କ୍ଷୁଦ୍ରଗଳ୍ପ-‘ଦୁଇଟି ପ୍ରେମ କାହାଣୀ’ Duiti Prema Kahani

ଘଟଣାଟି ବହୁତ ପୁରୁଣା ନୁହେଁ, ଏଇ ଅଳ୍ପଦିନ ତଳର କଥା । ମୁଁ କୌଣସି ଏକ କାମରେ ଆଠଗଡ ଯାଇଥାଏ । କାମ ସରୁସରୁ ଡେରି ହୋଇଗଲା, ରାତି ପ୍ରାୟ ସାଢେ ଆଠଟା ହେବ । ପୁରୁଣା କଟକ ସମ୍ବଲପୁର ରାସ୍ତାରେ ମୋର ଭୂବନେଶ୍ୱର ଫେରିବା କଥା । କିନ୍ତୁ ବନ୍ଧୁମାନେ କହିଲେ ରାତି ହୋଇ ଗଲାଣି ଆଜି ରାତି ଏଇଠି ରହିଯାଆନ୍ତୁ କାଲି ସକାଳେ ଚାଲିଯିବେ । କିନ୍ତୁ ମୁଁ ମନେମନେ ଭାବିଲି, ଏବେ ରାସ୍ତା ଏତେ ବଢିଆ ପିଚୁ ସଡକ ହୋଇ ଯାଇଛି । ଘଣ୍ଟେ ଦେଢଘଣ୍ଟାର ଡ୍ରାଇଭ କଲେ ଘରେ ପହଞ୍ଚି ଶାନ୍ତିରେ ଶୋଇ ପାରିବି । ବେଶି ଦୂରବି ନୁହେଁ । ମୁଣ୍ଡଳି ବ୍ରିଜ୍ ପାରକଲେ, ପହଞ୍ଚିଗଲି ବାରଙ୍ଗ ତାପରେ ନନ୍ଦକାନନ, ତା ପରେ ପରେ ଆମର ଆପାର୍ଟମେଣ୍ଟ ଗୁଡିକ, ପହଞ୍ଚିଗଲି ଭୂବନେଶ୍ୱର । କିନ୍ତୁ ସେମାନେ କହିଲେ ନରାଜ ପୂର୍ବରୁ ମେଘା ଘାଟିରେ ଯେଉଁ ଜଙ୍ଗଲିଆ ଜାଗା ଅଛି ସେଇ ରାସ୍ତାରେ ହାତୀପଲ ପାଣି ପିଇବାକୁ ମହାନଦୀ ଯାଉଛନ୍ତି । ଗଲା ସପ୍ତାହରେ ହାତୀ ଜଣେ ବାଇକବାଲା ଉପରେ ଆକ୍ରମଣ କରିଥିଲେ, ତାର ବାଇକଟାକୁ ପୁରା ଭାଙ୍ଗି ଦେଇଥିଲେ । ସକାଳୁ ସକାଳୁ କିଏ ଟାକ୍ସିବାଲା ତାକୁ ଅଚେତ ଅବସ୍ଥାରେ ଦେଖି ନେଇଆସିଥିଲା ଆଠଗଡ ହସପିଟାଲକୁ । ଆଉଟିକେ ଡେରିହୋଇଥିଲେ ବିଚରା ମରିଯାଇଥାନ୍ତା । ମୁଁ କହିଲି ଆରେ ଭାଇ ମୁଁ କାରରେ ଯିବି । ହାତୀ ଦେଖିଲେ ଦୂରରୁ ଅଟକି ଯିବି । ତୁମେ ବ୍ୟସ୍ତ ହୁଅନି ମୁଁ ଶକୁସଳ ଭୂବନେଶ୍ୱର ପହଞ୍ଚିଯିବି । ପହଞ୍ଚିଲେ ଫୋନ କରିଦେବି କହି ମୁଁ କାର ଷ୍ଟାଟ କରିଦେଲି ।

