କ୍ଷୁଦ୍ରଗଳ୍ପ-କେବେ ଆମ ଗାଆଁ ଆଡେ ଆସ Kebe Aam Gaan Ade Asa

କେବେ ଯଦି ଆମ ଗାଆଁଆଡେ ଆସିବାର ପ୍ରୋଗ୍ରାମ ହୁଏ, ତେବେ ଟିକିଏ ସମୟ ବାହାରକରି, ଦୁଇ ମିନିଟ୍ ପାଇଁ ଆମ ଘରଆଡେ ଆସିବ, ମୁହଁମାରିଦେଇ ଯିବ । ବହୁତଦିନ ପରେ ଆସୁଛ, ସବୁକିଛି ମନେଥିବକି ନାହିଁ ତେଣୁ ତୁମକୁ ଦି’ପଦ କହିଦିଏ, ଯେପରି ଘର ଖୋଜିବାକୁ କିଛି ଅସୁବିଧା ନହବ । ଆଗୁଆ କହିଦେବାଟା ଠିକ୍ ହେବ । ବହୁତକିଛି ବଦଳି ଯାଇଛି ଏହି ଜନପଦରେ, ଯେମିତି ସମୟ ସଙ୍ଗରେ ସମସ୍ତେ ବଦଳି ଯାଆନ୍ତି । ଟିକିଏ ବର୍ଷା ହେଲେ ରାସ୍ତାଘାଟ ଆଉ କାଦୁଅରେ ପଚ୍ ପଚ୍ ହଉନି ଆମ ଗାଆଁରେ, ଝଡି ବର୍ଷାରେ ରାସ୍ତାମଝିରେ ଆଉ ଝର ଫିଟି ଯାଉନି । ବର୍ଷାହେଲେ ଗାଆଁ ମଝିଦାଣ୍ଡରେ ଆଗରୁ ଯେମିତି ପାଣିର ସୁଅ ଚାଲୁଥିଲା, ଆମେ ସେ ପାଣିରେ କାଗଜ ଡଙ୍ଗା ଭସେଇ କେତେ ମଜା କରୁଥିଲୁ, ବର୍ଷାରେ ଭିଜି ଭିଜି କାଗଜ ଡଙ୍ଗା ପଛରେ ଗୋଡେଇ ଗୋଡେଇ ଯାଉଥିଲୁ, କାହା ଡଙ୍ଗା ଓଲଟିଗଲା, କାହାର ସିଧା ଆଗକୁ ଚାଲିଗଲା ଦେଖିବାକୁ । ଏବେ ଆଉ ସେମିତି ପାଣି ବୋହୁନି ଗାଆଁ ମଝିଦାଣ୍ଡରେ । ପିଲାବି ନାହାନ୍ତି କାଗଜ ଡଙ୍ଗା ଭସେଇବା ପାଇଁ । ଗାଆଁ ରାସ୍ତାସବୁ ସିମେଣ୍ଟ କଂକ୍ରିଟ ହୋଇ ଯାଇଛି, ବର୍ଷାପାଣି ଏବେ ରାସ୍ତା କଡ ଡ୍ରେନ୍ ରେ ବୋହୁଛି । ବର୍ଷାପରେ ରାସ୍ତା ଏକଦମ ସୁଖିଲା, ପାଦରେ ପାଣିବି ଲାଗୁନି ।

ଗାଆଁରେ ଏବେ ଚାଳଘର କଁ ଭାଁ ଗୋଟେ ଅଧେ କେଉଁଠି କେଇମିତି ଦିଶିଯିବ, ବାକି ସବୁ କୋଠାଘର ହୋଇଗଲେଣି । ମୋ ଘରଟି କିନ୍ତୁ ଯେଉଁଠି ଥିଲା, ସେଇଠି ସେଇମିତି ମିଳିଯିବ ତୁମକୁ । ସେଇ ପୁରୁଣା ଧୁସର ନଡା ଛପର ଚାଳ, ଝାଟି ଆଉ ମାଟିବୋଳା କଚ୍ଚାଘର । ନାଲି ରଙ୍ଗମାଟିର ଲିପା ଚିକ୍କଣ କାନ୍ଥ, କାନ୍ଥରେ ଚାଉଳ ପିଠଉର ଚିତା, ଶେଷ ମାଗୁଶିର ଗୁରୁବାର ପାଇଁ, ଭାଉଜ ପକେଇ ଥିଲା । ତୁମେ ଆସିଲେ ନିଶ୍ଚୟ ଦେଖିବ । ଗୋବରଲିପା କସରା କଳା ରଙ୍ଗର, ଚିକ୍କଣିଆ ଉଚ୍ଚ ପିଣ୍ଡା, ଏବେ ବି ଗୋବରର ବାସ୍ନା ମହକିଉଠେ । ସେ ମହକ ସତେ ଆତ୍ମାରେ ଛୁଇଁଯିବ । ତୁମେ ଯେବେ ଆସିବ ମୋତେ ମୋ ପିଣ୍ଡା ଉପରେ ସେଇ ଶିଶୁକାଠର ପୁରୁଣା ଆରାମ ଚୌକିରେ ଖଣ୍ଡେ ପୁରୁଣା ବହି, ଅବା ବାସି ଖବର କାଗଜ ଧରି ବସିଥିବାର ଦେଖିବ ।

ଏବେ ଏଇ ଗାଆଁରେ ତୁମକୁ ଦେଖି କେତେଲୋକ ଚିହ୍ନି ପାରିବେ କେଜାଣି, ତୁମେବି ଚିହ୍ନି ପାରିବନି କେତେ ଲୋକଙ୍କୁ । କାଲି ଯେଉଁ ଛୁଆସବୁ ଏଇ ଗାଆଁ ଦାଣ୍ଡରେ ଲଙ୍ଗଳା ହୋଇ ବୁଲୁଥିଲେ, ଏଇ ଦାଣ୍ଡରେ ଗୁଲିଦଣ୍ଡା, ବାଟି କି କବାଡି ଖେଳୁଥିଲେ, ଆଜି ସେମାନଙ୍କର ପିଲାମାନେ ବି ବଡ ବଡହୋଇ ଫୁଲ୍ ପେଣ୍ଟପିନ୍ଧା ବାବୁ ହୋଇଗଲେଣି । କିଏ ସ୍କୁଲ ତ କିଏ କଲେଜରେ ପଢିଲେଣି । ଏବେ ମୋଟର ସାଇକେଲରେ ଗାଆଁରେ ଚକ୍କର କାଟୁଛନ୍ତ । ଆମର କେତେ ସାଙ୍ଗସାଥି ଏବେ ଆଉ ନାହାନ୍ତି । ଗଲା ମାସରେ ମଦନ ଭାଇ ଚାଲିଗଲେ । ବ୍ଲଡ ପ୍ରେସର ବଢି ପାରାଲିସିସ୍ ହୋଇଯାଇଥିଲା ତାଙ୍କୁ । ପିଲାମାନେ ସହରରେ ରହୁଛନ୍ତି, ବୁଢାବୁଢି ଦି’ଜଣ ରହୁଥିଲେ ଗାଆଁରେ । ପୁଅ ଝିଅମାନେ କେବେ କେମିତି ଆସୁଥିଲେ, ଦେହ’ପା ଖବର ବୁଝିଯାଉଥିଲେ । ସହରରୁ ଔଷଧପତ୍ର ଆଣି ଦେଇଯାଉଥିଲେ । ବୁଢିପାଖରେ ମୋବାଇଲ ଫୋନଟିଏ ବି ଦେଇଥିଲେ । ଯେତେବେଳେ ବେଶି ଜରୁରିହେବ ଫୋନ କରିବାକୁ କହିଥିଲେ । ହଠାତ୍ ଦିନେ ରାତିରେ ମଦନ ଭାଇର ଦେହ ବେଶି ଖରାପ ହେଲା, ଭାଉଜ ଫୋନ କଲାରୁ ବଡପୁଅ ଆସି କଟକ ନେଇଯାଇଥିଲା, ବଡ ଡାକ୍ତରଖାନାରେ ଦୁଇ ଦିନ ରହି ଶେଷରେ ମଦନଭାଇ ଚାଲିଗଲା । ଗାଁରେ ଅଳ୍ପବହୁତ ସମସ୍ତଙ୍କର ଖବର ସେମିତି ଏକାପରି । ଜୀବନ ସାରା ଖଟି ଖଟି ପିଲାଙ୍କୁ ବଡକଲେ, ହେଲେ ଏଇ ବୁଢା ବୟସରେ ପିଲାଙ୍କଠାରୁ ଦୂରରେ ଏକୁଟିଆ ରହୁଛନ୍ତି । ପିଲାଏ ଭାବୁଛନ୍ତି କିଛି ଟଙ୍କା ପଇସା ପଠେଇଦେଲେ ମାଆ ବାପାଙ୍କ ପାଇଁ ତାଙ୍କ ଦାୟିତ୍ୱ ଶେଷ । ମାଆ ବାପା କଣ କେତେଟା ଟଙ୍କାପାଇଁ ପିଲାଙ୍କୁ ପାଠଶାଠ ପଢାଇ ବଡ କରିଥାଆନ୍ତି । ସ୍ନେହ ମମତାର ମୂଲ୍ୟ କିଛିନାହିଁ ? ପିଲାଏ କେମିତି ବୁଝିବେ, ଏ ବୁଢା ବୟସରେ ମାଆ ବାପାଙ୍କୁ ଟଙ୍କାପଇସା ନୁହେଁ ପିଲାଙ୍କ ସାହଚର୍ଯ୍ୟ, ସେମାନଙ୍କ ଠାରୁ ଟିକିଏ ସେବା ଆଦର ପାଇଁ ବ୍ୟାକୁଳ ହୃଦୟରେ ଚାହିଁ ରହିଥାଆନ୍ତି । ପିଲାଏ ପାଖରେ ଥିଲେ ବାପା ମାଆଙ୍କୁ କେବେ ଲାଗେନା ସେମାନେ ବୁଢା ହୋଇଗଲେଣି ବୋଲି । ପୁଅ ଝିଅ ପାଖରେ ଥିଲେ କେତେ ସାହାସ ଆସେ ମନରେ । ନାତି ନାତୁଣୀଙ୍କ ସାଥିରେ ଦିଘଢି ଖେଳିଲେ ପୁଣି ପିଲାଟିଏ ହୋଇଯାଆନ୍ତି ଏ ବୁଢାବୟସରେ । ଏଇ ଟିକିଏ ଆନନ୍ଦ ପାଇବା ଦେଖିଲେ, ଯମ ବି ମାଆବାପଙ୍କ ବୟସରେ ଆଉ କେଇଟା ଦିନ ଜୋଡିଦେଇଯାଏ ।

