କ୍ଷୁଦ୍ରଗଳ୍ପ- ଅଣ୍ଡିରାଚଣ୍ଡି Andirachandi

ରାତି ଏଗାରଟା ଉପରେ ହେବ ସେତେବେଳକୁ, ରାନୁ ତାର ପଢା ଟେବୁଲ ପାଖରେ ମାଟ୍ରିକ୍ ପରୀକ୍ଷା ପାଇଁ ପାଠପଢାରେ ଲାଗିଥାଏ । ଟେବୁଲ ଲ୍ୟାମ୍ପର ଆଲୁଅରେ ଟେବୁଲଟା ଯାହା ଆଲୁଅ ଦିଶୁଚି, ବାକି ବଖରାଟା ସାରା ଝାପ୍ସା ଅନ୍ଧାର । ପାଠପଢାରେ ପୁରା ମଜି ଯାଇଥିଲା ରାନୁ । ନିଦ ଟିକିଏ ଟିକିଏ ମାଡି ଆସିଥିଲା ତା ଆଖିକୁ, ହେଲେ ପଢା ଯେ ବହୁତ ବାକିଅଛି । ମାଟ୍ରିକ୍ ପରୀକ୍ଷା ତା ଜୀବନର ବଡ ମହତ୍ୱପୂର୍ଣ୍ଣ ପରୀକ୍ଷା । ସେ ଜାଣିଛି, ଏଇ ପରୀକ୍ଷାର ଫଳାଫଳ ତାର ଭବିଷ୍ୟତର ରାସ୍ତା ସ୍ଥିରକରିବ । ତାକୁ ନିଦ ଉପରେ ବିଜୟହାସଲ କରିବାକୁ ପଡିବ । ନହେଲେ ହୁଏତ ତାର ଭବିଷ୍ୟତ ଶୋଇ ପଡିବ । ରାନୁ ପାଠପଢାରେ ଖୁବ୍ ଭଲ, ସବୁବେଳେ କ୍ଲାସରେ ପୋଜିସନ ରଖିଆସିଛି । ଖାଲି ପାଠପଢା ନୁହେଁ, ଖେଳକୁଦରେ ବି ସେ ଆଗୁଆ । ଅନେକ ସାର୍ଟିଫିକେଟ ଆଉ ଟ୍ରଫିରେ ତାଙ୍କ ଡ୍ରଇଂରୁମର ସେଲ୍ଫଟା ଭରିଯାଇଛି । ତାର ଇଚ୍ଛା ଭବିଷ୍ୟତରେ କମ୍ପିଟେଟିଭ୍ ପରୀକ୍ଷା ଦେଇ କଲେକ୍ଟର କି ଆଉକିଛି ବଡ ଅଫିସରଟିଏ ହେବ ନହେଲେ ସେନାରେ ଫାଇଟର ପ୍ଲେନ୍ ଉଡେଇବ । ତାର ଏ ସ୍ୱପ୍ନ କେବଳ ତାର କଠିନ ପରିଶ୍ରମ ଦ୍ୱାରା ହିଁ ପୁରା ହୋଇ ପାରିବ ।

ନିଦ ଛଡେଇବ ବୋଲି ଭାବି ସେ ଲିଭିଙ୍ଗରୁମ ବେସିନ୍ ପାଖକୁ ମୁହଁ ଧୋଇବାକୁ ଆସୁ ଆସୁ କେହି କଷ୍ଟରେ କୁନ୍ଥେଇ ହେଉଥିବାର ଶବ୍ଦ ଶୁଣିଲା । ବାଆଁ ପଟକୁ ବାପାବୋଉଙ୍କ ବେଡରୁମ୍ । ତାକୁ ଲାଗିଲା ଏଇଟା ତ ବୋଉର ଶବ୍ଦ । ବାପାବି ଆଜି ଘରେ ନାହାନ୍ତି । ଅଫିସ ଟୁର୍ ରେ ସଂଧ୍ୟାବେଳେ କୋରାପୁଟ ବାହାରିଗଲେ । ବୋଉର ଦେହ କଣ କିଛି ଖରାପ ହେଲାକି