କ୍ଷୁଦ୍ରଗଳ୍ପ- ଏକ ବିଚିତ୍ର ପ୍ରେମ କାହାଣୀ ! Eka Bichitra Prema Kahani

ଏଇ ଦି ଘଣ୍ଟା ଆଗରୁ ତ ସକାଳ ହୋଇଛି, ସୂର୍ଯ୍ୟ ଏବେଯାଏ ଭଲ ଭାବରେ ଦିପାଦ ଆଗକୁ ବଢିନି । ହେଲେ ସିଏ, ସିଏ ମାନେ ମୋର ପ୍ରାଣପ୍ରିୟା ପତ୍ନୀ ସୁନୀତି ଦେବୀ, ହା ହା ଆପଣ ଭାବୁ ଥିବେ, ମୁଁ ପ୍ରାଣପ୍ରିୟା ଏଇଥି ପାଇଁ କହୁଛି କାରଣ ତାଙ୍କୁ ମୁଁ ମୋର ନିଜ ପ୍ରାଣ ଠାରୁ ଅଧିକ ଭଲପାଏ । ଆରେ ନା’ ନା’ ସେମିତି ଜମାରୁ ନୁହେଁ, ଯେତେ ଭାବୁଛନ୍ତି ମୁଁ ସେତେ ଭଲପାଏନା ତାଙ୍କୁ । ପ୍ରାଣପ୍ରିୟା ଏଇଥି ପାଇଁ କହେ, କାରଣ ସେ ମୋର ଅଧାପ୍ରାଣ ଆଉ ସେଇ ଅଧାପ୍ରାଣ ମୋ ଅଧାପ୍ରାଣ ସଙ୍ଗେ ସଂଯୁକ୍ତହୋଇ ଏକପ୍ରାଣ ହୋଇଯାଇଛନ୍ତି । ଏଇଥି ପାଇଁ ଯେ ଆମ ଦୁଇ ପ୍ରାଣକୁ ଏକାଠି ମିଶାଇ ଯେଉଁ ଗୋଟିଏ ପ୍ରାଣ ସେଇଟା ଆମ ଦିଜଣଙ୍କ ପାଖରେ ଅଧା ଅଧା ହୋଇ ଅଛି, ଆମେ ଦିଜଣ ସମାନ ପ୍ରେମକରୁ, ତେଣୁ ସେ ମୋର ପ୍ରାଣପ୍ରିୟା । ସେଇଥି ପାଇଁ ତାଙ୍କୁ ପ୍ରାଣପ୍ରିୟା କହେ ।

ଏବେ ଠାକୁର ଘରେ ଘଣ୍ଟି ବାଜିବାର ଶବ୍ଦ ଶୁଭୁଛି, ଗୁଣୁ ଗୁଣୁ କରି କିଛି ମନ୍ତ୍ର ସ୍ୱର ବି ଶୁଭୁଛି । ଠିକ୍ ଭାବେ ବୁଝି ହେଉନି ତଥାପି.. ବୋଧହୁଏ ଓଁ ଭୁର୍ଭୂବଃ ସ୍ୱଃ ତତ୍ ସବିତୁଂର୍ବରେଣ୍ୟଂ… ମାନେ ଗାୟତ୍ରୀମନ୍ତ୍ର ହୋଇପାରେ । ମିଠା ମିଠା ଧୂପକାଠୀର ମହକ ଭାସି ଆସୁଛି ପବନରେ । ମୁଁ ତ ପୂଜାପାଠ କରେନି, ତେଣୁ ସେ ମୋ ଭାଗର ପୂଜାଟା ବି ସେ କରିଦିଅନ୍ତି ଆଉ ସେଇଥା ପାଇଁ ବୋଧହୁଏ ତାଙ୍କୁ ଏତେ ସମୟ ଲାଗିଯାଏ । ଏତେ ସମୟ, ମାନେ 20 ରୁ 25 ମିନିଟ୍ । ଯଦି କେବେ ପଚାରେ ଏତେ ପୂଜାପାଠ କରି କଣ ମାଗୁଛ ଠାକୁରଙ୍କୁ? ସେ କିଛି କହନ୍ତିନି, ଖାଲି ଟିକିଏ ହସିଦିଅନ୍ତି ! ସେଇ ହସ ଯେମିତି କହେ, ତୁମେତ ସବୁ ଜାଣିଛ, ପୁଣି ପଚାରୁଚ କଣ? ହଁ ସତ କଥା, ମୁଁ ଜାଣେ ସେ ବରଦାନରେ କଣ ଚାହାଁନ୍ତି । ପ୍ରଥମେ ତ ଘର ପରିବାରର ସମସ୍ତଙ୍କର କୁଶଳ ମଙ୍ଗଳ ମାନେ ‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟଃ’ ତାପରେ ମୋ ପାଇଁ ସ୍ପେସାଲ, ମୋ ଦେହ ଭଲ ରହୁ, ମୁଁ ନିରୋଗ ରହେ, ଶତାୟୁ ହୁଏ ଏବଂ ସର୍ବଦା ସୁସ୍ଥ ସବଳ ରହେ । ସର୍ବଶେଷରେ ନିଜପାଇଁ ଏକ ବିଶେଷ ବରଦାନ ମାଗନ୍ତି । ନିଜ ପାଇଁ ମୃତ୍ୟୁର ବରଦାନ, ହେ ପ୍ରଭୂ ମୋତେ ଅହ୍ୟ ସୁଲକ୍ଷଣୀ କର, ହାତରେ ଚୁଡି, ମଥାରେ ସିନ୍ଦୁର ସହିତ ମୋତେ ବାହୁଡାଇ ନିଅ !