ତୁମର ମନେଥିବ ବନ୍ଧୁ, ଆମ ଘର ସାମ୍ନା ଦାଣ୍ଡରେ, ଯେଉଁଠି ହଳେ କାଳିଆ କସରା ବଳଦ ବନ୍ଧା ହେଉଥିଲେ, ତାର ଟିକେ ଆଗକୁ ଖାଲି ଶଗଡ ଗାଡିଟାଏ ଦି’ପହର ସାରା ସେମିତି ଠିଆହୋଇ ରହୁଥିଲା । ସେଇ ଶଗଡ ଦଣ୍ଡାରେ ବସି କେତେ ମସ୍ତି କରୁଥିଲେ ଆମେ । ଏବେ ସେଇଠି କାହାର ଗୋଟେ, ମାରୁତି କାର ଠିଆହେଉଛି । ଆଜିକାଲି ଗାଆଁରେ ଲୋକବାକ ଚାଷ ଛାଡି ସାରିଲେଣି, ଆଉ କାହା ପାଖରେ ହଳ ବଳଦ ନାହିଁ କି ଶଗଡ ବି ନାହିଁ । ପିଲାମାନେ ସବୁ ସହରରେ, ଗାଆଁରେ ଘର ଛପର କି ଚାଷକାମ ପାଇଁ ମୂଲିଆ ମିଳୁ ନାହାନ୍ତି, ଜମିଜାକ ସବୁ ପଡିଆ ପଡିଛି । ସମସ୍ତେ ଭାବୁଛନ୍ତି ବଜାରରେ ସବୁକିଛି କିଣିବାକୁ ତ ମିଳୁଛି, ଚାଷକରିବା କଣ ଦରକାର? କିନ୍ତୁ କହିଲ ଦେଖି, ସମସ୍ତେ ଯଦି ଏମିତି ଭାବି ଚାଷ ଛାଡିଦେବେ, ତେବେ ବଜାରକୁ ଏତେସବୁ ଜିନିଷ ଆସିବ କେଉଁଠୁ ?

ତୁମେ ତ ଜାଣିଛ ଆମ ଗାଁ ଚାରିପାଖେ ଚାରୋଟି ପୋଖରୀ । ପୋଖରୀରେ ଗାଧୋଇବା ପାଇଁ ନୁଆବୋହୁ ଆଉ ତୁଠକୁ ଯାଉନି । ପୋଖରୀ ତୁଠରେ ସେ ଗହଳ ଚହଳ, ନଣନ୍ଦ ଭାଉଜ ଟାହି ଟାପରା ଶୁଭେନି । କାହାଘର ବୋହୁ କଣ କଲା କାହା ଘରେ କଣ ହେଲା କିଛି ଚର୍ଚ୍ଚା ହୁଏନି । ତୁଠ ପଥର ଏବେବି ବାହୁନୁଛି, ନହୁଲି ବୟସର ବଧୁଲି ବୋହୁର ନରମ ପାଦର ପରଶ ଟିକିଏ ପାଇଁ, ରୁଣୁଝୁଣୁ ପାଉଜିର ମଧୂର ସଙ୍ଗିତ ଶୁଣିବା ପାଇଁ । ଘରେ ଘରେ ଗଧୁଆଘର ପାଇଖାନା ସବୁ ହୋଇଗଲାଣି । ଆମେ ସଭ୍ୟତା ଦିଗରେ ବହୁତ ଆଗକୁ ମାଡି ଗଲୁଣି । ହେଲେ ଗ୍ରାମ୍ୟ ଜୀବନର ସେଇ ସରସତା ମଧୂରତା ଆପଣାପଣ ସବୁ ଯେପରି ଇତିହାସ ହୋଇଯାଉଛି । ଆମେ ଯେତେଦିନ ବଞ୍ଚିଛେ, ଆମ ନାତି ନାତୁଣୀ ମାନଙ୍କୁୁ ଶୁଣେଇ ଯିବା ଏସବୁ କଥା। ହେଲେ ସେମାନେ କଣ ଏସବୁ ଶୁଣିବେ ? ନା ଶୁଣିଲେ ବିଶ୍ୱାସ କରିବେ ? ବିଶ୍ୱାସ କଲେ ବି ନାକ ଟେକିବେ, କହିବେ ପୋଖରୀର ସେଇ ଅସନା ପାଣିରେ କିଏ କଣ ଗାଧାଏ? ଏସବୁ ଅନହାଇଜିନି । ହେଲେ ସେ କଣ ବୁଝିବେ, କେଉଁ ଯୁଗରୁ ଆମ ବାପା ଜେଜେବାପା ଏଇ ପାଣିରେ ଗାଧୋଇଛନ୍ତି ହେଲେ କେହିକେବେ ପାଣିଲାଗି ବେମାର ପଡିନି । ଧୋବା ତୁଠ କିନ୍ତୁ ଏବେବି ଅଛି ସେଇଠି । ଦି’ପହରେ ଧୋବା ଧୋବଣି ଲୁଗା ପିଟୁଥିବାର ଦେଖିବ। ହୁଡା ଉପରେ ମାଟି ହାଣ୍ଠିରେ ଖାରସୋଡା ପାଣିରେ ଲୁଗା ଶିଝୁଥିବା ଦେଖିବ । ଧୋବ ଫରଫର ଳୁଗା ସୁଖୁଥିବାର ଦେଖିବ ।

ସେଇ ପୋଖରୀରେ ଏବେବି ପଞ୍ଚାୟତି ମାଛଚାଷ ହୁଏ । ଖରାଦିନେ ଯଦି ଆସିବ ଆମ ଗାଆଁର ସୁଆଦିଆ ମାଛ ତିଅଁଣ ଖାଇବ । ଯଦି ଅନ୍ୟଦିନ ମାନଙ୍କରେ ଆସିବ ତେବେବି ଚିନ୍ତାନାହିଁ, ଗାଆଁରେ ଏବେ ଗୁରୁବାରକୁ ଛାଡିଦେଲେ, ସବୁଦିନ ସବୁକିଛି ମିଳି ଯାଉଛି, ମାଛ ମାଂସ ବଏଲର ଚିକେନ ଅଣ୍ଡା ସବୁକିଛି । ଆଇଁଶ ଟିକିଏ ଖାଇବାପାଇଁ ଆଉ ସାପ୍ତାହିକ ହାଟପାଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁନି । ଗାଁମୁଣ୍ଡ ଛୋଟ ବଜାରଟି ଏବେ ବଡ ହୋଇଗଲାଣି । ସବୁ ଦିନ ସବୁକିଛି ମିଳିଯାଉଛି ।

ଆଜିବି ମନେପଡେ ପିଲାଦିନ କଥା । ମାଆ ବାପାଙ୍କୁ କୁହେ, ଏତେ ବଡ ପରିବାର ଖାଇବାକୁ, ହାଟ ପରିବା ପାଇଁ ପାଞ୍ଚଟଙ୍କା ଦିଅ, ହାଟରୁ ପରିବା ନଆଣିଲେ ଏ ଗାଆଁରେ କିଛିବି ମିଳିବନି । ପାଞ୍ଚଟଙ୍କା ହାତରେ ଧରେଇଦେଇ ମାଆ ମୋତେ, ହାଟକୁ ପଠେଇଦିଏ । ଗଲାବେଳେ ବଡ ବଡ ଦୁଇଟା ବ୍ୟାଗ୍ ହାତରେ ଧରାଇ ଦିଏ । ହାଟ ସଉଦା ବଡ କଷ୍ଟକର କାମ, ଦଶ ଜାଗା ଦାମ ବୁଝ, ଭଲ ଭଲ ପରିବା ଶସ୍ତାରେ ବାଛି ବାଛି କିଣ । ପାଞ୍ଚ ଟଙ୍କା ପରିବାରେ ଦୁଇବ୍ୟାଗ ପୁରା ହୋଇଯାଉଥିଲା, ତଥାପି ଆଠଣି ଚାରଣି ପକେଟ ଖର୍ଚ୍ଚ ବଞ୍ଚିଯାଉଥିଲା । ହାଟସାରି ଯେତେବେଳେ ମୁଁ ଘରକୁ ଫେରେ, ବ୍ୟାଗ ଦୁଇଟା ପରିବାରେ ଭରିଯାଇଥାଏ । ମୁଁ ଉଠାଇ ପାରେନି, ବଡ କଷ୍ଟରେ କୁନ୍ଥେଇ କୁନ୍ଥେଇ ଘରେ ପହଞ୍ଚେ । ମନେ ମନେ ଖୁବ୍ ରାଗିଯାଏ, ମାଆ ବାପାଙ୍କୁ ମନେମନେ କେତେ କଥା ବକିଯାଏ । କହେ ପିଲାଟା ଉପରେ ଟକିଏ ହେଲେ ହେଲେ ଦୟା ନାହିଁ କାହାର । ମୁଁ ପରା ଛୋଟ ପିଲାଟିଏ, ଛୋଟ ପିଲାଙ୍କୁ ପାଞ୍ଚ ଟଙ୍କାର ପରିବାପାଇଁ କିଏ କଣ ହାଟକୁ ପଠାଏ ? ପାଞ୍ଚ ପାଞ୍ଚ ଟଙ୍କାର ପରିବା ପାଇଁ ଯାହା ମାଆ ମୋତେ ହାଟକୁ ପଠାଇ ଦିଅନ୍ତି ।

ହେଲେ ବନ୍ଧୁ, ଆଜି ଆଉ ସେଇକଥା ନାହିଁ, ଭାବିଲେ ଗପ ପରି ଲାଗୁଛି । ପରିବାର ଛୋଟ ହୋଇଗଲା । ଏବେ ତ ଘରେ ଆମେ ଦୁଇଜଣ, ପିଲାମାନେ ସବୁ ସହରରେ ରହୁଛନ୍ତି । ହେଲେ ପରିବା ମହଙ୍ଗା ହୋଇଗଲାଣି । ହାଟ ପାଳିରେ ଘରଣୀ ଦୁଇଶହ ଟଙ୍କା ଧରେଇ ଦିଅନ୍ତି, ଆଉ ବ୍ୟାଗ କେବଳ ଗୋଟିଏ ଦିଅନ୍ତି । କୁହନ୍ତି ବୁଢା ହୋଇ ଗଲଣି, ବେଶି କିଛି ବୋହି ପାରିବନି, ଏତିକି ଟଙ୍କାରେ ଅଧା ମୁଣି ଭରିଯିବ, ଆଣିବାକୁ ତୁମକୁ କଷ୍ଟ ବି ହେବନି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପରିବା ଦାମ ବଢିଗଲା ନା ପଇସାର ମୂଲ୍ୟ କମିଗଲା ।

