ମିନିଗଳ୍ପ-ଜମଦଣ୍ଡ

ପ୍ରବଚନ ଚାଲିଥାଏ । ପଣ୍ଡିତ ମହାଶୟ ଗୀତାଜ୍ଞାନରେ ମୃତ୍ୟୁ ପରେ ପରେ କଣ ହୁଏ ବୁଝାଉ ଥିଲେ, କହିଲେ, ଉପରେ ଥାଇ ଧର୍ମଦେବତା ସବୁ ଦେଖୁଛି । ଜମ ଦରବାରରେ ଚିତ୍ରଗୁପ୍ତ ସମସ୍ତ ମଣିଷଙ୍କର ପଞ୍ଜିକା ମେଳେଇ ବସିଛି । ଯାହାର ଯେଉଁଦିନ ଆୟୁଷ ସରିଯାଏ, ସେଦିନ ଜମଦୂତମାନେ ଆସି ପହଞ୍ଚି ଯାଆନ୍ତି । ଚମଦଉଡିରେ ଜୀବର ପ୍ରାଣକୁ ବାନ୍ଧି ନେଇ ଯାଆନ୍ତି ଆଉ ଜମ ଦରବାରରେ ପେଶ କରନ୍ତି । ଜମ ଦଣ୍ଡର ଦେବତା, ସମସ୍ତଙ୍କର ପାପ ପୂଣ୍ୟର ପୋଥିନେଇ ବସିଛି, ହିସାବ କିତାବ କରି କେତେ ପାପ କେତେ ପୂଣ୍ୟ ଅର୍ଜନ କରିଛ ତାର ହିସାବ କରି କିଏ ନର୍କକୁ ଯିବ ଆଉ କିଏ ସ୍ୱର୍ଗକୁ ଯିବ କହିବ । ପାପ ଅନୁଶାରେ ଜୀବକୁ ନର୍କରେ ଗରମ ତେଲରେ ପକେଇବେ କି କଣ୍ଟାର ଗଦାରେ ପିଟିବେ କି ନିଆଁର ପକେଇ ସୁଖୁଆ ପରି ପୋଡି ପୋଡି ଦଣ୍ଡଦେବେ ସେକଥା ବିଚାର କରିବେ । ଏ ସବୁ ଶୁଣି ପ୍ରବଚନ ଶୁଣୁଥିବା ହରାଦାସ, ପଣ୍ଡିତ ମହାଶୟଙ୍କୁ ପଚାରିଲା ପଣ୍ଡିତ ମହାଶୟେ, ଟିକିଏ ଆଗରୁ ଆପଣେ କହୁଥିଲେ ମଣିଷ ମରିଗଲା ପରେ ମଣିଷଦେହ ଏଇଠି ରହିଯାଏ, ପଞ୍ଚଭୂତର ଶରୀର ପଞ୍ଚଭୂତରେ ମିଶି ଯାଏ, ତେବେ ଜମଦୂତ କାହାକୁ ନେଇ ଯିବେ? ପଣ୍ତିତେ ଟିକେ ନାରାଜ ହୋଇ କହିଲେ, ହଇଓ କହିଲି ପରା ଜମଦୂତମାନେ ପ୍ରାଣକୁ ନେଇକରି ଯିବେବୋଲି । ଶରୀର ଆଉ ପ୍ରାଣ କଣ ବୁଝିଛଟି ? ହରିଦାସ କହିଲା, ହଁ ପଣ୍ଡିତେ ଟିକିଏ ଆଗରୁ ତ ଆପଣ ବୁଝଉଥିଲେ, ପ୍ରାଣ ମାନେ ଆତ୍ମା । ପଣ୍ଠିତେ କହିଲେ, ହଁ, ଠିକ୍ ବୁଝିଛ, ପ୍ରାଣ ମାନେ ଆତ୍ମା ସେଇଟା ଭଗବାନ ପରମାତ୍ମାର ଅଂଶ, ଆଉ ଏଇ ଶରୀର ପଞ୍ଚଭୂତରେ ଗଢା । ମରିଗଲା ପରେ ଶରୀର ଏଇଠି ରହିଯିବ, ଜଳେଇଦେଲେ ପଞ୍ଚଭୂତ ପଞ୍ଚମହାଭୂତରେ ବିଲିନ ହୋଇଯାଏ । ହରିଦାସ ଯେପରି କିଛି ବୁଝିପାରୁନଥିଲା ପଚାରିଲା, ପଣ୍ଡିତେ, ଜମଦୂତ ମାନେ ପ୍ରାଣ, ଆତ୍ମାକୁ ସାଙ୍ଗରେ ନେଇ ଯାଆନ୍ତି । ଟିକିଏ ଆଗରୁ ଆପଣେ ଯୋଉ କହୁଥିଲେ, ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ‘ନୈନଛିନ୍ଦନ୍ତି ଶସ୍ତ୍ରାଣୀ ନୈନ ଦହତି ପାବକଃ…’ ମାନେ ଆତ୍ମାକୁ ଶସ୍ତ୍ର କାଟି ପାରିବନି, ପାଣି ଓଦା କରି ପାରିବନି, ପବନ ଉଡେଇ ନେଇଯାଇ ପାରିବନି, ଅଗ୍ନି ଜଳାଇ ପାରିବନି, ସେଇ ଆତ୍ମାକୁ ଜମଦୂତ ନେଇ ଯାଆନ୍ତି ନା? ପଣ୍ଡିତେ ଏଥର ବିରକ୍ତ ହୋଇ କହିଲେ ହଁ ହୋ ସେଇ ଆତ୍ମାକୁ ଜମଦୂତ ମାନେ ନେଇ ଯାଆନ୍ତି । ହରିଦାସ ପଚାରିଲା, ଯେଉଁ ଆତ୍ମା ସହିତ କେହି କିଛି ବି କରାଯାଇ ପାରିବ ନାହିଁ, ତାକୁ ପୁଣି ଜମଦୂତ ମାନେ ଏତେ ଜମଯନ୍ତ୍ରଣା କେମିତି ଦିଅନ୍ତି ?? ପଣ୍ତିତେ କିଛି ସମୟ ଚୁପ୍ ରହି କହିଲେ, ଏ ସବୁ ଧର୍ମର କଥା, ବିଶ୍ୱାସର କଥା, ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର । ଏଥିରେ ତର୍କ କରନା, ପାପରେ ଭାଗୀ ହେବ, ମରିଗଲା ପରେ ଜମଦଣ୍ଡ ଭୋଗିବ ।