ନିକାଞ୍ଚନ ରାସ୍ତା, କଳା ମଚ୍ ମଚ୍ ସାପପରି ଅଙ୍କାବଙ୍କା ଉଠାଣି ଗଡାଣି ରାସ୍ତା ହୋଇ ଚାଲିଥାଏ ମୋର ମାରୂତି କାର୍ । ଷ୍ଟେରିଓରେ ଲତା ମଙ୍ଗେସ୍କର ମୋହମ୍ମଦ ରଫିଙ୍କର ପୁରୁଣା ଗୀତର ସ୍ୱର ସାଙ୍ଗରେ ଗୁଣୁଗୁଣୁ କରି ମୁଁ ଡ୍ରାଇଭିଂର ମଜା ନେଉଥାଏ, ହେଲେ ମନ ଭିତରେ ହାତୀ ଡରଟା ଯେତେବେଳେ ଆସିଯାଏ, ସେତେବେଳେ ମୋର ଗୀତର ଭଲ୍ୟୁମ ବି ବଢି ଯାଉଥିଲା । ଗୁଣୁଗୁଣୁରୁ ମଧ୍ୟମ ଆଉ ତାପରେ ଲାଉଡ ହୋଇଯାଉଥିଲା । ଅଧଘଣ୍ଟା ଡ୍ରାଇଭିଂ ପରେ ହାତୀ ଅଞ୍ଚଳର ବୋର୍ଡଟା ଦିଶିଲା, ସେଇଠି କାରର ସ୍ପିଡ୍ ସ୍ଳୋ କରି ଆଗକୁ ଦେଖିଲି, କାରର ଲାଇଟ୍ ଯେତେଦୂର ପର୍ଯ୍ୟନ୍ତ ଯାଉଥିଲା ତା ପରିଧୀ ଭିତରେ ଏପରି କିଛି ସନ୍ଦିଗ୍ଧ ବସ୍ତୁ ଦୃଷ୍ଟିକୁ ଆସୁ ନଥିଲା । ମନକୁ ଟିକେ ଦୃଢକରି ପୁରା ବିରତ୍ୱର ସହିତ କାର ଚଲାଇବା ଆରମ୍ଭ କରିଦେଲି, ସ୍ପିଡ ଅଶି-ନବେ କିଲୋମିଟର ହେବ । ଦିଟା ଟର୍ନିଂ ପରେ ହାତୀସଂକୁଳ ପଥ ସମାପ୍ତ ହେଇଗଲା ପରେ ଟକିଏ ଆସ୍ୱସ୍ତ ଲାଗିଲା । ପୁଣି ମୁଁ ମୋ ନର୍ମାଲ ସ୍ପିଡ ପଚାଶ-ଶାଠିଏକୁ ଫେରିଆସିଲି । ନରାଜ ବ୍ରୀଜ୍ ଟା ଗୋଟେ ଟର୍ନିଂ ପରେ ଆସିଗଲା । ବ୍ରୀଜ୍ ଉପରେ ଚଢିବା ବେଳକୁ ଦୂରରୁ କାରର ଲାଇଟ୍ ରେ ମୋତେ ଦେଖାଗଲା ଯେପରି କିଏ ଜଣେ ଏପଟ ସେପଟ ହେଉଛି । ମୁଁ ଯେତେବେଳେ କିଛି ପାଖାପାଖି ହୋଇଗଲି, ସେ ଲୋକଟି ବ୍ରିଜ୍ ର ପାରାପିଟ୍ ଉପରକୁ ଚଢିଗଲା ଏବଂ ବ୍ରୀଜ୍ ତଳେ ପାଣିକୁ ଡେଇବାକୁ ଉଦ୍ୟମ କଲା । ମୋର କାର ସେତେବେଳେ ଲୋକଟିର ପ୍ରାୟ ପାଖାପାଖି ହୋଇଯାଇଥିଲା । ଅଚାନକ ଏପରି ଦୃଶ୍ୟ ମୋ ସାମ୍ନାରେ ଘଟିବାକୁ ଯାଉଥିଲା । ମୁଁ କାଳବିଳମ୍ବ ନକରି କାରର ବ୍ରେକ ଲଗାଇ ଦଉଡି ଯାଇ ଲୋକଟି ପାଣିକୁ ଡେଇବା ପୂର୍ବରୁ ତାର ହାତଧରି ତଳକୁ ଟାଣି ଆଣିଲି ।

ଦେଖିଲି, 23-24ବର୍ଷର ଯୁବକଟିଏ । ବଡ ଦୁଃଖି ଏବଂ କ୍ଳାନ୍ତ ଦିଶୁଥିଲା, କେତେଦିନ ହେଲା ଦାଢୀବି କଟିନି, ହେଲେ ତାର ପୋଷାକରୁ ଜଣାପଡୁଥିଲା ଭଲ ଘରର ପିଲାଟି । କେଉଁ କଲେଜରେ ପଢୁଛି ବୋଧହୁଏ । ପିଲାଟି ମୋ ହାତରୁ ତାର ହାତ ଛଡାଇବାକୁ ଚେଷ୍ଟା କରୁ କରୁ କହୁଥାଏ ମତେ ଛାଡନ୍ତୁ, ମୋତେ ମରିଯିବାକୁ ଦିଅନ୍ତୁ । ମୁଁ କାହାପାଇଁ ବଞ୍ଚିବି, ମୋର ବଞ୍ଚିବାର ଇଚ୍ଛାନାହିଁ । ମୋ ହାତ ଛାଡନ୍ତୁ ପ୍ଲିଜ୍ । ପିଲାଟି ନିଜର ହୋସରେ ନଥିଲା ଯେପରି । ଦେଖିଲି, ସେ ତାର ବୟସ ମୋ ପୁଅଠାରୁ ବି ଅନେକ କମ୍ ହେବ । ଏ ବୟସରେ ଏପରି ଆତ୍ମହତ୍ୟାର କାରଣ କଣ ହୋଇପାରେ ? ପରୀକ୍ଷାରେ ଫେଲ ? ପ୍ରେମରେ ବିଫଳତା ?? ନା ମାଆ ବାପା ରାଗରେ କଣ କହିଦେଲେ ବୋଲି ଆତ୍ମହତ୍ୟା କରିବାକୁ ଚାଲି ଆସିଛି ? ପିଲାଟି ପ୍ରତି କିଛି ଦୟା କିଛି କ୍ରୋଦ୍ଧ କିଛି ଘୃଣା ଏବଂ କିଛି ସମବେଦନାର ମିଶାମିଶି ଭାବନା ମନରେ ଆସୁଥାଏ । ଏପରି ଟଣା ଓଟରା ଭିତରେ କେମିତି କେଜାଣି ମୁଁ ତାକୁ ଶକ୍ତ ଚାପୁଡାଟାଏ ମାରିଦେଲି । ପିଲାଟି ହଠାତ ଚୁପ୍ ହୋଇଗଲା ଏବଂ ତଳେ ବସି ପଡିଲା । ମୁଁ ତାର ହାତ ଛାଡିଦେଇ ତା ପାଖରେ ବସିଗଲି । ସେ ଦୁଇ ହାତରେ ନିଜ ମୁହଁ ଲୁଚାଇ କାନ୍ଦିବାକୁ ଲାଗିଲା । ମନରେ ମୋର ଦୟା ଆସିଗଲା । ତାକୁ ଚାପୁଡା ମାରିଥିଲି ବୋଲି ନୁହେଁ । ତାକୁ ହୋସରେ ଫେରାଇ ଆଣିବା ପାଇଁ ଚାପୁଡା ମାରିବାଟା ଆବଶ୍ୟକ ଥିଲା ସେତେବେଳେ ।