ଏଇ ଘଣ୍ଟି ଶବ୍ଦ ବନ୍ଦ ହୋଇଗଲା ଏବେ ଭିତରୁ ସୁନୀତି ଦେବୀଙ୍କର ପାଟି ଶୁଭିଲା । ପୁଅ ବୋହୁଙ୍କ କବାଟ ଠକ୍ ଠକ୍ କରି ସେମାନଙ୍କୁ ଉଠେଇଲେ, ଆରେ ଉଠରେ ସକାଳ ହୋଇଗଲାଣି, ଆଠଟା ବାଜିଲାଣି, ଅଫିସ୍ ନାହିଁ କି ଆଜି? ଚା ତିଆରି କରିଦେଇଛି । ଉଠିକି ପିଇଦିଅ, ଥଣ୍ଡା ହେଲେ ଆଉଥରେ ଗରମ କରିବାକୁ ପଡିବ, ବାରମ୍ବାର ଗରମ କଲେ ଚାହା ଭଲ ଲାଗିବନି । ମୋତେ ତ ସକାଳେ ସେ ଗାଧୋଇ ସାରି ଠାକୁରପୂଜା ଆଗରୁ କପେ ଦେଇ ସାରିଛନ୍ତି । ଏବେ ପାଣି ଗଡୁଟାଏ ନେଇ ଏପଟେ ଆସିବେ । ଏଇ ବାରଣ୍ଡା ତଳକୁ ଲାଗି ବୃନ୍ଦାବତୀଙ୍କ ଚଉରାଟା । ସେଠି ତୁଳସୀରେ ପାଣିଦେବେ । ଧୂପକାଠୀଟିଏ ଜାଳିବେ, ମୁଣ୍ଡିଆମାରି କଣ ଗୁଣୁଗୁଣୁ ହୋଇ ମାଗିବେ । କିଏ ଜଣେ ପଣ୍ଡିତେ କହିଥିଲେ ତୁଳସୀ ପାଖରେ ସକାଳେ ଧୂପ ଆଉ ସଂଜରେ ଦୀପ ଜାଳିବ । ସେବେଠୁ ସେ ସେମିତି କରୁଛନ୍ତି, ସକାଳେ ଧୂପକାଠୀ ଆଉ ସଂଜରେ ଘିଅ ସଳିତାରେ ଦୀପ । ସଂଜ ସକାଳରେ ସେଇ ଏକାକଥା ଜଣାନ୍ତି ବୃନ୍ଦାବତୀଙ୍କୁ, ଆଉ ମାଗନ୍ତି ସେଇ ଗୋଟିଏ ବରଦାନ । ଆପଣଙ୍କୁ ତ କହିଥିଲି ସେ ବରଦାନ କଥା ।

