କହିବାକୁ ମଥା ନଈ ଆସେ । ପ୍ରଭୂଙ୍କର କି ବିଚିତ୍ର ଲୀଳା, କାହାପାଇଁ କାହାକୁ ଗଢିଛନ୍ତି । କୃଷ୍ଣଙ୍କ ପରି ଏଇ କୃଷ୍ଣା କେଉଁଠି କାହାକୋଳରେ ଜନ୍ମ ହେଲା ଆଉ ଝିଅଟିଏ ବୋଲି ତାକୁ ଏମିତ ଅନାଥ ଛାଡି ଦିଆଗଲା । କେତେ ହତଭାଗା ସେ ମାଆ ବାପା । ହୀରାକୁ କାଚ ବୋଲି ଭାବି ଫୋପାଡିଦେଲେ !

ଜୀବନ ବାବୁ ଭାବୁଥିଲେ ପାଞ୍ଚବର୍ଷ ତଳର ସେଇ ଅନାଥ ଭୋକିଲା ଜାଜ୍ଞସେନୀର କଥା । ସେତେବେଳେ ତାର ଭୋକ, ତାର ମୁଠାଏ ଅନ୍ନପାଇଁ ବ୍ୟାକୁଳ କ୍ରନ୍ଦନ କଣ ତାର କାମନା ଥିଲା? ତାର ଭୋକ ଯଦି ତାର କାମନା, ତେବେ ସେଇ କାମନାର ବିନାଶ କିପରି କରି ପାରିଥାଆନ୍ତା ସେ ?? ସେଇ ଭୋକ, ତାର ଖାଇବାର ଇଚ୍ଛା, ତାର କାମନାର ବିନାଶ ହୋଇଥିଲେ ତାର ନିଜର ବି ବିନାଶ ହୋଇଯାଇ ଥାଆନ୍ତା । ତେବେ ତାର ସେଇ ବିନାଶର ନାଆଁ କଣ ନିର୍ବାଣ ହୋଇ ଥାଆନ୍ତା ??? ବୁଦ୍ଧ କେବେଠାରୁ ନିର୍ବାଣ ପ୍ରାପ୍ତି କରି ଚାଲିଗଲେଣି । ଆଜି କିଏ ତାଙ୍କୁ ଏ ପ୍ରଶ୍ନର ଉତ୍ତର ଦେବ? ହଁ ସୁମିତ୍ରା, ଆସନ୍ତୁ ହୁଏତ ସେ କିଛି କହିପାରିବେ ଏ ବିଷୟରେ । ଜୀବନବାବୁ ସିନା କେମିଷ୍ଟ୍ରି ଅଧ୍ୟାପକ ହେଲେ ସୁମିତ୍ରା ତ ଫିଲୋସଫି ପଢାଏ, ସେ ନିଶ୍ଚୟ ଜାଣିଥିବ ।

ସୁମିତ୍ରାଦେବୀ ଚା ଦୁଇକପ୍ ନେଇ ଆସିଲେ, ସାମ୍ନା ଟି’ପୟ ଉପରେ ଗୋଟିଏ କପ୍ ରଖି କହିଲେ, ହେଇଟି ଚା’ ନେଇଆସିଛି ପିଇନିଅ । ଥଣ୍ଡା ହୋଇଗଲେ ଆଉ ଥରେ ଗରମ କରିବାକୁ କହିବନି, ଆଗୁଆ କହିଦେଉଛି । ହଠାତ୍ ଜୀବନ ବାବୁ ପ୍ରକୃତିସ୍ଥ ହେଲେ ଯେପରି । କହିଲେ ହଁ ହଁ ପିଉଛି କହି ଚା’ କପଟିକୁ ଉଠାଇନେଇ ଢୋକେ ପିଇ ଗୋଟିଏ ଦୀର୍ଘନିଶ୍ୱାସ ଛାଡିଲେ, କହିଲେ, ଜାଣିଛ ସୁମିତ୍ରା, ଗୌତମବୁଦ୍ଧ ଠିକ୍ କହିଥିଲେ, ‘କାମନାର ବିନାଶରେ ଦୁଃଖର ବିନାଶ’ ଆମ ମଣିଷ ଜୀବନରେ ସବୁ ଦୁଃଖ ଏଇ କାମନାରୁ ତ ଆସେ । କାମନା ନାହିଁ ତ ଦୁଃଖବି ନାହିଁ, କାମନା ନଥିଲେ, ସବୁ ସୁଖ ମିଳିଯିବ, ନିର୍ବାଣ ବି । ହେଲେ ଏ କାମନାର ବିନାଶ କିପରି ହୁଏ? ସୁମିତ୍ରା ଦେବୀ ହୁଁଟିଏ କହି ରହିଗଲେ । ଚା’ କପରେ ମୁହଁଲଗାଇ ଚା’ ଢୋକାଏ ପିଇ କହିଲେ, ଆଉ ଥରେ କୁହ, କଣ କହୁଥିଲ । ଜୀବନବାବୁ କହିବା ଆରମ୍ଭ କଲେ, କାମନାର…. ସୁମତି ଦେବୀ ତାଙ୍କୁ ଅଟକେଇ ଦେଇ କହିଲେ, ନାଇ ନାଇ, ଲାଷ୍ଟ ଲାଇନଟା ଆଉଥରେ କୁହ, ଜୀବନରେ କାମନା ନଥିଲେ…. ଜୀବନବାବୁ କହିଲେ ହଁ, ହଁ ଜୀବନରେ କାମନା ନାହିଁତ ଦୁଃଖବି ନାହିଁ, ସବୁ ସୁଖ ମିଳିଯିବ, ନିର୍ବାଣ ବି । ସୁମତି ଦେବୀ କହିଲେ ଏଇବାକ୍ୟଟା ଆଉଥରେ କୁହ, ଜୀବନବାକୁ ପୁଣିଥରେ କହିଲେ, ଏମିତି ଆଉ ଥରେ, ଆଉ ଥରେ କହି କହି ସୁମତି ଦେବି ଜୀବନବାବୁଙ୍କ ମୁହଁରୁ ସେଇ ବାକ୍ୟଟିକୁ ଦଶଥର ରିପିଟ କରେଇଦେଲେ । ଶେଷରେ ଜୀବନବାକୁ ବିରକ୍ତ ହୋଇ କହିଲେ, ଆରେ, ତୁମେ କହିବାକୁ କଣ ଚାହୁଁଚ ? ବାକ୍ୟଟାକୁ ବାରମ୍ବାର କହିଲେ କଥାଟା କଣ ବଦଳିଯିବ? ସୁମିତି ଦେବି ବଡ ଶାନ୍ତ ସ୍ୱରରେ କହିଲେ ନାହିଁ, କଥାଟା ବଦଳିବ ନାହିଁ, କିନ୍ତୁ ଅର୍ଥ ବଦଳି ଯିବ । ଜୀବନବାବୁ ଜିଜ୍ଞାସୁ ଆଖିରେ ସୁମିତ୍ରାଙ୍କ ମୁହଁକୁ ଚାହିଁ ରହିଲେ ।

ସୁମିତ୍ରା ଦେବି କହିଲେ, ଦେଖ, କଥାଟା ବହୁତ ସିମ୍ପଲ, ତୁମେ କହିଲ ଜୀବନରେ କାମନା ନଥିଲେ ସବୁ ସୁଖ ମିଳିଯିବ । ଏଇଆ ନା’? ଏତିକି କହି ଜୀବନବାବୁଙ୍କ ମୁଁହକୁ ଚାହିଁଲେ । ଜୀବନବାକୁ ଟିକିଏ ଭାବି, କହିଲେ ହଁ ସେଇକଥା । ତାପରେ ସୁମିତ୍ରା ଦେବି ବାକ୍ୟଟିର ପୋଷ୍ଟମଟମ କରିବା ଆରମ୍ଭ କରିଦେଲେ । କହିଲେ ବାକ୍ୟଟିକୁ ଓଲଟେଇ ଦେଖ, ‘ଜୀବନର ସବୁସୁଖ ପାଇଁ କାମନାର ବିନାଶ କର’ ଏମିତି ହେବନା ବାକ୍ୟଟି । ଜୀବନ ବାବୁ ଯେପରି କିଛି ହିସାବ କରିବାକୁ ଲାଗିଲେ, ମନେମନେ ବାକ୍ୟଟିକୁ ଦୋହରାଇ ପରଖିନେଲେ ପୁଣି ଭାବି କହିଲେ ଏକଜାକଟ୍ଲି । ସୁମତି ଦେବି କହିଲେ, ବାକ୍ୟଟିକୁ ଟିକେ ସରଳ କରିଦେବା । ଜୀବନର ସବୁ ସୁଖ ଏବଂ ନିର୍ବାଣ ପାଇଁ କାମନାର ବିନାଶ କରିବା । ମାନେ ସୁଖପାଇଁ, କାମନାର ବିନାଶ କରିବା । ତେବେ କାମନାର ବିନାଶ କରିବା କାର୍ଯ୍ୟଟି କଣ ଏକ କାମନା ନୁହେଁ ? କିଛି ପାଇବା ପାଇଁ ଆଶା କରିବା ଏବଂ ସେଥିପାଇଁ କିଛି କରିବା ତ କାମନା, ନା’ କଣ କହୁଛ ?? ଜୀବନବାବୁ ବାଧ୍ୟ ଶିଷ୍ୟଟିଏ ପରି ମୁଣ୍ଡ ହଲାଇ ହଁ କହିଲେ । ସୁମିତ୍ରା ଦେବି ପଚାରିଲେ, ପୁଣି ଏଇ କାମନାର ବିନାଶ ପାଇଁ କଣ କରିବ? ଯେମିତି ଯାହା କଲେବି, ଶେଷରେ ଏମିତି ଏକ କାମନା ପୁଣି ମୁଣ୍ଡ ଟେକିବ । ଠିକ୍ ପିଆଜର ପାଖୁଡା ଛଡେଇଲା ଭଳି । ନିର୍ବାଣର କାମନା କରି ବୁଦ୍ଧ ସବୁ କାମନାର ବିନାଶ କରିପାରିଥିଲେ କି ନାହିଁ ଜଣାନାହିଁ । ନିର୍ବାଣର କାମନାକରି ସେ ନିର୍ବାଣ ପାଇଲେ କି ନାହିଁ କିଏ ଜାଣେ? କିନ୍ତୁ ମୁଁ ଯାହା ଭାବେ, ସେଇଟା ହେଉଛି, “କାମନାର ବିନାଶରେ ଦୁଃଖର ନୁହେଁ, ଜୀବନର ବିନାଶ ହୋଇଥାଏ” କିମ୍ବା କଥାଟାକୁ ତୁମେ ଏମିତି ବି କହିପାର, ‘ଜୀବନର ବିନାଶ ପରେ କାମନାର ବିନାଶ’ । ମଣିଷ ମଲାପରେ କାମନା ବି ମରିଯାଏ । ମଲା ମଣିଷର ଆଉ କଣ କିଛି କାମନା ଥାଏ ? ଏଇ କାମନା ହିଁ ମଣିଷକୁ ଜୀବିତ ରଖିଛି । ଜୀଇବାର ଇଚ୍ଛା ଏକ କାମନା । ଭୋକ ଲାଗିଲେ ଖାଇବାର ଇଚ୍ଛା ତ କାମନା, ଶୀତ ଲାଗିଲେ ଘୋଡେଇ ହେବାର ଇଚ୍ଛା ବିତ କାମନା ! ଭଗବାନଙ୍କର ଆଶିର୍ବାଦ, କରୁଣା ପ୍ରାପ୍ତ କରିବାର ଇଚ୍ଛା ବି କାମନା । ଜୀବନରେ ସୁଖ ଭୋଗିବା, କଷ୍ଟ ନପାଇବା ବି କାମନା । ପରିବାରକୁ ସୁଖି ରଖିବା, ସନ୍ତାନଙ୍କୁ ଯୋଗ୍ୟ କରିବା ଏସବୁତ କାମନା? କେଉଁ କାମନାର ବିନାଶ କରିବ ମଣିଷ?

କଥା କଣ ଜାଣିଛ? ମଣିଷର ଅନେକ କାମନା, ଏବଂ ସେଇ ସବୁ କାମନାକୁ ପୂର୍ଣ୍ଣ କରିବାପାଇଁ ମଣିଷ କର୍ମବି କରେ, ଏବଂ କର୍ମଫଳର କାମନା ବି କରେ । ଇପ୍ସିତ ଫଳ ନମିଳିଲେ ଭାଙ୍ଗିପଡେ, ଦୁଃଖି ହୋଇଯାଏ, ଗୀତାରେ ଭଗବାନ କୃଷ୍ଣଙ୍କ ବାଣୀକୁ ଦୋହରାଏ । ‘କର୍ମଣ୍ୟେବାଧିକାସ୍ତେ ମା ଫଳେଷୁ କଦାଚନ’ । ଆମେ ଗୀତାର ଏଇ ବାଣୀଟିର ସବୁବେଳେ ମିସଇଣ୍ଟରପ୍ରେଟେସନ କରିଆସିଛୁ । ‘କାମ କରିଯାଅ ଫଳର ଆଶାକରନା’ । କହିଲ ଦେଖି, ଫଳର ଆଶାନଥିଲେ କିଏ କାହିଁକି କର୍ମକରିବ ? ଦରମା ମିଳିବାର ଆଶା ନଥିଲେ କିଏ କାହିଁକି କାମ କରିବାକୁ ଯିବ ? ପାଶ୍ କରିବାକୁ କି ପରୀକ୍ଷାରେ ପୋଜିସନ ରଖିବାର ଆଶା ବା କାମନା ନଥିଲେ କିଏ କାହିଁକି ପାଠପଢାରେ ଅଧିକ ପରିଶ୍ରମ କରିବ? ଆମେ ଯେଉଁଟାକୁ କାମ କହୁ, ଅସଲରେ ସେଇଟା କାମନାଦ୍ୱାରା ହଁ ପ୍ରେରିତ ହୋଇଥାଏ । କର୍ମ ସର୍ବଦା ସକାମ । ବାକି ରହିଲା କର୍ମଫଳର ଆଶା କରିବା । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ‘କର୍ମଣ୍ୟେବାଧିକାରସ୍ତେ’ ଅର୍ଥାତ୍ ତୁମର ଅଧିକାର କେବଳ ତୁମର କର୍ମ କରିବା ପର୍ଯ୍ୟନ୍ତ ସୀମିତ । କର୍ମ ତୁମର ଅଧିନ, ସେପରି ଫଳ ପ୍ରଦାନ କରିବା ଅନ୍ୟ ବ୍ୟକ୍ତିର ଅଧିନରେ ଥାଏ । ଯେପରି ତୁମେ ପରୀକ୍ଷା ଦେଲ । ସେଇଠି ତୁମର ଅଧିକାର ସୀମା ସମାପ୍ତ । ତାପରେ ଫଳଦେବା ଅଧିକାର ପରୀକ୍ଷକ ହାତରେ । କର୍ମ ଯଦି ଠିକ୍ ଭାବେ କରାଯାଇଛି ଫଲ ବି ଉତ୍ତମ ମିଳିବ, ଏଥିରେ ଆଶା ନିରାଶାର ପ୍ରଶ୍ନ ନାହିଁ । କିନ୍ତୁ ଆମେ ସବୁ ଓଲଟାକରୁ, ଆମେ କର୍ମକରୁ ଏବଂ ସଙ୍ଗେ ସଙ୍ଗେ ଫଳବି ଆମ ଅଧିକାରରେ ଥିଲାଭଳି ମନେକରୁ । ସେଇଠି ଆମେ ଦୁଃଖକୁ ଆମନ୍ତ୍ରଣ ଦେଇଦେଉ । ଆତ୍ମ ସମୀକ୍ଷା କରୁନା, ହୁଏତ ଆମର କର୍ମରେ କୌଣସି ତୃଟି ରହିଯାଇଛି, ତାହା ଖୋଜିବାକୁ ଚେଷ୍ଟା କରୁନା । ପୂନଃପ୍ରଚେଷ୍ଟା କରୁନା । ନିରାଶ ହୋଇଯାଉ ଭାଗ୍ୟ ଆଉ ଭଗବାନଙ୍କୁ ଦୋଷ ଦେଇଦେଉ ।

କୌଣସି କାର୍ଯ୍ୟ, ବିନା କାମନାରେ ଆରମ୍ଭ ହୁଏନା । କିଛି ପାଇବାର ଇଚ୍ଛାରଖିତ ମଣିଷ କର୍ମ କରେ । ସବୁ କର୍ମ ପଛରେ ଏକ ଉଦ୍ଦେଶ୍ୟ ଥାଏ, ତେଣୁ ନିସ୍କାମ କିଛିବି ନଥାଏ । ଭିଖାରୀକୁ ଭିକ ଦେଇ ଆମ ମନରେ ଧର୍ମ ଅର୍ଜନର କାମନା ଥାଏ । ମନ୍ଦିରକୁ ଦିଅଁ ଦର୍ଶନ କରିବାକୁ ଗଲେ, ଆମ ମନରେ ଭଗବାନଙ୍କ ପାଇଁ ଭକ୍ତି ଅପେକ୍ଷା କିଛି ପ୍ରାପ୍ତିର କାମନା ଅଧିକ ଥାଏ । ସନ୍ତାନକୁ ଭଲ ସ୍କୁଲରେ ପଢାଇବାରେ ବି ଆମର ସ୍ୱାର୍ଥ ଏବଂ କାମନା ଜଡିତ ଥାଏ । ବନ୍ଧୁ ମାନଙ୍କ ଆଗରେ ବାହାଦୂରୀ ଦେଖେଇ ହେବା ମୋ ପିଲା ଅମୂକ ସ୍କୁଲରେ ପଢେ ଏଥିରେ ନିଜକୁ ଦେଖେଇ ହେବାର କାମନାଥାଏ । ମଣିଷ ଯେ ପର୍ଯ୍ୟନ୍ତ ଜୀବିତ ଅଛି ତାର କାମନା ତା ସହିତ ରହିବଇ ରହିବ । କାମନାର ବିନାଶ ସିନା ହୋଇପାରିବନି କିନ୍ତୁ ସେଥିରେ ଅଂକୁଶ ନିଶ୍ଚୟ ଲଗାଇ ହେବ । ନେସେସିଟି ଏବଂ ଲକଜୁରୀ ଭିତରେ ଫରକ ଜାଣିବାକୁ ହେବ । ଯାହା ଅଛି ସେଥିରେ ଖୁସିରହିବା ଶିଖିହେବ । ଯାହା ନାହିଁ ତାପାଇଁ ଚେଷ୍ଟା ଅବଶ୍ୟ କର କିନ୍ତୁ ତା ପାଇଁ ଦୁଃଖି ନହେବା ହିଁ ସୁଖର ମାର୍ଗ ସୁଗମ କରିଥାଏ । ସବୁଠାରୁ ବଡକଥା ଜୀବନରେ ସନ୍ତୁଷ୍ଟ ରହିଜାଣିଲେ ଦୁଃଖ କେବେ ବି ପାଖ ମାଡିବନି ।

ଜୀବନବାବୁ ମନ୍ତ୍ରମୁଗ୍ଧ ହୋଇ କେଉଁ ସାଧୁଙ୍କର ପ୍ରବଚନ ଶୁଣିଲା ପରି ଚୁପ୍ ହୋଇ ସବୁ ଶୁଣୁ ଥାଆନ୍ତି । ଶେଷରେ କହିଲେ, ସୁମିତ୍ରା ତୁମେ ଏଇ ଅଧ୍ୟାପିକା ଚାକିରୀ ଛାଡିଦିଆ । ସୁମିତ୍ରା ଦେବି ଆଶ୍ଚର୍ଯ୍ୟହୋଇ ଜୀବନବାବୁଙ୍କ ମୁହଁକୁ ଏକ ପ୍ରଶ୍ନିଳ ଆଖିରେ ଚାହିଁ ରହିଲେ । ପଚାରିଲେ କାହିଁକି? ଜୀବନବାବୁ ଟିକିଏ ହସି କହିଲେ, ତୁମେ ଏତେ ସୁନ୍ଦର ଭାବେ କଥାଟିକୁ ବୁଝେଇଦେଲ, ଆଉ କେହି ଏପରି ବୁଝେଇ ପାରି ନଥାନ୍ତା । ଆଜିକାଲି କେତେ ଭଣ୍ଡବାବା ଉଲଟା ସିଧା ପ୍ରବଚନଦେଇ ଲୋକଙ୍କୁ ଭୂଆ ବୁଲାଉଛନ୍ତି । ତୁମେ ପ୍ରବଚନ ଦେଲେ ଲୋକେ କିଛି ଭଲକଥା ତ ଶିଖିପାରିବେ, ତା ଉପରେ ସୁମିତ୍ରା ମାତାଙ୍କର ଜୟବାନାବି ଉଡିବ, କେତେ ଭକ୍ତ ଜମା ହେବେ, ଜୟ ଜୟକାର ହେବ । ସୁମିତ୍ରା ମାତାଙ୍କର ଆଶ୍ରମ, ମନ୍ଦିର ସବୁ ବନିଯିବ । ସୁମିତ୍ର ଦେବି ଟିକେ ହସିଦେଇ କହିଲେ, ଥାଉ ବାବା, ମୋର କିଛି ମାତା ହେବା ଦରକାର ନାହିଁ । ଏମିତିରେ ମୁଁ ଠିକ୍ ଅଛି । ବହୁତ ଖୁସି ଅଛି ।