ପିଲାଟିର ପିଠିରେ ହାତ ବୁଲାଇ ତାକୁ ପାଖକୁ ଆଉଜାଇ ଆଣିଲି, ସିଏବି ମୋ ପାଖକୁ ଆଉଜି ଆସିଲା ଏବଂ ଆହୁରି ଯୋରରେ କାନ୍ଦିବାକୁ ଲାଗିଲା । ମୁଁ ତାର ପିଠି ଆଉଁସୁ ଆଉଁସୁ ପଚାରିଲି, କଣ ହେଲା, କାହିଁକି ଏପରି ଆତ୍ମହତ୍ୟା କରିବାକୁ ବାହାରିଛ ? ଜାଣିଛ ମଣିଷ ଜୀବନ କେତେ ଦୂର୍ଲଭ । କେତେ ପୂଣ୍ୟଫଳରେ ମଣିଷ ଜୀବନ ପାଇଛ, ଭଗବାନ ଦେଇଥିବା ଏଇ ମୂଲ୍ୟବାନ ଜୀବନକୁ ନଷ୍ଟ କରିବାକୁ ତୁମକୁ କିଏ ଅଧିକାର ଦେଲା ? ଏପରି ନିଷ୍ପତି ନେବା ଆଗରୁ ତୁମ ମାଆ ବାପା ଭାଇଭଉଣୀଙ୍କ କଥା ଥରେ ବି ଭାବିଲନି ? କଣ ଏମତି ହୋଇଗଲା ତୁମ ସାଥିରେ । ପିଲାଟି ଆହୁରି ଯୋରରେ କାନ୍ଦିବାକୁ ଲାଗିଲା । ଦେଖିଲି ସେ ଏବେ ନିଜ ଭୂଲ ବୁଝିପାରୁଛି ଏବଂ ଆଉ ଆତ୍ମହତ୍ୟା କରିବାକୁ ପାଣିକୁ ଡେଇବନି । ଟିକେ ଆସ୍ୱସ୍ଥ ଅନୁଭବ କଲି । ଏବଂ ତାକୁ ଏକୁଟିଆ ଛାଡି ପାଖରେ ଠିଆ ହୋଇଥିବା ମୋ କାରର ଡୋର ଖୋଲି ପାଣିବୋତଲ ବାହାର କଲି, କିନ୍ତୁ ଏଇ ସମୟ ଭିତରେ ତା ଉପରୁ ଦୃଷ୍ଟି ମୋଟେ ହଟାଇ ନଥାଏ । ତଥାପି ମନରେ ଡରଥାଏ, ପୁଣି ଯଦି ସିଏ ପାଣିକୁ ଡେଇବାକୁ ଚାଲିଯିବ ! ହେଲେ ସେ ସେମିତି ଶାନ୍ତ ବସିଥିବାର ଦେଖି ମୁଁ ବି ଟିକେ ଆସ୍ୱସ୍ଥ ହେଉଥିଲି ।

ପାଣିବୋତଲଟି ତା ଆଡକୁ ବଢାଇ ଦେଇ କହିଲି, ନିଅ ପାଣି ଢୋକେ ପିଇନିଅ । ପିଲାଟି ମୁହଁ ଉପରୁ ହାତ ଉଠାଇ ମୋ ମୁହଁକୁ ଚାଁହିଲା ଏବଂ ମୋ ହାତରୁ ପାଣିବୋତଲଟି ନେଇ ପ୍ରଥମେ କିଛି ପାଣିରେ ମୁହଁ ଧୋଇନେଲା, ଦି’ଢୋକ ପାଣି ପିଇ ବାକିପାଣି ନିଜ ମୁଣ୍ଡ ଉପରେ ଢାଳିଦେଲା । ମୁଁ ତା ପାଖରେ ତା ଦେହକୁ ଲାଗି ବସିପଡିଲି । କହିଲି, କିଛି ନଭାବି ମୋତେ କୁହ, କଣ ଏପରି ହେଲା ତୁମ ଜୀବନରେ, କାହିଁକି ଏପରି ପଦକ୍ଷେପ ନେବାକୁ ଭାବିଲ ?

