କେହି ଜଣେ କହିଲା ରାସ୍ତା ସରି ଆସିଲାଣି, ପ୍ରସ୍ଥାନ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରି ଦିଅ । ହଁ ସତ କଥା, ପଥ ସରେ, ଅଲଗା ଅଲଗା ସମୟରେ ଷ୍ଟେସନ ଆସି ଯାଏ, ଯାତ୍ରୀର ଯାତ୍ରା ବି ସରି ଯାଏ । ପ୍ରସ୍ଥାନ ପାଇଁ ବିଶେଷ କିଛି ପ୍ରସ୍ତୁତିର ଆବଶ୍ୟକତା ନାହିଁ, ସାଥିରେ ଲଗେଜ ନଥାଏ, ଏକା ଏକା ଓହ୍ଲାଇ ପଡିବାକୁ ହୁଏ ନିର୍ଦ୍ଦଷ୍ଟ ଷ୍ଟେସନରେ । ସାଥିରେ ଆଉ କେହି ନାହିଁ ନା ସାଙ୍ଗ ନା ସଙ୍ଗିନୀ । କେଉଠି ଗୋଟାଏ ଆର୍ଟିକ୍ଲରେ ପଢି ଥିଲି, ଜଣେ ମହାପୁରୁଷ କହି ଥିଲେ ତୁମର ପ୍ରକୃତ ‘ଲାଇଫ ପାର୍ଟନର’ କିଏ, ସେ ବିଷୟରେ । ତାଙ୍କ କହିବା ଅନୁଶାରେ ମାଆ ବାପା ଭାଇ ଭଉଣୀ ପତ୍ନୀ ସନ୍ତାନ କେହି ତୁମର ଜୀବନସଙ୍ଗିନୀ ନୁହେଁ, ଏପରିକି ପତ୍ନୀ ବି ନୁହେଁ । ତୁମର ନିଜ ଶରୀର ହିଁ ତୁମର ଜୀବନ ସଙ୍ଗିନୀ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ତୁମର ସାଥିର ରହେ । ସତ କଥା ତ, ଶରୀର ଛାଡିଲା ପରେ ଆଉ କିଏ ସାଙ୍ଗରେ ଥିବ ? କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ଆସେ, ମୁଁ କଣ କେବଳ ଆତ୍ମା ? ଶରୀରରେ ପ୍ରବେଶ ଓ ପ୍ରସ୍ଥାନ ପର୍ଯ୍ୟନ୍ତ ସାଥିରେ ରହେ ? ତେବେ ପ୍ରାଣ କଣ ? ପ୍ରେମ କଣ ? ଏ ସବୁ କଣ କେବଳ ମାୟା ? ଏ ସବୁ ଯଦି ମାୟା, ତେବେ ଏଇ ମାୟା ହିଁ ଉତ୍ତମ, ମାୟା ମଣିଷକୁ ବଞ୍ଚିବା ଶିଖାଏ ଏବଂ ଏଇ ମାୟା ସହିତ ମଣିଷ ବଞ୍ଚେ ଓ ମରେ । କେବଳ ଶରୀର ଜୀବନ ସଙ୍ଗିନୀ ନୁହେଁ, ପ୍ରାଣ ଅଛି ତ ପ୍ରେମ ଅଛି, ବନ୍ଧନ ଅଛି ଏବଂ ଆମର ପ୍ରାଣ ଆମର ମାଆ ବାପା ଭାଇ ଭଉଣୀ ପତ୍ନୀ ସନ୍ତାନ ସମସ୍ତଙ୍କ ଭିତରେ ବାଣ୍ଟି ହୋଇ ଯାଇଛି ।

ଏଇ ଦି ଘଣ୍ଟା ଆଗରୁ ତ ସକାଳ ହୋଇଛି, ସୂର୍ଯ୍ୟ ଏବେ ଯାଏ ଭଲ ଭାବରେ ଦି’ପାଦ ଆଗକୁ ବଢିନି । ହେଲେ ସିଏ, ସିଏ ମାନେ ମୋର ପ୍ରାଣପ୍ରିୟା ପତ୍ନୀ ସୁମତି ଦେବୀ, ହା ହା ଆପଣ ଭାବୁ ଥିବେ, ମୁଁ ପ୍ରାଣପ୍ରିୟା ଏଇଥି ପାଇଁ କହୁଛି କାରଣ ତାଙ୍କୁ ମୁଁ ମୋର ନିଜ ପ୍ରାଣ ଠାରୁ ଅଧିକ ଭଲ ପାଏ । ଆରେ ନା’ ନା’ ସେମିତି ଜମାରୁ ନୁହେଁ, ଯେତେ ଭାବୁଛନ୍ତି ମୁଁ ସେତେ ଭଲ ପାଏନା ତାଙ୍କୁ । ପ୍ରାଣପ୍ରିୟା ଏଇଥି ପାଇଁ କହେ, କାରଣ ସେ ମୋର ଅଧା ପ୍ରାଣ ଆଉ ତାଙ୍କର ଅଧା ପ୍ରାଣ ଏକାଠି ସଂଯୁକ୍ତ ହୋଇ ଆମର ଗୋଟିଏ ପ୍ରାଣ ହୋଇ ଯାଇଛି । ଆମ ଦୁଇ ଜଣଙ୍କ ପ୍ରାଣ ଏକାଠି ମିଶି ଯେଉଁ ଗୋଟିଏ ପ୍ରାଣ ହୋଇଛି, ସେଇ ଗୋଟାକ ପ୍ରାଣ ଆମ ଦି’ଜଣଙ୍କ ପାଖରେ ଅଧା ଅଧା ହୋଇ ରହିଛି । ଯେମିତି ଅଧା ଗ୍ଲାସ ଖିର ଅଧା ଗ୍ଲାସ ପାଣି ଏକାଠି ମିଶାଇ ପୁଣି ଦୁଇଟି ଗ୍ଲାସରେ ଅଧା ଅଧା କରି ଦେଲେ କେଉଁଟା ପାଣି କେଉଁଟା ଖିର ଜାଣି ହୁଏନି, ଠିକ୍ ସେମିତି । ଆମେ ଦିଜଣ ପରସ୍ପରକୁ ସମାନ ସମାନ ପ୍ରେମ କରୁ, ତେଣୁ ସେ ମୋର ପ୍ରାଣପ୍ରିୟା । ସେଇଥି ପାଇଁ ତାଙ୍କୁ ପ୍ରାଣପ୍ରିୟା କହେ ।