***16/09/2018***

କ୍ଷୁଦ୍ରଗଳ୍ପ-ମାୟାମୁକ୍ତି Maya-mukti

ଭଜ ଗୋବିନ୍ଦଂ, ସ୍ମର ଗୋବିନ୍ଦଂ ଗୋବିନ୍ଦଂ ଭଜେ ମୁଢମତେ, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ଏଇ ଗୀତଟି କିଏ ଜଣେ ବନ୍ଧୁ ହ୍ୱାସଅପ୍ ରେ ସେୟାର ଇରିଥିଲେ । ସୁଧାକରବାବୁ ଏଇଥରକୁ ମିଶାଇ ଗୀତଟାକୁ ପ୍ରାୟ ପନ୍ଦର ଥର ଶୁଣି ସାରିଲେଣି । ପ୍ରଥମେ ଥରେ ଦିଥର ମୋବାଇଲ୍ ରେ ଫୁଲ ଭଲ୍ୟୁମରେ ଶୁଣିଲା ପରେ ଯେତେବେଳେ ତୃତୀୟର ଥରପାଇଁ ପ୍ଲେ କଲେ ସେତେବେଳେ ମିସେସ୍ ପୂଜାଘର ଭିତରୁ ବଡପାଟିଟାଏ କରି କହିଲେ, ଗୀତଟା ଯଦି ଏତେ ଭଲଲାଗୁଛି ତେବେ କାନରେ ଇଅରଫୋନ ଲଗେଇ ଶୁଣ । ମୁଁ ଏଇଠି ଧ୍ୟାନ ଲଗେଇ ପୂଜାକରି ପାରୁନି । ସାନପୁଅ ସକାଳ ଚା’ କପ୍ ଟା ଆଣି ସେଣ୍ଟର ଟେବୁଲ ଉପରେ ରଖିଦେଇ କହିଲା, ବାପା ଚା, ଭାଉଜ କହିଲେ ଆଉ ଚା ମିଳିବନି । ଏଇଟାକୁ ମିଶେଇ ତୁମେ ଚାରି କପ୍ ଚା ପିଇ ସାରିଲଣି ସକାଳୁ । ଏତିକି କହି ସେ ସାମ୍ନା ସୋଫା ଉପରେ ବସିପଡିଲା । ଟିଭି ରିମୋଟଟା ସୁଧାକରବାବୁଙ୍କ ହାତରୁ ନେଇ ନିଉଜ୍ ଚାନେଲଟାକୁ ବଦଳେଇ ସ୍ପୋର୍ଟସ ଚାନେଲକୁ କରିଦେଲା । କହିଲା ନିଉଜିଲ୍ୟାଣ୍ଡରେ କ୍ରୀକେଟ ମ୍ୟାଚର ଲାଇଭ ଟେଲେକାଷ୍ଟ ଦେଖିବ । ସୁଧାକରବାବୁ ଅଗତ୍ୟା ଅନ୍ୟଉପାୟ ନଦେଖି ଇଅରଫୋନ କାନରେଲଗାଇ ବାରଣ୍ଡାକୁ ଉଠିଗଲେ ।

ଯେତେଥର ଶୁଣିଲେ ବି ଗୀତଟା ପ୍ରତିଥର କିଛି ନୁଆ ଚେତନା ଭରିଦେଉଥିଲା ହୃଦୟଭିତରେ, କେତେ ସୁନ୍ଦରଭାବେ ବୁଝେଇ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ମାୟାଟା ଭ୍ରମ, ଆଉ ଏଇ ଭ୍ରମ ଭିତରେ ମଣିଷ ପୁରା ଜୀବନ ବିତେଇ ଦେଉଛି । ଆଖିରେ ଅନ୍ଧପୁଟୁଳି ବାନ୍ଧିନେଇଛି । ଆଉ ସେଇ ବନ୍ଦଆଖିରେ କେବଳ ଧନ ଦାରା ସୁତର ମାୟା । 30 ବର୍ଷର ଚାକିରୀକାଳ ଭିତରେ କଣ କରିଛନ୍ତି ସୁଧାକରବାବୁ? ଅଧ୍ୟାପକ ଚାକିରୀରେ ସକାଳୁ ସଂଜଯାଏ କ୍ଲାସ ପରେ କ୍ଲାସ, କଲେଜ ସଳିଲା ପରେ କୋଚିଙ୍ଗ, ଘରେ ପହଞ୍ଚିଲା ପରେ କଣଟିକେ ଖାଇ ପୁଣି ସେହି ବହିମାନଙ୍କର ଭିତରେ ହଜିଯାଉଥିଲେ ଜ୍ଞାନର ସନ୍ଧାନରେ । ଫିଜିକ୍ସର ପ୍ରାଧ୍ୟାପକ ଥିଲେ, ଢେର ଜ୍ଞାନ ଅର୍ଜନ କରିଛନ୍ତି ନିଜ ସବଜେକ୍ଟରେ, ହେଲେ ‘ବିଷୟ’ ବାସନାରେ ଏମିତି ମଗ୍ନ ରହିଗଲେ ଯେ ଅସଲ ଜ୍ଞାନ ଟିକିଏବି ଅର୍ଜନ କରିପାରିଲେନି । ସେଇ ପ୍ରଭୂଙ୍କ ଜ୍ଞାନ, ବିଷୟର ଜ୍ଞାନ, ମୁକ୍ତିର ଗୁଢ ତତ୍ତ୍ୱଜ୍ଞାନରୁ କାଣିଚାଏ ବି ଅର୍ଜନ କରିପାରିଲେନି । ବଡ ବିତୃଷ୍ଣାଭାବ ଆସିଗଲା ଜୀବନ ପ୍ରତି । ଏତେ ବଡ ଘର ତିଆରି କରିଦେଲେ ହେଲେ ନିଜ ହୃଦୟ ମନ୍ଦିରର ଚଉକାନ୍ଥକୁ ଏମିତି ଖୋଲା ଛାଡିଦେଲେ ଯେ ମାୟା ପଶି ସବୁ ଅନ୍ଧାର କରିଦେଲା । ଜ୍ଞାନର ଦୀପଟିଏ ବି ଜଳାଇ ପାରିଲେନି ହୃଦୟ ଭିତରେ । ଶେଷଥର ପାଇଁ ମନ୍ଦିର କେବେ ଯାଇଥିଲେ ମନେ ନାହିଁ । ଏଇ ଭୁବନେଶ୍ୱରରେ ଅଧା ଜୀବନ କଟିଗଲା ତାଙ୍କର । ହେଲେ ଜଗନ୍ନାଥଙ୍କ ଦର୍ଶନ ଦୁଇ ଚାରି ଥରରୁ ବେଶି କରି ପାରିନାହାନ୍ତି । ପୁରୀ ଏଇଠୁ କେତେ ଦୂର ? ରାସ୍ତା ସିନା ଦୂର ନୁହେଁ, ହେଲେ ବିଜ୍ଞାନର ଏଇ ବସ୍ତୁଜ୍ଞାନ ଭଗବାନଙ୍କ ଠାରୁ ଦୂରେଇ ରଖିଛି ଆଜିଯାଏ ।

ଧନ ଦାରା ସୂତ, ଏଇତ ମାୟା, ସେଇ ମାୟାରେ ଫଶିଯାଇ ମଣିଷ ଜାଣି ପାରେନା ଧନ ଲାଗି ପୁତ୍ରବି ଦିନେ ଶତ୍ରୁ ପାଲଟିଯାଏ । ଯେପର୍ଯ୍ୟନ୍ତ ଅର୍ଜନକ୍ଷମ ରହିଛ ସେପର୍ଯ୍ୟନ୍ତ ସମସ୍ତେ ସମ୍ମାନ ଦେବେ, ଖାତିରି କରିବେ । ଯେଉଁଦିନ ଅବସର ନେଇଯିବ, ଅର୍ଜନ ଅକ୍ଷମ ହୋଇଯିବ, ସେଦିନଠାରୁ କେହି ପଚାରିବେନି, କେହି ଶୁଣିବେନି ତୁମକଥା । ସୁଧାକର ବାବୁଙ୍କର ଅବଶ୍ୟ ସେଇ ପରିସ୍ଥିତି ଆସିନି, କାରଣ ସରକାରୀ କର୍ମଚାରୀ ଥିଲେ, ଏବେ ବି ପେନସନ ଗଣ୍ଡାକ ମିଳୁଛି, ମଲାଯାଏ ମିଳୁଥିବ। ହେଲେ ସମସ୍ତେ ତ ସରକାରୀ ଚାକିରୀଆ ନୁହଁନ୍ତି । ସେଦିନ ବୃନ୍ଦାବନ ରାସ୍ତାରେ ଦେଖାହୋଇଗଲା, କହୁଥିଲା ତା’କଥା । ପିଲାମାନେ ପଚାରିଲେନି, ଘରେ କେହିବି ସମ୍ମାନ ଦେଲେନି, ଖାଇବା ଗଣ୍ଡାକ ପାଇଁ ବି ପଚରନ୍ତି ନାହିଁ । ଭୋକଲାଗିଲେ ମାଗିବାକୁ ପଡୁଥିଲା । ସେଇଥି ପାଇଁ ଘରଛାଡି ସ୍ତ୍ରୀକୁ ସାଥିରେ ଧରି ଭଡାଘରେ ରହୁଛନ୍ତି । ରାସ୍ତାକଡରେ ଟେବୁଲଟିଏ ପକେଇ ଚା ଦୋକାନଟିଏ କରିଛନ୍ତି । ସେଥିରୁ ଯାହା ରୋଜଗାର ହେଉଛି ବୁଢାବୁଢି ଚଳି ଯାଉଛନ୍ତି, ହେଲେ ଆଉ କେତେ ଦିନ ଏମିତି ହାତଗୋଡ ଚାଲୁଥିବ, 65 ବର୍ଷ ହୋଇଗଲାଣି ବୃନ୍ଦାବନକୁ ।

ସାରା ଜୀବନ ପ୍ରାଇଭେଟ ଚାକିରୀରେ ଖଟିଖଟି ବଡପୁଅକୁ ଇଞ୍ଜିନିୟର କଲେ, ସାନଟା ସି.ଏ କରି ବ୍ୟାଙ୍କରେ ବଡ ଅଫିସରଟିଏ ହୋଇଛି । ଝିଅକୁ ପୋଷ୍ଟଗାଜୁଏଟ୍ କରେଇ ବାହାଦେଇଦେଲେ । ଝିଅ ଏବେ କେଉଁ ପ୍ରାଇଭେଟ କଲେଜରେ ଲେକ୍ଚରର ଅଛି । ମଝିରେ ମଝିରେ ଆସେ, ଦେହପା’ ଖବର ବୁଝିଯାଏ, ଗଲାବେଳେ କିଛି ଟଙ୍କା ପଇସା ଦେଇଯାଏ କେବେ କେବେ କିଛି ଟଙ୍କା ପଠେଇଦିଏ । ବାପା ମାଆଙ୍କ ପାଇଁ ଭାଇମାନଙ୍କ ସହିତ ଝଗଡା କରିଥିଲା ସିଏ । ସେମାନଙ୍କୁ କେତେ ବୁଝେଇଥିଲା, ବୁଢା ବାପାମାଆଙ୍କର ଯତ୍ନ ନେବାକୁ, ପାଖରେ ରଖିବାକୁ, ହେଲେ କେହି ଶୁଣିଲେନି । ସେଇଥିପାଇଁ ଭାଇମାନଙ୍କ ସାଥିରେ ସମ୍ପର୍କ ତୁଟେଇଦେଲା । କହିଲା ସେଇ ବାପମାଆଙ୍କ ଲାଗି ଆମେ ଭାଇ ଭଉଣୀ । ସିଏ ମୋ ବାପା ତୁମର ବି । ହେଲେ ତୁମେ ଯଦି ତାଙ୍କ ସାଙ୍ଗେ ପୁଅର ସମ୍ପର୍କ ରଖିପାରୁନ ତେବେ ତୁମେ ମୋର ଭାଇ କେମିତି ହେବ ?

ଝିଅ ଡାକୁଥିଲା ବୃନ୍ଦାବନକୁ, କହିଲା ବାପା, ତୁମେ ମୋତେ ପୁଅଟିଏ ପରି ପାଳିଥିଲ, ପଢେଇଲ ଲେଖେଇଲ ବାହାଦେଲ । ମୁଁ ଆଜି ଚାକିରୀକରିଛି, ବର୍ଷେ ଦିବର୍ଷ ଭିତରେ ସରକାର ଆମ କଲେଜଟାକୁ ହାତକୁ ନେବେବୋଲି ପ୍ରତିଶୃତି ଦେଇଛନ୍ତି । କିଛି ନହେଲେ ତୁମ ଜୋଇଁବିତ ଭଲ ଚାକିରୀ କରିଛନ୍ତି । ମୋର କୋଉଥିରେ ଅଭାବ ନାହିଁ । ତୁମେ ଚାଲ ମୋ ସାଙ୍ଗରେ ରହିବ । କିଛି ଅସୁବିଧା ହେବନି ତୁମର ସେଇଠି । ଜୋଇଁ ବି ଜୋର କରୁଥିଲେ । ହେଲେ, ବୃନ୍ଦାବନ ମନା କରିଦେଲେ । କହିଲେ ମାଆରେ, ବାପ ଯାଇ ଝିଅଘରେ ରହିବ, ଲୋକେ କଣ କହିବେ । ପୁଅମାନଙ୍କୁ ନିନ୍ଦା କରିବେ । ମୋ ପାଳନ ପୋଷଣଙ୍କୁ ଦୋଷ ଦେବେ । କହିବେ ପୁଅମାନଙ୍କୁ ଏତେ ଉଚ୍ଚ ଶିକ୍ଷାଦେଲା, ହେଲେ ମାଆବାପାଙ୍କୁ କେମିତି ସମ୍ମାନ କରନ୍ତି ସେତିକି ଶିକ୍ଷା ଦେଇ ପାରିଲାନି । ଝିଅ ସେତେବେଳେ ଅଭିମାନ କରିଥିଲା, କହିଲା ବାପା, କୋଉ ସମାଜକଥା କହୁଛ ତୁମେ ? ତୁମେ ପୁଅମାନଙ୍କୁ ପଢେଇ ଲେଖେଇ ଏତେ ବଡ କଲ, ତୁମ ଲାଗି ଆଜି ସେମାନେ ବଡ ବଡ ଚାକିରୀ କରୁଛନ୍ତି, ବହୁତ ରୋଜଗାର କରୁଛନ୍ତି, କାରରେ ବୁଲୁଛନ୍ତି ହେଲେ ବୁଢାବାପା ଏଠି ଭାତମୁଠାକ ପାଇଁ ସକାଳୁ ସଂଜଯାଏ ଚା’ ଦୋକାନ କରୁଛି, ସେ ପୁଅମାନଙ୍କୁ ଲାଜ ଲାଗୁନି । ଆଉ ଏ ନିର୍ଲଜ ସମାଜ ସବୁ ଦେଖି ସେମାନଙ୍କୁ ପଦେ କହି ପାରୁନି, ତୁମେ ସେଇ ସମାଜକୁ ଡରି ନିଜ ଝିଅସାଥିରେ ରହି ପାରିବନି । ଧୀକ୍ ଏପରି ସମାଜକୁ ।

ବୃନ୍ଦାବନ ଝିଅକୁ ପାଖକୁ ଆଉଜାଇ ନେଇଥିଲେ, ତାର ମଥାରେ ଚୁମାଟିଏ ଦେଇ କହିଲେ, ମାଆରେ ସମାଜ ସବୁ ଦିନ ଏମିତି, ତାର ଦୋଷ ନାହିଁ । ଏଇ ସମାଜ ପୁଅର ମାୟାରେ, ଝିଅମାନଙ୍କୁ ହତାଦର କରିଆସିଛି । ସମାଜର ଯଦି ଆଖି ଥାଆନ୍ତା, ସେ ଆଜି ତୋତେ ଦେଖି ପାରନ୍ତା, କିନ୍ତୁ ସମାଜର ନା’ ଆଖିଥାଏ ନା’ କାନ? ଖାଲି ପାଟିଥାଏ କହିବାକୁ । ଛାଡ ସେକଥା, ଦେଖ ମୋର ହାତଗୋଡ ଏବେ ଚାଲୁଛି, ଦି’ପ୍ରାଣୀଙ୍କ ପାଇଁ ଯେତିକି ଦରକାର ପ୍ରଭୂ ସେତକ ଦେଉଛନ୍ତି । ଯେତେବେଳେ ହାତଗୋଡ ଅଚଳ ହୋଇଯିବ, ସେତେବେଳେ ଆଉ କୁଆଡେ ଯିବୁ ? ତୋରି ପାଖକୁ ଆସିବୁରେ ମାଆ । ତୁ ବାପାମାଆଙ୍କ ବିଷୟରେ ଏତିକି ଭାବୁଛୁ, ସେଥିପାଇଁ ମୋ ଛାତି କୁଣ୍ଡେମୋଟ ହୋଇଯାଉଛି, ଗର୍ବରେ ମୋ ମୁଣ୍ଡ ଉଚ୍ଚା ହୋଇଯାଉଛି । ତୋପରି ଝିଅ ଜନ୍ମକରି ଆମେ ଦିଜଣ ନିଜକୁ ଭାଗ୍ୟବାନ ମମେକରୁଛୁ । ପ୍ରଭୂଙ୍କୁ ଡାକୁଛି, ସେ ସମସ୍ତଙ୍କୁ ତୋରି ପରି ଝିଅଟିଏ ଦିଅନ୍ତୁ । ଏତିକି କହୁ କହୁ ବୃନ୍ଦାବନର ଆଖି ଜକେଇ ଆସିଥିଲା । କୋହ ଚାପିଦେଉଥିଲା ତାଙ୍କର ଗଳା ।

ବଡ ଭାବାବିହ୍ୱଳ ହୋଇଯାଇଥିଲେ ସୁଧାକରବାବୁ । ବିଚରା ସନ୍ତାନର ମାୟାରେ ଏମତି ଛନ୍ଦି ହୋଇଗଲା ଯେ ଜୀବନର ସବୁ ପୁଞ୍ଜି ସେମାନଙ୍କ ପଛରେ ଖର୍ଚ୍ଚ କରଦେଲା । ନିଜ ଜୀବନର ପ୍ରତିଟି ମୁହୁର୍ତ୍ତକୁ, ପ୍ରତିଟି ସ୍ୱେଦ କଣିକାକୁ ସମର୍ପଣ କରିଦେଲା ନିଜର ପିଲାଙ୍କ ଭବିଷ୍ୟତ ଗଢିବାକୁ । ନିଜ ଭବିଷ୍ୟତ ପାଇଁ କଣିଚାଏ ବି ସଞ୍ଚୟ କରିପାରିଲାନି । ନିଜର ରକ୍ତକୁ ଦି’ପହର ଧୂ ଧୂ ଖରାରେ, ହାଡଭଙ୍ଗା ଶୀତରେ ଏମିତି ଜାଳିଦେଲା ପିଲାମାନଙ୍କର ଜୀବନକୁ ଆଲୋକିତ କରିବାକୁ, ହେଲେ ନିଜର ବାର୍ଦ୍ଧକ୍ୟ ଅନ୍ଧକାରମୟ ହୋଇଗଲା । ସେ କେତେ ଭୂଲ ଥିଲା ସତରେ ? ଭାବୁଥିଲା ଏଇ ପିଲାଏ ମୋର ଭବିଷ୍ୟତ, ପିଲାଏ ମୋର ଅସଲ ପୁଞ୍ଜି, ଜୀବନର ସକଳ ସମ୍ପଦ, ହେଲେ ଆଜି, ସିଏ ନିଜେ କଙ୍ଗାଳ ନିଶ୍ୱ ରହିଗଲା ! ପେଟପାଇଁ ଦୁଇ ବକତର ଦାନା ମୁଠାକ ଜୋଗାଡ କରିବାକୁ ଆଜିବି ଏଇ ବୟସରେ, ଏମିତି ରାସ୍ତା କଡରେ, ଖୋଲା ଆକାଶ ତଳେ, ଶୀତ କାକର ବର୍ଷାରେ ଭିଜି ଭିଜି କାଠର ଟେବୁଲ ଉପରେ କିରାସିନ ଷ୍ଟୋଭରେ ପମ୍ପ ଭରୁଚି, ଚା ଫୁଟେଇବାକୁ ।