ବୋତଲରେ ଥିବା ଶେଷବୁନ୍ଦାକ ପାଣି ପାଟିରେ ଢାଳି ଦେଇ ପିଲାଟି ନୀରିହ ଆଖିରେ ମୋ ମୁହଁକୁ ଚାହିଁଲା, ବଡ କରୁଣତାରଭାବ ସ୍ପଷ୍ଟ ବାରିହୋଇ ଯାଉଥାଏ ତାର ମୁହଁରୁ । ପିଲାଟି ତାର ମୁହଁ ଖୋଲିଲା, କହିଲା, ଆପଣ କାହିଁକି ପଚାରୁଛନ୍ତି ? କିଛି ପଚାରନ୍ତୁ ନାହିଁ । ବଡ ଦୁଃଖ କାହାଣୀ ମୋର, ଏ ଦୁନିଆରେ କାହାକୁ ବିଶ୍ୱାସ କରିବା ଭୂଲ । ଆପଣ ମୋ କଥା ଶୁଣି କଣ ଲାଭ ପାଇବେ । ମୁଁ କହିଲି, ଲାଭକ୍ଷତି କଥା ମୁଁ ତ ଜାଣିନି, କିନ୍ତୁ ଯଦି ସମ୍ଭବ ହୁଏ ମୁଁ ତୁମର କିଛି ସାହାଯ୍ୟ କରିପାରେ । କଣ ସାହାଯ୍ୟ କରି ପାରିବେ ଆପଣ ? ତାକୁ ବୁଝେଇ ପାରିବେ ? ଆପଣ କଣ ବୁଝେଇବେ ଯେ ତାକୁ, ଯିଏ ମୋତେ ବୁଝିପାରିଲାନି, ମୋ ପ୍ରେମକୁ ବୁଝିପାରିଲାନି, ସେ ଆପଣଙ୍କ କଥା କଣ ବୁଝିବ ? ମୁଁ ତାକୁ କେତେ ଭଲ ପାଉଥିଲି, ମୁଁ ତାକୁ ସତ ସତିକା ପ୍ରେମ କରୁଥିଲି, ହେଲେ ସେ ମୋ ସାଥିରେ ପ୍ରେମର ଖେଳ ଖେଳୁଥିଲା । ଦି ଦିନ ଖେଳିଲା, ପୁରୁଣା ଖେଳନାରୁ ମନ ଭରିଗଲା, ନୂଆ ଖେଳନା ପାଇ ପୁରୁଣାକୁ ଫୋପାଡିଦେଲା । ଏମିତି ଧୋକେବାଜ ଝିଅଙ୍କୁ ଆପଣ କଣ ବୁଝେଇ ପାରିବେ ? ପିଲାଟିର କଥାଶୁଣି ମୁଁ ହୋ ହୋ ହୋଇ ହସି ଉଠିଲି, ମୁଁ ଜାଣିଗଲି ଇଏ ଏକ ପ୍ରେମରେ ଧୋକା ଖାଇଥିବା ବିଫଳ ପ୍ରେମିକର କାହାଣୀ । ଯାହାର ଅନ୍ତ ଏମିତି ଆତ୍ମହତ୍ୟା ଦୃଶ୍ୟ ପରେ ସମାପ୍ତ ହୋଇଥାନ୍ତା । ପିଲାଟି ମୋ ଆଡକୁ ଚାହିଁ ବଡ ନିରାଶ ଭାବ କହିଲା ସାର୍, ଲୋକେ ଲୈଲା ମଜୁନୁ, କେଦାରଗୌରୀର ପ୍ରେମ କାହାଣୀ ଶୁଣି କାନ୍ଦି ପକାନ୍ତି, ଆଉ ଆପଣ ମୋ କଥା ଶୁଣି ଟିକିଏ ବି ଦୁଃଖ ଅନୁଭବ କରୁନାହାନ୍ତି, ବରଂ ଏପରି ନିଷ୍ଠୁରଭାବେ ହସୁଛନ୍ତି ! ମୁଁ ହସ ବନ୍ଦ କରି ତା ମୁହଁକୁ ଟିକେ ଚାହିଲି ପୁଣି କହିଲି, ପ୍ରଥମ କଥା ତୁମେ ମୋତେ ସାର୍ ନୁହଁ ଅଙ୍କଲ ଡାକିପାରିବ, ଦ୍ୱିତୀୟରେ ତୁମର ନାଆଟି ମୋତେ କହିବ ? ପିଲାଟି କହିଲା, ଆଚ୍ଛା ଅଙ୍କଲ, ମୋ ନାଆଁଟା ଶ୍ରୀକାନ୍ତ ।