ଏବେ ଆମ ଗାଆଁ ଆଉ ଗାଆଁ ପରି ଲାଗେନି, ଛୋଟ ମୋଟ ସହରରେ ବଦଳି ଗଲାଣି, ସହରକୁ ଯିବାପାଇଁ ବସ୍ ଲାଗି ଏବେ ଆଉ ନୂଆ ବୋହୁକୁ ପାଞ୍ଚ କୋଶ ଶଗଡରେ ଯିବାକୁ ପଡୁନି । ଆଜିବି ମନେପଡୁଛି, ପିଲାଦିନେ ମାମୁଁ ଘରକୁ ଯିବାକୁ ହେଲେ, ସକାଳ ଚାରିଟାରୁ ଉଠିବାକୁ ପଡୁଥିଲା । ହଳିଆ ଶଗଡଗାଡି ସଜାଡିଦିଏ । ସେଥିରେ ବସି ପାଞ୍ଚ ମାଇଲିଯାଏ ଯିବାକୁ ହୁଏ । ସେଇଠି ଗୋଟିଏ ସ୍କୁଲ ଥିଲା ସେତେବେଳେ । ସେଇ ସ୍କୁଲ ବାରଣ୍ଡାରେ ଆମେ ବସି ଅପେକ୍ଷା କରୁ । ସକାଳ ଛଟା ବେଳେ ଗୋଟିଏ ବସ୍ ଆସେ, ସେଥିରେ ବସି ଆମେ ମାମୁଁ ଘରକୁ ଯାଉ । ଯଦି ସେ ବସ ଫେଲ ହୋଇଗଲ, ତାହେଲେ ଆଉ ବସନାହିଁ ସେଦିନ । ପୁଣି ଆସନ୍ତା କାଲି ମିଳିବ ବସ । ତେଣୁ ଆଗୁଆ ବାହାରିବାକୁ ପଡେ । ଏବେ ପିଲାଏ ସହରକୁ କଲେଜ ପଢିବା ପାଇଁ ଯାଉଛନ୍ତି । ପୁଅ ଛୁଟିରେ ଘରକୁ ଆସିଲେ ସହର ଫେରିବାକୁ ପାଇଁ ବସ ଧରିବାକୁ ସାଇକେଲ ଖୋଜା ପଡେନି, ବସଯାଏ ଯିବାପାଇଁ । ଗାଆଁରୁ ଏବେ ତିନି ଟାଇମ ସହର ବସ ଆରାମରେ ମିଳିଯାଏ ।

ତୁମ ସହରର ସୂର୍ଯ୍ୟ ପରି, ମୋ ଗାଆଁ ସୁରୁଜ, ବେଳ ଉଛୁର ଯାଏ ଶୋଇ ରୁହେନାହିଁ । ମୋ ଗାଆଁର ଚଞ୍ଚଳିଆ କାଉ, ସିନ୍ଦୁରା ଫିଟିବା ଆଗରୁ, ସୂରୁଜ ଉଇଁବା ଖବର କହିଦେଇଯାଏ । ନୂଆ ବୋହୁ ମାଛି ଅନ୍ଧାରରୁ ଉଠି ଅଗଣାରେ ଝାଡୁଲଗାଇ ଗୋବରର ପିଣି ସିଞ୍ଚିଦିଏ । ଏବେ ବି ସେମିତି ସହଳ ସକାଳୁ, ହଳ ବଳଦଙ୍କ ସଙ୍ଗରେ କ୍ଷେତ ଯୋଚିବାକୁ ଚାଷି ଟାକରା ଫୁଟାଇ ବାହାରିଯାଏ । ସଂଜ ସକାଳେ ସେଇମିତି ମନ୍ଦିରରେ ଘଣ୍ଟ ଘଣ୍ଟା ମୁର୍ଦ୍ଦଳ ବାଜେ, ଚଉରା ମୂଳରେ ବୃନ୍ଦାବତୀଙ୍କ ପାଶେ ସଂଜ ସଳିତା ଜଳେ ।

ଗାଆଁରେ ଏବେବି ବାର ମାସେ ତେର ଜାତ ହେଉଛି । ରଥଯାତ୍ରା, ଦୋଳ ମେଲଣ, ରାସନାଚ, ପଣା ସଂକ୍ରାନ୍ତି ଆଦି । ଆଜି କାଲି ବଡ ଧୂମ ଧାମରେ ହେଉଛି ସବୁ ଜାନିଜାତରା । ସହରରୁ ପିଲେ ଛୁଟିରେ ଘରକୁ ଆସନ୍ତି, କିଛିଦିନ ପାଇଁ ଗାଆଁ ପୁଣି ଭର ପୁର ଲାଗେ, ଗହଳ ଚହଳ ହୁଏ, ପିଲାମାନଙ୍କୁ ପାଖରେ ପାଇ ମାଆ ବାପାଙ୍କର ଗୋଡ ତଳେ ଲାଗେନି । ମାଆ ଜାଣିଥାଏ ପୁଅକୁ କଣ ଖାଇବାକୁ ଭଲ ଲାଗେ । ବାପାଙ୍କୁ ଦଶଥର ବଜାର ପଠେଇଦିଏ ଅମୁକଟା ନେଇଆସ, ସମୁକଟା ନେଇଆସ । ନାତିନାତୁଣୀଙ୍କ ପାଇଁ କେତେକଥା ସାଇତି ରଖିଥାଏ ଜେଜେମାଆ । ପାଖରେ ବସି ଏଇଟା ଖାଆ ସେଇଟା ଖାଆ କହି କହି ପେଟପୁରାଇ ଖୁଆଇଦିଏ ପିଲାମାନଙ୍କୁ । ହେଲେ ଏ ଖୁସି ବେଶିଦିନ ରହେନି, ଦିନ ଦୁଇ ଚାରିଦିନ ପରେ ପୁଣି ପିଲାମାନେ ସହରକୁ ଫେରିଯାଆନ୍ତି । ଘରବାରି ଖାଲିଖାଲି ଲାଗେ, ଘର ଖାଁ ଖାଁ କରି ଗୋଡାଏ । ଗାଆଁ ରାସ୍ତା ପୁଣି ଶୁନସାନ ହୋଇଯାଏ ।

ଗାଆଁ ଏବେ ବଡ ଶୁନ୍ ଶାନ୍, ଖାଲି ଖାଲି ନିଛାଟିଆ ଲାଗେ । ଯୁଆନ ଭେଣ୍ଡିଆ ଯେତେକ ସବୁ କାମପାଇଁ ଗାଆଁଛାଡି ସହରକୁ ଚାଲି ଯାଉଛନ୍ତି । ଗାଆଁ ଏବେ କେବଳ ବୁଢାବାପା, ବୁଢିମାଆଙ୍କର ଜିମାରେ ଅଛି । ବୁଢା ବୁଢି ଯେତେକ କେବଳ ଘରକୁ ଜଗିରହିଛନ୍ତି । ସଂଜ ହେଲେ କେହି ଆଉ ଘରୁ ବାହାରକୁ ଯାଉନା । ଅଗଣାରେ ଦଉଡିଆ ଖଟଟା ଉପରେ ଆମେ ବୁଢାବୁଢି ବସୁ, ଅତୀତର କଥା କହୁ ଶୁଣୁ, ଏଇ ଅଗଣାରେ ପିଲାଙ୍କର ଖେଳ କୁଦ, ଗହଳ ଚହଳ କଥା, ଭାଇ ଭଉଣୀର ଖେଣ୍ଟା ଖେଣ୍ଟି, ଛୋଟ ଛୋଟ ଲଢେଇ, ରାଗ ରୁଷା, ମାନ ଅଭିମାନ, ୟାର ତାର ଅଭିଯୋଗ, ପିଲାମାନଙ୍କର ଛୋଟବେଳର କଥା ମନେପକାଉ, ଗପୁଥିଲେ କଥା ସରେ ନାହିଁ, ସେଇ ସ୍ମୃତିଟିକକ ପରା ଆମ ଅସରନ୍ତି ଖୁସିର ଭଣ୍ଡାର । କେବେ କେବେ ମିଞ୍ଜି ମିଞ୍ଜି ଆଲୁଅରେ ପୁରୁଣା ଆଲବମ ଅଣ୍ଡାଳୁ ପିଲାଙ୍କୁ ଦେଖି ପୁଣି ସେଇ ପୁରୁଣା ଦିନରେ ହଜିଯାଉ ।

ହଉ, କହୁ କହୁ ବହୁତ କଥା କହିଦେଲିଣି, ଏବେ ମୁଁ ରହୁଛି, ଯେବେ ଆସିବ ଦୁଇ ଚାରିଦିନ ରହିବ ଆମ ସାଙ୍ଗରେ । ବହୁତ ଗପିବା, ରିଟାୟଡ ପରେ ଏବେ ଆଉ କିଛି କାମ କରିବାକୁ ବାକିନାହିଁ । ତୁମେ ଆସିଲେ ରୋଷେଇ ପାଖରେ ବସିବା, ବହୁତ ଗପିବା, ଭାଉଜ ବି ଶୁଣିବ, ଦି’ ପଦ ସିଏ ବି କହିବ, ବଡ ଆନନ୍ଦ ଆସିବ । ପୁଣି ଥରେ ଅତୀତକୁ ମନ ଭରି ଜିଇଁବାର ବାହାନା ମିଳିଯିବ ।