ସତରେ ଏଇ ମାୟା କେତେ ମଝଭୂତ ! ଏ ଭ୍ରମ କେତେ ତୀବ୍ର ! ଏଇ ଭ୍ରମ ଆଗରେ ଚିରନ୍ତନ ସତ୍ୟ ସତେ କେତେ ଫିକା ପଡିଯାଏ ! ମଣିଷ ଜଳ ଜଳ କରି ଦେଖୁଥିଲେ ବି ଜାଣିପାରେନା ଯାହାଦେଖୁଛି, ଯାହା ଶୁଣୁଛି, ଯାହା ଅନୁଭବ କରୁଛି ସେସବୁ ମିଥ୍ୟା, ସେସବୁ ଦୃଷ୍ଟି ଭ୍ରମ । ସୁଧାକର ବାବୁ ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରୁଥିଲେ, ହେଲେ ବାରମ୍ବାର ବୃନ୍ଦାବନର ଚେହେରା ଆଖି ଆଗରେ ଦିଶିଯାଉଥିଲା । ତାର ସେଇ ଲୋଚା ପଡିଯାଇଥିବା ମଳିନ ମୁହଁଟା, କୋଟର ଭିତରେ ପଶିଯାଇଥିବା ଦୁଇଟି ନୀରିହ ଆଖି, ସତେ ଯେପରି କହୁଛି ପ୍ରଭୁଙ୍କର ଏ କିପରି ଲୀଳା ? ମୟା ସୃଷ୍ଟି କଲେ, ବହୁତ ଭଲ କଲେ ! ମାୟା ନଥିଲେ ବିଚରା ଏଇ ସନ୍ତାନମାନେ ଅନାଥ ହୋଇଯାଇ ଥାଆନ୍ତେ । କିନ୍ତୁ ଏ ମାୟା କେବଳ ବାପ ମାଆଙ୍କ ପାଇଁ କାହିଁକି ଲାଗୁ ହୁଏ ? ସନ୍ତାନମାନଙ୍କ ମନରେ ବାପା ମାଆ ପ୍ରତି ଏ ମାୟା କାହିଁକି ଲାଗିପାରନା ? ଏଇ ମାୟାଟା ପ୍ରଭୂଙ୍କ ଲୀଳା, ନା’ ମନୁଷ୍ୟର ଇଚ୍ଛାକୃତ ? ମାୟା କଣ ମଣିଷର ଅଧୀନ ? ମଣିଷ ଯେଉଁଠି ଚାହିଁବ ମାୟା ଲଗାଇ ପାରିବ, ଯେଉଁଠି ନଚାଁହିବ ସେଇଠି ଲାଗିବ ନାହିଁ ! ଫିଜିକ୍ସର ଅଧ୍ୟାପକ ହୋଇ ମଧ୍ୟ ଏଇ ବିଚିତ୍ରସୁତ୍ରର ମୂଳରେ ପହଞ୍ଚି ପାରୁନଥିଲେ ସୁଧାକର । ବୋଧହୁଏ ଜୀବନଟା ଏମିତି ଏତେ ସହଜ ଗଣିତ ନୁହେଁ । ଏଇଠି କିଛି ନିର୍ଦ୍ଦିଷ୍ଟ ଫର୍ମୁଲା କାମଦିଏନା ।

ସୁଧାକରଙ୍କ ମୁଣ୍ଡଭିତରେ ସେଇ ଗୀତପଦକ ବାରମ୍ବାର ବାଜିବାକୁ ଲାଗିଲା, ଭଜ ଗୋବିନ୍ଦଂ ସ୍ମର ଗୋବିନ୍ଦଂ, ଗୋବିନ୍ଦମ ଭଜ ମୂଢମତେ । ସେଇ ବସିବା ଜାଗାରୁ ଉଠି ଠିଆହେଲେ, ସକାଳ ଗାଧୁଆ ପରେ ପିନ୍ଧିଥିବା ଢିଲା ପାଇଜାମା କୁର୍ତ୍ତାରେ ମନ ତାଙ୍କର ଜଗନ୍ନାଥଙ୍କ ଚକାନୟନରେ ଯେପରି ମଗ୍ନ ହୋଇଯାଉଥାଏ । କବାଟ ପାଖରେ ଠିଆ ହୋଇ କହିଦେଲେ, ଆରେ ଶୁଣୁଛ? ମୁଁ ବାହାରକୁ ଯାଉଛି, ଫେରିବାରେ ଡେରିହେବ କହି ବାହାରିଗଲେ । ଗ୍ୟାରେଜରୁ କାର ବାହାରକରି ଚାଲିଲେ ପୁରୀ । ଡୋରି ଲାଗିଛି କାଳିଆର । କାଳିଆ ସତେ ପୁରା ଜୋର ଲଗାଇ ଟାଣୁଛି ସୁଧାକରଙ୍କୁ ।

ହୋସ ନାହିଁ ସେ କେମିତି ଭାବେ ପୁରୀ ପହଞ୍ଚି କଲେ । ପାର୍କିଂରେ କାରଟାକୁ ଛାଡି, ମନ୍ଦିର ଆଡକୁ ମୁହଁକରି ଉର୍ଦ୍ଧବାହୁରେ କହିଉଠିଲେ, ହେ କାଳିଆ ସାଆନ୍ତେ, ଶେଷରେ ଏ ଅକିଞ୍ଚନକୁ ଟାଣି ଆଣିଲୁନା’ ତୋ ପାଖକୁ ! ବହୁତ କଥା ଅଛି ତୋତେ କହିବାକୁ, ଅନେକ ପ୍ରଶ୍ନ ରହିଯାଇଛି ଏଇ ମନରେ, ଜବାବ ଦେବୁନା’ ମୋତେ ? ସେମିତି ଦୁଇହାତ ଉପରକୁ ଉଠାଇ ଅଧା ଖୋଲା ଅଧା ବୁଜା ଆଖିରେ ଏକ ମୁହାଁହୋଇ ଚାଲିଛନ୍ତି ବଡଦେଉଳ ଆଡକୁ । ସେ ଏକ ତନ୍ମୟର ଭାବ, ଏକପ୍ରକାରର ପାଗଳାମୀ କହିଲେ ଅତ୍ୟୁକ୍ତ ହେବନି । ବିଜ୍ଞାନର ଜଣେ ଅବସରପ୍ରାପ୍ତ ପ୍ରଧ୍ୟାପକ, ଏପରି ଭକ୍ତିରସରେ ଡୁବିଯାଇଛି ଯେ ତାର ହୋସ ନାହିଁ କଣ ଦେଖୁଛି, କଣ ଭାବୁଛି, କେଉଁ ଆଡକୁ ଯାଉଛି କିଛି ଜ୍ଞାନ ନାହିଁ । ବୋଧହୁଏ ଚୈତନଦେବ ବି ଏମିତି ନାମାମୃତ ଭିତରେ ଭାବ ବିହ୍ୱଳ ହେଇଯାଇଥିଲେ । ଦିବାନୀ ମୀରା ବୋଧହୁଏ କୃଷ୍ଣ ପ୍ରେମରେ ଏମିତି ରଚିବସି ଯାଇଥିଲେ । ସେ ଅବସ୍ଥାଟା କଣ କେବଳ ସିଏହିଁ ଜାଣେ, ଯିଏ ସେ ଅମୃତ ପାନ କରିଛି । ସେଇ ତନ୍ମୟତା ଭିତରେ ହଜିପାରିଛି । ସେମିତି ଅବଚେତନ ଅବସ୍ଥାରେ ବଡମନ୍ଦିର ଭିତରେ ପହଞ୍ଚିଗଲେ । ଆଖିରୁ ତାଙ୍କର ଧାରଧାର ହୋଇ ଲୁହ ବୋହି ଯାଉଥାଏ, ବାଷ୍ପାରୁଦ୍ଧ କଣ୍ଠ, କିଛି ବୁଝିହେଉନି ସେ କଣ କହି ଯାଉଛନ୍ତି, ସେ ଏକ ପାଗଳାମୀର ଚରମରେ ପହଞ୍ଚି ଯାଇଛନ୍ତି । ଏଇ ପାଗଳାମୀ ବୋଧହୁଏ ଭକ୍ତିରସର ଅନ୍ତିମ ଚରଣ । ଖାଲି ଏତିକି ଶୁଭୁଥାଏ । ତୁ ଡାକିଲୁ ମୋତେ, ତୁ ନେଇ ଆସିଲୁ ମୋତେ, ତୋଅରି ପାଖକୁ । ମୋତେ ଆଉ ଯିବାକୁ କହିବୁନିରେ, ମୋତେ ତୋରି ପାଦତଳେ ରଖିନେ କାଳିଆ ସାଆନ୍ତ । ମୋତେ ତୋରି ପାଦତଳେ ଟିକେ ଜାଗା ଦେଇଦେରେ କାଳିଆ । ଖମ୍ବ ଉପରକୁ ଆଉଜିପଡି ସେଇଠି ବସିଗଲେ । ଅଶ୍ରୁଳ ନୟନରେ ଜଗନ୍ନାଥଙ୍କ ପାଖରେ ବିନତି କଲେ, ହେ ପ୍ରଭୂ, ହେ ଜଗତର ନାଥ, ହେ କରୁଣାର ସାଗର, ମୋତେ ଏ ଭବ ସଂସାରର ମାୟାରୁ ମୁକ୍ତ କରିଦିଅ ପ୍ରଭୂ ! ତୁମ ପଦାରବିନ୍ଦରେ ଜାଗାଟିକିଏ ଦିଅ !

ସେଇ ତନ୍ମୟତାର ଆବେଶରେ ସୁଧାକର ଦେଖିଲେ ଜଗନ୍ନାଥେ ତାଙ୍କପାଖକୁ ଆସିଲେ, ବସିପଡିଲେ ସୁଧାକରଙ୍କ ସାମ୍ନାରେ, ସେଇ ବଡ ବଡ ଚକା ଆଖି, ସେଇ ରଙ୍ଗା ଅଧରରେ ସେମିତି ସ୍ମିତ ହସ । ସୁଧାକରଙ୍କ କାନ୍ଧରେ ହାତ ପକାଇ ପାଖକୁ ଆଉଜାଇ ନେଲେ । ଆଖିରୁ ଲୁହ ପୋଛିଦେଲେ । ଟିକିଏ ହସି କହିଲେ, ଆରେ, ମାୟାରୁ ମୁକ୍ତି ଦେଇ ପାରୁଥିଲେ, ମୁଁ ନିଜେ ପ୍ରଥମେ ମୋ ନିଜକୁ ଏ ମାୟା ଜଞ୍ଜାଳରୁ ମୁକ୍ତ କରି ଦିଅନ୍ତିନି ? ମୁଁ ନିଜେ ତ ଏ ମାୟା ଜଞ୍ଜାଳରେ ଫଶି ଶେଷରେ ଦାରୁଭୂତ ମୁରାରୀ ହୋଇ ଏଇଠି ବସିଛି । ଭକ୍ତେ ମୋତେ ନିଦାବିଷ୍ଣୁ କହୁଛନ୍ତି । ତୁ କଣ ଜାଣିନୁ ବଡଭାଇ ବଳରାମଙ୍କୁ? ତାଙ୍କ କଥାମାନି ଲକ୍ଷ୍ଣୀ ଠାକୁରାଣୀଙ୍କୁ କଣ ପଦେ ଟାଣ କରି କହିଦେଲି ଯେ ମହାମାୟା ଘରଛାଡି ଚାଲି ଯାଇଥିଲେ । ଚାଲିଗଲେ ତ ଚାଲିଗଲେ, ଗଲାବେଳେ ଏଇ ଶ୍ରୀମନ୍ଦିରର ଶୀରି ବି ନେଇଗଲେ ନିଜ ସାଥିରେ, ଆଉ ଆମକୁ କାଙ୍ଗାଳ କରି ବାରଦୁଆର ତେରପିଣ୍ଡା ବୁଲେଇ ଦେଲେ । ଶେଷରେ ନାକ କାନ ମୋଡେଇ ସେଇ ଚଣ୍ଡାଳୁଣୀ ଘରେ ଅର୍ଣ୍ଣ ଭୋଜନ କରାଇଲା ପରେ ଯାଇ ତାଙ୍କର କ୍ରୋଦ୍ଧ ଶାନ୍ତହେଲା । ଇଏ ସଂସାରର ମାୟା ନୁହେଁତ ଆଉ କଣ?

ମୁଁ ଭକ୍ତଙ୍କ ମାୟାରେ ଏମିତି ବାନ୍ଧିହୋଇ ଯାଇଛି ଯେ, ଯିଏ ଯାହା କହିଲେ ଶୁଣୁଛି । କିଏ ମୋତେ କଳା ଠାକୁର କହୁଛି ତ କିଏ ମୋର ବଡବଡ ଚକା ଆଖିକୁ ଆକ୍ଷେପ କରୁଛି । କିଏ ମୋତେ କାଲା କହୁଛି, କିଏ କହୁଛି ମୁଁ ଖଣ୍ଡିଆ ଦିଅଁ । ବର୍ଷକୁ ଥରେ ରଥ ଯାତ୍ରାରେ ବୁଲି ବାହାରୁଛି ଯେ ଭକ୍ତ ମୋ ଅଣ୍ଟାରେ ଦଉଡି ବାନ୍ଧି ଝୁଲେଇ ଝୁଲେଇ ଟାଣି ଟାଣି ନେଇ ଯାଉଛନ୍ତି । କିଏ ମୋ ଦୟଣା ମାଳ ଛିଣ୍ଡେଇ ନେଉଛି ତ କିଏ ମୋ ଟାହିଆ ଛିଣ୍ଡେଇ ନେଉଛି । ମାଉସୀ ମାଆର ପୋଡପିଠା ଖାଇବାର ଲୋଭ ଛାଡି ପାରୁନି । ବର୍ଷରେ ଥରେ ବୁଲି ଆସୁଛି ତାଙ୍କ ମନ୍ଦିର ଆଡୁ । ଏସବୁ ମାୟା ନୁହେଁତ ଆଉ କଣ ?

କହିଲୁ ଦେଖି କିଏ କାହାକୁ ଧରିଛି ? ମାୟା ମୋତେ ନା ମୁଁ ମାୟାକୁ ? ମୁଁ ତ ଏ ଯାଏ ଜାଣି ପାରୁନି ! ତୁମେ ପ୍ରଥମେ ଏକଥା ବୁଝିବାକୁ ଚେଷ୍ଟାକର, କିଏ କାହାକୁ ଧରିଛି ! ଯଦି ତୁମେ ମାୟାକୁ ଧରିଥାଅ, ତେବେ ନିଜେ ମାୟାକୁ ଛାଡିଦିଅ କିମ୍ବା ତାକୁ ଛାଡି ଦେବାକୁ ଚେଷ୍ଟାକର । ଏଥିରେ ମୁଁ ବା କଣ କରି ପାରିବି ? ଯଦି ମାୟା ତୁମକୁ ଧରିଥାଏ ତେବେ ମାୟାକୁ କୁହ, ସେ ତୁମକୁ ଛାଡିଦେବ ।

ମାୟା କିଛି ନୁହେଁ, ସେଇଟା ମନର ଏକ ଭ୍ରମ । ଘର, ପରିବାର, ବାପା ମାଆ ଭାଇ ଭଉଣୀ ପୁଅ ଝିଅ ଏସବୁକୁ ତୁ ମାୟା କହୁଛୁ ନା ? ଏମାନଙ୍କ ବିନା ବଞ୍ଚି ପାରିବୁ ? ମାୟାତ ଠିକ ଅଛି, କିନ୍ତୁ ତୋର ଅତିମାୟା, ତୋର ଲୋଭ କାରଣ ହିଁ ତୋତେ ଦୁଃଖି କରୁଛି । ସନ୍ତାନ ମାୟାରେ ତୁମେ ସ୍ୱମାୟା ଭୂଲି ଯାଉଛ । ପ୍ରଥମେ ନିଜ ପ୍ରତି ମାୟାରଖ । ଯିଏ ନିଜକୁ ଭଲପାଇ ନପାରୁଛି, ସେ ଅନ୍ୟକୁ କିପରି ଭଲପାଇ ପାରିବ ? ଯିଏ ନିଜକୁ ସମ୍ମାନ ଦେଇ ଶିଖିନି, ସେ ଅନ୍ୟକୁ କିପରି ସମ୍ମାନ ଦେବ ? ନିଜକୁ ପ୍ରେମ କରିବା କିଛି ଅପରାଧ ନୁହେଁ । ନିଜର ଭବିଷ୍ୟତ କଥା ନଭାବି ଅନ୍ୟର ଭବିଷ୍ୟତ ପାଇଁ ସବୁ ଢାଳିଦେଲେ କଙ୍ଗାଳ ହେବହିଁ ହେବ । ମୁଁ ସ୍ୱାର୍ଥପର ହେବା କିମ୍ବା ଆତ୍ମ କୈନ୍ଦ୍ରୀକ ହେବାକଥା କହୁନି । କିନ୍ତୁ ନିଜେ ବଞ୍ଚିଲେ ସିନା ଆଉ କାହାକୁ ବଞ୍ଚେଇ ପାରିବ ! ସେଥିପାଇଁ ଆତ୍ମରକ୍ଷା, ନିଜ ଭବିଷ୍ୟତର ସୁରକ୍ଷା ବିଷୟ ତୁମର ପ୍ରଥମେ କାର୍ଯ୍ୟ । ତାଛଡା ମଣିଷ ମନରେ ଆଜି ସନ୍ତୁଷ୍ଟି କାଇଁ ? ଯେତେ ପାଇଲେ ବି କମ୍ ଲାଗୁଛି । ଆହୁରି ଲୋଡା, ଆହୁରି ଅଧିକ ଲୋଡା, ସେଇ କାମନାର ଅପୂର୍ତ୍ତୀ ତୋର ଅଶାନ୍ତିର କାରଣ, ସେଇ ଅଶାନ୍ତି ମଣିଷକୁ ଦୁଃଖ ଦିଏ ଏବଂ ମାୟା ଜଞ୍ଜାଳ ଲାଗେ ।

ଅଳ୍ପ ଧନରେ ମଣିଷର ମନ ଭରୁନାହିଁ, ଅଧିକ ଧନର ଲାଳସା । ଧନର ମାୟାରେ ମଣିଷ ନିଜକୁ ବାନ୍ଧିଦେଉଛି । ମଣିଷ ନିଜେ ମାୟାରେ ଉବୁଟୁବୁ ହେଉଛି । ଧନ ମଣିଷକୁ ଚାହେଁନା, କିନ୍ତୁ ମଣିଷ ଧନକୁ ଚାହେଁ । ଧନ ମଣିଷର ମାୟାରେ ନୁହେଁ ବରଂ ମଣିଷ ଧନର ମାୟାରେ ଫଶି ଯାଉଛି । ମଣିଷ ପତି ବା ପତ୍ନୀର କାମନା କରୁଛି, ପତି ଅବା ପତ୍ନୀ ମିଳିଗଲା ପରେ ପତି/ପତ୍ନୀ ସେମାନଙ୍କର ପରସ୍ପର ପ୍ରତି ଆଶକ୍ତି ସେମାନଙ୍କୁ ପରସ୍ପରର ମାୟାରେ ବାନ୍ଧି ଦେଉଛି । ମଣିଷ ସନ୍ତାନର କାମନା କରୁଛି, ସନ୍ତାନ ଲାଭ କଲାପରେ, ସନ୍ତାନପ୍ରତି ତାର ସ୍ନେହ, ପ୍ରେମ ମଣିଷକୁ ସନ୍ତାନର ମାୟା ଆଡକୁ ଟାଣିନେଉଛି । ମାଛ ଯଦି ନିଜ ଇଚ୍ଛାରେ କେଉଟର ଜାଲରେ ନିଜେ ନିଜେ ଛନ୍ଦି ହେବାକୁ ଆସିବ, ବିଚରା କେଉଟ କାହିଁକି ମନା କରିବ ମାଛକୁ ? ବରଂ କେଉଟ ତ ଖୁସି ହେବ । ଭାବିକି ଦେଖ୍, କିଏ କାହାକୁ ଧରିଛି ? ମାୟା ତୁମକୁ ନା’ ତୁମେ ମାୟାକୁ ? ଆ ବଳଦ ମୋତେ ମାର, କହି ମାୟାକୁ ଡାକି ଆଣିଲ, ଶେଷରେ ମୋତେ କହୁଛ ମାୟାକୁ ଭଗାଅ । ତୁମେ ନିଜେ ତ ମାୟାର ଜନକ, ଏବଂ ତାରି ଅଠାକାଠିରେ ନିଜେ ପାଦପକାଇ ଦେଲ, ସେଇ ଅଠାକାଠିରୁ ମୁକୁଳିବା ପାଇଁ ଏବେ ମୋତେ ସହାୟତା ମାଗୁଛ ? ବଡ ବିଚିତ୍ର କଥା । ମାୟାକୁ ନିଜ ହାତ ମୁଠାରେ ନିଜେ ଜାବୁଡି ଧରିଛ । ମୁଁ କେମିତି ମାୟାକୁ ତୁମ ହାତ ମୁଠାରୁ ଛଡାଇ ଆଣିବି ? ନିଜେ ଟିକେ ଚେଷ୍ଟାକର, ମୁଠା ଟିକେ ଢିଲା ଛାଡିଦିଅ, ମାୟା ଆପେ ଆପେ ତଳେ ଖସିପଡିବ ।

ଆଚ୍ଛା କହିଲୁ, ମନେକର ତୋତେ ମୁଁ ମାୟାରୁ ମୁକ୍ତି ଦେଇଦେବି, ହେଲେ ତୁ ମାୟାକୁ ତ୍ୟାଗ କରି ପାରିବୁତ ? ମାୟାତ ଚାଖଣ୍ଡେ ଦଉଡି ନୁହେଁ, ସେଇଟା ଗୋଟିଏ ବିରାଟ ଜାଲ, ତୁ ତାକୁ ତୋର ଚାରିଟଟେ ନିଜେ ଗୁଡେଇ ଧରି ରଖିଛୁ । ଶିତଦିନରେ ଚାଦରପରି ନୁହେଁ, ବରଂ ମାୟାକୁ ତୁ ତୋର ଦେହର ଚମଡାପରି ନିଜକୁ ମାୟାରେ ଢାଙ୍କିରଖିଛୁ ତୋର ଚାରିପାଖରେ । ମାୟା ତୋ ନିଜଠାରୁ ଆରମ୍ଭ, ତୋର ନିଜ ଦେହପ୍ରତି ମାୟା, ନିଜ ଦେହକୁ ପରିଷ୍କାର ରଖିବା, ସଜେଇକି ରଖିବା, ସୁନ୍ଦର ଦିଶିବା, ସବୁ କଷ୍ଚରୁ ବଞ୍ଚେଇକି ରଖିବା ଏସବୁତ ତୋର ନିଜ ଶରୀର ପ୍ରତି ମାୟାନା’ ? ତ୍ୟାଗ କରି ପାରିବୁ ନିଜ ଶରୀରର ମାୟା ? ନିଜ ଶରୀରକୁ ଅନାଥ ପରି ଛାଡିଦେଇ ପାରିବୁ ? କହି ପାରିବୁ, ମୁଁ ଏକ ଆତ୍ମା, ମୁଁ ଏଇ ଶରୀରର ଅଧିନ ନୁହେଁ କିମ୍ବା ଏ ଶରୀର ମୋର ବାଧକ ନୁହେଁ ! ନିଜ ଶରୀର ପ୍ରତି ଉଦାସୀନ ରହି ପାରିବୁ ?? ଶରୀରକୁ ଯେତେବେଳେ କଷ୍ଟ ହେବ, ନିର୍ମାୟା ନିରୁତ୍ତର, ନିର୍ମୋହୀ, ନିରାସକ୍ତ ରହିପାରିବୁ ଶରୀର ପ୍ରତି ? ଉଦାସୀନ ରହିପାରିବୁ ତୋର ନିଜ ଶରୀର ଯେତେବେଳେ କଷ୍ଟ ଜନ୍ତ୍ରଣାରେ ଅତିଷ୍ଟ ହୋଇପଡିବ ?? ନାହିଁ ନା !