**25/09/2019***

Advertisements

ଯୁଦ୍ଧ ସରିନି Juddha Sarini

ଯୁଦ୍ଧ ସରିନି
କିଛି ଘଡିର ଯୁଦ୍ଧ ବିରାମ କେବଳ,
ଶିବୀରକୁ ଯାଅ,
କ୍ଷତାକ୍ତ ଶରୀରେ ମଲମ ଲଗାଇ
ଲହୁ ଲୁହ ଆଉ ବୁନ୍ଦା ବୁନ୍ଦା
ସ୍ୱେଦ କଣିକାର ଦାଗ ଧୋଇ ଦିଅ ।
ଏକ ନୂତନ କୁରୁକ୍ଷେତ୍ର
ଧର୍ମକ୍ଷେତ୍ର ନାହିଁ ଆଜି,
ନୁହେଁ ଧର୍ମ ଅବା ଅଧର୍ମ ଲଢେଇ
ଯୁଦ୍ଧ ନ୍ୟାୟ ଅନ୍ୟାୟର ପାଇଁ ।
କାହାପାଇଁ ଯୁଦ୍ଧ ଏଇ
ପେଟ ଚାଖଣ୍ଡର କ୍ଷୁଧାର ଲଢେଇ
କିଏ ଲଢିଯାଏ, କିଏ ଲଢେଇ ଦିଏ
ଥାଟବାଟ ଆଉ ରାଜ ସିଂହାସନ ପାଇଁ ।