*** 07/10/2018 ***

Advertisements

ମିନିଗଳ୍ପ-ଜମଦଣ୍ଡ

ପ୍ରବଚନ ଚାଲିଥାଏ । ପଣ୍ଡିତ ମହାଶୟ ଗୀତାଜ୍ଞାନରେ ମୃତ୍ୟୁ ପରେ ପରେ କଣ ହୁଏ ବୁଝାଉ ଥିଲେ, କହିଲେ, ଉପରେ ଥାଇ ଧର୍ମଦେବତା ସବୁ ଦେଖୁଛି । ଜମ ଦରବାରରେ ଚିତ୍ରଗୁପ୍ତ ସମସ୍ତ ମଣିଷଙ୍କର ପଞ୍ଜିକା ମେଳେଇ ବସିଛି । ଯାହାର ଯେଉଁଦିନ ଆୟୁଷ ସରିଯାଏ, ସେଦିନ ଜମଦୂତମାନେ ଆସି ପହଞ୍ଚି ଯାଆନ୍ତି । ଚମଦଉଡିରେ ଜୀବର ପ୍ରାଣକୁ ବାନ୍ଧି ନେଇ ଯାଆନ୍ତି ଆଉ ଜମ ଦରବାରରେ ପେଶ କରନ୍ତି । ଜମ ଦଣ୍ଡର ଦେବତା, ସମସ୍ତଙ୍କର ପାପ ପୂଣ୍ୟର ପୋଥିନେଇ ବସିଛି, ହିସାବ କିତାବ କରି କେତେ ପାପ କେତେ ପୂଣ୍ୟ ଅର୍ଜନ କରିଛ ତାର ହିସାବ କରି କିଏ ନର୍କକୁ ଯିବ ଆଉ କିଏ ସ୍ୱର୍ଗକୁ ଯିବ କହିବ । ପାପ ଅନୁଶାରେ ଜୀବକୁ ନର୍କରେ ଗରମ ତେଲରେ ପକେଇବେ କି କଣ୍ଟାର ଗଦାରେ ପିଟିବେ କି ନିଆଁର ପକେଇ ସୁଖୁଆ ପରି ପୋଡି ପୋଡି ଦଣ୍ଡଦେବେ ସେକଥା ବିଚାର କରିବେ । ଏ ସବୁ ଶୁଣି ପ୍ରବଚନ ଶୁଣୁଥିବା ହରାଦାସ, ପଣ୍ଡିତ ମହାଶୟଙ୍କୁ ପଚାରିଲା ପଣ୍ଡିତ ମହାଶୟେ, ଟିକିଏ ଆଗରୁ ଆପଣେ କହୁଥିଲେ ମଣିଷ ମରିଗଲା ପରେ ମଣିଷଦେହ ଏଇଠି ରହିଯାଏ, ପଞ୍ଚଭୂତର ଶରୀର ପଞ୍ଚଭୂତରେ ମିଶି ଯାଏ, ତେବେ ଜମଦୂତ କାହାକୁ ନେଇ ଯିବେ? ପଣ୍ତିତେ ଟିକେ ନାରାଜ ହୋଇ କହିଲେ, ହଇଓ କହିଲି ପରା ଜମଦୂତମାନେ ପ୍ରାଣକୁ ନେଇକରି ଯିବେବୋଲି । ଶରୀର ଆଉ ପ୍ରାଣ କଣ ବୁଝିଛଟି ? ହରିଦାସ କହିଲା, ହଁ ପଣ୍ଡିତେ ଟିକିଏ ଆଗରୁ ତ ଆପଣ ବୁଝଉଥିଲେ, ପ୍ରାଣ ମାନେ ଆତ୍ମା । ପଣ୍ଠିତେ କହିଲେ, ହଁ, ଠିକ୍ ବୁଝିଛ, ପ୍ରାଣ ମାନେ ଆତ୍ମା ସେଇଟା ଭଗବାନ ପରମାତ୍ମାର ଅଂଶ, ଆଉ ଏଇ ଶରୀର ପଞ୍ଚଭୂତରେ ଗଢା । ମରିଗଲା ପରେ ଶରୀର ଏଇଠି ରହିଯିବ, ଜଳେଇଦେଲେ ପଞ୍ଚଭୂତ ପଞ୍ଚମହାଭୂତରେ ବିଲିନ ହୋଇଯାଏ । ହରିଦାସ ଯେପରି କିଛି ବୁଝିପାରୁନଥିଲା ପଚାରିଲା, ପଣ୍ଡିତେ, ଜମଦୂତ ମାନେ ପ୍ରାଣ, ଆତ୍ମାକୁ ସାଙ୍ଗରେ ନେଇ ଯାଆନ୍ତି । ଟିକିଏ ଆଗରୁ ଆପଣେ ଯୋଉ କହୁଥିଲେ, ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ‘ନୈନଛିନ୍ଦନ୍ତି ଶସ୍ତ୍ରାଣୀ ନୈନ ଦହତି ପାବକଃ…’ ମାନେ ଆତ୍ମାକୁ ଶସ୍ତ୍ର କାଟି ପାରିବନି, ପାଣି ଓଦା କରି ପାରିବନି, ପବନ ଉଡେଇ ନେଇଯାଇ ପାରିବନି, ଅଗ୍ନି ଜଳାଇ ପାରିବନି, ସେଇ ଆତ୍ମାକୁ ଜମଦୂତ ନେଇ ଯାଆନ୍ତି ନା? ପଣ୍ଡିତେ ଏଥର ବିରକ୍ତ ହୋଇ କହିଲେ ହଁ ହୋ ସେଇ ଆତ୍ମାକୁ ଜମଦୂତ ମାନେ ନେଇ ଯାଆନ୍ତି । ହରିଦାସ ପଚାରିଲା, ଯେଉଁ ଆତ୍ମା ସହିତ କେହି କିଛି ବି କରାଯାଇ ପାରିବ ନାହିଁ, ତାକୁ ପୁଣି ଜମଦୂତ ମାନେ ଏତେ ଜମଯନ୍ତ୍ରଣା କେମିତି ଦିଅନ୍ତି ?? ପଣ୍ତିତେ କିଛି ସମୟ ଚୁପ୍ ରହି କହିଲେ, ଏ ସବୁ ଧର୍ମର କଥା, ବିଶ୍ୱାସର କଥା, ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର । ଏଥିରେ ତର୍କ କରନା, ପାପରେ ଭାଗୀ ହେବ, ମରିଗଲା ପରେ ଜମଦଣ୍ଡ ଭୋଗିବ ।

**25/09/2019***

ଯୁଦ୍ଧ ସରିନି Juddha Sarini

ଯୁଦ୍ଧ ସରିନି
କିଛି ଘଡିର ଯୁଦ୍ଧ ବିରାମ କେବଳ,
ଶିବୀରକୁ ଯାଅ,
କ୍ଷତାକ୍ତ ଶରୀରେ ମଲମ ଲଗାଇ
ଲହୁ ଲୁହ ଆଉ ବୁନ୍ଦା ବୁନ୍ଦା
ସ୍ୱେଦ କଣିକାର ଦାଗ ଧୋଇ ଦିଅ ।
ଏକ ନୂତନ କୁରୁକ୍ଷେତ୍ର
ଧର୍ମକ୍ଷେତ୍ର ନାହିଁ ଆଜି,
ନୁହେଁ ଧର୍ମ ଅବା ଅଧର୍ମ ଲଢେଇ
ଯୁଦ୍ଧ ନ୍ୟାୟ ଅନ୍ୟାୟର ପାଇଁ ।
କାହାପାଇଁ ଯୁଦ୍ଧ ଏଇ
ପେଟ ଚାଖଣ୍ଡର କ୍ଷୁଧାର ଲଢେଇ
କିଏ ଲଢିଯାଏ, କିଏ ଲଢେଇ ଦିଏ
ଥାଟବାଟ ଆଉ ରାଜ ସିଂହାସନ ପାଇଁ ।

ଅର୍ଜୁନ ବି ନାହିଁ ଆଜି
ତ୍ୟାଗୀଦେବ ଗାଣ୍ଡବ ତାର
ଅସହାୟ ହାତ ଟେକିଦେଇ
ଆପଣା ଜନର ଲହୁ କଳ୍ପନାରେ
କାକୁସ୍ଥ, ଜନାର୍ଦ୍ଦନ ପାଦେ ମଥା ନେବ ନୋଇ ।
କୃଷ୍ଣ ବି କାହିଁ ଆଜି ?
କିଏବା ଶୁଣଇ ଦେବ ଅମୃତ ଗୀତାବାଣୀ ।
ମହାମାନୀ ଦୂର୍ଯ୍ୟୋଧନ ମେଳେ
ସବୁରି ହୃଦୟେ ଜିତିବାର ଅଦମ୍ୟ ଲାଳସା
ଅସ୍ତ୍ରନାହିଁ ଶସ୍ତ୍ରନାହିଁ ଅଛି ଖାଲି
ମିଥ୍ୟା ପ୍ରତିଶୃତିର ଅମୋଘବାଣୀ ।
ଲୋଭ ପ୍ରଲୋଭନର ବ୍ରହ୍ମାସ୍ତ୍ରେ
ସଜ୍ଜିତ ରଥି ମହାରଥି,
ଏ କୁରୁକ୍ଷେତ୍ରେ ପରୋକ୍ଷ ଯୁଦ୍ଧରେ
ବଳି ପଡି ଯାଆନ୍ତି ଭାଇ ବନ୍ଧୁ ସାଥୀ
ଲୁଟିଯାଏ ସୁଖ ଶାନ୍ତି ଅର୍ଜିତ ସମ୍ପତ୍ତି ।

***12/10/2018***

ପ୍ରେମ ସତେ ଘଟଣା ଗୋଟିଏ Prema sate Ghatana gotie

ଏତେ ବଡ ଦୁନିଆରେ
ଆପଣାର ଅନେକ ଥିଲେ
ହେଲେ, ଥରୁଟିଏ ଦେଖାରେ
ତୁମେ ଆପଣାର କରିନେଲ
ମନକୁ ମୋର ବିନାମୂଲ୍ୟେ କିଣିନେଲ ।
ହୃଦୟ ବି ଚାଲିଗଲା ତୁମ ପଛେପଛେ
କି କିମିଆ କରିଦେଲ,
ନିଦ ମୋର ଚୋରିକରି ନେଲ,
ମନ ମୋର ଦୁନିଆର
ସବୁ ସମ୍ପର୍କକୁ ଭୂଲିଯାଏ
କେବଳ ତୁମରି କଥା
ଦିନରାତି ଗୁଣି ହେଉଥାଏ ।

ପ୍ରେମ ସତେ ଘଟଣା ଗୋଟିଏ,
ଅବା ହୃଦୟର ଅନୁଭବ କୁହ,
କେବେ କାହିଁକି କିପରି ଘଟିଯାଏ
କେବେ ତ ହୁଏନାହିଁ ଜାଣି,
ନା କେବେ
ପ୍ରେମ କରିବାକୁ ଭାବି ପ୍ରେମ କରିହୁଏ
ବିନା କିଛି ପ୍ରସ୍ତୁତିରେ
ପ୍ରେମ ଏଇମିତି ଅକଷ୍ମାତ ହୁଏ ।
କେଉଁ ଏକ ସକାଳରେ, ଦିନ ଦିପହରେ
ଅବା କେଉଁ ଅପରାହ୍ନେ,
ସଂଧ୍ୟାର ଅଳସ ପ୍ରହରେ,
ଆଖି ଆଖି ଲାଖିଯାଏ କାହା ଆଖିରେ
ଅବା କାହାର ପଦିଏ କଥାରେ
କୋଇଲିର କୁହୁ ତାନ ଶୁଭିଯାଏ,
ହୃଦୟର ବୀଣାର ତନ୍ତ୍ରୀରେ
କେଉଁ ଏକ ମିଳନର ରାଗ ଗୁଞ୍ଜରୀଯାଏ
ପ୍ରେମ ସତେ ଘଟଣା ଗୋଟିଏ
ସବୁବେଳେ ଏଇମିତି ଅକଷ୍ମାତ ହୁଏ ।