ବୃନ୍ଦାବତୀଙ୍କ କାମ ସାରି ବାରଣ୍ଡା ଉପରକୁ ଚଢୁ ଚଡୁ ଘରଣୀ କହିଲେ, ତୁମେ ଏବେ ଗାଧୋଇବ ନା ଜଳଖିଆ କରିଦେବି, ଖାଇକି ପରେ ଗାଧୋଇବ । କହିଲି ଆରେ ଦେହଟା ଟିକେ ଭଲ ଲାଗୁନିତ, ତୁମେ ଚାହା କପଟେ ଦିଅ ଏବେ, ଟିକେପରେ ଦାନ୍ତ ଘଷିଲେ ଜଳଖିଆ କରିବି । ବାରଟା ପରେ ଗାଧୋଇବି । ଏବେ ଆଉ କୋଉ ଅଫିସ ଯିବାର ଚିନ୍ତା ଅଛି ଯେ । ଦେହ କଥା ଶୁଣି ସେ ଟିକେ ଗମ୍ଭୀର ହୋଇଗଲେ । ଗଡୁଟାକୁ ସେଇଠି ତଳେ ଥୋଇଦେଇ ଲୁଗାକାନିରେ ହାତ ପୋଛୁ ପୋଛୁ ପାଖରେ ଆସି ହାଜର, ମୁଣ୍ଡରେ ହାତମାରି କହିଲେ ତାତି ତ ନାହିଁ, କଣ ଲାଗୁଛି ତୁମକୁ? କହିଲି ଆରେ ଜର ଫର ନାହିଁ ମ, ଅଣ୍ଟାଟା ଟିକେ ଖାଲି ଦରଜ ଦରଜ ଲାଗୁଚି । ହଠାତ୍ ଘରଣୀଙ୍କ ମୁହଁର ଭାବ ବଦଳି ଗଲା । ବଡ ବଡ ଆଖି କରି କହିଲେ, ରିଟାୟର୍ଡ ପରେ ନା ତୁମ ରୁଟିନ ବଦଳି ଯାଇଛି ପୁରାପୁରି । ଦିନଟା ସାରା ସେଇଠି ବସି କଣ ସବୁ ପଢୁଛ ନହେଲେ ଲ୍ୟାପଟପ୍ ପାଖରେ ବସି କଣ ଲେଖାଲେଖି କରୁଚ । କେତେ ଥର କହିଲିଣି ଟିକେ ସକାଳ ସଂଜରେ ମଣିଂ ୱାକରେ ଯାଅ କି ରାମଦେବ ବାବାଙ୍କ ସିଡି ଦେଖି ଦେଖି ଟିକେ ଯୋଗ କି ପ୍ରାଣାୟମ କର । ହେଲେ ତୁମେ କଣ ଶୁଣିବ କାହା କଥା । ବୁଢା ହେଲଣି ଆଉ କଣ ସେଇ ବୟସ ଅଛି, ଏମିତି ସବୁ ଏତେ କରିବାକୁ । ତୁମେ ପୁରା ଅଳସୁଆ ହୋଇ ସାରିଲଣି । କାଲି ସକାଳେ ମୁଁ ଉଠିଲା ବେଳେ ତୁମକୁ ଉଠାଇଦେବି । ତୁମକୁ ଯଦି ଡର ଲାଗୁଚି ମୁଁ ଯିବି ତୁମ ସାଙ୍ଗରେ ମର୍ଣିଂ ୱାକରେ ।

ମୁଁ ଟିକେ ହସିଲି, ମନେମନେ ଭାବିଲି ଏଇଟା ବୋଧେ କୋଡିଏ କି ପଚିଶତମ ଧମକି ତାଙ୍କର । ଆଗରୁ କେତେଥର ଏମିତି କହି ସାରିଲେଣି । ସକାଳେ ଯେତେବେଳେ ଉଠିବେ ଆଉ ଦେଖିବେ ମୁଁ ନିଶ୍ଚନ୍ତରେ ଶୋଇଚି ତାଙ୍କର ଦୟା ଆସିଯିବ ମୋ ଉପରେ । ଭାବିବେ, ଆହା କେଡେ ଗାଢ ନିଦରେ ଶାନ୍ତିରେ ଶୋଇଛନ୍ତି । ଚାକିରୀ ଥିବା ସମୟରେ କି ପିଲାଏ ଚାକିରୀ କରିବା ଆଗରୁ ଏମିତି କେବେ ଶାନ୍ତିର ଶୋଇବା ଦେଖିନି । ଏ ବୟସରେ ଟିକେ ଶାନ୍ତିରେ ଶୋଇଛନ୍ତି ତ ଶୁଅନ୍ତୁ, ଯେତେବେଳେ ନିଦ ଭାଙ୍ଗିବ ଆପେ ଉଠିଯିବେ । ମୋତେ ଉଠାଇବାକୁ ତାଙ୍କର ହାତ ଯାଏନି ।