ଶ୍ରୀକାନ୍ତ, ଖୁବ୍ ଭଲ ନାଆଁଟିଏ । ଆଚ୍ଛା ଶ୍ରୀକାନ୍ତ ତୁମେ ଲୈଲା ମଜୁନୁ କି କେଦାରଗୌରୀର କାହାଣୀ ଭଲଭାବରେ ଜାଣିଛ ? ନା’ ବୋଧହୁଏ ତୁମେ ଠିକ୍ ଭାବେ ଜାଣିନ, ଜାଣିଥିଲେ ତୁମ ପ୍ରେମକୁ ସେମାନଙ୍କ ପ୍ରେମ ସହିତ ତୁଳନା କରି ନଥାନ୍ତ । ସେମାନଙ୍କ ପ୍ରେମ ଆଜି ଏଇଥି ପାଇଁ ଅମର, କାରଣ ସେମାନେ ଜଣେ ଆଉ ଜଣଙ୍କ ପାଇଁ ଜୀବନ ହରେଇ ଦେଇଥିଲେ । କିନ୍ତୁ ତୁମ ପ୍ରେମରେ? ଆଜି ତୁମେ ଏଇଠି ଆତ୍ମହତ୍ୟା କରିବାକୁ ଏକୁଟିଆ ଆସିଛ, ଆଉ ତୁମର ପ୍ରେମିକା ତାର ନୂଆ ପ୍ରେମିକ ସାଥିରେ କେଉଁ ପାର୍କରେ ବୁଲୁଥିବ କି କେଉଁ ହୋଟେଲରେ ଡିନରର ମଜା ନେଉଥିବ, ନୁହେଁ ? ଇଏ ହେଲା ତୁମର ପ୍ରେମ କାହାଣୀ । ଦେଖ ତୁମ ବୟସରେ ପ୍ରାୟ ସମସ୍ତେ ପ୍ରେମ କରିଥାନ୍ତି, ମୁଁ ବି କରିଥିଲି । କିନ୍ତୁ ଅବଶୋଷ ସବୁ ପ୍ରେମ କାହାଣୀ ସଫଳ ହୁଏନା । ମୋର ପ୍ରଥମ ପ୍ରେମ ବି ଏକ ବିଫଳ ପ୍ରେମ କାହାଣୀ ଥିଲା, ହେଲେ ମୁଁ ହତାଶ ପ୍ରେମିକ ନଥିଲି କି ଆତ୍ମହତ୍ୟା କରିନି, ଶୁଣିବ ମୋ କାହାଣୀ ? କହୁଚି ଶୁଣ, ହୁଏତ ଏ କାହାଣୀରୁ ଜୀବନକୁ ପୁଣିଥରେ ନୁଆଭାବେ ଜୀଇଁବା ପାଇଁ ତୁମକୁ କିଛି ପ୍ରେରଣା ମିଳିଯିବ ।

ମୋର ପ୍ରଥମ ପ୍ରେମିକାର ନାଆଁ ଥିଲା ସୁନନ୍ଦା, ବହୁତ ସୁନ୍ଦର ଝିଅଟିଏ ଥିଲା ସିଏ । ମୋର କ୍ଲାସମେଟ ଥିଲା । ଆମେ ଗୋଟିଏ ସବଜେକ୍ଟରେ ପିଜି କରୁଥିଲୁ । ଦିନ ଥିଲା, ଆମେ କେହି କାହାକୁ ଜାଣିନଥଲୁ, ନା’ ସେ ମୋତେ ଜାଣିଥିଲା, ନା’ ମୁଁ ତାକୁ । ଦୁଇଟି ଅଜଣା ମଣିଷ । ହେଲେ କେଜାଣି କେମିତି ଚୁମ୍ବକ ପରି ସଂଯୋଗ ଆମକୁ ଏକାଠି କରିଗଲା । କେବେ କେମିତି କ୍ଲାସର ବାରଣ୍ଡାରେ, ୟୁନିଭରସିଟିର ଏଇ ବ୍ଲକରୁ ସେ ବ୍ଲକ ଯିବା ରାସ୍ତାରେ, କେବେ ମାର୍କେଟର ଭିଡଭାଡ ଭିତରେ, ଅବା କେଉଁ ମେଳାରେ କି ଜାତରେ ଏଇମିତି ଦେଖା ଚାହାଁ ହୋଇଯାଏ। ଆଖିରେ ଆଖି ମିଶିଯାଏ । ତାକୁ ଦେଖିଲେ ଖୁବ୍ ଭଲ ଲାଗୁଥିଲା, ମନ ଅନନ୍ଦରେ ନାଚି ଉଠୁଥିଲା । ସେ ମୋତେ ମୋର କେହି ବହୁତ ପୁରୁଣା ବନ୍ଧୁ ପରି ଚିହ୍ନା ଚିହ୍ନା ଲାଗୁଥିଲା । ଆଖିରେ ଆଖି ମିଶିଗଲେ ଦେହରେ ଶିହରଣ ଖେଳିଯାଉଥିଲା । ଅଜଣାରେ, ନଚାହଁ ବି, କାହିଁକି କେଜାଣି ଓଠରୁ ସ୍ମିତହସଟିଏ ଝରି ଆସୁଥିଲା । ଏମିତି ଲାଗୁଥିଲା, ସତେ ତାର ସେ ଚାହାଣୀ ‘ସେ ମୋତେ ଭଲପାଏ’ ବୋଲି କହିଯାଉଥିଲା ।