***20/09/2018***

କ୍ଷୁଦ୍ରଗଳ୍ପ-ଯାତ୍ରା

ରମାନାଥ ବାବୁ ଏମିତି ଚାଲୁଚାଲୁ ପଛକୁ ଫେର ଚାହିଁଲେ, ପଛରେ କିଛି ସ୍ପଷ୍ଟ ଦିଶୁନି । ସବୁ ଧୂଆଁ ଧୁଆଁ କୁହୁଡିଆ । ଯେମିତି ମାଘମାସର ଘନ କୁହୁଡି, ସକାଳର ପ୍ରଥମ ସୂର୍ଯ୍ୟ ଉଇଁଲା ପରେ ବି ଖରା ଦିଶେନା ଆଉ ସୂର୍ଯ୍ୟ ନୁଆବୋହୁ ମଥାରେ ନାଲି ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଥାଏ । ସମୟର କେତେ ଆଗକୁ ଚାଲି ଆସିଲେଣି ସିଏ । ଏବେ ଆଉ ସୂର୍ଯ୍ୟର ତୀବ୍ର କିରଣ ଦେହକୁ ଜାଳିଦିଏନା । ସବୁ ଯେପରି ଦେହସୁହା ହୋଇଗଲାଣି । ଅପରାହ୍ନର ସୂର୍ଯ୍ୟ ବି ଥକିଗଲାଣି ତାଙ୍କ ସାଥିର ଚାଲିଚାଲି । ପଥ ଯେମିତି ଲମ୍ବା ହୋଇଚାଲିଛି, ସରିବାର ନାଆଁ ନେଉନି । ହେଲେ ପଥ ସରିବ କେମିତି । କୁଆଡେ ଯାଉଛନ୍ତି ସିଏ ? କିଛି ଗନ୍ତବ୍ୟବି ତ ଧାର୍ଯ୍ୟ କରିନାହାନ୍ତି ! କେଉଁଠି ପହଞ୍ଚିବାକୁ ଥିଲା ? କିଛି ଜଣାନାହିଁ, ଖାଲି ଏମିତି ଚାଲିଛନ୍ତି । କିଛି ଉଦ୍ଦେଶ୍ୟ ବି ସ୍ଥିର ନାହିଁ । ସକାଳୁ ସକାଳୁ ବାହାରି ପଡିଥିଲେ ଏଇ ଯାତ୍ରାରେ । ସୂର୍ଯ୍ୟ ଯେତେବେଳେ ଉଇଁଲା, କାଉ ହାତରେ ଖବର ପଠେଇଥିଲା । କହିଲା ଚାଲ ମୋ ସାଥିରେ । ରମାନାଥ ପଚାରିଲେ କୁଆଡେ ? ସୂର୍ଯ୍ୟ କହିଲା ମୁଁ କଣ ଜାଣିଛି ? ଏମିତି ଚାଲିବା, ଯେ ପର୍ଯ୍ୟନ୍ତ ରାସ୍ତା ଦିଶୁଥିବ । ତା’ପରେ ତୁ ଫେରିବୁ, ମୁଁ ବି, କାଲି ସକାଳେ ପୁଣି ଦେଖା ହେବ । ରମାନାଥ ପଚାରିଲେ କାଲି ପୁଣି କେଉଁଠି ଭେଟିବା ? ସୂର୍ଯ୍ୟ କହିଲା ମୋର ତ ସେଇ ଗୋଟିଏ ରାସ୍ତା, ସେଇଟା ନିର୍ଦ୍ଦିଷ୍ଟ ହୋଇଛି, କିନ୍ତୁ ତୋର ଜଣା ନାହିଁ । ସେ ଯାହାହେଉନା କାହିଁକି, କାଲି ପୁଣିଥରେ ଭେଟିବା ନିଶ୍ଚୟ !

କିଛି ଗନ୍ତବ୍ୟ ନଥିଲା, ଖାଲି ରାସ୍ତା ଅନେକ ଥିଲା ଚାଲିବାକୁ । ରାସ୍ତା ବି ଗୋଟିଏ ନଥିଲା, ଅନେକ ରାସ୍ତା, ବାଛିବା କଷ୍ଟ । ସୂର୍ଯ୍ୟକୁ ପଚାରିଲେ । କେଉଁ ରାସ୍ତା ଠିକ ? ସୂର୍ଯ୍ୟ କହିଲା ମୋର ତ ଗୋଟିଏ ରାସ୍ତା, ତୋର କିନ୍ତୁ ଜଣାନାହିଁ । ନିଜକୁ ପଚାରେ ! ମୋ ପାଖରେ କିଛି ବିକଳ୍ପ ନାହିଁ ବୋଲି ମୁଁ ପ୍ରତିଦିନ ସେଇ ପୂର୍ବରେ ଉଏଁ ଆଉ ପଶ୍ଚିମରେ ଅସ୍ତଯାଏ । ମୋ ପାଇଁ ସେଇ ଗୋଟିଏ ରାସ୍ତା ନିର୍ଦ୍ଦିଷ୍ଟ । ତୋ ପାଖରେ କିନ୍ତୁ ହଜାରେ ବିକଳ୍ପ । ସୁବିଧାରେ ପହଞ୍ଚିବା ପାଇଁ, ନିରାପଦରେ ପହଞ୍ଚିବା ପାଇଁ ଅନେକ ରାସ୍ତା । ଆଉ କେତେ ରାସ୍ତା ସିଧା ସିଧା, ସଟକଟ୍ ଜଲ୍ଦି ପହଞ୍ଚି ଯିବ, କିନ୍ତୁ ରିସ୍କି । ନେଇ ଆଣି ଥୋଇ ପାରିଲେ ହେଲା । କିଛି ରାସ୍ତା ବଡ କଠିନ ବିପଦରେ ଭରପୁର, ସେଥିରେ ସୁଖ ମିଳବକି ନାହିଁ ଜଣାନାହିଁ, କିନ୍ତୁ ସନ୍ତୋଷ ନିଶ୍ଚୟ ମିଳିବ । ନାମ ଯଶ ବି ମିଳିପାରେ । ହେଲେ କଷ୍ଟ ଅଛି ସେ ରାସ୍ତାରେ । ସେଥିପାଇଁ ଭଗବାନ ତୋତେ ମନ ବିବେକ ବୁଦ୍ଧି ଜ୍ଞାନ ସବୁ ଦେଇଛନ୍ତି, ନିଜ ରାସ୍ତା ନିଜେ ଠିକ୍ କରିବାକୁ । ମୋତେ କଣ ପଚାରୁଚୁ? ନିଜେ ସ୍ଥିରକର ନିଜ ରାସ୍ତା ! ମନକୁ ପଚାର, କହନ୍ତି ପରା, ‘ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’ କିନ୍ତୁ ସାବଧାନ, ଏଇଠି ଆଉ କାହାକୁ ରାସ୍ତା ପଚାରିବନି । କିଛି ଠିକଣା ନାହିଁ, ସହଜରେ ସମସ୍ତଙ୍କୁ ବିଶ୍ୱାସ ବି କରିହୁଏନି । କେତେ ତ ତାମସା ଦେଖିବାକୁ ଓଲଟା ସିଧା ରାସ୍ତା ବତେଇ ଦେବେ । ଆଉ କିଏ ସିଧା ଖାଲରେ ପକେଇ ଦେବେ । ଠିକ୍ ରାସ୍ତା ବତେଇଦେଲା ଭଲି ଲୋକ ବହୁତ କମ ମିଳିବେ । ତେଣୁ ମନ ବିବେକ ଅନୁଶାରେ ନିଜ ରାସ୍ତା ନିଜେ ବାଛିବା ସବୁଠାରୁ ନିରାପଦ ।

ପଥ ଜଣାନଥିଲା, ସମୟର ବନ୍ଧନ ନଥିଲା, ଖାଲି ଚାଲିବାକୁ ରାସ୍ତା ଅନେକ ଥିଲା । ରାସ୍ତା ଯେଉଁ ଆଡେ ନେଇଗଲା ପାଦ ଠିକ୍ ଠିକ୍ ତାକୁ ଅନୁଶରଣ କରୁଥିଲା । ହଜିଯିବାର ଡର, ଥକି ଯିବାର ଭୟ ଥିଲା । ଏବେ ଆଉ କିନ୍ତୁ ଡର ଲାଗୁନଥିଲା ରମାନାଥଙ୍କୁ । ଜୀବନର ଏଇ ଚାଲିବା ଭିତରେ ଅନେକ କିଛି ଦେଖିଛନ୍ତି । ଉଠାଣି ଗଡାଣି ଖାଲ ଢିପ ସବୁ ଦେଖିଛନ୍ତି । ଆଗରୁ ଟିକିଏ ଡର ଲାଗୁଥିଲା, ଉଠାଣି ଦେଖିଲେ ମୁଣ୍ଡ ଘାବରେଇ ଯାଉଥିଲା, ଭାବୁଥିଲେ ଚଢିପାରିବିତ ? କେତେଥର ଚେଷ୍ଟାକରି ହାରିଛନ୍ତି, କେତେଥର ଜିତିଛନ୍ତି ବି । କେବେ ଡରକୁ ଡରେଇ ଦେଇଛନ୍ତି, କେବେ ନିଜେ ଡରିଯାଇ ରାସ୍ତା ବଦଳେଇ ନେଇଛନ୍ତି, ହେଲେ ଚାଲିବା ବନ୍ଦ କରିନାହାନ୍ତି । ଥକିଗଲେ ଦି’ଘଡି ଗଛମୂଳରେ ବସିପଡନ୍ତି, ପଛକୁ ଦେଖନ୍ତି ରାସ୍ତାରେ ନିଜ ଅନୁଭୂତିର ରୋମନ୍ଥନ କରନ୍ତି, ନିଜର ପରାଜୟରୁ କଣ ଶିଖିଲେ ତାର ତର୍ଜମା କରନ୍ତି । କେତେ ଚାଲିଲେ ସେକଥା ଭୂଲି ଆଗକୁ ଦେଖନ୍ତି । ଭାବନ୍ତି ଆଗକୁ ଯାଉଥିବା ପଥ ବିଷୟରେ କିଛି ଜଣାନାହିଁ । ତା ବିଷୟରେ ଭାବିଲେ ଲାଭ କଣ ହେବ ? ସିଏତ ଅନିଶ୍ଚିତ, ବର୍ଷା ଆସିବ ବୋଲି କଣ ଏବେଠାରୁ ଛତାଖୋଲି ରଖିବେ ? କିଏ ଜାଣିଛି ଯେତେବେଳେ ବର୍ଷା ଝଡ ତୁଫାନ ଆସିବ ସେତେବେଳେ ଏଇ ଛତା କେତେ କାମକୁ ଆସିବ ! ତାଙ୍କର ରକ୍ଷା କରିପାରିବ କି ନାହିଁ ? ଭବିଷ୍ୟତ କଥା ଭାବି ଏବେ ଡର ଲାଗେନା । ମନ ବ୍ୟଗ୍ର ହୋଇଯାଏନା । ଯେତେ ସବୁ ରାସ୍ତା ସବୁ ଏକାପରି, କେବଳ ରାସ୍ତାଟିଏ ପରି ଲାଗେ । ରାସ୍ତା ତ ଉଠାଣି ଗଡାଣି, ଉବଡ ଖାବଡ ହେବଇ ହେବ । ଏଇଟା କେଉଁ ଡ୍ରଇରୁମର ଟାଇଲ ବିଛା ଚଟାଣ ନୁହେଁ ଯେ ଚାଲିବାକୁ ମଖମଲି ଗାଲିଚା ମିଳିବ । ଏଇଟା ରାସ୍ତା । ଯେମିତି ମିଳିବ, ସେଇଟା ଭଲ, ତା ଉପରେ ଯିବାକୁ ହେବ ।

