ମାୟାର ବନ୍ଧନ !
କହନ୍ତି ମାୟା ବାନ୍ଧି ଦିଏ ଡୋରି,
ମାୟା କିବା ବାନ୍ଧି ରଖି ପାରେ
ନଟେଇରେ ଆକାଶର ପତଙ୍ଗ ଯେପରି ?
ଅବା ଦାନା ଲୋଭେ ଏ ମଣିଷ
ନିଜେ ନିଜେ ଫସି ଯାଏ
ବ୍ୟାଧର ଜଟିଳ ଜାଲରେ ?
ମାୟା ତ ବନ୍ଧନ ନୁହେଁ
ମାୟାଧର ମାୟା ବିନା
ସୃଷ୍ଟିର ସୃଜନ, ସ୍ଥିତି ବା ପ୍ରଳୟ
ସମ୍ଭବ କି ଅନନ୍ତ ସଂସାରେ ?

ନଦୀ ମିଶେ ସମୁଦ୍ରରେ
ନଦୀ କିବା ବନ୍ଦି ସମୁଦ୍ର ଫାଶରେ
ପବନରେ ସୁଗନ୍ଧ ମହକି ଉଠେ
ସୁଗନ୍ଧ କି ବନ୍ଦି ପବନରେ ।
ପଙ୍କ ଠାରୁ ଦୂରେ ରହି
ପଙ୍କଜ କି ଆସଇ ହାତରେ ।
ନିଜେ ରଚି ମାୟାର ସମୁଦ୍ର
ମାୟାଧର ଫସି ଯାଏ ନିଜର ମାୟାରେ ।

ମାୟା ଅଛି ବୋଲି ତ
ଅଛି ଏ ସଂସାର
ମାୟା ନଥିଲେ କୁହ ତ
ତୁମେ କିଏ, ମୁଁ କିଏ
ଦୁନିଆରେ କିଏ ବା କାହାର ?
ଆଉ କାହା ସାଥେ କାହାର
ସମ୍ପର୍କ ବା କଣ ?
ମାୟା ଯେ ଶିଖାଏ
ନିର୍ମାୟା ହୋଇବାର କଳା
ମୋହ ହିଁ ନିର୍ମୋହୀର ପାଠଶାଳା,
ମାୟା ଧାରକ, ନୁହେଁ ବନ୍ଦିଶାଳା ।

ଜୀବ ନିଜେ ମାୟା ଗଢେ
ମାୟାକୁ ଜତନରେ ପାଳେ
ଅବଶେଷେ ସଂହାର ବି କରି ପାରେ ।
ଜୀବ ମଧ୍ୟେ ତ୍ରୀଦେବଙ୍କୁ ଦେଖ
ମାୟା ବନ୍ଧନ ନୁହେଁ
ମାୟା ଆମ ନିଜର ସନ୍ତାନ,
ମାୟା ବି ତ ଆମରି ଜତ୍ନରେ ବଢେ,
ମାୟାର ବିନାଶ ଜୀବ ହାତେ ଥାଏ ।
ପଦ୍ମଦଳେ ଜଳ ସମ, ମାୟାରେ ନିର୍ମାୟା ରହେ
ମୋହରୁ ନିର୍ମୋହୀ ଆଉ
ଅନ୍ଧାରରୁ ଆଲୋକର ପଥେ ନେଇ ଯାଏ
ମାୟାର ସାଗରେ ସେହି ମାୟାଧର ମିଳେ ।

***07/06/2018***