ଏଇମିତି ଦେଖା ଚାଁହା, ତାପରେ ହାଲୋ ହାଏ, କେବେ କେବେ ସେ ମୋର ନୋଟ ମାଗିନିଏ, କେବେ କିଛି ପ୍ରୋବ୍ଲେମ ସଲ୍ଭ କରିବାକୁ ୟୁନିଭରସିଟି କ୍ୟାଣ୍ଟିନ୍ ରେ ଘଣ୍ଟାଘଣ୍ଟା ବସି ଡିସକସନ କରେ । ଏମିତି ଧୀରେ ଧୀରେ ଆମେ ପରସ୍ପରକୁ ଭଲପାଇ ବସିଲୁ । ଆମର ସମ୍ପର୍କ ଆପଣରୁ ତୁମେ ଏବଂ ଶେଷରେ ତୁ ପର୍ଯ୍ୟନ୍ତ ପହଞ୍ଚିଗଲା । ଆମର ଏ ସମ୍ପର୍କର ନାମ ଥିଲା ପ୍ରେମ । ପ୍ରେମର ସେଇ ପ୍ରଥମ ଅନୁଭୁତି ଖୁବ୍ ଭଲ ଲାଗୁଥିଲା । ମନ କହୁଥିଲା ସେ ପାଖରେ ଥିଲେ, ନା ଦିନ ସରନ୍ତା, ନା ରାତି, ନା ମାସ ସରନ୍ତା, ନା’ ବର୍ଷ । ସମୟ ଅଟକି ଯାଆନ୍ତା କି, ଘଡିର କଣ୍ଟା ଗୋଟିଏ ଜାଗାରେ ଅଟକି ଯାଆନ୍ତା । ହେଲେ, ସମୟ ତ ଆମର ବନ୍ଧୁ ନଥିଲା । ସେ ବା, ଆମର କଥା କାହିଁକି ମାନନ୍ତା ? ସମୟ ବିତି ଚାଲିଲା, ପାଠପଢା ସରିଲା, ଆମେ ଅଲଗା ଅଲଗା ବାଟରେ ଚାଲିଗଲୁ । ସେତେବେଳେ ମୋବାଇଲ ନଥିଲା, କେବଳ ଲ୍ୟାଣ୍ଡଲାଇନ ଫୋନ ହିଁ ଥିଲା । ଫୋନରେ କେବେ କେମିତି କଥା ହୋଇଯାଉ କିନ୍ତୁ ଚିଠିପତ୍ର ବିନିମୟ ନିୟମିତ ଭାବେ ଚାଲୁଥିଲା । ହଠାତ୍ ଦିନେ ତାର ଫୋନ ଆସିଲା, ସେ କହିଲା ତାର ବାହାଘର ତା ବାପା ଆଉ କେଉଁଠି ଠିକ୍ କରିଦେଇଛନ୍ତି । ସିଏ ତାର ଭାବିପତି ସହିତ ଦେଖାଚାହାଁ କଥାବାର୍ତ୍ତା ବି ହୋଇ ସାରିଛି । ଖୁବ୍ ଭଲ କ୍ୟଣ୍ଡିଡେଟ୍ ଟିଏ ବୋଲି କହିଲା । କେଉଁ ସବଡିଭିଜନରେ ଏସଡିଏମ ଅଛନ୍ତି । ସୁନନ୍ଦା କହୁଥିଲା ସେ ତାକୁ ବହୁତ ଖୁସିରେ ରଖିବେ । ସିଏ ନିଜେ ବି ବହୁତ ଖୁସି ଏପରି ଜଣେ ବ୍ୟକ୍ତି ସହିତ ତାର ବିବାହ ହେଉଛି ବୋଲି । ଜାଣିଛ ସେ ମୋତେ ଆଉ କଣ କହିଲା ? କହିଲା ତାକୁ ଭୂଲିଯିବାକୁ । ପ୍ରଥମ ପ୍ରେମକୁ ଭୂଲିଯିବା ଯେପରି ବହୁତ ସହଜ । ମୁଁ କୁଆଡେ ଗୋଟେ ଭଲ ମଣିଷ ମୋତେ ଗୋଟେ ଭଲ ଝିଅ ମିଳିଯିବ ବୋଲି କହି ସେ ଫୋନ କାଟିଦେଲା ।

ମୋର ପ୍ରଥମ ପ୍ରେମିକା ଏମିତି ହଠାତ୍ ବାଟଭାଙ୍ଗି ଚାଲିଗଲା । କାରଣ ମୁଁ ତାର ସ୍ୱପ୍ନର ରାଜକୁମାର ନଥିଲି । ତାର ରାଜକୁମାର ଆଉ କିଏ ଥିଲା । ଯେତେବେଳେ ତା ରାଜକୁମାର ତା ଜୀବନରେ ଆସିଗଲା ସେ ମୋତେ ସରିଯାଇଥିବା ପେପ୍ସି ବୋତଲ ପରି ଡଷ୍ଟବିନରେ ଫୋପାଡିଦେଇ ଚାଲିଗଲା । କାହାଣୀଟିକୁ ଏଇଠି ଟିକେ ବିରାମ ଦେଇ, ମୁଁ ଶ୍ରୀକାନ୍ତକୁ କହିଲି, ବୁଝିଲ ଶ୍ରୀକାନ୍ତ, ତୁମର ପ୍ରେମ କାହାଣୀବି ଏଇ ପର୍ଯ୍ୟନ୍ତ ଆସିଥିଲା । ଆଉ ତୁମେ ଏଇଠାରୁ ହତାଶ ପ୍ରେମକ ହୋଇଗଲ ଏବଂ ଆଜି ଆତ୍ମହତ୍ୟା କରିବାକୁ ଏଇ ନରାଜ ବ୍ରୀଜ ଉପରେ ଠିଆ ହୋଇଛ । ସେଇଥି ପାଇଁ ମୋତେ ହସ ମାଡିଲା । ଭାବିଲି ତୁମ ଆଉ ମୋ ମଧ୍ୟରେ ସତରେ କେତେ ଫରକ୍ । ଆମର ଜୀବନକୁ ଦେଖିବାର ନଜରିଆ କେତେ ଭିନ୍ନ । ଜୀବନର ଠିକ୍ ଏଇ ଜାଗାରେ ତୁମେ ଜୀବନକୁ ଶୂନ୍ୟ କରିବାକୁ ଭାବୁଛ କିନ୍ତୁ ଠିକ୍ ଏଇ ଯାଗାରେ ଠିଆହୋଇ ମୁଁ ମୋ ଜୀବନକୁ ପୂର୍ଣ କରିବାର ଉପାୟ ଖୋଜୁଥିଲି ।