ଭାବି ରାନୁ ବାପାଙ୍କ ବେଡରୁମ ପାଖକୁ ଯାଇ କାନ ପତେଇ ଶୁଣିବାକୁ ଲାଗିଲା । ହଁ ଏଇଟା ତ ବୋଉର ଶବ୍ଦ, ତାର ସନ୍ଦେହ ଅମୁଳକ ନଥିଲା । ଏଇଟା ବୋଉର କଷ୍ଟରେ କୁନ୍ଥେଇ ହେବାର ଶବ୍ଦ । ରାନୁ କବାଟରେ ହାତ ମାରିଲା, କବାଟଟା ଭିତରପଟୁ କେବଳ ଆଉଜା ହୋଇଥିଲା । ବେଡରୁମରେ ଜିରୋ ପାୱାର ବଲ୍ବର ମିଞ୍ଜି ମିଞ୍ଜି ଆଲୁଅରେ ରାନୁ ଦେଖିଲା ବୋଉ ତାର ପେଟକୁ ଜାବୁଡି ଧରି କଷ୍ଟରେ କୁନ୍ଥଉଛି, ସତେ ଯେପରି ବହୁତ କଷ୍ଟ ହେଉଛି । ରାନୁ ପାଖକୁ ଯାଇ ଡାକିଲା, ପଚାରିଲା, ବୋଉ କଣ ହେଉଛି ? ବୋଉର ଜନ୍ତ୍ରଣା ବଢିବାକୁ ଲାଗିଥିଲା । ବୋଉ ବଡ କଷ୍ଟରେ କହିଲା, ସଂଧ୍ୟାବେଳରୁ ଅଳ୍ପ ଅଳ୍ପ ପେଟ ବଥା ହେଉଥିଲା । ଭାବିଲି ଖାଇବା ପିଇବାରେ କଣ ଟିକେ ଅସୁବିଧା ହୋଇ ଏମିତି ଗ୍ୟାସ ହୋଇଯାଇଥିବ । ଆଜି ସକାଳ ଜଳଖିଆ ଖାଉଖାଉ ଦିନ ବାରଟା ବାଜି ଯାଇଥିଲା । ଥଣ୍ଡା ଖିର କପେ ପିଇଥିଲି ସଂଧ୍ୟାବେଳେ, ସେଥିରେ ଏସିଡି ପ୍ରୋବ୍ଲେମ ଠିକ୍ ହୋଇଯାଏ । ହେଲେ ଆଜି କମ୍ ହେଲାନି ଏବେ ହଠାତ୍ ବଢିଗଲା । ଦୂର୍ଯୋଗକୁ, ବାପା ବି ସଂଧ୍ୟାବେଳେ ଟୁର୍ ରେ ଚାଲିଗଲେ । ବୋଉକୁ କହିଲି, ଘରେ ଭାଇ ଅଛି ଡାକିଦେବି ? ସିଏ କଣ ଟିକେ ମେଡିସିନ୍ ନେଇ ଆସିବ । ବୋଉ ବିକଳ ହୋଇ କହିଲା, ସେ ଟୋକା ଶୋଇଥିବ । ଏବେ କହିଲେ ସେ କଣ ଯିବ ? ତା କଥା ତୁ କଣ ଜାଣିନୁ ? ତଥାପି କଷ୍ଟ ବିକଳରେ ବୋଉ ସୋନୁ ଭାଇକୁ ଡାକ ଛାଡିଲା, କହିଲା ବାପାରେ, ବଡ କଷ୍ଟ ହେଉଛି, ବେଶି ରାତି ହୋଇନି ରାତି ଏଗାରଟା ବାଜିଛିି, ଯା ଟିକେ ଦେଖ, ମେଡିକାଲ ଛକରେ କେଉଁ କେମିଷ୍ଟ ଦୋକାନ ଖୋଲାଥିବ, ଇନୋ ଗୋଟେ ପାଉଚ୍ ନେଇଆ । ହେଲେ ସୋନୁଭାଇ କିଛି ଜବାବ ଦେଲାନି । ବୋଉ ତିନି ଚାରିଥର ଡାକି ସାରିବା ପରେ ରାନୁ କହିଲା, ତୁ ରହ, ସେ ବୋଧେ ଶୋଇ ପଡିଥିବ । ମୁଁ ଯାଇକି ଦେଖୁଛି ।