ଏବେ ଠାକୁର ଘରେ ଘଣ୍ଟି ବାଜିବାର ଶବ୍ଦ ଶୁଭୁଛି, ଗୁଣୁ ଗୁଣୁ କରି କିଛି ମନ୍ତ୍ର ସ୍ୱର ବି ଶୁଭୁଛି । ଠିକ୍ ଭାବେ ବୁଝି ହେଉନି ତଥାପି.. ବୋଧ ହୁଏ ଓଁ ଭୁର୍ଭୂବଃ ସ୍ୱଃ ତତ୍ ସବିତୁଂର୍ବରେଣ୍ୟଂ… ମାନେ ଗାୟତ୍ରୀ ମନ୍ତ୍ର ହୋଇ ପାରେ । ମିଠା ମିଠା ଧୂପ କାଠୀର ମହକ ଭାସି ଆସୁଛି ପବନରେ । ମୁଁ ତ ପୂଜା ପାଠ କରେନି, ତେଣୁ ସେ ମୋ ଭାଗର ପୂଜାଟା ବି ସେ କରି ଦିଅନ୍ତି ଆଉ ସେଇଥା ପାଇଁ ବୋଧ ହୁଏ ତାଙ୍କୁ ଏତେ ସମୟ ଲାଗି ଯାଏ । ଏତେ ସମୟ, ମାନେ 20 ରୁ 25 ମିନିଟ୍ । ଯଦି କେବେ ପଚାରେ ଏତେ ପୂଜା ପାଠ କରି କଣ ମାଗୁଛ ଠାକୁରଙ୍କୁ? ସେ କିଛି କହନ୍ତିନି, ଖାଲି ଟିକିଏ ହସି ଦିଅନ୍ତି ! ସେଇ ହସ ଯେମିତି କହେ, ତୁମେ ତ ସବୁ ଜାଣିଛ, ପୁଣି ପଚାରୁଚ କଣ? ହଁ ସତ କଥା, ମୁଁ ଜାଣେ ସେ ବରଦାନରେ କଣ ଚାହାଁନ୍ତି । ପ୍ରଥମେ ତ ଘର ପରିବାରର ସମସ୍ତଙ୍କର କୁଶଳ ମଙ୍ଗଳ, ମାନେ ‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟଃ’ ତାପରେ ମୋ ପାଇଁ ଟିକିଏ ସ୍ପେସାଲ ବର ମାଗନ୍ତି, ମୋ ଦେହ ଭଲ ରହୁ, ମୁଁ ନିରୋଗ ରହେ, ଶତାୟୁ ହୁଏ ଏବଂ ସର୍ବଦା ସୁସ୍ଥ ସବଳ ରହେ । ସର୍ବ ଶେଷରେ ନିଜ ପାଇଁ ଏକ ବିଶେଷ ବରଦାନ ମାଗନ୍ତି । ନିଜ ପାଇଁ ମୃତ୍ୟୁର ବରଦାନ, ହେ ପ୍ରଭୂ ମୋତେ ଅହ୍ୟ ସୁଲକ୍ଷଣୀ କର, ହାତରେ ଚୁଡି, ମଥାରେ ସିନ୍ଦୁର ସହିତ ମୋତେ ବାହୁଡାଇ ନିଅ !