ମାୟା ଅଛି ବୋଲିତ ତୁ କାହାର ପୁଅ, କାହାର ଭାଇ, କାହାର ସ୍ୱାମୀ, କାହାର ବାପା । ଯେଉଁ ଦିନ ମାୟାରୁ ମୁକ୍ତି ମିଳିଯିବ ସେତେବେଳ ନା’ ତୁ କାହାର ରହିବୁ, ନା’ ଆଉ କେହି ତୋର ହୋଇ ରହିବ । କାହା ପାଇଁ କିଛି କରିଲା ବେଳେ, କାହାକୁ କିଛି ଦେଲା ବେଳକୁ କିମ୍ବା କାହାଠାରୁ କିଛି ଆଶାକରି କିଛି ନପାଇବା ବେଳେ ତୋତେ ମାୟାଟା ବାଧୁଛି, ମାୟାଟା ଜଞ୍ଜାଳ ଲାଗୁଛି । କିନ୍ତୁ ଭାବିଲୁ, ମାୟାମୁକ୍ତି ପରେ ଯେତେବେଳେ କେହି ପଚାରିବେନି, ଖାଇଛ କି ନାହିଁ, ଦେହ କେମିତି ଅଛି ଅଥବା ତୁମ ଯନ୍ତ୍ରଣାରେ କେହି ତୁମ ସାଥିରେ ନଥିବେ, ସହିପାରିବୁ ସେ କଷ୍ଟ? ତୁମପ୍ରତି ସେମାନଙ୍କର ପ୍ରେମ କେବଳ ସେମାନଙ୍କର ନିଜର ମାୟା ଆଶକ୍ତି ଯୋଗୁ, ତୁମ ମାୟା କଟିଗଲା ପରେ ସେମାନଙ୍କ ମାୟାବିତ କଟିଯିବ ।

ସବୁ ମାୟା କଟିଗଲା ପରେ ପୁଣି କାହା ସହିତ ମାୟା ଜୋଡିବ? ଭଗବାନଙ୍କ ସାଥିରେ? ଯାହାକୁ କେବେ ଦେଖିନ, ଶୁଣିନ, ଭଲଭାବେ ଜାଣିନ ତାଙ୍କ ସାଙ୍ଗେ ମାୟା ଲଗାଇବାକଥା ଭାବୁଛ । ଯାହାକୁ ଦେଖୁଛ ଶୁଣୁଛ ତା ମାୟାରୁ ମୁକ୍ତି ଚାହୁଁଛ ? ବତ୍ସ ‘ଜୀବନରେ ପ୍ରାପ୍ତିର ଆଶା’ ହିଁ ତୁମକୁ କଷ୍ଟ ଦେଉଛି, ମାୟା କଷ୍ଟ ଦିଏନା । ପ୍ରଭୂ ମାୟାବି ତ ମାୟା । ମାୟାରୁ ପୁଣି ମୁକ୍ତି କାହିଁ ? ଜୀବ ମାଛଟିଏ ପରି ମାୟାର ଅଗାଧ ଜଳରେ ଜୀବନ ଧାରଣ କରିରହିଛି । ଯେଉଁଦିନ ମାୟାରୁ ମୁକ୍ତି ମିଳିଯିବ, ସେଦିନ ଜୀବନରୁ ମୁକ୍ତି ମିଳିଯିବ, ଜଳ ବିନା ମୀନ ସଦୃଶ । ଏବେ କୁହ, ମାୟାରୁ ମୁକ୍ତି ଚାହୁଁଛ?

ସବୁ ଶୁଣିସାରିଲା ପରେ ସୁଧାକରବାବୁ ନିର୍ବାକ୍ ହୋଇଯାଇଥିଲେ, ତାଙ୍କ କଣ୍ଠରୁ କେବଳ ଏତିକି ବାହାରିଲା, ହେ ମାୟାଧର, ତୁ ହିଁ ଜାଣୁ ତୋ ମାୟା ।

***12/07/2018***

କ୍ଷୁଦ୍ରଗଳ୍ପ-କଥାତ ନଥିଲା Katha ta Nathila

ସେ ଆସିବ ବୋଲି କଥାତ ଦେଇନଥିଲା । କିନ୍ତୁ ମନ ତାକୁଇ ଖୋଜୁଥିଲା । ଦୁଇଦିନ ଆଗରୁ ବସଷ୍ଟପ୍ ପାଖରେ ଦେଖା ହୋଇଥିଲା, ମୋତେ ଦେଖି କଣେଇ ଚାହିଁଥିଲା । ତା ଓଠର ସେଇ ମୃଦୁ ସ୍ମିତହସଟା ଏବେ ବି ଆଖିଆଗରେ ନାଚି ଯାଉଛି । କେବେ କିଛି କଥା ହୋଇନି ତା ସାଥିରେ । କେହି କାହାକୁ ଜାଣିନୁ ଏଯାଏ, ନାଆଁ ଗାଆଁ ଠିକଣା କିଛିବିତ ଜଣାନାହିଁ । ଖାଲି ଏଇଠି ଏମିତି ଦେଖାଚାହା, ଏଇ ବସ ଷ୍ଟପରେ । ମୋ ଅଫିସ୍ ସରିଲା ପରେ ମୁଁ ଏଇଠି ବସ ଧରେ, ସିଏବି । ବୋଧହୁଏ କୋଉ ଅଫିସରେ କାମ କରୁଛି । ବସ ଆସିବା ଭିତରେ ଯେତିକି ସମୟ ଆମ ପାଖରେ ଥାଏ, ସେତିକି ସମୟ ଏମିତି ସମସ୍ତଙ୍କ ନଜରକୁ ଲୁଚେଇ ଲୁଚେଇ ଜଣେ ଆଉ ଜଣକୁ ଦେଖୁଥିଲୁ । କେବେ କେବେ ଆଖିରେ ଆଖି ଟକରେଇ ଯାଆନ୍ତି । ସିଏ ଟିକେ ହସି ଦିଏ, ମୁଁ ବି । ବାସ ଏତିକି ଚିହ୍ନା ଜଣା । ତାର ବସ ଆସେ ସେ ଚାଲିଯାଏ । ବସରେ ଚଢିବା ପର୍ଯ୍ୟନ୍ତ ବୁଲି ବୁଲି ମୋ ଆଡକୁ ଦେଖେ । ତା ମୁହଁରେ ଏକ ଅନିଚ୍ଛାର ଭାବ ସ୍ପଷ୍ଟ ଦିଶିଯାଏ । ସତେ ଯେପରି ବଡ ଅନିଚ୍ଛା ସତ୍ତ୍ୱେ ତାକୁ ଯିବାକୁ ହେଉଛି । ତା ଆଖିରେ କରୁଣତାର ଭାବ ଦିଶିଯାଏ । ଆଉକିଛି ଦିଶେ ସେ ଆଖି ଦୁଇଟିରେ ହେଲେ ସେ ଏକ ନିବେଦନ ଅବା ଆମନ୍ତ୍ରଣ ସ୍ପଷ୍ଟ ବାରିହୁଏନି । ମୋତେ ଲାଗେ, ସେ ନିରିହ ଆଖିଦୁଇଟି ଯେପରି କହୁଛନ୍ତି, ଏଇ.. କେତେ ଦିନ ଏମିତି ଲୁଚିଲୁଚି ଦେଖୁଥିବା, କେତେ ଦିନ ଏମିତି ଦୂରେଇ ଦୁରେଇ ରହିବ । ପାଖକୁ ନେଇ ଯାଅନା ! ମୁଁ ବି ମନମନେ ବସ ଡ୍ରାଇଭରକୁ ଢେର ଗାଳି ବକିଯାଏ । ସବୁଦିନ ଠିକ୍ ଟାଇମରେ ଆସିବା କଣ ଜରୁରୀ ? ଆଉ ଘଡିଏ ଲେଟରେ ଆସିନଥାନ୍ତା ?

ତା କଥା ଭାବିବାକୁ ବେଶ ଭଲଲାଗେ, ଖୁବ୍ ଚିହ୍ନା ଚିହ୍ନା ଲାଗେ ସିଏ । କିନ୍ତୁ ମନେପଡେନା, ତାକୁ ମୁଁ କେବେଠୁ ଚିହ୍ନିଛି ? ଆଗରୁ କେଉଁଠି କେବେ ଦେଖିଥିଲି କି ନାହିଁ ? ଜାଣେନା, ସିଏବି କଣ ଏମିତି ଭାବୁଥିବ ମୋ କଥା, ଯେମିତି ତା ଭାବନା ମୋ ମନଭିତରେ କେଉଁ ଏକ ଅଜଣା ଅତରର ମହକ ଭରିଦେଉଛି । ବହୁତ ଆପଣାର ଆପଣାର ଲାଗୁଥିଲା ସିଏ । କିନ୍ତୁ କାହିଁକି ? ଜାଣେନା, ସବୁ ପ୍ରଶ୍ନର କଣ ଉତ୍ତର ଥାଏ ? ଯେବେ ବି ଦେଖା ହୋଇଯାଏ ହଠାତ୍ ଛାତି ଭିତରେ ଅତଡା ଖସିଯାଏ । ଦେହର ସବୁଯାକ ରକ୍ତ ଜମା ହୋଇଯାଆନ୍ତି ମୁହଁରେ । ତା ମୁହଁ ବି ହୋଲି ଖେଳିଲା ପରି ଲାଲ ହୋଇଯାଏ । ତା ଛାତିରେ ବି କଣ ସେଇ ଅତଡା ଖସେ ? ମୋ ପରି ତା ଦେହର ସବୁଜାକ ରକ୍ତ ତା ମୁହଁରେ ଜମା ହୋଇଯାଏ ? କେଜାଣି, ହୋଇଥିବ ! ତାହାହେଲେ ସେଇଠି ବି ନିଆଁ ଏମିତି ଜଳୁଥିବ, ଯେମିତି ମୋ ଛାତି ଭିତରେ ଜଳୁଛି !

ବେଳେ ବେଳେ ପଚାରି ଦେବାକୁ ମନ ହୁଏ । ମନ ହୁଏ ତା ସାମ୍ନାରେ ଯାଇ ଠିଆ ହୋଇଯିବାକୁ । ତା ମୁହଁକୁ ଚାହିଁ, ତା ଆଖରେ ଆଖି ମିଳେଇ ପଚାରି ଦେବି । କି ମନ୍ତର ଜାଣିଛି ସିଏ ? ଅବା କେଉଁ ଯାଦୁ ଅଛି ତା ଆଖିରେ? ଥରଟିଏ ଦେଖାରେ ମୋତେ ଏମିତି ପୁରା କିଣିନେଲା । ମୋ ମନ ମୋ ହୃଦୟ ଆଉ ମୋ କାବୁରେ ନାହାଁନ୍ତି । ମୋ ଆଖି ମୋ କଥା ମାନୁନି । ବାରମ୍ବାର ତାକୁ ଦେଖିବାକୁ ତା ଆଡକୁ ବୁଲି ପଡୁଛନ୍ତି । ମୋ ମନ, ମୋ କଥା ମାନୁନି । ସବୁବେଳେ ତାରି ଭାବନା ଡୁବି ରହୁଛି । ବସ ଷ୍ଟପରେ ଠିଆ ହୋଇ ବସ କଥା ନଭାବି ମୁଁ ତାରି କଥା ଭାବୁଛି । ତାକୁ ଭୂଲିବା ପାଇଁ ଗାୟତ୍ରୀମନ୍ତ୍ର ଜପକରିବାକୁ ଚେଷ୍ଟାକରେ, ହେଲେ କଣ ହେବ, ଭୁର୍ଭୂବଃ ସ୍ୱଃ ପାଖରେ ଅଟକିଯାଏ ମୋ ମନ୍ତ୍ରପାଠ, ସେଇଠି ତାରି ଭାବନା ମାଡିବସେ ଗାୟତ୍ରୀମନ୍ତ୍ରର ଜପ ଉପରେ ।

××××

ଏମିତି ଭାବୁଭାବୁ କେତେବେଳେ ଯେ ମୁଁ ନଦୀକୂଳର ସେଇ ଝଙ୍କା ବରଗଛ ତଳେ ପହଞ୍ଚି ଯାଇଥିଲି ଜାଣେନା । ବରଗଛ ତଳର ସେଇ ଚବୁତରାଟାରେ ବସିଗଲି, ସଧ୍ୟାହୋଇ ଆସୁଥାଏ କେହି କୁଆଡେ ନାହିଁ । ପଶ୍ଚିମ ଆକାଶଟା ଲାଲ ହୋଇ ଯାଇଥାଏ । ଦେଖା ହୋଇଗଲେ ସେ ଝିଅଟାର ମୁହଁ ଯେପରି ଲାଜରେ ଲାଲ୍ ହୋଇଯାଏ, ଠିକ୍ ସେମିତି । ସୂର୍ଯ୍ୟବି ଲାଲ ବିନ୍ଦୁଟିଏ ପରି ହୋଇଯାଇଛି, ସତେ ଯେମିତି ନୁଆ ବୋହୁ ମଥାର ବଡ ସିନ୍ଦୁର ଟୋପାଟିଏ । ମୁଁ ସେଇ ଲାଲ ସୂର୍ଯ୍ୟର ଚାରିପାଖରେ ତାର ମୁହଁଟିକୁ ଆଙ୍କିବାକୁ ଚେଷ୍ଟା କରୁଥିଲି ମୋ ଆଖିର ତୁଳିରେ ଆକାଶରେ ମନର ରଙ୍ଗ ବୋଳିବୋଳି । ଆଉ ସେଇ ସୂର୍ଯ୍ୟର ସିନ୍ଦୁର ବିନ୍ଦୁକୁ ଠିକ ତାର ମଥାର ସୁନ୍ଥାଣୀତଳେ ସେଟ କରିବାକୁ ଚାହୁଁଥିଲି । ତାକୁ ନୁଆ ବୋହୁଟିର ରୂପରେ ଦେଖିବାକୁ କଳ୍ପନା କରୁଥିଲି । ନାଲି ଓଢଣୀରେ ଢଙ୍କା ଚାନ୍ଦ ପରି ତାର ସୁଢୋଳ ମୁହଁଟା ଚମକୁଥିବ । ଟୋପିଟୋପି ଚନ୍ଦନ ବିନ୍ଦୁ ମଝିରେ ନାଲିଆ ସିନ୍ଦୁର ଟୋପାଟି ଝଟକୁଥିବ, ମଥାଉପରକୁ ଝୁଲିପଡିଥିବ ତାର କେରା କେରା ଚୁର୍ଣ୍ଣକୁନ୍ତଳ । ଗୋଲାପି ଗୋଲାପି ତାର ଓଠରେ ଲାଜରେ ଗାଧୁଆ ସ୍ମିତହସର ପତଳା ରେଖାଟିଏ ଚମକିଯାଉଥିବ ।

ହଠାତ୍ ଲାଗିଲା କିଏ ଯେପରି ମୋ ପଛରେ ଠିଆହୋଇଛି, ମୋ ସାଥିରେ ମୋ ପ୍ରିୟା ମଥାର ସେଇ ସିନ୍ଦୁର ବିନ୍ଦୁଟିକୁ ଦେଖୁଛି । କଳ୍ପନାର କାନଭାସରେ ଆଙ୍କିଥିବା ମୋ ପ୍ରିୟାକୁ ଦେଖୁଛି । ଚମକି ପଡିଲି ମୁଁ ।

ପଛକୁ ଫେର ଚାହିଁଲି । ଆରେ……, ତୁମେ ଏଠି ? କଥାତ ନଥିଲା ଏଇଠି ଭେଟିବା ବୋଲି । ସେ ଟିକେ ହସିଲା, ସେଇ ଏକାହସ, ମୋତେ ଦେଖିଲେ ସବୁବେଳେ ଯେମିତି ହସେ ! ସେଇ ନଈକୂଳରେ ମୋ ଉପସ୍ଥିତିଟା ଯେପରି ତାପାଇଁ ଅସ୍ୱାଭାବିକ ନଥିଲା ! ସେ କଣ ଜାଣିଥିଲା, ମୁଁ ଏଇଠି ତାକୁ ଅପେକ୍ଷା କରିଛି ବୋଲି ? ତଥାପି ତା ମନର ଭାବନାକୁ ଲୁଚେଇ ସେ ତାର ମିଠା ମିଠା ସ୍ୱରରେ କହିଲା, ନାଇଁ… ଏମିତି ତୁମକଥା ଭାବୁ ଭାବୁ ମୁଁ କେମିତି ଏତେବାଟ ଚାଲି ଆସିଲି ଜାଣିନି । ହେଲେ ତୁମେ ଏଠି କେମିତି ?? ପ୍ରଥମ ଥର ପାଇଁ ଶୁଣିଲି ତା କୋକିଳକଣ୍ଠର କୁହୁ କୁହୁ ରାଗିଣୀ, ବୀଣା କଣ ଏମିତି ମଧୂରସ୍ୱରରେ ବାଜେ ? କବିମାନେ ସେଇଥି ପାଇଁ ବୋଧହୁଏ ଉପମାଦିଅନ୍ତି ବୀଣାଜିଣା ସ୍ୱର ।

ମୁଁ ତା ପ୍ରଶ୍ନର ଜବାବ ଖୋଜୁଥିଲି । ତାରି କଥାକୁ କେମିତି ତାକୁ ଶୁଣେଇଦେବି, କହିଦେବି ଯେ ତୁମ କଥା ଭାବୁ ଭାବୁ ଅଜଣାରେ ମୁଁ ବି ଏତେବାଟ ଚାଲି ଆସିଥିଲି ! ତା କଥା ଶୁଣି ମୋ ଦେହରେ ରୋମାଞ୍ଚ ଖେଳିଗଲା । ଏ କଥା ଜାଣି ଖୁସିବି ଲାଗିଲା, ସିଏ ବି ମୋ କଥା ଭାବୁଛି, ଠିକ୍ ଯେମିତି ତାରି କଥା ମୁଁ ସବୁବେଳେ ଭାବୁଛି । ନିଆଁ ଏଠିବି ଜଳୁଛି ଏଇ ହୃଦୟରେ, ନିଆଁ ସେଇଠିବି ଜଳୁଛି ତାରି ହୃଦୟରେ । ପ୍ରେମର ଛୁଆଁ କଣ ଏମିତି ଏକାବେଳେ ଦୁଇଟି ହୃଦୟରେ ନିଆଁ ଲଗାଇଦିଏ ସମସ୍ତଙ୍କ ଅଜାଣତରେ ?