ରାନୁ ଯାଇ ସୋନୁର ବେଡରୁମର କବାଟ ଠକ୍ ଠକ୍ କଲା । କେତେ ଚେଷ୍ଟା ପରେ ସୋନୁ କବାଟ ଖୋଲିଲା । ତା କାନରେ ଇଅର ଫୋନ୍ ଟା ଠୁସା ହୋଇଛି । ହାତରେ ମୋବାଇଲ ଫୋନ୍ ଟା ଏବେବି ଅନ୍ ଅଛି । ସେ କିଛି ଫିଲ୍ମ ଡାଉନଲୋଡ କରି ଦେଖୁଥିଲା ବୋଧହୁଏ । ସୋନୁକୁ ଏପରି ଦେଖି ରାନୁର ମୁଣ୍ଡ ଗରମ ହୋଇଗଲା । ହେଲେ ସେ ତା ରାଗକୁ ଚାପିରଖି କହିଲା, ଭାଇ, ବୋଉର ପେଟ ବଥା ହେଉଚି, ସେ କଷ୍ଠରେ କଥା କହି ପାରୁନି । ସୋନୁ କାନରୁ ଇଅରଫୋନଟା ନକାଢି ରାନୁକୁ ପଚାରିଲା କଣ ହେଲା? ରାନୁର ପିତ ସତେ ଯେପରି ତା ମୁଣ୍ଡକୁ ଚଢି ଚଢି ଆସୁଥିଲା । ସେ ସୋନୁର କାନରୁ ଇଅର ଫୋନଟା ଏକପ୍ରକାର ଓଟାରି ଆଣି କହିଲା ଏଇଟା ତ କାନରେ ଠୁଁସିଛୁ ଶୁଭିବ କେମିତି । କିଏ ମଲେ କି ଗଲେ ତୋର ଜାଣିବା କଣ ଦରକାର ? ବାପା ଘରେ ନାହାନ୍ତି, ତୁ ଏକା ପୁଅପିଲା ଏଇ ଘରେ । କାହାର କଣ ହେଲା ତାର ଧ୍ୟାନ ରଖିବୁନି ? ବୋଉର ପେଟ ଖରାପ ହୋଇ ବଥା କରୁଛି, କଷ୍ଟରେ ସେ କାନ୍ଦି ପାରୁନି । ତୋତେ ଡାକ ଛାଡି ଚାଲିଛି, ହେଲେ ବାବୁଙ୍କୁ ଫିଲିମରୁ ସମୟ ବଳିଲେ ସିନା କାହା ଖବର ଜାଣିବ । ଚାଲ ଦେଖିବୁ ବୋଉକୁ କେତେ କଷ୍ଟ ହେଉଛି କହି ତା ହାତଧରି ବାପାଙ୍କ ରୁମ୍ କୁ ଟାଣି ନେଇଗଲା ।

ବୋଉ, ସୋନୁ ପାଖକୁ ଆସିବା ଦେଖି କହିଲା, ପୁଅରେ ଏବେ ରାତି ଏଗାରଟା ବାଜିଛି । ମେଡିକାଲ ଛକରେ କେମିଷ୍ଟ ଦୋକାନ ଖୋଲାଥିବ । ଯାଇକି ଗୋଟେ ଇନୋ ନେଇ ଆସିବୁ, ବଡ କଷ୍ଟହେଉଛି । ମେଡିସିନ୍ ଖାଇଦେଲେ ଟିକେ ଭଲ ଲାଗିବ । ହେଲେ ସୋନୁ ଯିବାକୁ ନାରାଜ୍, କହିଲା ଏତେ ରାତିରେ କୋଉ କେମିଷ୍ଟ ଦୋକାନ ଖୋଲି ବସିଥିବ ? ମୋତେ ନିଦ ଲାଗୁଛି ମୁଁ ଯାଇ ପାରିବିନି, ତୁବି ଶୋଇପଡ, ସକାଳେ ହେଲେ ଯାଇ ନେଇ ଆସିବି କହି ସୋନୁ ଚାଲିଗଲା ତା ରୁମକୁ।