ଅର୍ଜୁନ ବି ନାହିଁ ଆଜି
ତ୍ୟାଗୀଦେବ ଗାଣ୍ଡବ ତାର
ଅସହାୟ ହାତ ଟେକିଦେଇ
ଆପଣା ଜନର ଲହୁ କଳ୍ପନାରେ
କାକୁସ୍ଥ, ଜନାର୍ଦ୍ଦନ ପାଦେ ମଥା ନେବ ନୋଇ ।
କୃଷ୍ଣ ବି କାହିଁ ଆଜି ?
କିଏବା ଶୁଣଇ ଦେବ ଅମୃତ ଗୀତାବାଣୀ ।
ମହାମାନୀ ଦୂର୍ଯ୍ୟୋଧନ ମେଳେ
ସବୁରି ହୃଦୟେ ଜିତିବାର ଅଦମ୍ୟ ଲାଳସା
ଅସ୍ତ୍ରନାହିଁ ଶସ୍ତ୍ରନାହିଁ ଅଛି ଖାଲି
ମିଥ୍ୟା ପ୍ରତିଶୃତିର ଅମୋଘବାଣୀ ।
ଲୋଭ ପ୍ରଲୋଭନର ବ୍ରହ୍ମାସ୍ତ୍ରେ
ସଜ୍ଜିତ ରଥି ମହାରଥି,
ଏ କୁରୁକ୍ଷେତ୍ରେ ପରୋକ୍ଷ ଯୁଦ୍ଧରେ
ବଳି ପଡି ଯାଆନ୍ତି ଭାଇ ବନ୍ଧୁ ସାଥୀ
ଲୁଟିଯାଏ ସୁଖ ଶାନ୍ତି ଅର୍ଜିତ ସମ୍ପତ୍ତି ।

***12/10/2018***

ପ୍ରେମ ସତେ ଘଟଣା ଗୋଟିଏ Prema sate Ghatana gotie

ଏତେ ବଡ ଦୁନିଆରେ
ଆପଣାର ଅନେକ ଥିଲେ
ହେଲେ, ଥରୁଟିଏ ଦେଖାରେ
ତୁମେ ଆପଣାର କରିନେଲ
ମନକୁ ମୋର ବିନାମୂଲ୍ୟେ କିଣିନେଲ ।
ହୃଦୟ ବି ଚାଲିଗଲା ତୁମ ପଛେପଛେ
କି କିମିଆ କରିଦେଲ,
ନିଦ ମୋର ଚୋରିକରି ନେଲ,
ମନ ମୋର ଦୁନିଆର
ସବୁ ସମ୍ପର୍କକୁ ଭୂଲିଯାଏ
କେବଳ ତୁମରି କଥା
ଦିନରାତି ଗୁଣି ହେଉଥାଏ ।

ପ୍ରେମ ସତେ ଘଟଣା ଗୋଟିଏ,
ଅବା ହୃଦୟର ଅନୁଭବ କୁହ,
କେବେ କାହିଁକି କିପରି ଘଟିଯାଏ
କେବେ ତ ହୁଏନାହିଁ ଜାଣି,
ନା କେବେ
ପ୍ରେମ କରିବାକୁ ଭାବି ପ୍ରେମ କରିହୁଏ
ବିନା କିଛି ପ୍ରସ୍ତୁତିରେ
ପ୍ରେମ ଏଇମିତି ଅକଷ୍ମାତ ହୁଏ ।
କେଉଁ ଏକ ସକାଳରେ, ଦିନ ଦିପହରେ
ଅବା କେଉଁ ଅପରାହ୍ନେ,
ସଂଧ୍ୟାର ଅଳସ ପ୍ରହରେ,
ଆଖି ଆଖି ଲାଖିଯାଏ କାହା ଆଖିରେ
ଅବା କାହାର ପଦିଏ କଥାରେ
କୋଇଲିର କୁହୁ ତାନ ଶୁଭିଯାଏ,
ହୃଦୟର ବୀଣାର ତନ୍ତ୍ରୀରେ
କେଉଁ ଏକ ମିଳନର ରାଗ ଗୁଞ୍ଜରୀଯାଏ
ପ୍ରେମ ସତେ ଘଟଣା ଗୋଟିଏ
ସବୁବେଳେ ଏଇମିତି ଅକଷ୍ମାତ ହୁଏ ।