ଆମେ ଜଣେ ଆଉ ଜଣଙ୍କ ମୁହଁକୁ ସେମିତି ଦେଖୁଥିଲୁ । ଦୁଇଜୋଡା ଆଖି, ଜଣେ ଆଉ ଜଣକ ଭିତରେ ହଜି ଯାଇଥିଲେ ଯେପରି । ସୂର୍ଯ୍ୟର ଲୋହିତ ଆଭାରେ ମୁହଁଟା ତାର ଚମକି ଉଠୁଥିଲା । ମୃଦୁ ପବନରେ ଉଡିଯାଉଥିଲା ତାର କେରା କେରା ଚୁର୍ଣ୍ଣ କୁନ୍ତଳ । ଓଠ ତାର ନିର୍ବାକ୍ ଥିଲା, କିନ୍ତୁ ତାର ଆଖି ଶୁଣେଇ ଯାଉଥିଲା ତା ହୃଦୟର ଅକୁହା କଥାସବୁ । ମନ ହେଉଥିଲା ବାହୁ ମେଲାଇ ଆଲିଙ୍ଗନର ଆମନ୍ତ୍ରଣ ଦେବାପାଇଁ । ସାଉଣ୍ଟି ନେବାକୁ ନିଜର ଛାତିଉପରେ, ଚାପିଧରିବାକୁ ନିବିଡ ବାହୁ ବନ୍ଧନରେ ଆଉ ହଜିଯିବାକୁ ତାର ସେଇ ଭସାଭସା ଚାହାଣୀରେ, ଭିଜିଯିବାକୁ ତାର ପ୍ରେମର ସମୁଦ୍ରରେ ।

ତାର ଆଖି ସତେ କଥାକହୁଥିଲା, ଏଇ… ଏମିତି ଚାହିଁ ରହିଛ କ’ଣ ଯେ ? ଏମିତି କଣ ଦେଖୁଚ ମୋତେ । ମୁଁ ଯେ ତୁମର, ମୋତେ ଆପଣାର କରିନିଅ, ଏ ବିରହ ଆଉ ସହି ହେଉନି । ସେତିକି ବେଳେ ନୀଡବାହୁଡା ମରାଳ ଯୁଥଟିଏ କଳରବ ଉଡିଗଲେ । ସେମାନଙ୍କର କଳରବରେ ସତେ ବିଶ୍ୱାମିତ୍ରଙ୍କ ତପସ୍ୟା ଭାଙ୍ଗିଦେଲା । ହଠାତ୍ ଚମକି ପଡିଲା ସିଏ । ସତେଅବା ସପନ ଦେଖୁଥିଲୁ ଆମେ ଦୁହେଁ । ସେ ତାର ହାତ ବଢାଇ ମୋ ମୁହଁକୁ ତା ହାତରେ ଛୁଇଁଲା । କହିଲା ସ୍ୱପ୍ନ ଦେଖୁନି ତ ! ତାପରେ ତନ୍ଦ୍ରାଚ୍ଛନ ଆଖିରେ ମୋତେ ଦେଖିଲା, କହିଲା “ମୋତେ ଟିକ ଚିମୁଟି ଦିଅନା’ ପଚାରିଲି କାହିଁକି ? ସେ ଟିକେ ଲାଜେଇ ଗଲା । କହିଲା ମୋର ବିଶ୍ୱାସ ହେଉନି ତୁମେ ମୋ ପାଖରେ ଅଛ, ମୋ ସାଥିରେ ଅଛ, ମୋର ଏତେ ପାଖରେ ଠିଆ ହୋଇଛ ! ମୁଁ ହାତ ବଢାଇ ତାର ନାକକୁ ଚିପି ଧରିଲି, ସେ ମୋ ହାତକୁ ଖପ୍ କରି ଧରିପକେଇ କହିଲା, ଉଃ.. ଏତେ ଜୋରରେ ଚିପିବାକୁ ତ କହି ନଥିଲି ତୁମକୁ ।

ହଠାତ୍ ସେ ଚମକି ପଡିଲା, ଦିପାଦ ପଛକୁ ଘୁଞ୍ଚିଯାଇ ମୋ ମୁହଁରୁ ଆଖି ଫେରାଇନେଲା । ତଳକୁ ମୁହଁକରି ଭୂଇଁକୁ ଦେଖିଲା । ସେଇ ବାଲି ଉପରେ ତାର ଗୋଡ ଆଙ୍ଗୁଠିରେ ବୃତ୍ତ ଆଙ୍କିବାକୁ ଚେଷ୍ଟା କରୁଥିଲା । ସେମିତି ତଳକୁ ଚାହିଁ ପଚାରିଲା, କିଛି କହିଲେନି ଯେ, ଆପଣ ଏଇଠି କେମିତି ? ତାର ଆପଣ ଡାକଟା ମୋତେ ଭଲ ଲାଗିଲାନି, ସତେ ଯେପରି ଆପଣ କହି ସେ ମୋତେ ପଛକୁ ଧକ୍କା ଦେଇଦେଲା । କହିଲି ଆଉ ଆପଣ କାହିଁକି, ତୁମେ ବୋଲି ଡାକ, ଭଲ ଲାଗୁଛି ତୁମର ସେ ତୁମ ଡାକଟା । ସେ ସନ୍ତର୍ପଣରେ ମୁହଁ ଉଠାଇ ମୋ ମୁହଁକୁ ଚହିଁଲା, ଆମ ଆଖି ପୁଣି ଏକାଠି ହୋଇଗଲେ । ସତେ ସେ ମୋ ଆଖିରେ ମୋ ପ୍ରେମର ଗଭୀରତା ମାପିବାକୁ ଚେଷ୍ଟାକରୁଥିଲା । ସେମିତି ମୋ ଆଖିକୁ ଚାହିଁ ଆଉଥରେ ପଚାରିଲା, ତୁମେ କଣ ଜାଣିଥିଲ ମୁଁ ଏଠିକି ଆସିବି ବୋଲି ? ଆମେ ସେମିତି ଜଣେ ଆଉ ଜଣକ ଆଖି ଭିତରେ ହଜିଯାଉଥିଲୁ, ମୁଁ କହିଲି, ମୁଁ ଯଦି ତୁମକୁ ସେଇ ଏକା ପ୍ରଶ୍ନ ପଚାରେ, ତୁମେ କଣ ଜାଣିଥିଲ ମୁଁ ତୁମକୁ ଏଇଠି ଅପେକ୍ଷା କରିଥିବି ବୋଲି ?? ସେ ଫିକ୍ କରି ହସିଦେଲା ଆଉ ମୁହଁ ବୁଲେଇ ନେଲା ନଈର ପାଣି ଆଡକୁ, ପଚାରିଲା, ତେବେ ଆମେ ଦିଜଣ ଏଇଠି ହଠାତ୍ କେମିତି, କିଏ ଡାକିଆଣିଲା ଆମ ଦିଜଣଙ୍କୁ ଏଇଠିକି, ଆମେ ବିନା କିଛି ପୂର୍ବାଭାଷରେ ହଠାତ୍ ଏମିତି ଏକାଠି ହୋଇଗଲେ ? ଏଇଟା କଣ ସଂଯୋଗ?

ହଠାତ୍ ମୋ ପାଟିରୁ ବାହାରି ପଡିଲା, ଆରେ ସେତ ଭକତ ଡୋରୀରେ ବନ୍ଧା । ଜଗନ୍ନାଥଙ୍କୁ ଭକ୍ତ ଯେପରି ଖୋଜେ, ଜଗନ୍ନାଥେ ଭକ୍ତକୁ ବି ସେମିତି ଖୋଜୁନ୍ତି, ଆଉ ଏକଥା ଉଭୟ ଜାଣନ୍ତି । ଜଣେ ଯେଉଁ ଦିଗରେ ଯାଏ ଆଉ ଜଣେ ତା ପଛେପଛେ ଟାଣିହୋଇଯାଏ । ଏଇଟାକୁ ବୋଧେ intuitions କହନ୍ତି, ପ୍ରତ୍ୟେକ ଜୀବ ଭିତରେ ଥାଏ ଏଇ ଗୁଣଟା । ତୁମେ ଯାହାକୁ ଚାହଁ, ତୁମ ଅଜାଣତରେ ତାରି ଆଡକୁ ଟାଣି ହୋଇଯାଅ, ଚୁମ୍ବକର ବିପରିତ pole ପରସ୍ପରକୁ ଟାଣିଲା ପରି, ରାଧାବି ଏମିତି କୃଷ୍ଣ ପ୍ରେମରେ ଟାଣିହୋଇ ଦଉଡି ଆସୁଥିଲେ ଜମୁନା କୂଳକୁ । ଲୋକେ ତ ମିଛରେ ମୂରଲୀକୁ ବଦନାମ କରୁଥିଲେ, ଦୋଷ ଦେଉଥିଲେ । କିନ୍ତୁ ସିଏତ ପ୍ରେମର ଏକ ଅଦୃଶ୍ୟ ଶକ୍ତିଥିଲା ଯାହା ରାଧା-ମାଧବଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଥିଲା । ପ୍ରେମ ଅଦୃଶ୍ୟ କିନ୍ତୁ ଅତି ଶକ୍ତିଶାଳୀ, ପ୍ରମୀଜୁଗଳଙ୍କୁ ଟାଣିଆଣେ ଗୋଟିଏ ବିନ୍ଦୁ ଉପରକୁ, ଯେମିତି ଚୁମ୍ବକ ଟାଣେ । ତୁମେ ଯାହାକୁ ଖୋଜୁଛ ସିଏବି ତୁମକୁ ଖୋଛୁଛି । ତୁମେ ଯେମିତି ଏକ ଅଜଣା ଡୋରିରେ ଏଠିକି ଟାଣି ହୋଇ ଆସିଛ, ଠିକ୍ ସେଇ ଡୋରୀ ମୋତେ ବି ଟାଣି ଆଣିଥିଲା ଏଇଠିକି ।

ସେ ଡୁବିଲା ସୂର୍ଯ୍ୟକୁ ଚାହିଁ ପଚାରିଲା, ମୁଁ ଆସିବା ପୂର୍ବରୁ ତୁମେ ସଂଧ୍ୟାର ଏଇ ସୂର୍ଯ୍ୟକୁ ଦେଖୁଥିଲନା’ ? ହଁ, ସୂର୍ଯ୍ୟକୁ ଦେଖୁଥିଲି, ନଦୀକୂଳରେ ଏଇ ସଂଧ୍ୟାଦୃଶ୍ୟ ଖୁବ୍ ସୁନ୍ଦର ନା? ନଈଆର ପାଖର ସେଇ ପାହାଡ ସନ୍ଧିରେ ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହୋଇଯିବ । ସେ କହିଲା, ହଁ ଖୁବ୍ ସୁନ୍ଦର, ପିଲାଦିନେ ସୂର୍ଯ୍ୟାସ୍ତର ଅନେକ ଚିତ୍ର ଆଙ୍କିଛି, ମୋତେ ବହୁତ ଭଲ ଲାଗେ । ହେଲେ ତୁମେ ଆଉକିଛି ଦେଖୁଥିଲ ସୂର୍ଯ୍ୟରେ, ଭାବନାରେ ହଜିଯାଇଥିଲ ସେଇ ସୂର୍ଯ୍ୟକୁ ଦେଖି, କଣ ଭାବୁଥିଲ ? ମୁଁ ତା ପାଖକୁ ଚାଲିଗଲି, ସେ ସେପର୍ଯ୍ୟନ୍ତ ସିଏ ମୋତେ ପଛକରି ନଦୀ ଆଡକୁ ମୁହଁ ବୁଲାଇ ଠିଆ ହୋଇଥିଲା । ମୁଁ ଦୁଇ ହାତ ତା କାନ୍ଧ ଉପରେ ରଖି ତାକୁ ବୁଲେଇ ଦେଲି ମୋ ଆଡକୁ, ଆମେ ସାମ୍ନା ସାମ୍ନି ହୋଇଗଲୁ । ତା ମୁହଁକୁ ଚାହିଁ କହିଲି, ସେଇ ଅସ୍ତସୂର୍ଯ୍ୟ ସତେ ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଛି । ଆଉ ମୁଁ ସେଇ ସିନ୍ଦୁର ବିନ୍ଦୁର ଚାରିପାଖରେ ମୋ ପ୍ରିୟାର ମୁହଁଟା ଆଙ୍କୁଥିଲି । ମୁଁ ଚାହୁଁଛି ସେଇ ସିନ୍ଦୁର ବିନ୍ଦୁ ମୋ ପ୍ରିୟାର ମଥାରେ ପିନ୍ଧେଇ ଦେବାକୁ, ମୋ ହାତର ଟିପ ତାର ମଥାଛୁଇଁ ସିନ୍ଦୁର ବିନ୍ଦୁ ପିନ୍ଧାଇ ଦେଉଥିଲା ତାର ଶୁନ୍ୟମଥାରେ । ସେ ଆଉଜି ପଡିଲା ମୋ ଛାତି ଉପରେ, ଆଉ ମୋର ବାହୁ ସାଉଣ୍ଟି ନେଉଥିଲା ପ୍ରିୟାକୁ ନିଜର ନିବିଡ ବନ୍ଧନରେ ।

*** 31/08/2018***

କ୍ଷୁଦ୍ରଗଳ୍ପ-ଅବିନାଶି Abinashi

ମନ ବେଳେ ବେଳେ ପ୍ରେମ କରିବା ବୟସରେ ପହଞ୍ଚି ଯାଏ । ହାତଠାରି ଡାକେ, କହେ, ଚାଲ ମୋ ସାଥିରେ, ନଈକୂଳକୁ ଯିବା ! ମନର କଥାମାନି ତା ସାଙ୍ଗରେ ନଈକୂଳକୁ ଗଲି । ସେଇଠି ପାଣିପାଖରୁ ଟିକିଏ ଦୂରରେ ସେଇ ବାଲି ଉପରେ ବସିଲୁ, ସଂଧ୍ୟାର ଡୁବିଲା ସୂର୍ଯ୍ୟକୁ ଅଙ୍ଗୁଠି ଦେଖେଇ ମନ କହିଲା, ଦେଖ୍ କି ସୁନ୍ଦର କମନୀୟ ଦିଶୁଛି ଏଇ ଅସ୍ତଗାମୀ ସୂର୍ଯ୍ୟ, କିନ୍ତୁ ବେଶି ସମୟ ରହିବନି, ଆଉ ଅଳ୍ପ ସମୟ ପରେ ଅସ୍ତହୋଇଯିବ । ହେଲେ ମୋତେ ସାବଧାନକରି କହିଲା, ହେଇ, ଡୁବିଲା ସୂର୍ଯ୍ୟକୁ ଦେଖି ଇମୋସନାଲ ହୋଇଯାଉନୁ ତ ! ଏମିତି କେବେବି ଭାବିବୁନି, ତୋ ଜୀବନର ସୂର୍ଯ୍ୟବି ସେଇ ସୂର୍ଯ୍ୟର ପଛରେ, ତୋ ଜୀବନର ଶେଷପାହାଚ ଉପରେ ଠିଆ ହୋଇଛି, ଆଉ ସୂର୍ଯ୍ୟର ପଛେ ପଛେ ସିଏବି ଡୁବିଯିବ !

ପଚାରିଲି ସେକଥା ଭାବିବିନିତ ଆଉ କଣ ଭାବିବି ଏ ବୟସରେ ? ସୁଖିଲା ପତ୍ରପରି ଏଇ ଜୀବନ, ଖାଲି ଡେମ୍ଫରେ ଲଟକିରହିଛି । ପବନ ଟିକିଏ ଜୋରରେ ବୋହିଲେ କୋଉ ମୁହୁର୍ତ୍ତରେ ଝଡିପଡିବ କିଏ ଜାଣେ?

ମନ ଆଖି ଦେଖେଇଲା, ବିରକ୍ତ ହୋଇ କହିଲା, ସବୁ ଜିନିଷର ‘ନେଗେଟିଭ ପଏଣ୍ଟ’ ଉପରେ ଯୋରଦେବା କଣ ନିହାତି ଜରୁରୀ ? ସବୁକଥାର ଗୋଟିଏ ‘ପଜିଟିଭ ପଏଣ୍ଟ’ ବିତ ଥିବ ! ସେଇ କଥାଟା କଣ ମନେ ପଡେନା, ନା ଭାବିବାକୁ ମନ ହୁଏନା?

ପଚାରିଲି, ଏମିତି କ’ଣ ପଜିଟିଭିଟି ଅଛି ଏଇ ଅସ୍ତ ସୂର୍ଯ୍ୟରେ ? ଦିନ ସରିଲା, ସୂର୍ଯ୍ୟ ଏବେ ଅସ୍ତ ହୋଇଯିବ, ସାରା ଦୁନିଆ ଅନ୍ଧାର ଭିତରେ ହଜିଯିବ । ୟା ଛଡା ଆଉ ଅଧିକ କଣ ହେବ ଯେ ? ଅସ୍ତସୂର୍ଯ୍ୟରେ ଏମିତି କଣ ଅଛି ଯେ ତା ଭିତର ପଜିଟିଭିଟି ଖୋଜିବି ?

ମନ ଟିକେ ହସିଲା, କହିଲା ବସ୍ ଏଇଠି ମୋ ପାଖରେ । ଦେଖ, ସୂର୍ଯ୍ୟ ମୁହଁରେ ବୟସର କ୍ଳାନ୍ତି ଦିଶୁଚି ତୋତେ ? ନାହିଁ ନା’ ! ସକାଳେ ଯେତେବେଳେ ସୂର୍ଯ୍ୟ ଉଇଁଥିଲା, ଠିକ ଏମିତି ଦିଶୁଥିଲା ତାର ହସହସ ମୁହଁଟା ! ଏବେବି ସେମିତି ଦିଶୁଚି, କଅଁଳିଆ ଛୁଆଟିଏ ପରି ଲାଲ ଟୁକ୍ ଟୁକ୍ । ଏଇଆକୁ ଖାଇବା ଲୋଭରେ ହନୁମାନଜୀ ଅନ୍ତରୀକ୍ଷରେ ପହଞ୍ଚି ଯାଇଥିଲେ ପରା । ସେଇ ସକାଳ ସୂର୍ଯ୍ୟର ଆଭା, ସଂଧ୍ୟାର ଏଇ ଅସ୍ତ ସୂର୍ଯ୍ୟରେ ବି ଠିକ୍ ସେମିତି ଦିଶୁଛି । ସୂର୍ଯ୍ୟ ହସିହସି କହୁଛି ଆରେ ଦେଖ ମୁଁ ପୁଣି ପିଲାଟିଏ ହୋଇଗଲି । ଏବେ ଯାଉଛି ମାଆ ପାଖକୁ, ସେଇଠି ଟିକିଏ ରେଷ୍ଟ ନେବି, କାଲି ସକାଳେ ପୁଣି ନୁଆହୋଇ ଆସିବି । ସଧ୍ୟା ସୂର୍ଯ୍ୟର ସନ୍ଦେଶ ଏଇଟା, ଯିବାବେଳରେ ଅଶ୍ରୁଳ ଆଖିର ‘ଗୁଡ ବାୟ’ ପରି ନୁହେଁ, ବରଂ ‘ଫିର ମିଲେଙ୍ଗେ’ ପରି ପ୍ରତିଶୃତିଟିଏ ! ସୂର୍ଯ୍ୟ ପୁଣି ଆସିବ କାଲି ସକାଳେ । ଠିକ୍ ଏମିତିଆ ଲାଲ୍ ଟୁକ୍ ଟୁକ୍ ହସିଲା ମୁହଁ ଦେଖେଇ ।

ଏଇଠି କିଛି ସରେନା ଏଇ ଦୁନିଆରେ, “ନଥିଙ୍ଗ ଏଣ୍ଡସ୍ ହିଅର’ । ଫିଜିକ୍ସ ପଢିଛୁ ନା’? କୌଣସି ବସ୍ତୁ ନଷ୍ଟ ହୁଏନା, ଅନନ୍ତ ବିଶ୍ୱରେ କାହାର ବି ଅନ୍ତ ନାହିଁ, ସବୁ ଅନନ୍ତ । ବସ୍ତୁର କେବଳ ଆକାର ବଦଳେ, ରୂପ ବଦଳେ, ଗୁଣ ବଦଳେ । କିନ୍ତୁ ସିଏ ଏଇଠି ଥାଏ, ଏଇଠି ରହେ । ଯେମିତି ପାଣି, ପାଣି ବରଫ ହୁଏ, ବାମ୍ଫ ବି ହୁଏ, ସେଇଟା ପାଣିର ପରିବର୍ତ୍ତିତ ରୂପ, ହେଲେ ସେଇଟା ପାଣି ତ ! ଯେମିତି ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଆତ୍ମା ଅବିନାଶୀ । କାଠ ଜଳିଲେ, ଅଙ୍ଗାର ହୋଇଯାଏ, ପାଉଁଶ ହୋଇଯାଏ । କାଠର ନାଆଁ ବଦଳେ, ରୂପ ରଙ୍ଗ ଗୁଣ ସବୁ ବଦଳେ ହେଲେ ଏ ସବୁତ ସେଇ କାଠ ନା’!