ପିଲାମାନେ ଉଠିସାରିଲେଣି, ରୋଷେଇ ଘରେ ଡେକଚି, କଡେଇ, ପିଠାଖଡିକା ନିଜ ନିଜ କାମରେ ଲାଗିଗଲେଣି, ବୋହୁ ରେଷେଇଘର ଚାର୍ଜ ପୁରା ସମ୍ଭାଳି ନେଲେଣି । ଘରଣୀଙ୍କର ଏବେ ନାତୁଣି ଉଠିବା ପର୍ଯ୍ୟନ୍ତ ରେଷ୍ଟ । ନାତୁଣୀ ମାନେ ଗୁଡୁ, ତା ନାଆଁ ଗୁଡୁ, ସେ ଉଠିଗଲେ ସେ ପୁଣି ବିଜି ହୋଇଯିବେ ତା ସାଙ୍ଗରେ, ଛୁଆଟିଏ ଥିଲେ ଘରେ କେତେ ଗହଳ ଚହଳ ଲାଗି ରହିଥାଏ । ଏଇ ଆସନ୍ତା ପନ୍ଦର ତାରିଖକୁ ନଅ ପୁରି ଦଶ ମାସ ଚାଲିବ ତାକୁ । ଦାନ୍ତ ଉଠିନି ଏଯାଏ, ଠିଆ ଠିଆ ହେଉଛି, ଆଣ୍ଠେଇ ଆଣ୍ଠେଇ ଗୁରୁଣ୍ଡୁଚି ଏବେ । ତା ପଛେ ପଛେ କେହି ଜଣେ ସାରା ଦିନ ବିଜି । ସେ ଶୋଇ ପଡିଲେ ଘରଟା ଶୁନଶାନ ନିଛାଟିଆ ଲାଗୁଛି, ମନ ହୁଏ, ସେ ନଶୁଅନ୍ତା ହେଲେ, ଏମିତି ଖେଳୁଥାନ୍ତା ପାଟି କରୁଥାନ୍ତା, ପୁଣି ନିଦରୁ ଉଠିିଗଲେ, ମନ ହୁଏ, ଓହଃ, କେତେ ଦୁଷ୍ଟ ହେଉଛି, ଟିକେ ଶୋଇପଡନ୍ତା ହେଲେ । ବଡ ବିଚିତ୍ର ପରିସ୍ଥିତି ।

ଘରଣୀ କପେ ଚା, ଦି’ଖଣ୍ଡ ବିସ୍କୁଟ ଆଉ ଟାବ୍ଲେଟଟିଏ ନେଇ ଆସିଲେ, କହିଲେ ବିସ୍କୁଟ ଦିଗଣ୍ଡ ଖାଇ ଏ ଟାବ୍ଲେଟ ଟା ଖାଇଦିଅ, ଅଣ୍ଟା ଦରଜ କମିଯିବ । ମୁଁ ପଚାରିଲି କେଉଁ ଟାବ୍ଲେଟ ଏଇଟା, ସେ କହିଲେ, ମୋ ଅଣ୍ଟା ଦରଜ ବେଳେ ଯେଉଁ ଟାବ୍ଲେଟ ଆଣିଥିଲ ସେଥିରୁ ବଳିଥିଲା । ଭଲ ଔଷଧଟା ମୋର ଏକଦମ୍ ଠିକ୍ ହୋଇଗଲା । ତୁମେ ବି ଖାଇଦିଅ, ଆରାମ ଲାଗିବ । ଟାବ୍ଲେଟଟା ହାତକୁ ନେଉ ନେଉ ପଚାରିଲି, କଣ କରିବ ଏବେ, ଗୁଡୁ ତ ଉଠିନଥିବ ଏଯାଏ, ତୁମେ ଗଧୋଇ ସାରିକି ପୁଜା ପାଠ ତ କରି ସାରିଲଣି, କିଛି ଖାଇଲଣି ନା ନାହିଁ? ଗାଧୋଇ ବେଶି ସମୟ ଖାଲି ପେଟ ରହିଲେ ପେଟ ଗରମ ହୋଇଯିବ, ତୁମର ପୁଣି ଗ୍ୟାସ ପ୍ରୋବ୍ଲେମ ଅଛି । କିଛି ଖାଇନିଅ ଯାଅ । ସେ କହିଲେ ନେଇକି ଆସିଚି ପରା । ପଟେ ବାସୀରୁଟି ଆଉ ଚା । ବୋହୁ ଜଳଖିଆ ତିଆରି କରୁଛି, ତୁମେ ଦାନ୍ତ ଘଷିଲା ସାରିଲା ପରେ ଏକାଠି ଖାଇନେବା ।