ଏଇ ଏବେ, ଘଣ୍ଟି ଶବ୍ଦ ବନ୍ଦ ହୋଇ ଗଲା, ଭିତରୁ ସୁନୀତି ଦେବୀଙ୍କର ପାଟି ଶୁଭିଲା । ପୁଅ ବୋହୁଙ୍କ କବାଟ ଠକ୍ ଠକ୍ କରି ସେମାନଙ୍କୁ ଉଠେଇଲେ, ଆରେ ଉଠରେ ସକାଳ ହୋଇ ଗଲାଣି, ଆଠଟା ବାଜିଲାଣି, ଅଫିସ୍ ନାହିଁ କି ଆଜି ? ଚା ତିଆରି କରି ଦେଇଛି । ଉଠିକି ପିଇ ନିଅ, ଥଣ୍ଡା ହେଲେ ଆଉ ଥରେ ଗରମ କରିବାକୁ ପଡିବ, ବାରମ୍ବାର ଗରମ କଲେ ଚାହା ଭଲ ଲାଗିବନି । ସକାଳେ ସେ ଗାଧୋଇ ଠାକୁର ପୂଜା କରିବା ଆଗରୁ ମୋତେ କପେ ଚାହା ଦେଇ ସାରିଛନ୍ତି । ଏବେ ପାଣି ଗଡୁଟାଏ ନେଇ ଏପଟେ ଆସିବେ । ଏଇ ବାରଣ୍ଡା ତଳକୁ ଲାଗି ବୃନ୍ଦାବତୀଙ୍କ ଚଉରାଟା । ସେଠି ତୁଳସୀରେ ପାଣି ଦେବେ । ଧୂପ କାଠୀଟିଏ ଜାଳିବେ, ମୁଣ୍ଡିଆ ମାରି କଣ ଗୁଣୁ ଗୁଣୁ ହୋଇ କଣ ମାଗିବେ । କିଏ ଜଣେ ପଣ୍ଡିତେ କହି ଥିଲେ ତୁଳସୀ ପାଖରେ ସକାଳେ ଧୂପ ଆଉ ସଂଜରେ ଦୀପ ଜାଳିବ । ସେବେଠୁ ସେ ସେମିତି କରୁଛନ୍ତି, ସକାଳେ ଧୂପ କାଠୀ ଆଉ ସଂଜରେ ଘିଅ ସଳିତାରେ ଦୀପଟିଏ ଜାଳନ୍ତି । ସଂଜ ସକାଳରେ ସେଇ ଏକା କଥା ଜଣାନ୍ତି ବୃନ୍ଦାବତୀଙ୍କୁ, ଆଉ ମାଗନ୍ତି ସେଇ ଗୋଟିଏ ବରଦାନ । ଆପଣଙ୍କୁ ତ କହିଥିଲି ସେ ବରଦାନ କଥା ।

ବୃନ୍ଦାବତୀଙ୍କ କାମ ସାରି ବାରଣ୍ଡା ଉପରକୁ ଚଢୁ ଚଡୁ ଘରଣୀ କହିଲେ, ତୁମେ ଏବେ ଗାଧୋଇବ ନା ଜଳଖିଆ ଆଣି ଦେବି, ଖାଇକି ପରେ ଗାଧୋଇବ । କହିଲି ଆରେ ଦେହଟା ଟିକେ ଭଲ ଲାଗୁନି ତ, ତୁମେ ଏବେ ଖାଲି ଚାହା କପଟିଏ ଦିଅ, ଟିକେ ପରେ ଦାନ୍ତ ଘଷିଲେ ଜଳଖିଆ କରିବି । ବାରଟା ପରେ ଗାଧୋଇବି । ଏବେ ଆଉ କୋଉ ଅଫିସ ଯିବାର ଚିନ୍ତା ଅଛି ଯେ । ଦେହ କଥା ଶୁଣି ସେ ଟିକେ ଗମ୍ଭୀର ହୋଇ ଗଲେ । ଗଡୁଟାକୁ ସେଇଠି ତଳେ ଥୋଇ ଦେଇ ଲୁଗା କାନିରେ ହାତ ପୋଛୁ ପୋଛୁ ପାଖରେ ଆସି ହାଜର, ମୁଣ୍ଡରେ ହାତ ମାରି କହିଲେ ତାତି ତ ନାହିଁ, କଣ ଲାଗୁଛି ତୁମକୁ? କହିଲି ଆରେ ଜର ଫର ନାହିଁ ମ, ଅଣ୍ଟାଟା ଟିକେ ଖାଲି ଦରଜ ଦରଜ ଲାଗୁଚି । ହଠାତ୍ ଘରଣୀଙ୍କ ମୁହଁର ଭାବ ବଦଳି ଗଲା । ବଡ ବଡ ଆଖି କରି କହିଲେ, ରିଟାୟର୍ଡ ପରେ ନା ତୁମ ରୁଟିନ ବଦଳି ଯାଇଛି ପୁରା ପୁରି । ଦିନଟା ସାରା ସେଇଠି ବସି କଣ ସବୁ ପଢୁଛ ନହେଲେ ଲ୍ୟାପଟପ୍ ପାଖରେ ବସି କଣ ଲେଖା ଲେଖି କରୁଛ । କେତେ ଥର କହିଲିଣି ଟିକେ ସକାଳ ସଂଜରେ ମଣିଂ ୱାକରେ ଯାଅ, ନହେଲେ ରାମଦେବ ବାବାଙ୍କ ସିଡି ଦେଖି ଦେଖି ଟିକେ ଯୋଗ କି ପ୍ରାଣାୟମ କର । ହେଲେ ତୁମେ କଣ ଶୁଣିବ କାହା କଥା । ବୁଢା ହୋଇ ଗଲଣି ଆଉ କଣ ତୁମ, ସେ ବୟସ ଅଛି, ଏମିତି ଏତେ ସବୁ କରିବାକୁ । ତୁମେ ପୁରା ପୁରି ଅଳସୁଆ ହୋଇ ସାରିଲଣି । କାଲି ସକାଳେ ମୁଁ ଉଠିଲା ବେଳେ ତୁମକୁ ଉଠାଇ ଦେବି । ତୁମକୁ ଯଦି ଡର ଲାଗୁଚି ମୁଁ ଯିବି ତୁମ ସାଙ୍ଗରେ ମର୍ଣିଂ ୱାକରେ ।