***20/09/2018***

ପଦିଏ କଥା Padie Katha

ତୁମେ ଠିକ୍ କହିଥିଲ,
ମୁଁ କିନ୍ତୁ ବୁଝି ପାରିଲିନି
କିମ୍ବା ବୁଝିବାକୁ ଚାହିଁଲିନି
ତୁମର ସେଇ ସିଧା ସାଧା କଥାଟି
ବୁଝିବାକୁ ସତେ କେତେ ଡେରି କରିଦେଲି ।
ସବୁକାମ ସାରିଲା ପରେ
ଜୀବନର ଏଇ କ୍ଳାନ୍ତ ସଂଧ୍ୟାରେ
ଅସ୍ତ ସୂର୍ଯ୍ୟପରି ଯେବେ ଥକିଗଲି
ମନେପଡେ ତୁମର ସେ କଥା କେଇପଦ
ହେଲେ ଆଜି କେତେ ଏକୁଟିଆ ହୋଇଗଲି ।

ତୁମର ସେଇ ପଦକ କଥା
ସତେ କେତେ ସାମାନ୍ୟ
ଆଉ କେତେ ଗହନ ଥିଲା
ହେଲେ ବଡ ହେବାର ନିଶା ମୋର
ମୋତେ ମୋର ଦୁନିଆରୁ ଦୂରେଇ ନେଲା ।
ଆଜି ମନେପଡେ ତୁମକଥା
ମନ ଦେଇଦେଲା ପରେ
ସେ ଆଉ ଫେରେଇ ହୁଏନା,
ହୃଦୟରେ ରଖିନେଲା ପରେ
ସିଏ ଆଉ ବାହାର ହୁଏନା,
ସେଇ ମଣିଷଟି ପ୍ରଣୟର ମନ୍ଦିରରେ
ଦିଅଁ ପାଲଟି ଯାଏ ସିନା ।

ଜୀବନଟା ବିତିଯାଏ ତାକୁ ଝୁରି ଝୁରି
ପ୍ରାଣବି ନିସ୍ପ୍ରାଣ ହୋଇଯାଏ,
ମୁଁ କେତେ ହତଭାଗା ଥିଲି
ତୁମକଥା ବୁଝିବାକୁ ଚାହିଁଲିନି
ସବୁ ଥାଇ ବି ଆଜି କଙ୍ଗାଳ ରହିଗଲି ।
ସମୁଦ୍ର କୂଳରେ ବୁଲିଲି
କେତେ ବାଲିଗରଡା ଆଉ
ସାମୁକା ଏକାଠି କଲି, ହେଲେ
ଅସଲ ମୁକୁତାକୁ ଅଣଦେଖା କରି
ସମୟର କେତେ ଆଗେ ବଢିଗଲି ।

***15/09/2018***

ନିଶବ୍ଦ ପ୍ରେମ Nisabda Prema

ନା ମୁଁ କିଛି କହିଥିଲି
ନା ତୁମେ କିଛି କହିଲ,
କିଛି ଶବ୍ଦ ବି ଜରୁରୀ ନଥିଲା
କହିବାକୁ ପ୍ରଣୟର କଥା ।
ଦୁନିଆ ନିଶବ୍ଦ ଥିଲା ଆମର
ନିରବତା ଜୀବନର ସହଚର,
ତଥାପି ଆମର ଏ ନିର୍ବାକ ଜୀବନେ
କିଛି କହିବା ଜରୁରୀ ନଥିଲା,
କିଛି ନକହି ନଶୁଣି ତଥାପି ଆଖି ବୁଝିଗଲା
ମନର ଭାଷା ଆଉ ପ୍ରେମର ଗଭୀରତା ।
ମୋ ଛାତିରେ ହାତ ଥାପିଦେଇ
ତୁମେ ପଢିନେଲ ଦୁକ୍ ଦୁକ୍ ସ୍ପନ୍ଦନରୁ
ମୋ ହୃଦୟର ପ୍ରଣୟର ଭାଷା ।
କେଇ ଜୋଡା ଶବ୍ଦ କମ୍ ପଡିଥାଆନ୍ତା
କହି ଦେବାକୁ ମୋର ପ୍ରେମର ଗଭୀରତା
କାଣିଚାଏ ପ୍ରେମପାଇଁ ମୋ ପ୍ରାଣର ତୃଷ୍ଣା ।