କହିଲି ଟିକିଏ ବସ ଏଇଠି । ତା’ପରେ ଆମେ ଚାହା ପିଇବାକୁ ଲାଗିଲୁ, ମୁଁ ତାଙ୍କ ମୁହଁକୁ ଚାହିଥାଏ ତାଙ୍କର ସେଇ ଲାବଣ୍ୟମୂର୍ତ୍ତିକୁ ନିରଖି ଦେଖୁଥାଏ । ଆଉ ଭାବୁଥାଏ ସେଇ ଅତୀତକୁ । ଦେଖୁ ଦେଖୁ ସମୟ କେତେ ଜଲଦି ଚାଲିଗଲା, ଜାଣି ହେଲାନି । ଆଜିବି ମନେପଡେ ନାଲି ଶାଢୀରେ ଢଙ୍କା ସେଇ କୋଡିଏ ବର୍ଷର ଝିଅଟି । ଫୁଲରେ ସଜା କାରରୁ ବଡ ସନ୍ତର୍ପଣରେ ଲାଜେଇ ଲାଜେଇ, ଡରି ଡରି ମଥାକୁ ନୋଇଁ ମୋରି ଆଗେ ଆଗେ ପାଦ ବଢାଇ ଚାଲି ଆସିଥିଲା ଆମ ଘରର ଏରୁଣ୍ଡି ବନ୍ଧ ପାଖକୁ । ସେଇଠି ବାଟ ଅଟକେଇ ଠିଆ ହୋଇଥିଲା ମୋ ସାନ ଭଉଣୀ, ନଣନ୍ଦ ପୁଟୁଳି ପାଇଁ ଅଳି କରିଥିଲା । ନଣନ୍ଦ ପୁଟୁଳି ନଦେଲେ ବାଟ ଛାଡିବିନି । ମାଆ ପଛରେ ଥାଇ ପାଟିକଲା । ହଇରେ ନୂଆ ବୋହୁଟାକୁ ଭିତରକୁ ଆସିବାକୁ ଦେ ଆଗ, ଘରକୁ ଆସିଲେ ସିନା ତୋତେ ଦେବ ତୋ ପୁଟୁଳି । ଦୁଆରବନ୍ଧ ଉପରେ ଲୁଗାଖଣ୍ଡେ ଆମ ମୁଣ୍ଡ ଉପରେ ଟେକି ଧରିଥିଲେ ଗୋଟେ ପଟେ ବଡ ଭେଣେଇ ଆଉ ଆରପଟଟା ଆଉ କିଏ ଜଣେ ଭାଇ ହେବେ, ନାଆଁ ମନେ ପଡୁନି । ସେଇଦିନ ସେ ଗୃହପ୍ରବେଶ କଲେ । ଏଇ ଘରକୁ ଆସି ସେ ଏଇ ଘରର ହୋଇଗଲେ। ସଭିଙ୍କୁ ଆପଣାର କରିନେଲେ । ନା’ କେବେ କିଛି ଅଭିଯୋଗ ନା’ କିଛି ବିଶେଷ ମାଗୁଣି । ସବୁବେଳେ ସବୁଥିରେ ସନ୍ତୁଷ୍ଟ, ସେ ଅଳ୍ପ ହେଉ ବା ବେଶି, ଯେବେ କିଛି ବି ନମିଳେ ସେତେବେଳେ ବି । ଅଜଣା ଝିଅଟିଏ ଏମିତି ଦିନେ ମୋ ଘରର ସମସ୍ତ ଦାୟିତ୍ୱ, ସମସ୍ତ ବୋଝ ନିଜ ମୁଣ୍ଡରେ ଉଠେଇନେଲା । ଆଜି ତା ବିନା ସବୁ ଅଚଳ । ଆଉ ଏବେ ଘରକୁ ବୋହୁ ଆସିଲା ପରେ ବି ତାଙ୍କ ଚିନ୍ତା ସରୁନି । କେହି କିଛି କରିବାକୁ କି ନକହୁ ପଛେ ସେ ସବୁଥିରେ ନିଜକୁ ବ୍ୟସ୍ତ କରିନେଉଛନ୍ତି । ବୋହୁ କେତେଥର କହିଲେଣି, ବୋଉ ଆପଣ ଟିକେ ରେଷ୍ଟ କରନ୍ତୁ । ଗୁଡୁକୁ ଧରି ଗୋଟିଏ ଜାଗାରେ ବସନ୍ତୁ । ବୟସ ହୋଇଗଲାଣି, ଏ ବୟସରେ ଏତେ କାମ କରି ଥକି ଯାଉଛନ୍ତି । କେବେ ଦେହ ଖରାପ ହୋଇଗଲେ କିଏ କଷ୍ଟ ପାଇବ? ହେଲେ ସେ କଣ କାହାକଥା ଶୁଣିବେ !