ମୁଁ ମନେ ମନେ ଟିକେ ହସିଲି, ଭାବିଲି ଏଇଟା ବୋଧେ କୋଡିଏ କି ପଚିଶତମ ଧମକି ତାଙ୍କର । ଆଗରୁ କେତେ ଥର ଏମିତି କହି ସାରିଲେଣି । ସକାଳେ ଯେତେ ବେଳେ ଉଠିବେ ଆଉ ଦେଖିବେ ମୁଁ ନିଶ୍ଚନ୍ତରେ ଶୋଇଚି ତାଙ୍କର ଦୟା ଆସି ଯିବ ମୋ ଉପରେ । ଭାବିବେ, ଆହା କେଡେ ଗାଢ ନିଦରେ ଶାନ୍ତିରେ ଶୋଇଛନ୍ତି । ଚାକିରୀ ଥିବା ସମୟରେ କି ପିଲାଏ ଚାକିରୀ କରିବା ଆଗରୁ ଏମିତି କେବେ ଶାନ୍ତିର ଶୋଇବା ଦେଖିନି । ଏ ବୟସରେ ଟିକେ ଶାନ୍ତିରେ ଶୋଇଛନ୍ତି ତ ଶୁଅନ୍ତୁ, ଯେତେ ବେଳେ ନିଦ ଭାଙ୍ଗିବ ଆପେ ଉଠି ଯିବେ । ମୋତେ ଉଠାଇବାକୁ ତାଙ୍କର ହାତ ଯାଏନି ।

ପିଲାମାନେ ଉଠି ସାରିଲେଣି, ରୋଷେଇ ଘରେ ଡେକଚି, କଡେଇ, ପିଠାଖଡିକା ନିଜ ନିଜ କାମରେ ଲାଗି ଗଲେଣି, ବୋହୁ ରେଷେଇ ଘର ଚାର୍ଜ ପୁରା ସମ୍ଭାଳି ନେଲେଣି । ଘରଣୀଙ୍କର ଏବେ ନାତୁଣି ଉଠିବା ପର୍ଯ୍ୟନ୍ତ ରେଷ୍ଟ । ନାତୁଣୀ ମାନେ ଆମ ଗୁଡୁ, ତା ନାଆଁ ଗୁଡୁ, ସେ ଉଠି ଗଲେ ସୁନୀତା ଦେବୀ ପୁଣି ବିଜି ହୋଇ ଯିବେ ତା ସାଙ୍ଗରେ । ଛୁଆଟିଏ ଥିଲେ ଘରେ କେତେ ଗହଳ ଚହଳ ଲାଗି ରହି ଥାଏ । ଏଇ ଆସନ୍ତା ପନ୍ଦର ତାରିଖକୁ ନଅ ପୁରି ଦଶ ମାସ ଚାଲିବ ତାକୁ । ଦାନ୍ତ ଉଠିନି ଏଯାଏ, ଠିଆ ଠିଆ ହେଉଛି, ଆଣ୍ଠେଇ ଆଣ୍ଠେଇ ଗୁରୁଣ୍ଡୁଚି ଏବେ । ତା ପଛେ ପଛେ କେହି ଜଣେ ସାରା ଦିନ ବିଜି । ସେ ଶୋଇ ପଡିଲେ ଘରଟା ଶୁନ ଶାନ ନିଛାଟିଆ ଲାଗୁଛି, ମନ ହୁଏ, ସେ ନଶୁଅନ୍ତା ହେଲେ, ଏମିତି ଖେଳୁଥାନ୍ତା ପାଟି କରୁଥାନ୍ତା, ପୁଣି ନିଦରୁ ଉଠିି ଗଲେ, ମନେ ହୁଏ, ଓହଃ, କେତେ ଦୁଷ୍ଟ ହେଉଛି, ଟିକେ ଶୋଇପଡନ୍ତା ହେଲେ । ବଡ ବିଚିତ୍ର ପରିସ୍ଥିତି ।