ତୁମେ ଯେବେ ସମର୍ପି ଦେଲ ନିଜକୁ
ମୋ ବାହୁର ନିବିଡ ବନ୍ଧନରେ
ହୃଦୟକୁ ହୃଦୟ ଛୁଇଁଗଲା
ପ୍ରଣୟ ସଞ୍ଚରିଗଲା ହୃଦୟରୁ ହୃଦୟକୁ
ଭାବ ବିନିମୟ ହେଲା
ଟରେଟକ୍କା ଟରେଟକ୍କା ତାରଘର ଭାଷା ।
ଆଖିରେ ଆଖି ଲାଖି ଗଲା
ବ୍ୟାପିଗଲା ସମଗ୍ର ଶରୀରେ
ବିଦ୍ୟୁତୀୟ ତରଙ୍ଗରେ ରୋମାଞ୍ଚିତ ଶରୀର
ଭରିଦେଲା ଏ ମନରେ ପ୍ରଣୟର ଆଶା ।

ପ୍ରେମ କେବେ ଲୋଡେ ନାହିଁ ଭାଷା
ଆଉ କେଇଯୋଡା ଶବ୍ଦ ଆଡମ୍ବର
ପ୍ରେମ ହୁଏ ନିଶବ୍ଦରେ ନିରବରେ
ହୃଦୟରୁ ପ୍ରେମ ଝରିଆସେ
ପ୍ରିୟାର କିଞ୍ଚିତ ତୀର୍ଚ୍ଛକ ଦୃଷ୍ଟିରେ,
ଓଠ କଣରେ ଟିକିଏ ଦୁଷ୍ଟାମୀ ହସରେ ।
ଆଖି ପଢିଯାଏ ଆଖିର କବିତା
ହୃଦୟର ଗତି ବଢିଯାଏ
ଗାଇଯାଏ ଗୁଣୁଗୁଣୁ ସୁରେ
ସମ୍ପର୍କର ସଂଗୀତ ମଧୂରେ
ମଳୟର ଗୁଞ୍ଜରଣେ ପ୍ରଣୟ ରାଗରେ ।

***19/09/2018***

* ପ୍ରେମ ପାଇଁ I love you କହିବା ତ ଜରୁରୀ ନୁହେଁ । ଯେଉଁମାନଙ୍କ ପାଇଁ ଏ ସଂସାର ନିଶବ୍ଦ ଏବଂ ନିରବ ସେମାନଙ୍କ ପାଇଁ କେବଳ ହୃଦୟର ଭାଷା ହିଁ ଯଥେଷ୍ଟ ।

ସନ୍ତାନକୁ ପଦେ Santanaku Pade

ତୁମପାଇଁ
ଦୁନିଆର ବୋଝ ଉଠାଉ ଉଠାଉ
ଆମେ ଦୁନିଆର ବୋଝ ପାଲଟିଗଲୁ,
ହେଲେ ତୁମେ ଆମ ପାଇଁ
କେବେବି ବୋଝତ ନଥିଲ,
ତୁମେ ଆମପାଇଁ ଦୁନିଆର
ସବୁଠାରୁ ଅମୂଲ୍ୟ ସମ୍ପଦ ଥିଲ,
ହେଲେ ଅବଶେଷେ
ଆମେ ତୁମ ବୋଝ ପାଲଟିଗଲୁ ।
ଏ ବୋଝ ତୁମେ ଉଠାଇବ
ଅବା ରାସ୍ତାକଡ ଅଳିଆଗଦାରେ
ଫୋପାଡି ଚାଲିଯିବ
ସେ ନିର୍ଣ୍ଣୟ ତୁମପାଇଁ ଛାଡିଦେଲୁ ।