ତୋର ଅନ୍ତ କିପରି ହୋଇଯିବ ? ତୋର ବୟସ ବଦଳି ଗଲା, ରୂପରଙ୍ଗ ବଦଳି ଗଲା ତାମାନେ ନୁହେଁ ଯେ ତୁ ବଦଳିଗଲୁ । ତୋର ବିଚାର, ତୋର ଜୀବନ, ତୋର ଭାବନା ସବୁ କଣ ବଦଳିଯିବ ବୟସ ସାଥିରେ ? ଏତେ ନିରାଶବାଦୀ କାହିଁକି । କେଉଁଠି ଥିଲା ତୋର ଯୌବନ ? ତୋ ଦେହରେ ? ତୋ ରକ୍ତର ଉଷ୍ମତାରେ ? ତୋ ଉଦଣ୍ଡ ଚାଲିରେ ? ତୋ କଥାରେ ତୋ ଗୀତରେ କୋଉଠି ଥିଲା ସେ ଯୌବନ ? ମନ ପୁଣି ବୁଝାଏ, ତୋ ଯୌବନ ତୋ ମନରେ ଥିଲା, ତୋ ହୃଦୟରେ, ତୋ ଭାବରେ, ତୋ ଭାବନରେ ଥିଲା । ସେ ଯୌବନ, ଏବେବି ସେଇଠି ସେମିତି ଅଛି । ଥରେ ଆଖିଖୋଲି ଦେଖ୍ ସେ ସବୁ ଆଗପରି ସେଇ ଜାଗାରେ ସେମିତି ମିଳିବ । କିନ୍ତୁ ତୁ ଯେ ତା’ଉପରେ ତୋ ନିରାଶବାଦର ଚାଦର ଢାଙ୍କିଦେଇଛୁ । ସେ ଚାଦରକୁ ହଟେଇକି ଦେଖ୍, ପୁଣି ତୋର ସେଇ ସୁପ୍ତ ଯୌବନ ଜାଗିଯିବ । ଯୌବନଟା କିଛି ଅବସ୍ଥା ନୁହେଁ, କିଛି ବୟସ ନୁହେଁ । ଯୌବନଟା ଏକ ମାନସିକ ସ୍ଥିତି, ଗୋଟିଏ ମାନସିକ ଅବସ୍ଥା । ମନରେ ଯେ ପର୍ଯ୍ୟନ୍ତ ଯୌବନ ଜାଗ୍ରତ ଅଛି, ମଣିଷ ସେ ପର୍ଯ୍ୟନ୍ତ ଯୁବକ ଅଛି । କହିଲୁ ଦେଖି, ଘର ପୋଡିଗଲା ବେଳେ ଜଣେ ଦୁର୍ବଳ ମଣିଷ ବି ଅନେକ ବଳଶାଳୀ ଲୋକର କାମ କରିଯାଏ, ପରେ ଭାବେ, ଏତେବଡ କାମଟାଏ ସେ କଲା କେମିତି ? ତାର ମାନେ କଣ ଜାଣୁ ?? ତାର ମାନେ, ମଣିଷର ଶକ୍ତି ତା ଦେହରେ ନଥାଏ । ଶକ୍ତି ଥାଏ ତା ମନରେ । ସେମିତି ଏଇ ଯୌବନଟା ।

ସବୁ ମଣିଷ ବୁଢା ହୋଇଗଲେ କଣ ତୋରି ପରି ଏମିତି ଭାବନ୍ତି ? ଧେତ୍ ବୁଢା କଉଠିକାର ! ବୟସ ହେଲେ ସମସ୍ତେ ମରିବେ, ତା ବୋଲି ମଲା ଆଗରୁ ହେଂସ ଘୋଡେଇହୋଇ ପଡିରହିବୁ ନା କଣ ?? ବାର୍ଦ୍ଧକ୍ୟଟା ଜୀବନର ଅଭିଶାପ ନୁହେଁ । ବାର୍ଦ୍ଧକ୍ୟକୁ ଜୀବନର ଆଶିର୍ବାଦ ରୂପେ ଦେଖ୍ । ଜାଣିଛୁ, ସମସ୍ତେ ଭାଗ୍ୟବାନ ନୁହଁନ୍ତି । ଅନେକ ଅଧା ଜୀବନରେ ବି ଚାଲିଯାଆନ୍ତି । ମୃତ୍ୟୁ ସତ୍ୟ, ସମସ୍ତଙ୍କ ଜୀବନରେ ଆସିବ, ନିଶ୍ଚୟ ଆସିବ। କିନ୍ତୁ କେବେ ଆସିବ କେହି ଜାଣେନା । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ମୃତ୍ୟୁକୁ ଅପେକ୍ଷା କରି ବସିରହିବ ।’ଫରଗେଟ ଏବାଉଟ ଏଜ୍’ । ଭୂଲିଯାଆ ନିଜର ବୟସ, ବୟସଟା ମନେ ରଖିବା କଣ ନିହାତି ଜରୁରୀ । କୋଉ ଝିଅକୁ ଯାଇ ପଚାରେ, ଦେବୀଜୀ ଆପକା ଉମର କ୍ୟା ହୈ । ଜାଣିଛୁ ସେ କଣ କହିବ ? ଆରେ କହିବ କଣ, ସେ କରିକି ଦେଖେଇ ଦେବ, ମାରିବ ବ୍ରହ୍ମ ଚାପୁଡାଟାଏ । କହିବ ଇଡିଅଟ, ଏତିକି କଟସି ନାହିଁ । ଝିଅମାନଙ୍କର ବୟସ ପଚାରନ୍ତି ନାହିଁ ବୋଲି ଜାଣିନି । ଆରେ ଝିଅ କଥା ଛାଡ କୋଉ ମରଦକୁ ଯାଇ ପଚାର, ସେବି ଲୁଚେଇବ ତାର ଅସଲି ବୟସ । ଚାରି ଛଅ ବର୍ଷ କମ୍ କରିକି କହିବ । କହନ୍ତି ‘ଏଜ ଇଜ୍ ଜଷ୍ଟ ଏ ଫିଗର’ ବୟସଟା ଏକ ସଂଖ୍ୟା କେବଳ ।

ମନକୁ କହିଲି, କହିବାଟା ଯେତେ ସହଜ, ବୁଝିଯିବାଟା କଣ ସେତେ ସହଜ ? କେମିତି ଭୂଲିଯିବି, ଚାରିମାସ ଆଗରୁ ପିଲାମାନେ ମୋ 60 ତମ ଜନ୍ମଦିନ ମନେଇଥିଲେ । ବଡ କେକ୍ ଟିଏ ଆଣିଥିଲେ । ତା ଉପରେ ଲେଖା ହୋଇଥିଲା ହାପି ସିକଷ୍ଟିଥ ବାର୍ଥଡେ । ଆରେ 60 ବର୍ଷର ଜନ୍ମ ଦିନ କୋଉ ହାପି ବାର୍ଥଡେ ଥାଏ ଭଲା ! ସେଇ ଦିନଠାରୁ 61ବର୍ଷ କାଉଣ୍ଟଡାଉନ୍ ରେ ଚାଲିଛି ।

ମନ ଟିକେ ହସିଲା । କହିଲା, ଦେଖ୍, ଦୁନିଆରେ ଏତେ ଅଦଳ ବଦଳ ଓଲଟ ପାଲଟ ହେଉଛି । ତୁ ସାମାନ୍ୟ ଗୋଟିଏ ସଂଖ୍ୟାକୁ ଓଲଟେଇ ପାରୁନୁ ? କହନ୍ତି ନା ବୟସଟା ଗୋଟିଏ ସଂଖ୍ୟା ମାତ୍ର । 61 କୁ ଓଲଟେଇଲେ କେତେ ହେଲା ? 16 ନା’ ? ମୁଁ ବି ତ ଏବେ ସେଇ ବୟସରେ ଅଛି ! ତୁ ବି ମୋ ବୟସର ହୋଇଯାଆ । ମୋର ସାଙ୍ଗ ହେଇଯାଆ । ବୁଢା ଦେହ ଘୋଡା ହୋଇ ପାରିବନି, ତାହାହେଲେ କଣ ହେଲା ? ମନବିତ ଘୋଡାଟିଏ, ଚୋଖା ଆରବୀ ଘୋଡା ପରି । ମନକୁ ଦଉଡା ଜୀବନର ରେସରେ । କଳ୍ପନାର ଘୋଡାରେ ଚଢି କୁଆରୀ କନିଆଁ ରାଜାପୁଅ, ମନ୍ତ୍ରୀପୁଅର ସପନ ଦେଖେ’ନା । ଗରୀବ ବିଚରା ଭଙ୍ଗା ଚାଳିଆରେ ଶୋଇ ଶୋଇ କଳ୍ପନାର ଘୋଡାରେ ଚଢି ରାଜ ଉଆସର ସପନ ଦେଖେ’ନା ? ଏଇ କଳ୍ପନାର ଘୋଡାରେ ଚଢି କେତେ କିଏ କଣ କଣ ସପନ ବୁଣି ଯାଆନ୍ତି । ତୁ ତୋ କଳ୍ପନାର ଘୋଡାକୁ କାହିଁକି ବାନ୍ଧି ରଖିଛୁ ? ଦଉଡା ତାକୁ, ଦଉଡେଇ ପାରିବୁନି ? ଦି’ଘଡି ଆନନ୍ଦ ହେବାକୁ, ମନଖୋଲି ଟିକିଏ ହସିବାକୁ, କିଏ ମନା କରିଛି ତୋତେ ।

ମନକୁ କହିଲି, ତୁ କଣ ସମାଜକୁ ଜାଣିନୁ ? ସମାଜର କିଛି ନିୟମ କାନୁନ୍ ବି ଅଛି । ଶାସ୍ତ୍ରରେ ଲେଖା ଅଛି ଚାରି ଆଶ୍ରମ କଥା । ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଆଉ ସନ୍ୟାସ । ଏଇ ବୟସଟା ସନ୍ୟାସର ବୟସ । ଘୋଡା ଦଉଡେଇବାର ବୟସ ନୁହେଁ । ତୋ କଥାରେ ପଡିଲେ ଖାଲି ଲୋକହସା ହେବାହିଁ ସାର ହେବ । ଲୋକେ କଣ କହିବେ ? ସମାଜ କଣ କହିବ ? କହିବେ ଏଇ ବୟସରେ ରାମନାମ ନଜପି ବୁଢା ସପନ ଦେଖୁଛି । ସପନ ଦେଖିବାର ବୟସ କଣ ଆଉ ବାକିଅଛି ମୋର? ସବୁ କାମ ପାଇଁ ଗୋଟେ ସମୟ ଥାଏ, ବୟସ ବି ଥାଏ ।

ମନ ହସିଲା ଖୁବ୍ ଯୋରରେ, ସତେ ଯେପରି ପାଗଳ ହୋଇଯାଇଛି । ମୋତେ କହିଲା, ପାଗଳ କୋଉଠିକାର । ସବୁ କାମ ପାଇଁ ବୟସ ଥାଏ ! ସଃ, କିଏ ସ୍ଥିର କରିଛି ଏ ବୟସସୀମା ? ସମାଜ ? ସମାଜ ନିଜେ କଣ ସ୍ଥିର ?? ନା ରେ ନା’ ସମାଜ ନିଜେବି ସ୍ଥିର ନୁହେଁ । ସମୟ ଯେମିତି ବଦଳେ, ଲୋକ ବି ବଦଳନ୍ତି, ସମାଜବି ବଦଳେ, ସମାଜର ନିୟମବି ବଦଳେ । କୋଡିଏ ବର୍ଷ ତଳର ସାମାଜିକ ନିୟମ ଅଛି ଆଜି ? ବାହାଘର ବୟସ କଥା ଭାବ, ପ୍ରଥମେ ବାଲ୍ୟ ବିବାହ ହେଉଥିଲା, ତାପରେ ନିଶ ଉଠିଗଲେ ବାହା ବୟସ ହୋଇଗଲା ବୋଲି କୁହାଯାଉଥିଲା, ଏବେ ମୁଣ୍ଡବାଳ ଗୋଟେ ଗୋଟେ ଧଳା ହେବା ଆରମ୍ଭ ହୋଇଗଲା ପରେ ଯାଇ ପୁଅଝିଅ ବାହା ହେଉଛନ୍ତି । ଏଇ ସମାଜରେ, ଶାସ୍ତ୍ରରେ ଶ୍ରବଣ କୁମାର ବିଷୟରେ କେତେ କଥା ଲେଖା ହୋଇଛି, ମାଆ ବାପାଙ୍କର କେତେ ସେବା କରୁଥିଲା ସେ । ବୁଢା ବାପା ମାଆଙ୍କୁ କାନ୍ଧରେ ଉଠାଇ ତୀର୍ଥଯାତ୍ରା କରଉଥିଲା ସିଏ । ହେଲେ ଆଜି ପିଲାଏ ମାଆ ବାପାଙ୍କୁ ଅନାଥ ଛାଡି ଦେଉଚନ୍ତି । ସେତେବେଳେ କୁଆଡେ ଯାଏ ସମାଜ ? ଜଉତୁକ ପାଇଁ ନୁଆବୋହୁକୁ ଜଳାଇ ଦିଆଯାଏ, ସେତେବେଳେ କୁଆଡେ ଯାଏ ସମାଜ ? ସମାଜ ଏକ ସୁବିଧାବାଦୀ ବ୍ୟବସ୍ଥା । ସୁବିଧା ଅନୁଶାରେ ନିୟମ ତିଆରିହୁଏ, ସୁବିଧା ଅନୁଶାରେ ନିୟମ ବଦଳେ ।

ମୁଁ ତୋତେ ସମାଜ ବିରୁଦ୍ଧରେ ଯିବାକୁ କହୁନି, ସାମାଜିକ ବ୍ୟବସ୍ଥାକୁ ନମାନିବାକୁ କହୁନି । କିନ୍ତୁ ମୁଁ ତୋ ନିଜ ଜୀବନ ପାଇଁ କହୁଛି । ନିଜେ ବଞ୍ଚି ରହିଲେ, ତାପରେ ଆସିବ ସମାଜ ଚିନ୍ତା । ସମାଜ ମଣିଷଙ୍କୁ ନେଇ ଗଢା । ସମାଜକୁ ନେଇ ମଣିଷ ଗଢା ହୁଏନି । ମଣିଷ ନଥିଲେ ସମାଜ କେଉଁଠୁ ଆସିବ? କିନ୍ତୁ ତୋ ନିଜ ଖୁସି କଥା ସମାଜ କିପରି ଡିସାଇଡ୍ କରିବ ? ତୁ କଣ ଖାଇବୁ କଣ ପିନ୍ଧିବୁ କେମିତି ଜିଇଁବୁ ସେକଥା କେବଳ ତୁ ହିଁ ସ୍ଥିର କରିପାରିବୁ । ଅନ୍ୟର କ୍ଷତି ନକରି, ଅନ୍ୟକୁ କଷ୍ଟ ନଦେଇ ତୁ ଯଦି ନିଜର ଖୁସି ପାଇଁ କିଛି କରୁ, ସେଥିରେ ସମାଜ କାହିଁକି ଆପତ୍ତି କରିବ ?? ଆଉ ରହିଲା ପ୍ରଭୂଙ୍କ ନାମ ନେବା, ଭଗବାନଙ୍କ ନାମନେବା ଖୁବ୍ ଭଲ କଥା । ପ୍ରଭୂଙ୍କୁ ସ୍ମରଣ କର, ପୁଜାପାଠ କର ଶାସ୍ତ୍ର ଅଧ୍ୟୟନ କର । କିନ୍ତୁ ତା ଅର୍ଥ ନୁହେଁ ସେଥିପାଇଁ ଆଉ ସବୁକିଛି କରିବା ମନା । ଦିନରାତି ମିଶି ଚବିଶ ଘଣ୍ଟା, ତାଆରି ଭିତରେ ନିଜ ସମୟକୁ ଖାଇବା ପିଇବା ଶୋଇବା ଠାକୁରପୂଜା ନାତି ନାତୁଣୀଙ୍କ ସହ ଖେଳିବା ସାଙ୍ଗ ସାଥୀ ବନ୍ଧୁ ପ୍ରିୟଜନ ସମସ୍ତଙ୍କ ପାଇଁ ସମୟ ବାହାର କର । ଜୀବନଟା କିଛି ସ୍କୁଲର ରୁଟିନ୍ ନୁହେଁ । ଚାରି ପିରିୟଡର ବୟସ । ଚତୁର୍ଥ ପିରିୟଡଟା କେବଳ ଗଣିତ ପାଇଁ ଉଦ୍ଦିଷ୍ଟ, ସେଇଠି ଆଉ କିଛି ପଢାଯାଇ ପାରିବିନି । ଏଇ ବୟସଟା କଣ ସେମିତି କେବଳ ସନ୍ୟାସ ପାଇଁ ସମର୍ପିତ ? ଏଇ ବୟସରେ ଭଗବାନ ନାମ ଛଡା ଆଉକିଛି କରାଯାଇ ପାରିବନି ? ମୁଁ କହୁଛି, ପ୍ରଭୂଙ୍କୁ ବି ଡାକ, ଜନସେବା ବି କର, ନିଜ ଖୁସି ପାଇଁ ଯାହା ଇଚ୍ଛା ହେଉଛି କର, ବସର୍ତ୍ତେ, ତୁମର କାର୍ଯ୍ୟକଳାପ, ତୁମର ଜୀବନଶୈଳୀକୁ ସନ୍ତୁଳିତ ସୌହାର୍ଦ୍ୟପୂର୍ଣ୍ଣ ରଖ, ଯାହା ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ହୋଇପାରିବ । ସମାଜ ପାଇଁ କୌଣସିଭାବେ ଅହିତ କର ନହୁଏ ଅବା ଏହାର କୌଣସି କୁପ୍ରଭାବ ଅନ୍ୟ ଉପରେ ଯେପରି ନପଡିବ ସେଥିପ୍ରତି ସାବଧାନ ରୁହ ।

ବୟସର ରାଗ ଆଳାପ କରି ବାହୁନି ହେଲେ ବୟସ ତ ଆଟକି ଯିବନି । ଏଠି ଅଧାବୁଜା ଆଖିରେ ଯମଦୂତର ସପନ ଦେଖିବା ଅପେକ୍ଷା ଦି’ଘଡି ଖୁସି ହେବାରେ ଅସୁବିଧା କଣ ? କିଛି ନୂଆ ସପନ ଦେଖ, କିଛି ସପନ ଦେଇ ଯାଆ ଆଗାମୀ ପିଢିକୁ । ତୁମେ ଯେବେ ଏଠି ନଥିବ, ତୁମ ସପନ ରହିଯିବ ଏଇଠି । ତାରି ସୁଗନ୍ଧ ମହକି ଯିବ ଚଉଦିଗରେ । ତୁମର ପଦିଏ କଥା, ତୁମର ପଦିଏ ଗୀତ, ତୁମର ଟିକିଏ କାମ, ତୁମର ଉପସ୍ଥିତିକୁ ଜାହିର କରିଯିବ ଏଇ ଦୁନିଆରେ, ଯେତେବେଳ କାହା ମୁଁହରୁ ତୁମ ନାଆଁ ଶୁଭିଯିବ । ଏଇଠି କେତେ ରୋଜଗାର କଲ, କେତେବଡ ଘର ତିଆରି କଲ, କେତେ ସଂଞ୍ଚୟ କଲ, ତାକଥା କେହି ପଚାରିବେନି । କେତେ ଦେଇକି ଗଲ, କଣ ଦେଇକି ଗଲ, କେବଳ ତାରି ଚର୍ଚ୍ଚା ହେବ ତୁମେ ଗଲାପରେ । ମଣିଷ ଜୀବନ ବଡ ଦୂର୍ଲଭ, ଜୀବନଟା କେତେ ଅଧିକ ଜିଇଁଲ ତାର କିଛି ମୂଲ୍ୟନାହିଁ, ଜୀବନକୁ କେମିତି ଜିଇଁଲ ସେଇଟା ମାନେ ରଖେ । ଜୀବନର ପ୍ରତିଟି ମୁହୁର୍ତ୍ତ ମୂଲ୍ୟବାନ । ଜୀବନର ପ୍ରତିଟି ମୁହୂର୍ତ୍ତକୁ ନିଜପାଇଁ ଆଉ ଅନ୍ୟପାଇଁ ମନଭରି ଜିଇଁ ଯାଆ ।

***27/08/2018***

କ୍ଷୁଦ୍ରଗଳ୍ପ- ସନ୍ଧିକାଳ Sandhikaal

ନାଉରିଆ କହିଲା, ଗଣ୍ଠୁଲିଟା ଏଇଠି ରଖ, ସେ ପାରିକୁ ଏ ସବୁ ନେବାର ଅନୁମତି ନାହିଁ । ଏ ସବୁର ଆବଶ୍ୟକତା ବି ସେଠି ପଡିବନି । ତୁମର ଏ ଗଣ୍ଠୁଲିଟି ତୁମକୁ ଏପଟେ ଛାଡିଦେଇ ଯିବାକୁ ହେବ । ଦେଖୁନ ଏଡିକି ଛୋଟ ନାଆଟିରେ ତୁମେ ବସିଲା ପରେ ଆଉ ଜାଗା ବଳୁଛି ? କେମିତି ନେଇକି ଯିବ ଏସବୁ ? କଣ କଣ ସବୁ ବାନ୍ଧିଛ ଏ ଗଣ୍ଠୁଲି ଭିତରେ? ବହୁତ ଭାରିଥିଲା ପରି ଜଣାପଡୁଛି । ଆଗରୁ ଅନେକ ସମୟରେ ତୁମ ଘର ରାସ୍ତାରେ ଗଲାବେଳେ କେତେଥର ମୁଁ ଦେଖିଛି ତୁମକୁ, ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ରହୁଥିଲ । ଏତେ ବ୍ୟସ୍ତ ରହୁଥିଲ ଯେ ନିଜ ଘର ପରିବାର ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ବି ଟିକିଏ ସମୟ ରହୁ ନଥିଲା ତୁମ ପାଖରେ । କଣ ସବୁ ଏତେ କାମ କରୁଥିଲ, ଆଉ କାହିଁକି ? ଅଧିକ ଉପାର୍ଜନ ପାଇଁ ? ଜୀବନରେ କଣ କଣ ସବୁ ଉପାର୍ଜନ କଲ ?