ଘରଣୀ କପେ ଚା, ଦି’ଖଣ୍ଡ ବିସ୍କୁଟ ଆଉ ଟାବ୍ଲେଟଟିଏ ନେଇ ଆସିଲେ, କହିଲେ ବିସ୍କୁଟ ଦିଖଣ୍ଡ ଖାଇ ଏ ଟାବ୍ଲେଟ ଟା ଖାଇ ଦିଅ, ଅଣ୍ଟା ଦରଜ କମି ଯିବ । ମୁଁ ପଚାରିଲି କେଉଁ ଟାବ୍ଲେଟ ଏଇଟା, ସେ କହିଲେ, ମୋ ଅଣ୍ଟା ଦରଜ ବେଳେ ଯେଉଁ ଟାବ୍ଲେଟ ଆଣି ଥିଲ ସେଥିରୁ ବଳି ଥିଲା । ଭଲ ଔଷଧଟା ମୋର ଏକଦମ୍ ଠିକ୍ ହୋଇ ଗଲା । ତୁମେ ବି ଖାଇନିଅ, ଆରାମ ଲାଗିବ । ଟାବ୍ଲେଟଟା ହାତକୁ ନେଉ ନେଉ ପଚାରିଲି, କଣ କରିବ ଏବେ, ଗୁଡୁ ତ ଉଠିନଥିବ ଏଯାଏ, ତୁମେ ଗଧୋଇ ସାରିକି ପୁଜା ପାଠ ତ କରି ସାରିଲଣି, କିଛି ଖାଇଲଣି ନା ନାହିଁ? ଗାଧୋଇ ବେଶି ସମୟ ଖାଲି ପେଟ ରହିଲେ ପେଟ ଗରମ ହୋଇଯିବ, ତୁମର ପୁଣି ଗ୍ୟାସ ପ୍ରୋବ୍ଲେମ ଅଛି । ଯାଅ କିଛି ଖାଇ ନିଅ । ସେ କହିଲେ ନେଇକି ଆସିଚି ପରା । ପଟେ ବାସୀ ରୁଟି ଆଉ ଚା । ବୋହୁ ଜଳଖିଆ ତିଆରି କରୁଛି, ତୁମେ ଦାନ୍ତ ଘଷିଲା ସାରିଲା ପରେ ଏକାଠି ଖାଇ ନେବା ।

କହିଲି ଟିକିଏ ବସ ଏଇଠି । ତା’ପରେ ଆମେ ଚାହା ପିଇବାକୁ ଲାଗିଲୁ, ମୁଁ ତାଙ୍କ ମୁହଁକୁ ଚାହି ଥାଏ ତାଙ୍କର ସେଇ ଲାବଣ୍ୟ ମୂର୍ତ୍ତିକୁ ନିରଖି ଦେଖୁଥାଏ, ଆଉ ଭାବୁ ଥାଏ ସେଇ ଅତୀତକୁ । ଦେଖୁ ଦେଖୁ ସମୟ କେତେ ଜଲଦି ଚାଲି ଗଲା, ଜାଣି ହେଲାନି । ଆଜି ବି ମନେ ପଡେ ନାଲି ଶାଢୀରେ ଢଙ୍କା ସେଇ କୋଡିଏ ବର୍ଷର ଝିଅଟି । ଫୁଲରେ ସଜା କାରରୁ ବଡ ସନ୍ତର୍ପଣରେ ଲାଜେଇ ଲାଜେଇ, ଡରି ଡରି ମଥାକୁ ନୋଇଁ ମୋରି ଆଗେ ଆଗେ ପାଦ ବଢାଇ ଚାଲି ଆସି ଥିଲା ଆମ ଘରର ଏରୁଣ୍ଡି ବନ୍ଧ ପାଖକୁ । ସେଇଠି ବାଟ ଅଟକେଇ ଠିଆ ହୋଇ ଥିଲା ମୋ ସାନ ଭଉଣୀ, ନଣନ୍ଦ ପୁଟୁଳି ପାଇଁ ଅଳି କରି ଥିଲା । ନଣନ୍ଦ ପୁଟୁଳି ନଦେଲେ ବାଟ ଛାଡିବିନି । ମାଆ ପଛରେ ଥାଇ ପାଟି କଲା, କହିଲା ହଇରେ ନୂଆ ବୋହୁଟାକୁ ଭିତରକୁ ଆସିବାକୁ ଦେ ଆଗ, ଘରକୁ ଆସିଲେ ସିନା ତୋତେ ଦେବ ତୋ ପୁଟୁଳି । ଦୁଆରବନ୍ଧ ଉପରେ ଲୁଗା ଖଣ୍ଡେ ଆମ ମୁଣ୍ଡ ଉପରେ ଟେକି ଧରିଥିଲେ ଗୋଟେ ପଟେ ବଡ ଭେଣେଇ ଆଉ ଆର ପଟଟା ଆଉ କିଏ ଜଣେ ଭାଇ ହେବେ, ନାଆଁ ମନେ ପଡୁନି । ସେଇ ଦିନ ସେ ଗୃହପ୍ରବେଶ କଲେ । ଏଇ ଘରକୁ ଆସି ସେ ଏଇ ଘରର ହୋଇ ଗଲେ। ସଭିଙ୍କୁ ଆପଣାର କରି ନେଲେ । ନା’ କେବେ କିଛି ଅଭିଯୋଗ ନା’ କିଛି ବିଶେଷ ମାଗୁଣି । ସବୁ ବେଳେ ସବୁ ଥିରେ ସନ୍ତୁଷ୍ଟ, ସେ ଅଳ୍ପ ହେଉ ବା ବେଶି, ଯେବେ କିଛି ବି ନମିଳେ ସେତେ ବେଳେ ବି । ଅଜଣା ଝିଅଟିଏ ଏମିତି ଦିନେ ମୋ ଘରର ସମସ୍ତ ଦାୟିତ୍ୱ, ସମସ୍ତ ବୋଝ ନିଜ ମୁଣ୍ଡରେ ଉଠେଇ ନେଲା । ଆଜି ତା ବିନା ସବୁ ଅଚଳ । ଏବେ ଘରକୁ ବୋହୁ ଆସିଲା ପରେ ବି ତାଙ୍କ ଚିନ୍ତା ସରୁନି । କେହି କିଛି କରିବାକୁ କହୁ କି ନକହୁ ପଛେ ସେ ସବୁ ଥିରେ ନିଜକୁ ବ୍ୟସ୍ତ କରି ନେଉଛନ୍ତି । ବୋହୁ କେତେ ଥର କହିଲେଣି, ବୋଉ ଆପଣ ଟିକେ ରେଷ୍ଟ କରନ୍ତୁ । ଗୁଡୁକୁ ଧରି ଗୋଟିଏ ଜାଗାରେ ବସନ୍ତୁ । ବୟସ ହୋଇ ଗଲାଣି, ଏ ବୟସରେ ଏତେ କାମ କରି ଥକି ଯାଉଛନ୍ତି । କେବେ ଦେହ ଖରାପ ହୋଇ ଗଲେ କିଏ କଷ୍ଟ ପାଇବ? ହେଲେ ସେ କଣ କାହା କଥା ଶୁଣିବେ !