ସେ ଚାହା ପିଉ ପିଉ ମୋ ମୁହଁକୁ ଦେଖି ପଚାରିଲେ କଣ ଦେଖୁଚ? କଣ ଭାବୁଚ ଏମିତି ମୋ ଆଡକୁ ଅନେଇ ? କହିଲି, ଆରେ ନାଇ ନାଇ କିଛି ନାହିଁ । କିଏ କହିଲା ମୁଁ ତୁମକୁ ଦେଖୁଥିଲି ବୋଲି । ତୁମେତ ବୁଢି ହୋଇଗଲଣି, ଦେଖିବା ଭଳି ତୁମ ପାଖରେ ଆଉ କଣ ଅଛି ଯେ ଦେଖିବି ? ସେ ଟିକେ ହସି କହିଲେ ଆଚ୍ଛା ଆଜି ମୁଁ ବୁଢି ଲାଗୁଚି ତୁମକୁ । ହଉ ବୁଢିତ ହେଇଗଲିଣି, ଆଉ କାହିଁକି ଦେଖିବ ମୋତେ ! ସାଙ୍ଗ ସାଙ୍ଗେ କଥା ବଳେଇ କହିଲି ଆରେ ନାଇମ ତୁମେ କାହିଁକି ବୁଢି ହେବ, ତୁମକୁ ଦେଖିଲେ କିଏ କହି ପାରିବ ତୁମର ନାତି ନାତୁଣି ହୋଇ ସାରିଲେଣି ବୋଲି । ଆଜିବି ସେମିତି ଦିଶୁଛ ଯେମିତି ନୂଆବୋହୁ ହେଇ ଆସିଲା ବେଳେ ଦିଶୁଥିଲ । ହଁ ଥାଉଥାଉ ତୁମର ସେ ଚାଟୁକଥା, କହି ସେ ମୁହଁ ବୁଲେଇ ବସିଲେ । ମୁଁ କଥା ବୁଲେଇ ପଚାରିଲି, ଆରେ ତୁମେ ଠାକୁରଙ୍କୁ ନିତି ପୂଜା କରୁଛ, ବୃନ୍ଦାବତୀଙ୍କ ପାଖେ ସବୁଦିନ ସଳିତା ଜାଳୁଛ କଣ ମାଗୁଛ ଠାକୁରଙ୍କୁ । ସେ କହିଲେ ତୁମେ କଣ ଜାଣିନ? ଠାକୁରଙ୍କୁ ଯାହା ମାଗନ୍ତି, ସେକଥା କାହାକୁ କୁହାଯାଏନା , ସେଇଟା ଗୋପନ ରଖାଯାଏ ।

ମୁଁ ତାଙ୍କ ମୁହଁକୁ ଚାହିଁଲି, ମନେ ମନେ ଭାବିଲି, ହଁ ମୁଁ ଜାଣେ, ସବୁ ଜାଣେ । ଦୁନିଆର ସବୁ ନାରୀଙ୍କ ପରି ତୁମେ ବି ପ୍ରତିଟି ସକାଳେ ଦିଅଙ୍କ ଆଗେ ମଥା ନୋଇ, ଅବା ପ୍ରତି ସଂଞ୍ଜରେ ବୃନ୍ଦାବତୀଙ୍କ ପାଖେ ସଞ୍ଜ ସଳିତା ଜାଳିଦେଇ ନିଇତି ମୋ ପାଇଁ ଦୀର୍ଘଜୀବନ ମାଗ, ଆଉ ବିନତୀକର ହେ ପ୍ରଭୂ ମୋତେ ଅହ୍ୟ ସୁଲକ୍ଷଣୀ କର, ସଙ୍ଖା ସିନ୍ଦୁର ସାଙ୍ଗରେ ମୋତେ ବାହୁଡାଇ ନିଅ । କିନ୍ତୁ ତୁମେ ଜାଣନା, ମୋ ପ୍ରାଣ କେତେ ନିର୍ଲଜ, ମୁଁ ଯେତେବେଳେ ତୁମ କଥା ଭାବେ, କେତେ ସ୍ୱାର୍ଥପର ହୋଇଯାଏ । ଭଗବାନଙ୍କୁ କୁହେ, ହେ ପ୍ରଭୂ ମୋ ପ୍ରାଣ ପ୍ରିୟାର ପ୍ରାର୍ଥନା ସ୍ୱୀକାର କର । ମୁଁ ବି ତୁମ ପାଇଁ ସେଇଆ କାମନା କରେ, ହେ ପ୍ରଭୂ, ମୋ ଅର୍ଦ୍ଧାଙ୍ଗୀର ପ୍ରାର୍ଥନା ସ୍ୱୀକାର କରିନିଅ, ମୋ ପୂର୍ବରୁ ତାକୁ ନେଇଯାଅ ! ହେଲେ କେମିତି କହିଦେବି, ତୁମ ବିନା ଜୀବନଟା ମୋ ପାଇଁ କେମିତି, କେତେ ଦୁର୍ବିସହ ହୋଇଯିବ ।