ଏକା ନିଶ୍ୱାସରେ ଏତେ ସବୁ କଥା କହି ନାଉରୀଆ ନାଆର ମଙ୍ଗ ଉପରେ ଥକାମାରି ବସି ପଡିଲା । ଦିଗମ୍ବର ଦାଶେ ଗଣ୍ଠୁଲିଟା ସେତେବେଳ ଯାଏ ମୁଣ୍ଡରେ ବୋହି ଠିଆହୋଇ ନାଉରୀଆର ବକବାସ ଶୁଣୁଥିଲେ । ସେପାରିକୁ ଯିବାପାଇଁ ଏଇ ଗୋଟିକ ନାଆ, ଆଉ ଏଇ ଗୋଟିଏ ନାଉରୀ, ଆଉ କୌଣସି ଅନ୍ୟ ରାସ୍ତା ନାହିଁ, ସେଇଥି ପାଇଁ ବିରକ୍ତ ଅନୁଭବ କରୁଥିଲେ ବି ନାଉରୀଆର ବକବାସକୁ ବରଦାସ୍ତ କରୁଥିଲେ । ଭାବୁଥିଲେ କିଛି ଦେଇ ନେଇ ନାଉରୀଆକୁ ପଟେଇ ନେବେ । ସବୁତ ଆଣି ପାରିଲେନି କିନ୍ତୁ ଯେତିକି ଆଣି ପାରିଛନ୍ତି ତାକୁ ନିଜ ସାଙ୍ଗରେ ନେଇକି ଯିବେ । ଗଳାକୁ ଟିକିଏ ନରମ କରି ଦିଗମ୍ବର କହିଲେ, ଆରେ ଭାଇ, ତୁମେତ ନାଆ ବାହିବା ଲୋକ, ତୁମେ କଣ ଜାଣିବ ଧନ ଅର୍ଜନ କରିବା କେତେ କଷ୍ଟକର କାମ । ଦିନର ଚବିଶ ଘଣ୍ଟା ବି କମ ପଡେ କାମ କରିବାକୁ । ସେପାରିକୁ ଗଲେ ରାଜାଙ୍କୁ କହିବି ଦିନର ସମୟସୀମା ଆଉ ଦୁଇଚାରି ଘଣ୍ଟା ବଢେଇ ଦେବେ । ଏଠି ସିଧା ଆଙ୍ଗୁଠିରେ ଘିଅ ବାହାରେନି ବୋଲି ଲୋକଙ୍କ ଉପରେ ଜୋର ଜୁଲମ କରିବାକୁ ହୁଏ । ଯେତିକି କରି ପାରିଲି ସେତିକି କଲି । ସିଧା ରାସ୍ତାରେ ବି ଧନ ଅର୍ଜନ କରି ହୁଏନା, ସିଧା ରାସ୍ତାରେ ଯାହା ଧନ ମିଳେ ସେଥିରେ ଭଲରେ ଦିମୁଠା ଭାତ ବି ଖାଇ ହୁଏନି । ତେଣୁ ରାସ୍ତା ଯେମିତି ହେଉ ପଛେ ଧନ ଅର୍ଜନ ପାଇଁ ମୁଁ କେବେ ପଛେଇନି, ସତ ଅସତ୍, ଧର୍ମ ଅଧର୍ମ କଥା କେବେ ମନରେ ଭାବିନି । ବହୁତ ଧନ ଅର୍ଜନ କଲି, ଅମାପ ଧନ, ଜମି ବାଡି, ଆଲିଶାନ ରାଜପ୍ରସାଦ ପରି ଘର, ଗାଡି ଘୋଡା ସବୁ କିଛି ଅଛି ମୋ ପାଖରେ । ହେଲେ, ଏତେ ଗୁଡାଏ ଜିନିଷ ତୁମ ଡଙ୍ଗାରେ ନେଇ ହେବନି । ତେଣୁ ଅଳ୍ପ କିଛି ବହୁମୂଲ୍ୟ ସଂପତ୍ତି ନେଇ ଯାଉଛି । ତୁମେ ଚାହିଁଲେ, ଏଥିରୁ କିଛି ବହୁମୂଲ୍ୟ ସମ୍ପତ୍ତି ମୁଁ ତୁମକୁ ଦେଇଦେବି । ମୋତେ ଏ ସବୁ ସାଙ୍ଗରେ ନେବାକୁ ଦିଅ, ପ୍ଲିଜ୍ ।

: ନାଉରୀଆ ଟିକେ ହସିଲା । ପଚାରିଲା, ବହୁମୂଲ୍ୟ ସମ୍ପତ୍ତି ? କଣ ସେ ସବୁ ବସ୍ତୁ?

ଦିଗମ୍ବର କହିଲେ ଗଣ୍ଟୁଲିଟା ନାଆ ଉପରେ ରଖିବାକୁ ଅନୁମତି ଦିଅ, ତାପରେ ମୁଁ ଗଣ୍ଟୁଲି ଖୋଲି ତୁମକୁ ସବୁ ଦେଖେଇ ଦେବି, ତୁମେ ଯାହା ନେବାକୁ ଚାହିଁବ ତୁମକୁ ଦେଇଦେବି, ଲାଞ୍ଚ ବୋଲି ଭାବିବନି, ସେଇଟା ମୁଁ ଖୁସିରେ ତୁମକୁ ଉପହାର ଦେଇଦେବି । ନାଉରୀଆ ଟିକିଏ ହସି କହିଲା ନାହିଁ ଆଜ୍ଞା,  ନାଆ ଉପରେ ଆଉକିଛି ରଖିବାକୁ ମୋତେ ମୋ ମାଲିକର ଅନୁମତି ନାହିଁ । ସେ କେବଳ ତୁମକୁ ନେଇଯିବା ପାଇଁ ନାଆ ପଠେଇଛନ୍ତି । ତୁମ ଗଣ୍ଠିଲିଟି ସେଇ ତଳେ ରଖିକି ଖୋଲ ।

ଅଗତ୍ୟା ଦିଗମ୍ବର ବାବୁ କିଛି ଚାରା ନଦେଖି ଗଣ୍ଟୁଲିଟି ତଳେ ଥୋଇ ଚାରି ଦିଗକୁ ନିରୀକ୍ଷଣ କଲେ, କେହି ଦେଖୁ ନାହିଁ ତ ? ଦୂର ଦୂର ପର୍ଯ୍ୟନ୍ତ ଶୁନଶାନ, କେହି କୁଆଡେ ନାହିଁ । କେବଳ ସିଏ ନିଜେ, ଡଙ୍ଗା ଏବଂ ନାଉରୀଆ ବ୍ୟତୀତ ଆଉ କେହି ଦୃଷ୍ଟିକୁ ଆସୁନି, କାଉ କୋଇଲିର ରାବ ବି ଶୁଭୁନି । ବଡ ସନ୍ତର୍ପଣରେ ଦିଗମ୍ବର ନିଜ ଗଣ୍ଠିଲି ଖୋଲିଲେ । ସୁନା ରୂପା ହୀରା ମୋତି ମାଣିକରେ ଭରି ରହିଥିଲା ଗଣ୍ଠିଲିଟି । ରତ୍ନ ସବୁ ଚମକ୍ ଝକ୍ ମକ୍ କରୁଥାଏ । ଗଣ୍ଟିଲିଟି ଖୋଲି ସାରି ବଡ ଗର୍ବରେ ଛାତି ଫୁଲେଇ କହିଲେ, କେବେ ଦେଖିଥିଲ ଏତେ ମୂଲ୍ୟବାନ ସମ୍ପତ୍ତି ? କୁହ, ତୁମର କଣ ଦରକାର, ଏଗୁଡିକ ସବୁ ବହୁମୂଲ୍ୟ ରତ୍ନ, ଏକରୁ ଆରେକ ବଳି । ଏଥିରୁ ଗୋଟିଏ ପାଇଲେ ତୁମକୁ ସାରା ଜୀବନ ଆଉ ନାଆ ବାହିବାର ଦରକାର ପଡିବନି । ତୁମର ବାକି ଜୀବନ ବଡ ଆରାମରେ କଟିଯିବ । ଏଥିରୁ ତୁମର ଯାହା ଇଚ୍ଛା ତୁମେ ନିଅ, ଏବଂ ମୋତେ ବାକି ସବୁ ସାଥିରେ ନେଇ ଯିବାକୁ ଦିଅ ।

ନାଉରୀଆ ଥରେ ଗଣ୍ଟିଲିର ରତ୍ନ ମାନଙ୍କୁ ଦେଖିଲା, ଆଉଥରେ ଦିଗମ୍ବର ବାବୁଙ୍କ ମୁଁହକୁ ଚାହିଁ ହୋ ହୋ ହୋଇ ହସି ଉଠିଲା । କହିଲା, ଏସବୁ ମୂଲ୍ୟବାନ ସମ୍ପତ୍ତି ? ଏଇ ସବୁ ମୂଲ୍ୟବାନ ସମ୍ପତ୍ତି ଏକାଠି କରିବାକୁ ତୁମେ ତୁମର ମୂଲ୍ୟବାନ ଜୀବନର ଅତିମୂଲ୍ୟବାନ ସମୟ ସବୁ ନଷ୍ଟ କରିଦେଲ? ଠିକ୍ ଅଛି, ତୁମକୁ ଯାହା ଠିକ୍ ଲାଗିଲା ତୁମେ କଲ । କିନ୍ତୁ, ତୁମର ଏ ମୂଲ୍ୟବାନ ରତ୍ନ ସବୁ ମୋର କିଛି କାମର ଜିନିଷ ନୁହେଁ, ମୋ ପାଇଁ ଏସବୁର କିଛି ମୂଲ୍ୟନାହିଁ । ଛାଡ ସେ ଯାହାହେଉ ! ମନେକର, ମୁଁ ତୁମକୁ ଏ ସବୁ ସମ୍ପତ୍ତି ସାଙ୍ଗରେ ନେଇ ଯିବାକୁ ଅନୁମତି ଦେଇଦେବି, ଏସବୁ ସାଥିରେ ନେଇ ତୁମକୁ ସେଠି ପହଞ୍ଚାଇ ଦେବି, କିନ୍ତୁ ତୁମେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ, ଏସବୁ ନେଇ, ତୁମେ ସେଠି କରିବ କଣ ?

ଦିଗମ୍ବର ବାବୁ ନାଉରୀଆକୁ କହିଲେ ମୋ ପାଖକୁ ଆସ, ମୁଁ ତୁମ କାନରେ କହିବି, ଆଉ କିଏ ଶୁଣିଦେବ ଏ ଗୁମର କଥା । ତୁମେ ଜାଣିନ, ଏ କମ୍ପିଟେସନ ଯୁଗରେ ବିଜିନେସ ସିକ୍ରଟସ କେତେ ଗହନ କଥା । ଏ କାନ କଥା ଆର କାନକୁ ଖବର ହେବନି । ନାଉରୀଆ ଟିକେ ମୁଚୁକି ହସିଲା, କହିଲା ଦେଖୁନ, ଆଖପାଖ ତ ଦୂରର କଥା, ଜୋଜନ ଜୋଜନ କୋସ ଦୂର ପର୍ଯ୍ୟନ୍ତ ଜନ ମାନବ କେହି ନାହାନ୍ତି । ଏଇଠି କେବଳ ତୁମ ମୋ ଛଡା ତୃତୀୟ କେହି ନାହିଁ । ଦିଗମ୍ବର ଟିକେ ଆସ୍ୱସ୍ଥ ହେଲେ । କହିଲେ ଆଜି ଯୁଗରେ ଧନ ସବୁଠି ଦରକାର । ଧନ ନଥିଲେ କେହି ବି କାହାକୁ ବାସିମୁହଁରେ ପଚାରିବେ ନାହିଁ । ଆରେ, ମୁଁ ନୁଆ ଦେଶ, ନୁଆ ଜାଗା ଯାଉଛି, ଏ ଦେଶର କରେନ୍ସି ନୋଟ ତ ସେଠି ଚାଲିବନି, କିନ୍ତୁ ସୁନା, ରୂପା, ହୀରା, ମୋତି ମାଣିକ ସବୁଠି ଚାଲିଯିବ । ତେଣୁ ସେଠି ଏ ସବୁ ବଦଳେଇ, ଜାଗାଖଣ୍ଡେ କିଣି ନିଜର ମହଲଟିଏ ତିଆରି କରିବି ତାପରେ ଲୋକଙ୍କୁ ଟଙ୍କା ପଇସା, ମଦ, ମାଂସ ଖୋଇ ପେଇ ଇଲେକ୍ସନରେ ଠିଆ ହୋଇ ମନ୍ତ୍ରୀ ବନିଗଲେ ପୁଣି ଦେଖିବ ମୋ କମାଲ, ଦିନେ ତୁମର ସେ ଦେଶରେ ରାଜା ବି ହୋଇଯିବି ।

ଦିଗମ୍ବରଙ୍କ କଥା ଶୁଣି ନାଉରୀଆ ଖୁବ୍ ଜୋରରେ ହୋ ହୋ ହୋଇ ହସି ଉଠିଲା ପାଗଳଙ୍କ ପରି, ହସି ହସି ବେଦମ ହୋଇଗଲା । ତାପରେ ହସ ବନ୍ଦକରି ଟିକେ ଦମ୍ ନେଇ କହିଲା, ଆଚ୍ଛା ଦିଗମ୍ବର, ତୁମେ ଯେଉଁ ଦେଶକୁ ଯାଉଛ ସେ ଦେଶ ବିଷୟରେ କିଛି ଜାଣିଛ ? ମୋତେ ଲାଗୁଛି ତୁମେ କିଛି ଜାଣିନ କି ଶୁଣିନ । ହଁ ତୁମେ ତ ସାରା ଜୀବନ ଧନ ଅର୍ଜନରେ ବ୍ୟସ୍ଥ ରହିଲ, ଏସବୁ ଜ୍ଞାନ ପାଇଁ ତୁମ ପାଖରେ ସମୟ କେଉଁଠି ଥିଲା । ଜାଣିନ ଯଦି ମୁଁ କହୁଛି ଶୁଣ । ତୁମେ ଯେଉଁ ଦେଶକୁ ଯାଉଛ ସେ ଦେଶରେ ଦୁଇଟି ଜାଗା ଅଛି । ଗୋଟିଏ ହେଉଛି ସ୍ୱର୍ଗଲୋକ, ଆରଟି ନର୍କଲୋକ । ତୁମେ ତା ମଧ୍ୟରୁ କେଉଁ ଜାଗାକୁ ଯିବ ସେକଥା ସେଠି ପହଞ୍ଚିଲା ପରେ ତୁମକୁ ଜଣାଇ ଦିଆଯିବ । ଦ୍ୱିତୀୟ କଥା, ତୁମେ ସେଠି ପହଞ୍ଚିଲା ବେଳକୁ ତୁମର ଏ ଶରୀର ସେଠି ନଥିବ । ସେଠି କହାର ବି ଶରୀର ନାହିଁ । ଶରୀର ନାହିଁ ତ ନାମ ବି ନାହିଁ । ଶରୀର ନାହିଁ, ତ ପୋଶାକର ଆବଶ୍ୟକତା ନାହିଁ, ଶରୀର ନାହିଁ ତ ଭୋକ ବି ନାହିଁ, ଶୋଷ ବି ନାହିଁ, କାମନା ନାହିଁ । କିଛି ଅନୁଭବ ବି ନାହିଁ, ଶୀତ ଖରା ବର୍ଷାର ଡର ନାହିଁ, କାହା ସହିତ କାହାର କିଛି ସମ୍ପର୍କ ନାହିଁ, ଲୋଭ ନାହିଁ, ପ୍ରେମ, ଘୃଣା, ଇର୍ଷା, ହିଂସା, ଦୟା, କ୍ଷମା, ମାୟା ମମତା କିଛିନାହିଁ । କିଛି ନାହିଁର ସେ ସଂସାରରେ କେବଳ ଅଛି ଆନନ୍ଦ, ପରମାନନ୍ଦ । ପାଇବା, ହରାଇବା କିଛି ନାହିଁ ସେଠି । କିନ୍ତୁ ଅବଶୋଷ, ଗୋଟିଏ ବଡ ଦୁଃଖର କଥା କଣ ଜାଣ? ପ୍ରଶ୍ନିଳ ଆଖିରେ ଦିଗମ୍ବର ନାଉରୀଆ ମୁହଁକୁ ଚାହିଁ ରହିଁଲେ । ନାଉରୀଆ ନିର୍ବିକାର ଭାବେ କହିଲା, ଦିଗମ୍ବର, ତୁମକୁ ବଡ ଦୂର୍ଲଭ ମଣିଷ ଜନ୍ମ ମିଳିଥିଲା । କିନ୍ତୁ ତୁମେ ଅସଲ ମୂଲ୍ୟବାନ ସମ୍ପତ୍ତି ଏକାଠି ନକରି କେବଳ ମାଟି ଗୋଡି, ପଥର ଏକାଠି କରିବାରେ ତୁମର ସାରା ଜୀବନ ବ୍ୟର୍ଥରେ ବିତେଇ ଦେଲ ।

ଦିଗମ୍ବର ବଡ ନିରାଶ ନୟନରେ ନାଉରୀଆ ମୁହଁକୁ ଚାହିଁ ପଚାରିଲେ, ଏସବୁ ସୁନା, ରୂପା ହୀରା, ମୋତି, ମାଣିକ ଯଦି ମାଟି ଗୋଡି ପଥର ତେବେ ଅସଲ ମୂଲ୍ୟବାନ ସମ୍ପତ୍ତି ପୁଣି କାହାକୁ କହୁଛ ତୁମେ? ନାଉରୀଆ ଟିକିଏ ହସି କହିଲା, କେବେ କେଉଁ ଦୁଃଖି ମୁହଁରେ ଟିକେ ହସ ଦେଲା ବେଳେ ଯେଉଁ ଆତ୍ମ ତୃପ୍ତି ମିଳେ, କେଉଁ ଭୋକିଲା ଲୋକକୁ ମୁଠାଏ ଖାଇବାକୁ ଦେଇ ଯେଉଁ ଆଶିର୍ବାଦ ମିଳେ । କେଉଁ ଅସହାୟ ବ୍ୟକ୍ତିକୁ ଟିକେ ସହାୟତା ଦେଇ ଯେଉଁ ଖୁସି, ନିଜର ଆତ୍ମୀୟ ଜନଙ୍କ ସହିତ ଦିଘଢି ସମୟ ବିତେଇବାର ଆନନ୍ଦ, ବନ୍ଧୁମାନଙ୍କର ଶୁଭେଚ୍ଛା, ଗୁରୁଜନମାନଙ୍କୁ ସେବା କରିବାରେ ସେମାନଙ୍କର ଯେଉଁ ଆଶିର୍ବାଦ ମିଳେ, ଛୋଟ ମାନଙ୍କୁ ସ୍ନେହ ପ୍ରେମ ଦେଇ ଯେଉଁ ଆନନ୍ଦ ମିଳେ ଏବଂ ସେମାନଙ୍କର ଯେଉଁ ଶ୍ରଦ୍ଧା ମିଳେ ସେସବୁ ହେଉଛି ଅସଲ ମୂଲ୍ୟବାନ ସମ୍ପତ୍ତି । କିନ୍ତୁ ତୁମେ ସେସବୁ କାଣିଚାଏ ବି ଅର୍ଜନ କରି ପାରିଲନି । ତୁମେ ସବୁ ଜିନିଷକୁ ପଇସାରେ ତଉଲିକରି ଦେଖିଲ । ଭାବିଲ ସବୁ କିଛି ପଇସା ବଦଳରେ କିଣି ହୋଇଯିବ । ଅବଶୋଷ ତୁମେ ଯେଉଁ ସମ୍ପତ୍ତି ଏକାଠି କଲ ସେସବୁ ଆଜି ତୁମର କିଛି କାମରେ ଆସିବନି । ସେସବୁ ତୁମେ ସାଥିରେ ବି ନେଇ ପାରିବନି । ଏତେ କଷ୍ଟରେ ଅର୍ଜନ କରିଥିବା ତୁମର ଏ ସମ୍ପତ୍ତି ଏଇଠି ଏମିତି ଅନ୍ୟର ଭୋଗ ବିଳାଶ ପାଇଁ ତୁମକୁ ଛାଡିଦେଇ ଯିବାକୁ ହେବ । ତୁମକୁ ଛୋଟ ଗୋଟିଏ ଗପ କହୁଛି ଶୁଣ, ମାଠିଆ ଆଉ ପଲମର କାହାଣୀ;