ସେ ଚାହା ପିଉ ପିଉ ମୋ ମୁହଁକୁ ଦେଖି ପଚାରିଲେ କଣ ଦେଖୁଚ ? କଣ ଭାବୁଚ ଏମିତି ମୋ ଆଡକୁ ଅନେଇ ? କହିଲି, ଆରେ ନାଇ ନାଇ କିଛି ନାହିଁ । କିଏ କହିଲା ମୁଁ ତୁମକୁ ଦେଖୁ ଥିଲି ବୋଲି । ତୁମେ ତ ବୁଢି ହୋଇ ଗଲଣି, ଦେଖିବା ଭଳି ତୁମ ପାଖରେ ଆଉ କଣ ଅଛି ଯେ ତୁମକୁ ଦେଖିବି ? ସେ ଟିକେ ହସି କହିଲେ ଆଚ୍ଛା ଆଜି ମୁଁ ବୁଢି ଲାଗୁଚି ତୁମକୁ । ହଉ ବୁଢି ତ ହେଇ ଗଲିଣି, ଆଉ କାହିଁକି ଦେଖିବ ମୋତେ ! ସାଙ୍ଗେ ସାଙ୍ଗେ କଥା ବଳେଇ କହିଲି ଆରେ ନାଇମ ତୁମେ କାହିଁକି ବୁଢି ହେବ, ତୁମକୁ ଦେଖିଲେ କିଏ କହି ପାରିବ ତୁମର ନାତି ନାତୁଣି ହୋଇ ସାରିଲେଣି ବୋଲି । ଆଜି ବି ସେମିତି ଦିଶୁଛ ଯେମିତି ନୂଆ ବୋହୁ ହେଇ ଆସିଲା ବେଳେ ଦିଶୁଥିଲ । ହଁ ଥାଉ ଥାଉ ତୁମର ସେ ଚାଟୁକଥା, କହି ସେ ମୁହଁ ବୁଲେଇ ବସିଲେ । ମୁଁ କଥା ବୁଲେଇ ପଚାରିଲି, ଆରେ ତୁମେ ଠାକୁରଙ୍କୁ ନିତି ପୂଜା କରୁଛ, ବୃନ୍ଦାବତୀଙ୍କ ପାଖେ ସବୁ ଦିନ ସଳିତା ଜାଳୁଛ କଣ ମାଗୁଛ ଠାକୁରଙ୍କୁ ? ସେ କହିଲେ ତୁମେ କଣ ଜାଣିନ? ଠାକୁରଙ୍କୁ ଯାହା ମାଗନ୍ତି, ସେକଥା କାହାକୁ କୁହା ଯାଏନା , ସେଇଟା ଗୋପନ ରଖା ଯାଏ ।