ପ୍ରଥମ ଦିନରୁ ଏମିତି ଚାଲିବା ଆରମ୍ଭ ହୋଇଯାଇଛି, କେବେ ମାଆବାପା କୋଳରେ ଥାଇ, ଆଉ କେବେ ନିଜର ସନ୍ତାନକୁ କୋଳରେ ନେଇ ଚାଲିଛନ୍ତି, ରାସ୍ତା ଏବେବି ଚାଲିଛି । ବେଳେବେଳେ ରମାନାଥଙ୍କୁ ଲାଗେ ସେ ଯେପରି ଗୋଟିଏ ସ୍ଥାନରେ ସ୍ଥାଣୁ ପାଲଟି ଯାଇଛନ୍ତି । ବାସ୍ ନିଜକୁ ଜାବୁଡି ଧରି ଠିଆ ହୋଇଛନ୍ତି ଗୋଟିଏ ଜାଗାରେ ଏବଂ ପାଦ ତଳର ରାସ୍ତା ନଦୀଟିଏ ପରି ବୋହି ଚାଲିଛି । ସେ ସୂର୍ଯ୍ୟପରି ସ୍ଥିର ଆଉ ପୃଥବୀ ତାଙ୍କର ପରିକ୍ରମା କରିଚାଲିଛି । ବେଳେବେଳେ ମନେହୁଏ ସେ ତ ସମୟର ରେଲଗାଡିରେ ଝରକା ପାଖ ସିଟ୍ ରେ ବସିଛନ୍ତି । ପାହାଡ ପର୍ବତ, ଗଛ, ବିଜୁଳିଖୁଣ୍ଟ, ନଦୀ ନାଳ, ପୋଲ ସହର ଆଉ ଷ୍ଟେସନ ସବୁ ପଛକୁ ଦୌଡି ଯାଉଛନ୍ତି । କିଛି ବୁଝିହୁଏନା । କିଏ ଚାଲିଛି କିଏ ସ୍ଥିର ! ହେଲେ ଏଇ ଚାଲିବା ସେମିତି ନିରନ୍ତର ଜାରିରହିଛି । କେବେ ସରିବ ଏ ଯାତ୍ରା ? ଆକାଶକୁ ଚାହିଁଲେ, ସୂର୍ଯ୍ୟକୁ ଦେଖିଲେ । ସୂର୍ଯ୍ୟବି କ୍ଳାନ୍ତ ଦିଶୁଥିଲା । ରମାନାଥ କହିଲେ, ବାସ ବହୁତ ହୋଇଗଲା । ଏବେ ଏ ଚାଲିବା ବନ୍ଦ ହେଉ । ସୂର୍ଯ୍ୟ ଟିକିଏ ନିରେଖି ଦେଖିଲା ରମାନାଥଙ୍କୁ । ଟିକିଏ ହସିଦେଇ ପୁଣି କହିଲା, ତୁମେ ସିଏନା, ଯିଏ ସକାଳୁ ମୋ ସାଥିରେ ଚାଲୁଛି ? ରମାନାଥ ଆଶ୍ଚର୍ଯ୍ୟହୋଇ ସୂର୍ଯ୍ୟକୁ ପଚାରିଲେ, ମୋତେ ଚିହ୍ନି ପାରୁନ ? ମୁଁ ସେଇ, ଯିଏ ସକାଳୁ ଚାଲିଛି ତୁମ ସାଥିରେ, କିନ୍ତୁ ତୁମର କଣ ହେଲା ? ହଠାତ୍ ଏମିତି ଦୋ ଦୋ ଚିହ୍ନା ପରି ସନ୍ଦେହର ଏ ପ୍ରଶ୍ନ କାହିଁକି ? ମୁଁ କଣ ବଦଳି ଯାଇଛି ? ସୂର୍ଯ୍ୟ ହସିଲା, ଅଳ୍ପ ନୁହେଁ ବହୁତ ହସିଲା । କହିଲା ମୋତେ କଣ ପଚାରୁଛ ? ମୋ ପାଖରେ ତ ଆଇନା ନାହିଁ, ନହେଲେ ଦେଖେଇ ଦିଅନ୍ତି । ହୁଏତ ତୁମେ, ତୁମ ନିଜକୁ ଚିହ୍ନି ପାରିବନି କି ନାହିଁ ସନ୍ଦେହ । ଗୋଟେ କାମକର, ସେଇ ଗଛ ମୂଳକୁ ଦେଖ, ରାସ୍ତା କଡରେ କିଛି ଦିଶୁଛି ? ରମାନାଥ କହିଲେ, ହଁ, ସେଇଠି ଭଣ୍ଡାରୀଟିଏ ଠିଆହୋଇଛି । ଗଛର ଗଣ୍ଡିରେ କଣ୍ଟାଟିଏ ପିଟି ବଡ ଆଇନାଟାଏ ଟାଙ୍ଗିଛି ଆଉ ଆଇନା ସାମ୍ନାରେ ଚଉକିଟିଏ ପଡିଛି । ସେ ଅପେକ୍ଷା କରିଛି, କାଳେ କିଏ ନୁଆ ଖରାଖ ଆସିବ, ଦାଢି କି ବାଳ କଟେଇବ । ସୂର୍ଯ୍ୟ କହିଲା, ସେଇଠିକି ଯାଅ, ସେ ଆଇନାରେ ଥରେ ନିଜକୁ ଦେଖିନିଅ । ରମାନାଥ କହିଲେ, ତୁମେ ଏଇଠି ଅପେକ୍ଷା କରିବନା, ଚାଲି ଯିବନି ତ? ସୂର୍ଯ୍ୟ କହିଲା, ନାହିଁ ନାହିଁ ମୁଁ କୁଆଡେ ଯିବିନି ଏଇଠି ତୁମର ଅପେକ୍ଷା କରିଛି । ଯାଅ, ଶିଘ୍ର ନିଜ ମୁହଁ ଦେଖି ଆସ, ଡେରି କରନି । ସେ ତା ଦୋକାନ ବନ୍ଦ କରିଦେଲେ ଆଉ ଥରେ ତୁମ ପାଇଁ ଖୋଲିବନି ।

ରମାନାଥ ଗଲେ ସେଇ ଗଛ ମୂଳକୁ, ତାଙ୍କୁ ଦେଖୁଦେଖୁ ଭଣ୍ଡାରୀ ପିଲାଟି ବି ଖୁସି ହୋଇଗଲା । ଭାବିଲା ନୁଆ ଗରାଖଟିଏ ଆସିଗଲା । ସେ ତାର କଇଚି ଖୁର ଟିକେ ସଜାଡିନେଇ ପଚାରିଲା ମଉସା, ବାଳ ନା ଦାଢୀ କାଟିବ ? ରମାନାଥ ଆଶ୍ଚର୍ଯ୍ୟହୋଇ ତା ମୁହଁକୁ ଚାହିଁଲେ, ମଉସା? ସାର ନ’ଡାକି ମଉସା ଡାକୁଛି । କମ ସାହାସତ ନୁହେଁ ଟୋକାର, ତା ଆଇନାରେ ମୁହଁ ଦେଖିବି ବୋଲି କଣ ଚାଲି ଆସିଲି ଯେ ମୋତେ ବାଳ ଦାଢୀ କାଟିବା କଥା ପଚାରିଲାଣି । ଆଜି ଯାଏ ଯେବେବି ବାଳଦାଢୀ କାଟିଛନ୍ତି ବଡବଡ ଏୟାରକଣ୍ଡିସନ ହେୟରଷ୍ଟାଇଲର ହେୟର ଡ୍ରେସର ପାଖରେ କାଟିଛନ୍ତି । ଯାହାର ଫିଜ୍ ଥରକେ ଦୁଇ ହଜାରରୁ କମ୍ ନୁହେଁ । ନିଜ ଅସନ୍ତେଷକୁ ଲୁଚାଇ କହିଲେ, ନାହିଁ ମୁହଁରେ କଣ ଲାଗିଗଲାତ ସେଇଟା ଦେଖିବାକୁ ଆସିଛି । ପିଲାଟି ଟିକିଏ କଡକୁ ଘୁଞ୍ଚିଯାଇ କହଲା, ହଉ ଦେଖ । ରମାନାଥ ଦର୍ପଣ ଆଗରେ ଠିଆ ହୋଇଗଲେ, ମୁହଁ ଉଠାଇ ଦର୍ପଣକୁ ଦେଖିଲେ, ଚମକିପଡି ଦୁଇପାଦ ପଛକୁ ଘୁଞ୍ଚିଯାଇ ପଚାରିଲେ, ଇଏ କିଏ ?? କାହାକୁ ଦେଖୁଛନ୍ତି ସିଏ ? ପୁଣି ସାହସ କରି ଦର୍ପଣ ଆଡକୁ ମୁହଁ ଉଠାଇ ଅନେଇଲେ କିନ୍ତୁ କାହାକୁ ଦେଖୁଛନ୍ତି ରମାନାଥ? ନିଜର ସନ୍ଦେହ ଦୂରକରିବା ପାଇଁ ଗାଲରେ ହାତ ମାରିଲେ, ନାକରେ ହାତ ମାରିଲେ, ଦାନ୍ତ ଦେଖାଇ ହସିଲେ, ଶେଷରେ ଜିଭ ଦେଖେଇ ଖତେଇ ହେଲେ । ପୁଣି ପଚାରିଲେ ତୁ ଯିଏ ଏଇ ଆଇନାରେ ଦିଶୁଚୁ, ସିଏ ମୁଁ ? ମୁଁ ସିଏ, ଯିଏ ଏ ଆଇନାର ଦିଶୁଛି ?? ଭଣ୍ଡିରୀ ପିଲାଟି ଆଡକୁ ଦେଖିଲେ, ସିଏବି ଚାହିଁଛି ତାଙ୍କୁ, ତା ଆଖିରେ ସତେ ଯେପରି ସନ୍ଦେହ ଆଉ କୌତୁହଳ ଭରି ରହିଛି, ଆଁଟା କରି ଅନାଇଛି । ସତେଅବା ସାମ୍ନାରେ ଗୋଟାଏ ବଦ୍ଧ ପାଗଳକୁ ଦେଖୁଛି । ରମାନାଥ ପିଲାଟିକୁ ପୁଣି ଦେଖିଲେ, ବିରକ୍ତଭରା ସ୍ୱରରେ କହିଲେ, ହେ, କଣ ଦେଖୁଚୁ ? ପିଲାଟି ଘାବରେଇ ଯାଇ କହିଲା, କିଛି ନାହିଁ ମଉସା । କଥା ବଦଳେଇବାକୁ ପଚାରିବସିଲା, ମଉସା ବାଳ କାଟିବ ନା ଦାଢୀ ? ବାଳ କାଟିଲେ କୋଡିଏ ଟଙ୍କା, ଦାଢୀ କାଟିଲେ ଦଶଟଙ୍କା, ଦାଢୀବାଳ ଉଭୟ କାଟିଲେ ପଚିଶ ଟଙ୍କା । ରମାନାଥଙ୍କ ଭୃକୁଞ୍ଚିତ ହୋଇଗଲା । ପିଲାଟି ଟିକିଏ ଡରିଯାଇ କହିଲା, ଗଲା ରବିବାର ଦିନଠାରୁ ରେଟ ବଢିଯାଇଛି ପରା । ହଉ ହଉ ବସ, ବାଳ ଦାଢୀ ଉଭୟ କାଟିଦେବି, କୋଡିଏ ଟଙ୍କା ଦେବ । ଖାଲି ଆପଣଙ୍କ ପାଇଁ ପୁରୁଣା ରେଟ ଲଗେଇ ଦେବି, କାହାକୁ କହିବେନି ଏକଥା । ରମାନାଥ ତାକଥା ନଶୁଣିଲା ପରି ମୁହଁ ବୁଲେଇ ପୁଣି ଦର୍ପଣକୁ ଦେଖିଲେ, ନିଜକୁ ନିଜେ ଚିହ୍ନି ପାରୁ ନାହାଁନ୍ତି । ଭାବିଲେ ସୂର୍ଯ୍ୟକୁ ଖାଲି ମିଛଟାରେ ଏତେକଥା କହିଗଲେ । କୁଆଡେ ଗଲା ତାଙ୍କର ସେହି ସୌମ୍ୟ ସୁଦର୍ଶନ ମୁହଁଟା? ଡଉଲ ଡାଉଲ ଅଣ୍ଡାକୃତି ମୁଖ, କୁଞ୍ଚକୁଞ୍ଚିଆ ଘନ କଳାକେଶ, ନାକ ତଳର ସେଇ ପତଳା ନିଶ, ଡେଲି ସେଭିଂ ଚିକ୍କଣ ଗାଲ ହେଲେ, ସାମ୍ନା ଦର୍ପଣରେ ଏଇ ଯେଉଁ ଲୋଳିତ ଚର୍ମ, ଧଳାକଳା ମିଶା କର୍କଶ ଦାଢି, ଅଧା ଚନ୍ଦା ମୁଣ୍ଡ, କପାଳରେ ଏ କୁଞ୍ଚିତ ରେଖା କିଏ ଏଇ ବୃଦ୍ଧ ? ମୁଁ ?? ମୁଁ ନିଜେ ??? ମିଷ୍ଟର ରମାନାଥ ???