ମୁଁ ସୁନନ୍ଦାକୁ କଣ କହିଲି ଛାଣିଛ ? ମୁଁ ତାକୁ ଧନ୍ୟବାଦ ଜଣେଇଲି, କହିଲି ସୁନନ୍ଦା ତୁମେ ମୋତେ ପ୍ରେମ କରି ଜୀବନରେ ପ୍ରଥମ ବସନ୍ତର ଅନୁଭୂତି ଦେଇଥିଲ । ଏଇ ପ୍ରେମଦାନ ପାଇଁ, ତୁମକୁ ଅଶେଷ ଧନ୍ୟବାଦ । ପରିବର୍ତ୍ତନ ତ ସଂସାର ନିୟମ, ସମୟ ସହିତ ଅନେକ କିଛି ବଦଳିଯାଏ, ମଣିଷ ବଦଳିଯାଆନ୍ତି, ଦିନ ବଦଳେ, ମାସ ବର୍ଷ ରୁତୁ ସବୁକିଛି ବଦଳେ । ସେମିତି ତୁମେ ବଦଳିଗଲ, କିଛି ନୂଆକଥା ନୁହେଁ । ଦୁଃଖ ନାହିଁ, ତୁମର ଏ ପ୍ରେମକୁ ମୁଁ ପ୍ରତାରଣା ବୋଲି କହିବିନି । ତୁମେ ତୁମ ଖୁସି ପାଇଁ, ତୁମର ଉଜ୍ୱଳ ଭବିଷ୍ୟତ ପାଇଁ ନିଜର ରାସ୍ତା ବଦଳାଇ ଚାଲିଗଲ । ଠିକ ଏଇ ସମୟରେ କବି ବିନୟ ମହାପାତ୍ରଙ୍କର ଗୋଟିଏ କବିତା ମୋର ମନେ ପଡିଗଲା । କେବେ ପଢିଛ ତାଙ୍କ କବିତା ? ସମୟ ମିଳିଲେ ନିଶ୍ଚୟ ପଢିବ, ଜୀବନକୁ ଦେଖିବାର ନଜରିଆ ବଦଳିଯିବ ତୁମର । ହଁ, ସେ କବିତାର କିଛି ଲାଇନ୍ ଶୁଣଉଚି ।

ପ୍ରେମ ଖାଲି ଏତିକି କହିଲା,
ବିସନ୍ନ କାହିଁକି ବନ୍ଧୁ?
ଗୋଟିଏ ଫଗୁଣରେ,
ଜୀବନ ତ ଯାଏନାହିଁ ସରି,
ଗୋଟିଏ ବସନ୍ତରେ,
ଫୁଲ ଫୁଟି ମଉଳିଯାଏନା ।
ଏଇ ରୁତୁ ମାନଙ୍କର କଣ ଅଛି,
ପୁଣି ଆସିବେ ସେମାନେ,
ସବୁକିଛି ଫେରିବ ତ ଦିନେ
ଆଜି ଟିକେ ହିସି ଦିଅ,
ସବୁଦିନ ସମାନ ରହେନା ।(କବିତା-ଗୋଟିଏ ଫଗୁଣରେ ଜୀବନ ସରେନା)

ବସନ୍ତ ପରେ ମୋ ଜୀବନେ ବୈଶାଖ ଆସିଥିଲା, ବୈଶାଖକୁ ତ ଆସିବାକୁ ଥିଲା, ଋତୁ ଚକ୍ରକୁ ବଦଳେଇ ପାରିବାର ସାହସ କାହାର ଅଛି । ନା ପ୍ରେମିକାକୁ ରହିଯିବା ପାଇଁ କହି ପାରିଥାନ୍ତି ? ସ୍ମୃତିକୁ ଜାବୁଡି ଧରି ବାହୁନି ହେବାକୁ, କାନ୍ଦିବାକୁ ଆଖିରେ ମୋର ଲୁହ ନଥିଲା, ସମୟ ବି ନଥିଲା । କିନ୍ତୁ କେବେ କେବେ ମୁଁ ମୋ ନିଜକୁ ପଚାରେ, ଏମିତି ପ୍ରେମର ପରିଭାଷା କ’ଣ ? ଏଇମିତି ଭଲ ପାଇବା ପୁଣି ଭୁଲି ଯିବା କଣ ପ୍ରେମ ?