ମୁଁ ତାଙ୍କ ମୁହଁକୁ ଚାହିଁଲି, ମନେ ମନେ ଭାବିଲି, ହଁ ମୁଁ ଜାଣେ, ସବୁ ଜାଣେ । ଦୁନିଆର ସବୁ ନାରୀଙ୍କ ପରି ତୁମେ ବି ପ୍ରତିଟି ସକାଳେ ଦିଅଙ୍କ ଆଗେ ମଥା ନୋଇ, ଅବା ପ୍ରତି ସଂଞ୍ଜରେ ବୃନ୍ଦାବତୀଙ୍କ ପାଖେ ସଞ୍ଜ ସଳିତା ଜାଳି ଦେଇ ନିଇତି ମୋ ପାଇଁ ଦୀର୍ଘଜୀବନ ମାଗ, ଆଉ ବିନତୀ କର ହେ ପ୍ରଭୂ ମୋତେ ଅହ୍ୟ ସୁଲକ୍ଷଣୀ କର, ସଙ୍ଖା ସିନ୍ଦୁର ସାଙ୍ଗରେ ମୋତେ ବାହୁଡାଇ ନିଅ । କିନ୍ତୁ ତୁମେ ଜାଣନା, ମୋ ପ୍ରାଣ କେତେ ନିର୍ଲଜ, ମୁଁ ଯେତେ ବେଳେ ତୁମ କଥା ଭାବେ, କେତେ ସ୍ୱାର୍ଥପର ହୋଇ ଯାଏ । ଭଗବାନଙ୍କୁ କୁହେ, ହେ ପ୍ରଭୂ ମୋ ପ୍ରାଣପ୍ରିୟାର ପ୍ରାର୍ଥନା ସ୍ୱୀକାର କର । ମୁଁ ବି ତୁମ ପାଇଁ ସେଇଆ କାମନା କରେ, ହେ ପ୍ରଭୂ, ମୋ ଅର୍ଦ୍ଧାଙ୍ଗୀର ପ୍ରାର୍ଥନା ସ୍ୱୀକାର କରି ନିଅ, ମୋ ପୂର୍ବରୁ ତାକୁ ନେଇ ଯାଅ ! ହେଲେ କେମିତି କହି ଦେବି, ତୁମ ବିନା ଜୀବନଟା ମୋ ପାଇଁ କେମିତି, କେତେ ଦୁର୍ବିସହ ହୋଇ ଯିବ ।

ଚନ୍ଦନ ଗଛ ତାର ସୁଗନ୍ଧ ପାଇଁ ଆଦର ପାଏ, କେତେ ଇଜ୍ଜତ ପାଏ, ତାର ଜୀବନ ସାର୍ଥକ ହୋଇ ଯାଏ । ଯଦି ଚନ୍ଦନ ଗଛରୁ ତା ବାସ ଚାଲି ଯାଏ ତାର ଆଉ କଣ ବା ମୂଲ୍ୟ ରହି ଯାଏ? ନିର୍ଜୀବ କାଠ ଗଡଟାଏ ହୋଇ ଯାଏ ସିନା । କେବଳ ଦହନର ଅପେକ୍ଷାରେ ରହେ, ଚୁଲିରେ ନହେଲେ ମଶାଣୀରେ ଜୁଇର ଚିତା ଜଳାଇବାର କାମରେ ଆସେ । ତୁମେ ଯେ ମୋର ସେଇ ସୁଗନ୍ଧ, କେମିତି ବୁଝେଇ ଦେବି ତୁମକୁ । ତୁମେ ହୁଏତ ଜାଣନା ମୋ ପାଇଁ ତୁମେ କ’ଣ, ତୁମେ କେବଳ ମୋର ଅର୍ଦ୍ଧାଙ୍ଗୀ, ଅଧା ଶରୀର ନୁହେଁ ତୁମେ ତ ମୋର ଅଧା ପ୍ରାଣ । ମୁଁ କେବଳ ସୁପ୍ତ ଇଲେକ୍ଟ୍ରୀକ ବଲ୍ବଟିଏ, ତୁମେ ମୋ ପାଇଁ ବିଜୁଳି, ତୁମେ କୁହ, ବିନା ବିଜୁଳିରେ ମୁଁ କେମିତି ଜଳି ପାରିବି ?

ଜୀବନର ଏଇ ସଂଜ ବେଳେ ଆମେ ପରସ୍ପର, ପରସ୍ପରର ଆଶା ବାଡି, ଏକ ବିନା ଅନ୍ୟର ଜୀଇଁବା କେତେ ଯେ କଠିନ ସତେ । କିନ୍ତୁ ଯେତେ ବେଳେ ଭାବେ, ମୋ ବିନା ତୁମେ କେମିତି ଜୀଇଁବ ! କେତେ ଭଲ ପାଉଛ ମୋତେ । ମୋ ଜୀବନ ସହିତ ଲତାଟିଏ ପରି ଗୁଡେଇ ତୁଡେଇ ହୋଇ ରହିଛ । ଏତେ ସରଳତା, ଏତେ ସହନଶୀଳତା ନେଇ, ତୁମେ କେମିତି ବଞ୍ଚି ପାରିବ । ଲତା ବିନା ଗଛ ତ ଜୀଇଁଯିବ, ହେଲେ ଗଛ ବିନା ଲତାର ଜୀବନ କେତେ ଯେ କଠିନ ହୋଇ ପଡିବ ! ଏକଥା ଭାବିଲେ, ମୁଁ ନିଜକୁ ବଡ ଅସହାୟ ମନେ କରେ । ସେଥି ପାଇଁ ଡରି ଯାଏ, ନିଇତି ବଦଳୁଥିବା ଏଇ ମଣିଷମାନଙ୍କ ଗହଳରେ ମୋ ପରେ ତୁମ ସହିତ ପୁଅ, ବୋହୁ, ଝିଅ, ଜୋଇଁ, ନାତି, ନାତୁଣିଙ୍କର ବ୍ୟବହାର କେମିତି ହେବ କିଏ କହି ପାରିବ? ଯଦି କିଏ କେବେ ଟାଣକରି କଥା ପଦେ କହିଦିଏ, କେମିତି ସହି ପାରିବ ତୁମେ ? କାହା ଛାତିରେ ମୁହଁଗୁଞ୍ଜି ଦି ଟୋପା ଲୁହ ଢାଳି ଦେବ, ଅବା କାହାକୁ ଦୁଃଖ ଶୁଣାଇ ମନ ବୋଝ ହାଲୁକା କରିବ ? ମୋ ବିନା ତୁମକୁ ମୁଁ କଳ୍ପନା କରି ପାରୁନି । ମୁଁ ତୁମକୁ ଜାଣେ, ତୁମର ସହନଶୀଳତା ତୁମର ଧୈର୍ଯ୍ୟ ମୁଁ ଦେଖିଛି । ତୁମ ଭିତରର ସେଇ ଛୋଟ ଝିଅଟିକୁ ବି ଦେଖିଛି । ଅନ୍ୟର ଦୁଃଖରେ ଯାହା ଆଖିରୁ ଲୁହ ବୋହି ଯାଏ, ଟିକିଏ ଟାଣ କଥାରେ ଯିଏ କୋହ ସମ୍ଭାଳି ପାରେନା ! ମୋ ପରେ କେମିତି ସମ୍ଭାଳିବ ତୁମେ ତୁମ ନିଜକୁ ! କିଏ ତୁମକୁ କୋଳେଇ ନେଇ ବୁଝେଇ ଦେବ ଏଇ ଜଟିଳ ଦୁନିଆର ନିଷ୍ଟୁର ପରିବେଶ କଥା ।