ହଠାତ୍ ରମାନାଥ ବୁଲି ପଡିଲେ ଏବଂ ଏକ ମୁହାଁ ହୋଇ ଧାଇଁଲେ ସୂର୍ଯ୍ୟ ପାଖକୁ, କହିଲେ, ଏବେ ବୁଝିଲି, ତୁମେ କାହିଁକି ମୋତେ ସନ୍ଦେହଭରା ଦୃଷ୍ଟିରେ ଦେଖୁଥିଲ । କିନ୍ତୁ ଏସବୁ ହେଲା କିପରି ?? ସୂର୍ଯ୍ୟ ହସିଲା, କହିଲା ସକାଳ ଆଉ ସଞ୍ଜ ଭିତରେ କେତେ ପାର୍ଥକ୍ୟ ସେକଥା କଣ ବୁଝିପାରୁନ ? ସକାଳ ସଞ୍ଜ ଭିତରେ କେତେ ଯେ ସମୟ ବିତିଯାଏ, ମଣିଷ ସତେ ଯେପରି ଭ୍ରମରେ ପଡଥାଏ । ଆଖିରେ କଳା ଚଷମା ଲଗାଇନିଏ ଆଉ ଜୁଟିଯାଏ ଧା ଦଉଡରେ । ସେଇ ଭ୍ରମରେ କିଛିବି ଦିଶେନା ତାକୁ, କେବଳ ଗୋଟିଏ ନିଶା, ଶୀର୍ଷରେ ପହଞ୍ଚିବାର ନିଶା, ଅନ୍ୟ ଅପେକ୍ଷା ସ୍ରେଷ୍ଟ ହେବାର ନିଶା, କିନ୍ତୁ କେବେ ନିଜର ସ୍ରେଷ୍ଟତା କଥା ଭାବେନି । ସମୟ ଚାଲି ଯାଉଛି, ସକଥା ଭାବେନା । ସମୟକୁ ହାତ ମୁଠାରେ ବାନ୍ଧି ରଖିବାକୁ ବୃଥା ଚେଷ୍ଟାକରେ । ଯାହା ମିଳିଲା ସବୁ ଏକାଠି କରିବାର ନିଶାରେ ପାଗଳ ହୋଇଯାଏ । ନିଜେ ଦେଖିପାରେନା, ଆଙ୍ଗୁଳି ସନ୍ଧିରୁ ଝୁରୁ ଝୁରୁ ହୋଇ ଚୋରାବାଲି ସବୁ ଖସିଯାଉଛି । ମୁଠାକୁ ଯେତେ ଯୋରରେ ବନ୍ଦ କରିବାକୁ ଚେଷ୍ଟାକରେ, ସେତେ ଯୋରରେ ବାଲି ଝରିଯାଏ । ଶେଷରେ ଯେବେ ହାତ ମୁଠା ଖୋଲି ଦେଖେ ଦୁଇ ହାତ ଶୂନ୍ୟ, କିଛିନାହିଁ ହାତ ମୁଠାରେ । ଯେତେବେଳେ ଆସିଥିଲା ହାତ ଯେମିତି ଖାଲି ଥିଲା, ଜୀବନର ଶେଷ ଦିନରେ ଠିକ୍ ସେମିତି ହାତ ଶୂନ୍ୟ ରହିଯିବ । ରମାନାଥ ସୂର୍ଯ୍ୟର ମୁହଁକୁ ସେମିତି ବଲ ବଲ କରି ଚାହିଁ ରହିଥାଆନ୍ତି । ସୂର୍ଯ୍ୟ ଆଡୁ ମୁହଁ ଫରାଇ ନିଜ ଦୁଇ ହାତକୁ ଉଠାଇ ଦେଖିଲେ, ମୁଠା ଖୋଲିଦେଲେ । ଏ କଣ ? ହାତ ତ ଶୂନ୍ୟ, ସତରେ କିଛି ନାହିଁ ହାତରେ, କୁଆଡେ ଗଲା ସବୁ?