ଅପେକ୍ଷା କଲି, ବୈଶାଖ ପରେ ଶ୍ରାବଣ ଆସିବ, ବସନ୍ତ ଆସିବ, ପୁଣି ମୋ ଅଗଣାରେ ଫୁଲ ଫୁଟିବ, ସେମାନଙ୍କ ମହ ମହ ମହକ ମୋ ଦେହକୁ, ମନକୁ ଛୁଇଁ ଯିବ, ନୁଆ ଶିହରଣ ଦେଇଯିବ । ପୁନଶ୍ଚ ନୁଆ ଏକ ପ୍ରଣୟର ଋତୁ ଆସିବ । ଏ ରୁତୁରେ ବି ସବୁ ଥିବ, ସେହି ମହକ, ସେହି ଶିହରଣ, ହେଲେ ସେଥିରେ ମୋର ପ୍ରଥମ ପ୍ରେମର ସେ ନିଆରା ଅନୁଭବ ନଥିବ । ତାହାହିଁ ହେଲା ପୁଣି ମୋ ଜୀବନରେ ପ୍ରେମ ଆସିଲା । ଏ ପ୍ରେମ କିନ୍ତୁ ମୋର ପ୍ରଥମ ପ୍ରେମ ପରି ଖେଳ ନଥିଲା, ଛଳନା ନଥିଲା । ସେଇ ପ୍ରେମ ଆଜିବି ମୋ ଜୀବନରେ ଅନେକ ରଙ୍ଗ ଭରିଦେଉଛି ।

ଶ୍ରୀକାନ୍ତର ମୁହଁର ଭାବ ସେତେବେଳକୁ ବଦଳି ସାରିଥିଲା । ଦୁଃଖ ଅବସାଦ ଏବଂ ବିଫଳତାର ବାଦଲ ହଟିସାରିଥିଲା ତାର ମୁହଁରୁ । ମୁଁ ସ୍ପଷ୍ଟ ଭାବେ ଦେଖି ପାରୁଥିଲି ତା ଆଖିରେ ଏକ ନୂତନ ସ୍ୱପ୍ନ, ଏକ ନୁଆ ଉଦ୍ଦିପନା । ଜୀବନକୁ ପୁଣି ଥରେ ଜୀଇବାର ଏକ ନୂଆ ଆଶା ଦେଖା ଦେଉଥିଲା ତାର ସେଇ ଆଖି ଦୁଇଟିରେ । ମୁଁ ତା କାନ୍ଧରେ ହାତ ପକାଇ କହିଲି, ଆଚ୍ଛା ଶ୍ରୀକାନ୍ତ ଏବେ ଉଠ, ତୁମେ କେଉଁଠିକୁ ଯିବ କହିଲେ ମୁଁ ତୁମକୁ ଗାଡିରେ ଛାଡିଦେଇ ଆସିବି ।

ଶ୍ରୀକାନ୍ତ ଉଠି ଠିଆହେଲା, କହିଲା, ନାହିଁ ଅଙ୍କଲ, ଆପଣଙ୍କୁ ଆଉ କଷ୍ଟ ଦେବିନି, ଆପଣ ଏବେ ଘରକୁ ଯାଆନ୍ତୁ, ଆଣ୍ଟି ଆପଣଙ୍କୁ ଅପେକ୍ଷା କରିଥିବେ । ମୋ ବାଇକଟା ବ୍ରୀଜର ସେ ପାଖରେ ଠିଆ ହୋଇଚି । ମୁଁ ଏଇଠୁ ସିଧା ହଷ୍ଟେଲ ଚାଲିଯିବି । କହିଲି ଆସ, ତୁମକୁ ତୁମ ବାଇକ୍ ପାଖରେ ଛାଡିଦେବି । କାର୍ ର ଡୋର ଖୋଲି ଭିତରକୁ ଆସୁ ଆସୁ ଶ୍ରୀକାନ୍ତ କହିଲା, ଡରନ୍ତୁନି ଅଙ୍କଲ, ମୁଁ ଆଉ ଆତ୍ମହତ୍ୟା କରିବା ମୁଡ୍ ରେ ନାହିଁ । ଆପଣଙ୍କର ସେହି ପ୍ରିୟକବି ବିନୟ ମହାପାତ୍ରଙ୍କ କବିତା ପଦକୁ ମୁଁ ମୋ ଜୀବନର ମନ୍ତ୍ର କରିନେଲି । ମୁଁ ବି ଅପେକ୍ଷା କରିବି, ମୋ ଜୀବନରେ ବି ଦିନେ ବସନ୍ତ ଆସିବ ଆଉ ପ୍ରେମ ବରଷି ଯିବ । ଶ୍ରୀକାନ୍ତର କଥା ଶୁଣି ଆମେ ଦୁହେଁ ଏକା ସାଥିରେ ହସି ଉଠିଲୁ । ମୁଁ କହିଲି ଆଉ ପଦେ କବିତା ତୁମପାଇଁ ସେଇ କବିଙ୍କର ;
ପ୍ରତୀକ୍ଷା ମୋ ଏବେ ବି ରହିଛି ଜାରି,
କେହି ଜଣେ ଆସିବ ତ ଦିନେ ।
ମଲମ ଲଗାଇଦେବ
ଏଇ ମୋର ଦରଜଳା ହୃଦୟରେ,
ପୁଣି ବସନ୍ତର ଅନୁଭବ ଦେଇଯିବ,
ଏଇ ମୋର ବିଦଗ୍ଧ ମନ ଉପବନେ । (କବିତା-ପ୍ରେମ ଓ ପକ୍ଷୀରାଜ ଘୋଡା)

***05/07/2017***

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

w

Connecting to %s