ଚନ୍ଦନ ଗଛ ତାର ସୁଗନ୍ଧ ପାଇଁ ଆଦର ପାଏ, ଏତେ ଇଜ୍ଜତ ପାଏ, ତାର ଜୀବନ ସାର୍ଥକ ହୋଇଯାଏ । ଯଦି ଚନ୍ଦନ ଗଛରୁ ତା ବାସ ଚାଲିଯାଏ ତାର ଆଉ କଣ ବା ମୂଲ୍ୟ ରହିଯାଏ? ନିର୍ଜୀବ କାଠ ଗଡଟାଏ ହୋଇଯାଏ ସିନା । କେବଳ ଦହନର ଅପେକ୍ଷାରେ ରହେ, ଚୁଲିରେ ନହେଲେ ମଶାଣୀରେ ଜୁଇର ଚିତା ଜଳାଇବାର କାମରେ ଆସେ । ତୁମେ ଯେ ମୋର ସେଇ ସୁଗନ୍ଧ, କେମିତି ବୁଝେଇ ଦେବି ତୁମକୁ । ତୁମେ ହୁଏତ ଜାଣନା ମୋ ପାଇଁ ତୁମେ କ’ଣ, ତୁମେ କେବଳ ମୋର ଅର୍ଦ୍ଧାଙ୍ଗୀ, ଅଧା ଶରୀର ନୁହେଁ ତୁମେ ତ ମୋର ଅଧାପ୍ରାଣ । ମୁଁ କେବଳ ସୁପ୍ତ ଇଲେକ୍ଟ୍ରୀକ ବଲ୍ବଟିଏ, ତୁମେ ମୋ ପାଇଁ ବିଜୁଳି, ତୁମେ କୁହ, ବିନା ବିଜୁଳିରେ ମୁଁ କେମିତି ଜଳି ପାରିବି ?

ଜୀବନର ଏଇ ସଂଜବେଳେ ଆମେ ପରଷ୍ପରର ଆଶାବାଡି, ଏକ ବିନା ଅନ୍ୟର ଜୀଇଁବା କେତେଯେ କଠିନ ସତେ । କିନ୍ତୁ ଯେତେବେଳେ ଭାବେ, ମୋ ବିନା ତୁମେ କେମିତି ଜୀଇଁବ ! କେତେ ଭଲ ପାଉଛ ମୋତେ । ମୋ ଜୀବନ ସହିତ ଲତାଟିଏ ପରି ଗୁଡେଇ ତୁଡେଇ ହୋଇ ରହିଛ । ଏତେ ସରଳତା, ଏତେ ସହନଶୀଳତା ନେଇ, ତୁମେ କେମିତି ବଞ୍ଚିପାରିବ । ଲତା ବିନା ଗଛ ତ ଜୀଇଁଯିବ, ହେଲେ ଗଛ ବିନା ଲତାର ଜୀବନ କେତେ ଯେ କଠିନ ହୋଇ ପଡିବ ! ଏକଥା ଭାବିଲେ, ମୁଁ ନିଜକୁ ବଡ ଅସହାୟ ମନେକରେ । ସେଥିପାଇଁ ଡରିଯାଏ, ନିଇତି ବଦଳୁଥିବା ଏଇ ମଣିଷମାନଙ୍କ ଗହଳରେ ମୋ ପରେ ତୁମ ସହିତ ପୁଅ, ବୋହୁ, ଝିଅ, ଜୋଇଁ, ନାତି, ନାତୁଣିଙ୍କ ବ୍ୟବହାର କେମିତି ହେବ କିଏ କହି ପାରିବ? ଯଦି କିଏ କେବେ ଟାଣକରି କଥାପଦେ କହିଦିଏ, କେମିତି ସହି ପାରିବ ତୁମେ ? କାହା ଛାତିରେ ମୁହଁଗୁଞ୍ଜି ଦି ଟୋପା ଲୁହ ଢାଳିଦେବ, ଅବା କାହାକୁ ଦୁଃଖ ଶୁଣାଇ ମନ ବୋଝ ହାଲୁକା କରିବ ? ମୋ ବିନା ତୁମକୁ ମୁଁ କଳ୍ପନା କରିପାରୁନି । ମୁଁ ତୁମକୁ ଜାଣେ, ତୁମର ସହନଶୀଳତା ତୁମର ଧୈର୍ଯ୍ୟ ମୁଁ ଦେଖିଛି । ତୁମ ଭିତରର ସେଇ ଛୋଟ ଝିଅଟିକୁ ବି ଦେଖିଛି । ଅନ୍ୟର ଦୁଃଖରେ ଯାହା ଆଖିରୁ ଲୁହ ବୋହିଯାଏ, ଟିକିଏ ଟାଣ କଥାରେ ଯିଏ କୋହ ସମ୍ଭାଳି ପାରେନା ! ମୋ ପରେ କେମିତି ସମ୍ଭାଳିବ ତୁମେ ତୁମକୁ । କିଏ ତୁମକୁ କୋଳେଇନେଇ ବୁଝେଇଦେବ ଏଇ ଜଟିଳ ଦୁନିଆର ନିଷ୍ଟୁର ପରିବେଶ କଥା ।