ପୁଣି ସୂର୍ଯ୍ୟକୁ ଦେଖିଲେ । ସୂର୍ଯ୍ୟ ଟିକିଏ ହସିଲା । କହିଲା, ଦେଖ ବେଳ ସରି ଆସିଲାଣି । ଏବେ ତ ଯିବାକୁ ହେବ । ମୁଁ ଆସିଲାବେଳେ ଯେମିତି ଦିଶୁଥିଲି ଏବେବି ସେମିତି ଦିଶୁଛିନା ? ସକାଳେ ଯେମତି ହସୁଥିଲି, ଏବେବି ସେମିତି ହସୁଛି । ତୁମର ସକାଳ ଚେହେରା ସିନା ଏବେ ନାହିଁ କିନ୍ତୁ ସକାଳେ ତୁମେ ଯେମିତି କାନ୍ଦି କାନ୍ଦି ଆସିଥିଲ ଏବେବି କଣ ସେମିତି କାନ୍ଦି କାନ୍ଦି ଫେରିଯିବ । ଏବେ ତ ଟିକିଏ ହସି ଦିଅ, ଯେମିତି ମୁଁ ହସୁଛି ! ଯିବା ଆସିବା ତ ଲାଗି ରହିବ । କାଲି ମୁଁ ବି ଆସିବି ତୁମେବି ଆସିବ । ଦୁଃଖ କାହିଁକି ? ଖାଲିହାତ ଦେଖି ଦୁଃଖ ଲାଗୁଛି ?? ଆରେ ଏଥିରେ ଦୁଃଖ କାହିଁକି ? ସିଏତ ସବୁ ସ୍ୱପ୍ନଥିଲା । ମାୟା ଥିଲା, ଦୃଷ୍ଟିଭ୍ରମ ଥିଲା । ଯାହା ଦେଖିଲ ତାହା ମାୟାଥିଲା, ଯାହା କରିଲ, ଦେଲ ନେଲ ପାଇଲ ସବୁ ମାୟା ଥିଲା । ନା ତୁମେ କାହାର ଥିଲ ନା କେହି ତୁମର ଥିଲା । ଜୀବନଟାତ ଗୋଟାଏ ଜର୍ଣ୍ଣିଂ ଥିଲା । ଗାଡିରେ ବସିଲ, କେତେ ଯାତ୍ରୀ ଆସିଲେ ଗଲେ, କିଏ ପାଖରେ ବସିଲା, କିଏ ଭାଇ ଡାକିଲା କିଏ ବନ୍ଧୁ, କିଏ ସମ୍ପର୍କ ବଢେଇ ଦେଲା । କିନ୍ତୁ ଶେଷରେ ସମସ୍ତେ ନିଜ ନିଜର ଯାତ୍ରା ସମାପ୍ତ ପରେ ଓହ୍ଲେଇ ଗଲେ ଆଉ ଯିବେ । ତୁମର ଯାତ୍ରା ଏଇଠି ଶେଷ । ମୁଁ ଯିବି, ତୁମେ ବି ଓହ୍ଲେପଡ ଏଇ ଷ୍ଟେସନରେ । ଓହ୍ଲାଇଲା ବେଳେ ଥରେ ତୁମର ସହଯାତ୍ରୀମାନଙ୍କୁ ଦେଖିନିଅ । ଦେଖ, କେତେଜଣ ହାତ ହଲେଇ ଟା ଟା କରୁଛନ୍ତି । କେତେ ଜଣ ମନ ଦୁଃଖରେ କାନ୍ଦୁଛନ୍ତି, କିଏ ଦୁଃଖରେ ବିଭୋର ହୋଇ ଯାଉଛି, କିଏ ବାହୁନି କାନ୍ଦୁଛି । ତୁମେ ଓହ୍ଲେଇଗଲା ପରେ କେତେଜଣ ଖୁସିବି ହେବେ, ପାର୍ଟି ମନେଇବେ, ଆଉ କେତେ ହାତ ଦେଖେଇ ଖତେଇ ହେବେ । ଏମିତିବି କିଛି ଲୋକ ଥିବେ ଯେଉଁମାନଙ୍କୁ କିଛି ଫରକ ପଡିବନି । ତୁମେ ଥିଲ କି ଗଲ ସେଥିରେ ତାଙ୍କର କିଛି ଯାଏ ଆସେନା । କିନ୍ତୁ ତୁମର ଜାଣିବାକୁ ଇଚ୍ଛା ହେଉନି, ତୁମର ଏଇ ଯାତ୍ରା ଏକ ସଫଳ ଯାତ୍ରା ଥିଲା କି ନାହିଁ ? ରମାନାଥ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲେ ସୂର୍ଯ୍ୟ ମୁହଁକୁ । ସୂର୍ଯ୍ୟ କହିଲା ତୁମେ ଓହ୍ଲେଇ ଗଲାପରେ ଲୋକେ ହିସାବ କରିବେ । କେତେ ପାଇଥିଲ ତାର ହିସାବ ନୁହେଁ, ବରଂ କେତେ ଦେଇକି ଗଲ ତାହାର ହିସାବ କରିବେ । କାହାକୁ ହସେଇବାକୁ, କାହାକୁ ଖୁସିକରିବାକୁ କାହାର ଦୁଃଖ ଦୂରକରିବାକୁ କଣ ଦେଇକି ଆସିଲ ତାର ହିସାବ କରିବେ । ଯେତେ ଅଧିକ ଯାତ୍ରୀ ବିନା ସ୍ୱାର୍ଥରେ ତୁମର ଅନୁପସ୍ଥିତିକୁ ଅନୁଭବ କରିବେ ତୁମର ଯାତ୍ରା ସେତେ ସଫଳ । ଚାଲ, ଏବେ ଯିବା, ସମସ୍ତଙ୍କୁ ଗୁଡବାୟ କହିଦିଅ । ଏତିକି କହି ସୂର୍ଯ୍ୟ ବୁଡିଗଲା । ରମାନାଥ ସେଇଠି ବସି ପଡିଲେ ।
××××
ହସପିଟାଲ ବେଡରେ ରମାନାଥଙ୍କ ନିର୍ଜୀବ ଶରୀରଟା ସେମିତି ପଡି ରହିଥାଏ, ସାଇଡରେ ରଖାହୋଇଥିବା ଲାଇଫ ସେଭିଙ୍ଗ ଉପକରଣ ଗୁଡିକ ସେମିତି ଶୁନସାନ । ମୁଣ୍ଡପାଖରେ ସ୍ତ୍ରୀ ସୁନନ୍ଦା ବସି ଲୁହଗଡାଉଛନ୍ତି, ପୁଅ ବିକ୍ରମ ବ୍ୟଗ୍ରତାର ସହିତ ଏପଟ ସେପଟ ହେଉଛି । ହସପିଟାଲରୁ ଡାକ୍ତରଙ୍କ ଡେଥ ସାର୍ଟିଫେକଟ୍ ପାଇଁ ଅପେକ୍ଷା । ସେଇ ଡକୁମେଣ୍ଟଟା ବହୁତ ଜରୁରି ଆଉ ମୂଲ୍ୟବାନ । ସେଇ ଗୋଟାଏ ଡକୁମେଣ୍ଟ ବିଶ୍ୱଜିତ୍ ପାଇଁ ‘ରମାନାଥ ଏମ୍ପାୟାର’ର ଏକମାତ୍ର ଉତ୍ତରାଧିକାରୀ, ସବୁ ମାଲିକାନା ସତ୍ୱର ଚାବିକାଠୀ ।

***25/09/2018***

ପଦିଏ କଥା Padie Katha

ତୁମେ ଠିକ୍ କହିଥିଲ,
ମୁଁ କିନ୍ତୁ ବୁଝି ପାରିଲିନି
କିମ୍ବା ବୁଝିବାକୁ ଚାହିଁଲିନି
ତୁମର ସେଇ ସିଧା ସାଧା କଥାଟି
ବୁଝିବାକୁ ସତେ କେତେ ଡେରି କରିଦେଲି ।
ସବୁକାମ ସାରିଲା ପରେ
ଜୀବନର ଏଇ କ୍ଳାନ୍ତ ସଂଧ୍ୟାରେ
ଅସ୍ତ ସୂର୍ଯ୍ୟପରି ଯେବେ ଥକିଗଲି
ମନେପଡେ ତୁମର ସେ କଥା କେଇପଦ
ହେଲେ ଆଜି କେତେ ଏକୁଟିଆ ହୋଇଗଲି ।

ତୁମର ସେଇ ପଦକ କଥା
ସତେ କେତେ ସାମାନ୍ୟ
ଆଉ କେତେ ଗହନ ଥିଲା
ହେଲେ ବଡ ହେବାର ନିଶା ମୋର
ମୋତେ ମୋର ଦୁନିଆରୁ ଦୂରେଇ ନେଲା ।
ଆଜି ମନେପଡେ ତୁମକଥା
ମନ ଦେଇଦେଲା ପରେ
ସେ ଆଉ ଫେରେଇ ହୁଏନା,
ହୃଦୟରେ ରଖିନେଲା ପରେ
ସିଏ ଆଉ ବାହାର ହୁଏନା,
ସେଇ ମଣିଷଟି ପ୍ରଣୟର ମନ୍ଦିରରେ
ଦିଅଁ ପାଲଟି ଯାଏ ସିନା ।

ଜୀବନଟା ବିତିଯାଏ ତାକୁ ଝୁରି ଝୁରି
ପ୍ରାଣବି ନିସ୍ପ୍ରାଣ ହୋଇଯାଏ,
ମୁଁ କେତେ ହତଭାଗା ଥିଲି
ତୁମକଥା ବୁଝିବାକୁ ଚାହିଁଲିନି
ସବୁ ଥାଇ ବି ଆଜି କଙ୍ଗାଳ ରହିଗଲି ।
ସମୁଦ୍ର କୂଳରେ ବୁଲିଲି
କେତେ ବାଲିଗରଡା ଆଉ
ସାମୁକା ଏକାଠି କଲି, ହେଲେ
ଅସଲ ମୁକୁତାକୁ ଅଣଦେଖା କରି
ସମୟର କେତେ ଆଗେ ବଢିଗଲି ।

***15/09/2018***

ନିଶବ୍ଦ ପ୍ରେମ Nisabda Prema

ନା ମୁଁ କିଛି କହିଥିଲି
ନା ତୁମେ କିଛି କହିଲ,
କିଛି ଶବ୍ଦ ବି ଜରୁରୀ ନଥିଲା
କହିବାକୁ ପ୍ରଣୟର କଥା ।
ଦୁନିଆ ନିଶବ୍ଦ ଥିଲା ଆମର
ନିରବତା ଜୀବନର ସହଚର,
ତଥାପି ଆମର ଏ ନିର୍ବାକ ଜୀବନେ
କିଛି କହିବା ଜରୁରୀ ନଥିଲା,
କିଛି ନକହି ନଶୁଣି ତଥାପି ଆଖି ବୁଝିଗଲା
ମନର ଭାଷା ଆଉ ପ୍ରେମର ଗଭୀରତା ।
ମୋ ଛାତିରେ ହାତ ଥାପିଦେଇ
ତୁମେ ପଢିନେଲ ଦୁକ୍ ଦୁକ୍ ସ୍ପନ୍ଦନରୁ
ମୋ ହୃଦୟର ପ୍ରଣୟର ଭାଷା ।
କେଇ ଜୋଡା ଶବ୍ଦ କମ୍ ପଡିଥାଆନ୍ତା
କହି ଦେବାକୁ ମୋର ପ୍ରେମର ଗଭୀରତା
କାଣିଚାଏ ପ୍ରେମପାଇଁ ମୋ ପ୍ରାଣର ତୃଷ୍ଣା ।

ତୁମେ ଯେବେ ସମର୍ପି ଦେଲ ନିଜକୁ
ମୋ ବାହୁର ନିବିଡ ବନ୍ଧନରେ
ହୃଦୟକୁ ହୃଦୟ ଛୁଇଁଗଲା
ପ୍ରଣୟ ସଞ୍ଚରିଗଲା ହୃଦୟରୁ ହୃଦୟକୁ
ଭାବ ବିନିମୟ ହେଲା
ଟରେଟକ୍କା ଟରେଟକ୍କା ତାରଘର ଭାଷା ।
ଆଖିରେ ଆଖି ଲାଖି ଗଲା
ବ୍ୟାପିଗଲା ସମଗ୍ର ଶରୀରେ
ବିଦ୍ୟୁତୀୟ ତରଙ୍ଗରେ ରୋମାଞ୍ଚିତ ଶରୀର
ଭରିଦେଲା ଏ ମନରେ ପ୍ରଣୟର ଆଶା ।

ପ୍ରେମ କେବେ ଲୋଡେ ନାହିଁ ଭାଷା
ଆଉ କେଇଯୋଡା ଶବ୍ଦ ଆଡମ୍ବର
ପ୍ରେମ ହୁଏ ନିଶବ୍ଦରେ ନିରବରେ
ହୃଦୟରୁ ପ୍ରେମ ଝରିଆସେ
ପ୍ରିୟାର କିଞ୍ଚିତ ତୀର୍ଚ୍ଛକ ଦୃଷ୍ଟିରେ,
ଓଠ କଣରେ ଟିକିଏ ଦୁଷ୍ଟାମୀ ହସରେ ।
ଆଖି ପଢିଯାଏ ଆଖିର କବିତା
ହୃଦୟର ଗତି ବଢିଯାଏ
ଗାଇଯାଏ ଗୁଣୁଗୁଣୁ ସୁରେ
ସମ୍ପର୍କର ସଂଗୀତ ମଧୂରେ
ମଳୟର ଗୁଞ୍ଜରଣେ ପ୍ରଣୟ ରାଗରେ ।

***19/09/2018***

* ପ୍ରେମ ପାଇଁ I love you କହିବା ତ ଜରୁରୀ ନୁହେଁ । ଯେଉଁମାନଙ୍କ ପାଇଁ ଏ ସଂସାର ନିଶବ୍ଦ ଏବଂ ନିରବ ସେମାନଙ୍କ ପାଇଁ କେବଳ ହୃଦୟର ଭାଷା ହିଁ ଯଥେଷ୍ଟ ।