ତାକୁ କରଜ ଭାବିବନି,
ତୁମ ପାଇଁ ଆମେ ଯାହାବି କରିଲୁ
ସେ ଆମର କର୍ତ୍ତବ୍ୟ ତ ଥିଲା
ଦୁନିଆରେ ତୁମେ ମୁଣ୍ଡଟେକି ଚାଲିବ
ତୁମପାଇଁ ଆମେ
କେତେ କେତେ ସ୍ୱପ୍ନ ଦେଖିଥିଲୁ ।
ଆମେ ଆମ କର୍ତ୍ତବ୍ୟ କରିଲୁ
କିନ୍ତୁ ତୁମେ ତୁମ କର୍ତ୍ତବ୍ୟ କରିବ
ଅବା ଫାଙ୍କିଦେଇ ଚାଲିଯିବ
ସେ ନିର୍ଣ୍ଣୟ ତୁମପାଇଁ ଛାଡିଦେଲୁ ।

ଯେତେ ତୁମ ଅଳି ଅଝଟ ରାଗ ରୁଷା
ତୁମ ଭୂଲ ଠିକ୍ ସବୁକିଛି
ହସି ହସି ସହିଗଲୁ,
ତୁମର ପ୍ରତିଟି କଥାକୁ ଶୁଣିଲୁ,
ଯେତିକି ସମ୍ଭବଥିଲା ସବୁ ପୁରାକଲୁ
ଆଜି ଆମକଥା ଶୁଣିବାକୁ
ତୁମପାଖେ ଦି’ଘଡି ସମୟ ଥିବ
ଅବା ସମୟର ଅଭାବ କହି
ତୁମେ ମୁହଁମୋଡି ଚାଲିଯିବ
ସେ ନିର୍ଣ୍ଣୟ ତୁମପାଇଁ ଛାଡିଦେଲୁ ।

କାଲି ଆମେ ଯାହାବି ଦେଇଥିଲୁ
ସେ ଆମ ସ୍ନେହ ମମତା
ଆଉ ଆମ ପ୍ରେମ ଉପହାର ଦେଲୁ ।
ତୁମକୁ ସବୁଦେଇ ତୁମ ଖୁସିଠାରୁ
ଆମେ ଅଧିକ ଖୁସି ହୋଇଥିଲୁ,
ତୁମ ମୁହଁରେ ହସଟିକେ ପାଇଁ
ସବୁକିଛି କରିଗଲୁ,
ସେ ସବୁ ଆମ ପ୍ରେମ ଥିଲା ।
ଆଜି ଆମେ ତୁମ ଦୟାର ଭୀକାରି ସାଜିଲୁ
ତୁମେ ଦୟା କରିବ ଅବା ସମ୍ମାନ ଦେବ
ସେ ନିର୍ଣ୍ଣୟ ତୁମପାଇଁ ଛାଡିଦେଲୁ ।

***01/08/2018***

ଖରାଦିନ ସର୍ଦ୍ଦି

ନାକୁ ବୋହିଯାଏ ଲୁଣିଆ ପାଣି
ଛିଙ୍କି ଛିଙ୍କି ପ୍ରାଣ ଅଧା ହେଲାଣି
କି ପାଗ ଦେଲା,
ସକାଳ ପହରୁ ଝାଳରେ ଗାଧୋଇ
ଗରମରେ ଏଠି ପ୍ରାଣ ଗଲାଣି ।

ବଇଦେ କହନ୍ତି ଥଣ୍ଡା ଧରିଛି,
ଉପରେ ଏତେଯେ ଖରା ହେଉଛି
କି ଯୁଗ ହେଲା,
ଭିତରେ ସରଦି ଉପରେ ଗରମ
ଏସି କୁଲରକୁ ମନା କରିଛି ।

ପାଣି ପିଇ ପିଇ ପେଟ ଭରୁଛି,
ଖାଇବାକୁ ହୁଏ ସବୁ ଅରୁଚି,
କି ବେଳ ହେଲା,
ଥଣ୍ଡା ପାଇଁ ମେଡିସିନି ଖାଉଛି
ହାତରେ ବିଞ୍ଚଣା ଧରି ବସିଛି ।

***17/04/2018***