ରାନୁ ବୋକି ଝିଅଟିଏ ପରି ଚାହିଁ ରହିଥାଏ ସୋନୁର ଯିବା ବାଟକୁ । ଭାବୁଥାଏ, ଏଇ ସୋନୁଭାଇ କଲେଜ ଯିବବୋଲି ମୋଟର ସାଇକେଲ କିଣି ଦେବାକୁ ଅଝଟ କରିଥିଲା । ବାପା ମନା କରିଦେଇଥିଲେ, କହିଲେ ମୋଟର ସାଇକେଲ ମିଳିଲେ ବାବୁ ଆଉ ପାଠ ପଢାରେ ମନ ଦେବେନି । ସାଙ୍ଗମାନଙ୍କ ସାଙ୍ଗରେ ଖାଲି ବୁଲାବୁଲି କରିବ । ହେଲେ ବୋଉ ସେତେବେଳେ ଭାଇର ଓକିଲାତି କରିଥିଲା । କହିଲା ପୁଅଟା କଲେଜ ଗଲାଣି, କେତେ ସାଇକେଲ ପେଲି ପେଲି ଯାଉଥିବ । ତାର ସାଙ୍ଗମାନେ ସବୁ ମୋଟର ସାଇକେଲରେ ଆସୁଛନ୍ତି ବୋଲି କହୁଥିଲା । ବାପା କହିଲେ, ବୁଝିଲ ଆମେ କଲେଜରେ ପଢିଲାବେଳେ ଆମ ପାଖରେ ସାଇକେଲଟିଏ ବି ନଥିଲା । ମେସ୍ ରୁ ଦୁଇ କେଲୋମିଟର ରାସ୍ତା ଚାଲି ଚାଲି ଝାଳନାଳ ହୋଇ କଲେଜ ଯାଉଥିଲୁ । ଆଜି ବାବୁଙ୍କ ପାଖେ ସାଇକେଲ ଖଣ୍ଡେ ତ ଅଛି, ସେ କଣ କମ୍ କଥା । ତାକୁ କୁହ ଏଥର ପରୀକ୍ଷାରେ ଯଦି ଭଲ ନମ୍ବର ଆଣିବ ତେବେ ଭାବିବି ମୋଟର ସାଇକେଲ କିଣିବାକଥା । ରାନୁ ଝିଅଟା, ହେଲେ କେତେ ପରିଶ୍ରମ କରୁଛି । ସବୁ ପରୀକ୍ଷାରେ କ୍ଲାସରେ ଫାଷ୍ଟ ସେକେଣ୍ଡ ହୋଇ ପୋଜିସନ ରଖୁଛି । ପ୍ରତି ବର୍ଷ ସ୍କୁଲ ସ୍ପୋର୍ଟସରେ କେତେ କେତେ ଟ୍ରଫି ନେଇକି ଆସୁଚି । ଆଉ ପୁଅ ଆମର ସେଇ ଥାର୍ଡ ଡିଭିଜନରୁ ଉପରକୁ ଉଠିବାକୁ ମନ କରୁ ନାହାନ୍ତି । ରାନୁକୁ ଦେଖି କିଛିତ ଶିଖନ୍ତା ସାନ ଭଉଣୀଠୁ । କେଳକୁଦ କଥା ତ ଛାଡ । ବୋଉ ଶେଷରେ ବାପାଙ୍କୁ ବୁଝେଇ କହିଲା