ସେଇଥି ପାଇଁ ଚାହେଁନା ତୁମ ଆଗେ ଆଗେ ତୁମକୁ ଏକୁଟିଆ କରି ଚାଲି ଯାବାପାଇଁ ! ମୋର କେବଳ ଏତିକି ଇଚ୍ଛା ମୁଁ ଆଖି ବୁଜିବା ଆଗରୁ ତୁମକୁ ମୋ ଆଖି ଆଗରେ ଖୁସି ଖୁସି ସଂଙ୍ଖା ସିନ୍ଦୁର ଦେଇ ନୁଆ ବୋହୁଟିଏ ପରି ନାଲି ପାଟପିନ୍ଧାଇ ବାଜା ରୋଷଣୀ ଜାଳି ଆରପୁରକୁ ବିଦା କରିବାକୁ । ତୁମକୁ ଯେମିତି ସଜେଇ ବାଜା ବଜେଇ ନୁଆବୋହୁ କରି ଏ ଘରକୁ ଆଣିଥିଲି ଠିକ୍ ସେମିତି ତୁମକୁ ଏଇ ଘରୁ ବାଜାବଜାଇ ଖଇ କଉଡି ବିଛାଡି ବିଦା କରିବି । ଏଇ ଭାବନା ଭିତରେ ମୋ ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସୁଥିଲା, ମୁଁ କୋହ ସମ୍ଭାଳି ପାରୁ ନଥିଲି । ଘରଣୀ ଚଉକି ଛାଡି ମୋ ପାଖକୁ ଧାଇଁ ଆସିଲେ, ମୋତେ ତାଙ୍କ ଛାତିରେ ଜାବୁଡି ଧରି ପଚାରିଲେ କଣ ହେଲା । ମୋର କଣ୍ଠ ରୁନ୍ଧିହୋଇ ଯାଉଥିଲା, କିଛିବି କହି ପାରିବା ଅବସ୍ଥାରେ ମୁଁ ନଥିଲି । କଣ ବା କହି ପାରିଥାନ୍ତି । କେମିତି କହି ପାରିଥାନ୍ତି ମୁଁ କଣ ଭାବୁଥିଲି ବୋଲି ! ତାଙ୍କ ହାତକୁ ମୋ ହାତରେ ଜାବୁଡି ଧରି ବାସ୍ପାକୁଳ କଣ୍ଠରେ ଖାଲି ଏତିକି କହିଲି, କଥାଦିଅ, ତୁମେ ମୋତେ ଛାଡି କେବେ ବି କୁଆଡେ ଯିବନି !

ସେତେ ବେଳକୁ, ପୁଅ ଘରଭିତରୁ ଡାକ ପକାଇଲା, ବୋଉ ଗୁଡୁ ଉଠିଲାଣି, ତୋ ପାଖକୁ ଯିବାକୁ ହେଉଛି । (ଗଳ୍ପଟି ମୋ କବିତା ‘କେମିତି ଏ ପ୍ରେମ’ର ଛାୟାରେ ଲିଖିତ)

***02/07/2018***

Advertisements

3 thoughts on “କ୍ଷୁଦ୍ରଗଳ୍ପ- ଏକ ବିଚିତ୍ର ପ୍ରେମ କାହାଣୀ ! Eka Bichitra Prema Kahani

  1. Sir namaskar… Really mu apankara Samanta kabita au galpa padhe… But aei hurdaya spasi lekha ti aji akhiru due thopa luha bahara karidela Mora …. …bhagabn karantu apana Sada sarbada aemiti Sundar Sundar lekha ama manka pai lekhuthantu……

    Like

    1. ମୋର ଲେଖାଗୁଡିକୁ ପଡୁଥିବାରୁ ଅନେକ ଧନ୍ୟବାଦ । ଆପଣଙ୍କର ମତାମତ ଗୁଡିକ ମୋ ମନରେ ନୂତନ ଉତ୍ସାହ ଭରିଦିଏ କିଛି ନୁଆ ଲେଖିବାକୁ । ଆଫଣଙ୍କୁ ମୋର ଆନ୍ତରିକ ସ୍ନେହ ଓ ଧନ୍ୟବାଦ ।

      Like

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s