ସେଇଥି ପାଇଁ ଚାହେଁନା ତୁମକୁ ଏକୁଟିଆ କରି, ତୁମ ଆଗେ ଆଗେ ଚାଲି ଯାବା ପାଇଁ ! ମୋର କେବଳ ଏତିକି ଇଚ୍ଛା ମୁଁ ଆଖି ବୁଜିବା ଆଗରୁ ତୁମକୁ ମୋ ଆଖି ଆଗରେ ଖୁସି ଖୁସି ସଂଙ୍ଖା ସିନ୍ଦୁର ଦେଇ ନୁଆ ବୋହୁଟିଏ ପରି ନାଲି ପାଟ ପିନ୍ଧାଇ ବାଜା ରୋଷଣୀ ଜାଳି ଆରପୁରକୁ ବିଦା କରିବାକୁ । ତୁମକୁ ଯେମିତି ସଜେଇ ବାଜା ବଜେଇ ନୁଆବୋହୁ କରି ଏ ଘରକୁ ଆଣି ଥିଲି ଠିକ୍ ସେମିତି ତୁମକୁ ଏଇ ଘରୁ ବାଜା ବଜାଇ ଖଇ କଉଡି ବିଛାଡି ବିଦା କରିବି । ଏଇ ଭାବନା ଭିତରେ ମୋ ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସୁଥିଲା, ମୁଁ କୋହ ସମ୍ଭାଳି ପାରୁ ନଥିଲି । ଘରଣୀ ଚଉକି ଛାଡି ମୋ ପାଖକୁ ଧାଇଁ ଆସିଲେ, ମୋତେ ତାଙ୍କ ଛାତିରେ ଜାବୁଡି ଧରି ପଚାରିଲେ କଣ ହେଲା । ମୋର କଣ୍ଠ ରୁନ୍ଧି ହୋଇ ଯାଉ ଥିଲା, କିଛି ବି କହି ପାରିବା ଅବସ୍ଥାରେ ମୁଁ ନଥିଲି । କଣ ବା କହି ପାରିଥାନ୍ତି । କେମିତି କହି ପାରିଥାନ୍ତି ମୁଁ କଣ ଭାବୁଥିଲି ବୋଲି ! ତାଙ୍କ ହାତକୁ ମୋ ହାତରେ ଜାବୁଡି ଧରି ବାସ୍ପାକୁଳ କଣ୍ଠରେ ଖାଲି ଏତିକି କହିଲି, କଥା ଦିଅ, ତୁମେ ମୋତେ ଛାଡି କେବେ ବି କୁଆଡେ ଯିବନି ! ସେତେ ବେଳକୁ, ପୁଅ ଘର ଭିତରୁ ଡାକ ପକାଇଲା, ବୋଉ ଗୁଡୁ ଉଠିଲାଣି, ତୋ ପାଖକୁ ଯିବାକୁ ହେଉଛି ।

(ଗଳ୍ପଟି ମୋ କବିତା ‘କେମିତି ଏ ପ୍ରେମ’ର ଛାୟାରେ ଲିଖିତ “ଏକ ବିଚିତ୍ର ପ୍ରେମ କାହାଣୀ”)

***02/07/2018***

(ମୋର ପ୍ରଥମ ଗଳ୍ପ ସଂକଳନ “ପ୍ରେମ ଏକ ପ୍ରଜାପତି” ରେ ‘ଭିନ୍ନ ଏକ ପ୍ରେମ କାହାଣୀ’ ପ୍ରକାଶିତ) ।