ତୁମେତ ମାସରେ ଅଧାଦିନ ଟୁରରେ ଚାଲିଯାଉଛ । ଘରେ ପୁଅଟା ଅଛି, କେତେବେଳେ କଣ ଦରକାର ପଡିଲେ ବଜାର ସଉଦା କରିଦେବ । ରାତିଅଧରେ କେବେ କିଛି ଜରୁରୀ ପଡିଗଲେ ସେ କରିଦେବ ନା’ ସବୁକାମ । ହେଲେ ସୋନୁକୁ ଆଜିଯାଏ ଘରକାମ ପାଇଁ କେବେ ସମୟ ମିଳିନି । ଆଉ ଆଜି ଯେତେବେଳେ ବୋଉର ଦରକାର ପଡୁଛି ବାବୁଙ୍କର ଫିଲିମରୁ ମନ ଛାଡୁନି ।

ବୋଉର କଷ୍ଟ ରାନୁ ଆଉ ସହି ପାରିଲିନି । କହିଲା, ବୋଉ ମୁଁ ଯାଇ ନେଇ ଆସିବି ମେଡିସିନ୍ । ବୋଉ ତା ମୁହଁକୁ ଟିକେ ଅନେଇ କହିଲା, ଜାଣିଛୁ ରାତି ଏଗାରଟା ବାଜିଲାଣି । ଆଜିକାଲି ଯେମିତି ସମୟ ହେଲାଣି ତୁ ଝିଅପିଲାଟା ଏକୁଟିଆ ଏତେ ରାତିରେ ବାହାରକୁ ଯିବୁ ? ତୁ କଣ ପୁଅ ପିଲା ହେଇଛୁ ? ନାଃ, ଏତେ ରାତିରେ ଝିଅପିଲା ବାହାରକୁ ଯାଆନ୍ତିନି । ମୁଁ ଶୋଇ ପଡିଲେ ମୋର ଠିକ୍ ହୋଇଯିବ, ତୁ ଯା ଶୋଇପଡ । ବୋଉର କଷ୍ଟରେ ସେତା ପଡି ଯାଇଥିବା ମୁହଁ ଆଡକୁ ରାନୁ ପୁଣିଥରେ ଚାହିଁଲା । ତାର ଆଖି ଜକେଇ ଆସିଲା । ଭାବିଲା ଧନ୍ୟରେ ତୁ ମାଆ, ଏତେ କଷ୍ଟରେ ବି ଝିଅର ନିରାପତ୍ତା କଥା ଭାବୁଛି । ରାନୁ ବୋଉ ମୁହଁକୁ ଚାହିଁ କହିଲା ମୁଁ ନେଇ ଆସୁଚି ମେଡିସିନ୍ ତୁ ବ୍ୟସ୍ଥ ହୁଅନା । ତୁ ମୋ କଥା ଚିନ୍ତା କରନା, ମୁଁ ଏଇ ଗଲି ଆଉ ପାଞ୍ଚ ମିନିଟରେ ନେଇ ଆସିବି ତୋ ମେଡିସିନ୍ କହି ରାନୁ ବାହାରିଗଲା । ବୋଉ ବାରମ୍ବାର ପାଟିକରି କହୁଥାଏ ଆରେ ଯାଆନା, ମୋ କଥା ମାନ । ମୋର ବେଶି କଷ୍ଟ ହେଉନି, ଏବେ ଟିକେ ଭଲ ଲାଗୁଛି । ଓଃ, କାହାକଥା ଶୁଣିବନି ଝିଅଟା, ଆରେ ହେ ରାନୁ, ବାହାରକୁ ଯାଆନାରେ ମାଆ, ଆଜିକାଲି ସମୟ ଭଲ ନୁହେଁ । ଓହଃ, କେଡେ ଆମାନିଆ ତୁ ରାନୁ, କେଡେ ‘ଅଣ୍ଡିରାଚଣ୍ଡି’ ଝିଅଟା ସତେ । ସେତେବେଳକୁ ରାନୁ ସାଇକେଲ ନେଇ ବାରଣ୍ଡ ତଳକୁ ଓହ୍ଲେଇ ସାରିଥିଲା । ମାଆର କଷ୍ଠ ଆଗରେ ତାକୁ ସବୁକିଛି ଖୁବ୍ ଛୋଟ ଲାଗୁଥିଲା । ରାନୁ ମେଡିକାଲ ଛକରେ କେମିଷ୍ଟ ଦୋକାନ ଖୋଜୁ ଖୋଜୁ ଭାବୁଥିଲା, ଏତେ ସବୁ ହେଲା ପରେ ବି, ବୋଉ ତାର ଗେହ୍ଲା ପୁଅକୁ ‘ମାଇଚିଆ’ ବୋଲି କହି ପାରିଲାନି, କିନ୍ତୁ କେଡେ ସହଜରେ ମୋତେ ‘ଅଣ୍ଡିରାଚଣ୍ଡି’ ବୋଲି କହି ପାରିଲା !

(ନାରୀ ସ୍ୱାଧୀନତା ଏବଂ ସମାନତା କଥା ପ୍ରତିଦିନ ଟିଭି, ଖବରକାଗଜରେ ପଡୁଛୁ ଶୁଣୁଛୁ, ବଡବଡ ସଭା ସମିତିରେ ନେତାମାନେ ଲମ୍ବାଲମ୍ବା ଭାଷଣ ଦେଉଛନ୍ତି । ଆମେ ସମସ୍ତେ ଏ କଥା ଜାଣୁ, ଦରକାର ପଡିଲେ କୌଣସି ଆଲୋଚନାରେ ସେ ବିଷୟରେ ଭଲ ଭାଷଣ ବି ଦେଇପାରୁ, ହେଲେ ସତରେ କଣ ଆମ ପୁରୁଷ ସମାଜ ନାରୀର ଶକ୍ତିକୁ ସହୃଦୟତାର ସହିତ ସ୍ୱୀକାର କରି ପାରିଛି ? ଖେଳକୁଦ ଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନଙ୍କର ପୁରୁଷଙ୍କ ଅପେକ୍ଷା ବହୁତ ଭଲ ପ୍ରଦର୍ଶନ ସତ୍ତ୍ୱେ ନାରୀମାନଙ୍କ ପ୍ରତି ପୁରୁଷମାନଙ୍କର ଦୃଷ୍ଟିକୋଣରେ କିଛି ପରିବର୍ତ୍ତନ ହୋଇଛି ? କୌଣସି ପୁରୁଷ ସୁଲଭ କାର୍ଯ୍ୟ ଯଦି କୌଣସି ଜଣେ ନାରୀ କେବେ କରିଦିଏ, ତେବେ ଆମେ କେଡେ ସହଜରେ ତାକୁ ‘ଅଲାଜୁକି’ କିମ୍ବା ‘ଅଣ୍ଡିରାଚଣ୍ଡି’ ବୋଲି କହିଦେଇପାରୁ । ଆଜି କେବଳ ଆମର ଦୃଷ୍ଟି ନୁହେଁ ଆମର ଦୃଷ୍ଟିକୋଣରେ ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି ।)

***25/06/2018***

** ଗଳ୍ପଟି ‘ବେଦାନ୍ତୀ’ ମାଗାଜିନର ନଭେମ୍ବର 2018 ସଂଖ୍ୟାରେ ପ୍ରକାଶିତ

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s