ଅନେକ ଦିନ ତଳର କଥା, ଉଡ୍ର ଦେଶରେ ସୋମନାଥ ନାମରେ କୁମ୍ଭାରଟିଏ ଥିଲା । ସେ ନିତି ମାଟିରେ ବିଭିନ୍ନ ପ୍ରକାରର ପାତ୍ର ତିଆରି କରେ । ମାଟିରେ ପାଣି ପକାଇ ତାକୁ ନିଜ ଗୋଡରେ ଦଳି ଚକଟି ପାତ୍ର ତିଆରି ପାଇଁ ମାଟି ପ୍ରସ୍ତୁତ କରେ, ତା ପରେ ସେଇ ମାଟି ପିଣ୍ଡୁଳାକୁ ଚକରେ ବୁଲାଇ ଆକାର ଦିଏ ପୁଣି ସେଇ ଆକାର ଗୁଡିକୁ ପଟିପିଟି ଠିକ୍ ଆକାରର ବିଭିନ୍ନ ବସ୍ତୁ ହାଣ୍ଡି, ମାଠିଆ କଡେଇ ପଲମ ଆଦି ତାଆରି କରେ । ତାପରେ ସେଇ କଞ୍ଚମାଟିର ପାତ୍ର ସବୁକୁ ନିଆଁ ଭାଟିରେ ପୋଡି ମଝଭୂତ କରିଦିଏ ।

ନିଜେ ତିଆରି କରିଥିବା ପାତ୍ର ସବୁ ନେଇ ବଜାରରେ ବିକ୍ରି କରିଦିଏ । ଦିନେ ଜଣେ ସୌଦାଗର ସେଇ ପାତ୍ର ମଧ୍ୟରୁ ଗୋଟିଏ ତାୱା (ପଲମ) ଆଉ ଗୋଟିଏ ମାଠିଆ କିଣିନେଲେ । ସୌଦାଗର ପ୍ରତିଦିନ ମାଟି ମାଠିଆଟିରେ ପାଣି ଭରିଦିଅନ୍ତି ଏବଂ ସୌଦାଗରଙ୍କ ପତ୍ନୀ ପଲମଟି ନେଇ ପିଠା କରିବା ପାଇଁ ଚୁଲିରେ ବସାଇ ଦିଏ । ସବୁ ଦିନ ଏପରି ହୁଏ । ପ୍ରତିଦିନ ପାଣି ସରିବା ଆଗରୁ ମାଠିଆରେ ପାଣି ଭରିଦିଆଯାଏ ଆଉ ପଲମକୁ ପିଠା କି ରୋଟି ସେକିବା ପାଇଁ ଚୁଲିରେ ନିଆଁ ଉପରେ ବସେଇ ଦିଆଯାଏ । ପିଠା ପୋଡି ଯିବା ଆଗରୁ ପିଠାକୁ ବାହାର କରି ଦିଆଯାଏ । ଦିନେ ପଲମ ଦୁଃଖି ହୋଇ ମାଠିଆକୁ କହିଲା, ଭାଇ, ତୁମେ କେତେ ଭାଗ୍ୟବାନ । କେହି ତୁମ ପେଟ ଖାଲି ହେବାକୁ ଦେଉନି । ତୁମ ପେଟ ଖାଲି ହେବା ଆଗରୁ କେହିନା କେହି ପୁଣି ଶିତଳ ଜଳରେ ତୁମ ପେଟ ଭରି ଦେଉଛ । କିନ୍ତୁ ମୋତେ ସବୁବେଳେ ଗରମ ଚୁଲା ଉପରେ ବସେଇ ଦିଆ ଯାଉଛି । ମୋତେ ଖାଇବାକୁ ପିଠା ଦେଉଛନ୍ତି କିନ୍ତୁ ମୁଁ କିଛି ଖାଇବା ଆଗରୁ ସୌଦାଗର ପତ୍ନୀ ମୋ ଖାଦ୍ୟ ମୋ ମୁହଁରୁ ବାହାର କରି ନେଉଛି । ମୁଁ ପିଠା ତିଆରି କରୁଛି ହେଲେ ସବୁଦିନ ଭୋକିଲା ରହୁଛି । ମୋର ଏତେ କଷ୍ଟସାଧ୍ୟ ପରିଶ୍ରମର ଫଳ ଅନ୍ୟମାନେ ଭୋଗ କରୁଛନ୍ତି । ମାଠିଆ ପାଖରେ ପଲମ ପାଇଁ କିଛି ସାନ୍ତ୍ୱନାବାଣୀ ଶୁଣାଇବାକୁ ନଥିଲା ତେଣୁ ସେ ଚୁପ ରହିଲା ।

ଗପଟିକୁ ଏଇଠି ଶେଷକରି ନାଉରୀଆ ଦିଗମ୍ବରକୁ ପଚାରିଲା, ଏବେ କୁହ ଦିଗମ୍ବର, କୁମ୍ଭାର ମାଠିଆ ଆଉ ପଲମକୁ ଏକା ପ୍ରକାର ପ୍ରଣାଳୀରେ ଗଢିଲା । ମାଟିକୁ ପାଦରେ ଦଳି ଚକଟିଲା, ଚକରେ ବୁଲାଇ ପୁଣି ଦୁହିଙ୍କୁ ଆକାରଦେଲା, ପିଟି ପିଟି ପଲମ ଆଉ ମାଠିଆ ଗଢିଲା, ପୁଣି ନିଆଁ ଭାଟିରେ ପୋଡି ଦୁହିଙ୍କୁ ମଝଭୂତ କଲା । ହେଲେ ମାଠିଆ ଆଉ ପଲମ ଦୁହିଙ୍କର ଭାଗ୍ୟ ଅଲଗା । ଜଣେ ଶାନ୍ତିରେ ଶିତଳତା ଭିତରେ ଆରାମରେ ଦିନ କାଟୁଛି, ଆଉଜଣେ ନିତି ନିତି ପୁଣି ସେଇ ନିଆଁରେ ପୋଡୁଛି ଏବଂ ଭୋକିଲା ବି ରହୁଛି । ପଲମ ମାଠିଆକୁ ତାର ଯେଉଁ ଦୁଃଖ କାହାଣୀ ଶୁଣାଇଲା ତାର ଉତ୍ତର ତୁମକୁ ଜଣାଥିଲେ କୁହ ।

ଦିଗମ୍ବର ଟିକେ ଭାବିଚିନ୍ତି କହିଲେ, ଏ ସବୁ ତ ଭାଗ୍ୟର ଫଳ, ପଲମ ଭାଗ୍ୟରେ ନିତି ନିଆଁରେ ଜଳି ବି ଭୋକିଲା ରହିବା ଲେଖା ହୋଇଛି ଏବଂ ମାଠିଆ ଭାଗ୍ୟ ବହୁତ ଭଲ ତା ପେଟ ସବୁବେଳେ ଶୀତଳ ଜଳରେ ଭରି ରହୁଛି । ଦିଗମ୍ବରଙ୍କ ଉତ୍ତର ଶୁଣି ନାଉରୀ ଟିକେ ମୁଚୁକି ହସି କହିଲା, ନା’ ଏସବୁ ଭାଗ୍ୟର ଫଳ ନୁହେଁ । ଏ ସବୁ କର୍ମର ଫଳ ! ମଣିଷର କର୍ମ ହିଁ ତାର ଭାଗ୍ୟ ଲେଖିଥାଏ । ଯେପରି କର୍ମ କରିବ ଭାଗ୍ୟ ସେହି ପରି ଫଳ ଦେବ । ଏଇ ଦେଖୁନ, ସବୁଦିନ ମାଠିଆରେ ଜଳ ତ ଭରି ଦିଆଯାଉଛି, କିନ୍ତୁ ମାଠିଆ ତାର ଯେତିକି ଆବଶ୍ୟକ ସେତିକି ପିଇ ବାକି ପାଣିକୁ ନିର୍ଲୋଭ, ନିର୍ବିକାର ଚିତ୍ତରେ ତୃଷାର୍ତ୍ତ ମାନକୁ ପିଇବାକୁ ଦେଇଦେଉଛି । ତିଳେ ବି କୃପଣତା ଦେଖାଉ ନାହିଁ, ତେଣୁ ତା ପେଟ ଖାଲି ହେବା ପୂର୍ବରୁ ସେଥିରେ ପାଣି ଭରି ଦିଆଯାଉଛି, କିନ୍ତୁ ପଲମର ଅବସ୍ଥା ପୁରା ଓଲଟା, ପଲମର ପ୍ରକୃତି ସବୁକିଛି ଆତ୍ମସାତ କରିବା । ଯଦି ତା ଉପରେ ପିଠାକୁ ଛାଡି ଦିଆଯାଏ ତେବେ କଣ ହେବ? ପଲମ ସମ୍ପୂର୍ଣ୍ଣ ପିଠାକୁ ଆତ୍ମସାତ କରି ଖାଇଯିବ (ଜାଳିଦେବ) କିଛି ବି ଛାଡିବନି କାହାପାଇଁ । ସେଥିପାଇଁ ଠିକ୍ ସମୟରେ ପିଠାକୁ ବାହାର କରି ନିଆଯାଏ, ଆଉ ପଲମ ନିତି ନିଜେ ଜଳେ କିନ୍ତୁ ତାର ପରିଶ୍ରମର ଫଳ ଭୋଗକରି ପାରେନା, ତା ପରିଶ୍ରମର ଫଳ ଅନ୍ୟମାନେ ଭୋଗ କରନ୍ତି । ସେମିତି ତୁମେ ତୁମ ଜୀବନକୁ ପଲମଟିଏ ପରି କରିଦେଲ । ଦିନରାତି କଠିନ ପରିଶ୍ରମ କଲ, ଅମାପ ଧନ ଅର୍ଜନ କଲ କିନ୍ତୁ ତୁମ ଶ୍ରମର ଫଳ ଅନ୍ୟମାନେ ଭୋଗକଲେ ଏବଂ ଆଜି ଯାହା କିଛି ବି ବଳିଛି ସେସବୁ ତୁମର କିଛି କାର୍ଯ୍ୟରେ ଆସିବନି । ସେଇ ଧନ ସବୁ ଏଇଠି ଅନ୍ୟମାନଙ୍କର ଭୋଗ ବିଳାଶ ପାଇଁ ଛାଡିଦେଇ ଯିବ । ଯଦି ତୁମେ ତୁମ ଜୀବନକୁ ମାଠିଆ ପରି କରିପାରି ଥାଆନ୍ତ, ତେବେ ସାରା ଜୀବନ ସୁଖ ଭୋଗି ଥାଆନ୍ତ ଏବଂ ଆଜି ତୁମ ପାଖରେ ଅଜସ୍ର ଅସଲ ମୂଲ୍ୟବାନ ସମ୍ପତ୍ତି ଜମା ଥାଆନ୍ତା, ଯାହା ତୁମଠାରୁ କେହି ଛଡାଇ ନେଇ ପାରି ନଥାନ୍ତା, ଏବଂ ସେ ସମ୍ପତ୍ତି ଆର ପାରିରେ ତୁମକୁ ସ୍ୱର୍ଗସୁଖ ଦେଇପାରି ଥାଆନ୍ତା । ଏତିକି କହି ନାଉରୀଆ ଚୁପ୍ ହୋଇଗଲା ।

ନାଉରୀଆର କଥା ଶୁଣି ଦିଗମ୍ବର ନିଜ ମଥାରେ ହାତବାଡେଇ ତଳେ ଥକା ମାରି ବସିଗଲେ । କହିଲେ ହେ ନାଉରୀଆ ଆପଣ ଠିକ୍ କହିଲେ । ମଣିଷ ତାର ଜୀବନରେ ଭାଗ୍ୟର ଫଳ ନୁହେଁ ନିଜ କର୍ମର ଫଳ ହିଁ ଭୋଗିଥାଏ । ଆପଣ ମୋର ଆଖି ଖୋଲିଦେଲେ । ହେଲେ ମୁଁ ହତଭାଗା, ଆଜି ନିଜକୁ ସୁଧାରିବା ପାଇଁ ମୋ ପାଖରେ ତିଳେ ବି ସମୟ ବଳକା ନାହିଁ । ହେ ନାଉରୀଆ, ହେ ମହାଜ୍ଞାନୀ, ଆପଣ ଜଣେ ସାମାନ୍ୟ ନାଉରୀଆ ହୋଇ ନପାରନ୍ତି । ଆପଣ ଦୟାକରି ମୋତେ ନିଜ ପରିଚୟ ଦିଅନ୍ତୁ, ଆପଣ କିଏ?

ନାଉରୀଆ କହିଲା ସମସ୍ତେ ଭାବନ୍ତି ମୁଁ ସମସ୍ତଙ୍କର ପରମ ଶତ୍ରୁ, ମୁଁ ବିକରାଳ ମୁହଁ ଦେଖାଇ ଅଟ୍ଟହାସ୍ୟ କରେ । ଯିଏ ବି ମୋତେ ଥରେ ଦେଖିଛି, ଯିଏ ମୋତେ ଥରେ ଜାଣିଛି, ସିଏ ତ କେବେ ବି ଫେରି ଯାଇ ପାରିନି ତେବେ ଏତେକଥା ସମସ୍ତଙ୍କୁ କିଏ କହିଲା । ହେ ବନ୍ଧୁ, ମୁଁ ତୁମ ଜନ୍ମଦିବସର ପ୍ରଥମ ଦିନରୁ ପ୍ରତି ମୁହୁର୍ତ୍ତରେ ତୁମ ସାଥିରେ ଅଛି । ତୁମେ ମୋତେ ଦେଖି ପାରୁନ, କେବେ ଦେଖିବାକୁ ବି ଚାହୁଁନ । କେହି ମୋତେ ଭଲ ପାଏନା । ଶୁଣା କଥାରେ ବିଶ୍ୱାସ କରି ସମସ୍ତେ ମୋତେ ସତରେ କେତେ ଘୃଣା କରନ୍ତି ! ମୁଁ ତୁମ ପାଇଁ ଯେପରି ଆସିଛି, ସମସ୍ତଙ୍କ ପାଇଁ ଦିନେ ନା ଦିନେ ସେହିପରି ଠିକ୍ ସମୟରେ ଆସିବି । ନା’ ସମୟର ଆଗରୁ ଆସିବି ନା’ ପଛରେ, ମୂହୁର୍ତ୍ତକର ଫରକ ବି ରହିବନି ।

ସମସ୍ତେ ଦିନେ ମୋ ସାଥିରେ ଏଇ ଶୂନ୍ୟତାର ସଂସାରକୁ ଆସିବେ । ଏଇ ଶୂନ୍ୟତାର ସଂସାର ପରମ ଆନନ୍ଦରେ ପରିପୂର୍ଣ୍ଣ । ନା’ ଏଠି କଷ୍ଟ ଅଛି, ନା’ ଲୁହ’ ନା’ ହସର ଜୁଆର ଅଛି । ଆସକ୍ତିର ବହୁ ଦୂରରେ ନିରାସକ୍ତର ଏଇ ଦୁନିଆ, ନା ଏଠି ସମ୍ପର୍କ ଥାଏ, ନା କେହି ବନ୍ଧୁ ନା କେହି ଶତ୍ରୁ, ନା କିଛି ମାୟାର ବନ୍ଧନ ଥାଏ । ନିର୍ମାୟା, ନିର୍ଲିପ୍ତ, ଅନାଶକ୍ତର ଏଇ ମୋର ସଂସାର । ଲୋଭ ନାହିଁ, ହିଂସା ନାହିଁ, ପ୍ରେମ ନାହିଁ କିମ୍ବା ବିରହ ଜନ୍ତ୍ରଣା ବି ନାହିଁ । ଏଇଠି କାହାର ରୂପ ନାହିଁ, ଯୈବନ ନାହିଁ, ବୟସର କିଛି ଫରକ ନାହିଁ, କାମ କାମନାର ଜ୍ୱଳନ, କ୍ଷୁଧା, ତୃଷା ଲୋଭ ଅଂହକାର କିଛିବି ନାହିଁ । ଏଇଠି ନା’ ଜନ୍ମ ଅଛି ନା’ ପୁଣି ମୃତ୍ୟୁର ଭୟ ଅଛି । କିଛି ନାହିଁର ଏଇ ମୋର ଦୁନିଆ । ଏଇ ଶୁନ୍ୟତାରେ ନିରାନନ୍ଦ, ନିରାଶକ୍ତ ନିର୍ଲିପ୍ତତାର ପରମାନନ୍ଦକୁ ସମସ୍ତେ କାହିଁକି ଏତେ ଡରନ୍ତି କେଜାଣି ? ମୁଁ ସମସ୍ତଙ୍କୁ ପରମ ଶାନ୍ତି ପ୍ରଦାନ କରିଥାଏ, ସଂସାରର ସମସ୍ତ ଦୁଖ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ମୁଁ ଆଉ କେହି ନୁହେଁ ମୁଁ ସମସ୍ତ ଜୀବ ଜଗତର ପରମ ମିତ୍ର ‘ମୃତ୍ୟୁ’ !

ଥରେ ଦେଖାହେଲା ପରେ, ତୁମେ ମୋର ହୋଇଯିବ ଆଉ ମୁଁ ତୁମର ହୋଇଯିବି । ଏବଂ ତୁମ, ମୋ ମଝିରେ ଆଉ କେହି ବି ନଥିବ । ମୋ ନିବିଡ ବାହୁ ବନ୍ଧନରୁ ନା ତୁମେ ଯାଇ ପାରିବ ନା ତୁମେ ଯିବାକୁ ଚାହିଁବ । କେବଳ ମୁଁ ହିଁ ସମସ୍ତ କଷ୍ଟରୁ ମୁକ୍ତି, ସମସ୍ତ ମାୟା ବନନ୍ଧନରୁ ମୁକ୍ତି ଦେଇପାରେ ।

ଦିଗମ୍ବର ହାତଯୋଡି ମୃତ୍ୟୁଙ୍କୁ ପ୍ରଣାମ କରି କହିଲେ, ହେ ପରମ ମିତ୍ର, ମୋତେ ଯଦି ଆଉ ଥରେ ମାନବ ଜନ୍ମ ମିଳେ ମୁଁ ମାଟିର ମାଠିଆଟିଏ ପରି ହେବାକୁ କାୟା ମନ ବାକ୍ୟରେ ସମ୍ପୁର୍ଣ୍ଣ ଚେଷ୍ଟାକରିବି । ମୁଁ ଆଜି ମୋର ସମସ୍ତ ସମ୍ପତ୍ତି ଏଇଠି ଛାଡି ରିକ୍ତ ହସ୍ତରେ ଆପଣଙ୍କ ସହିତ ଯିବାପାଇଁ ପ୍ରସ୍ତୁତ । ଆପଣ ମୋତେ ଆପଣଙ୍କର ଶରଣରେ ନିଅନ୍ତୁ । ମୃତ୍ୟୁ ନିଜର ବାହୁ ପଶାରୀ ଦିଗମ୍ବରଙ୍କୁ ଆପଣାର ନିବିଡ ବାହୁବନ୍ଧନରେ କୁଣ୍ଢେଇ ଧରିଲେ । (ଗଳ୍ପଟି ମୋ କବିତା “ମୃତ୍ୟୁ”ର ଛାୟାରେ ଲିଖିତ) ।

***10/07/2018***