ରଜରେ ପ୍ରିୟାକୁ ସଜ ଦେଖିବାକୁ
ଉଡି ଯାଏ ମନ, ଆଜି ପ୍ରିୟତମା ଗାଆଁ,
ମନରେ ସଂଯୋଗୀ ଗୋଟିଏ କାମନା
ପାଇବାକୁ ଥରେ ପ୍ରିୟାର କୁଆଁରୀ ଛୁଆଁ ।

ସଜ ଫୁଲେ ଗଭା ସଜାଇ ଥିବ ସେ
କଳା କୁନ୍ତଳରେ ବାନ୍ଧି ଥିବ ମଲ୍ଲୀ ମାଳ,
କେଡେ ଶୋଭାବନ ଦିଶୁ ଥିବ ଆହା
କଳା ବାଦଲରେ ସତେକି ବିଜୁଳି ଖେଳ ।

କୁଆଁରୀ ତା ତନୁ ହଳଦୀ ତେଲରେ
ହଳଦୀ ତା ମୁହଁ ଦିଶୁ ଥିବ ଜକ ଜକ,
ଏମିତି ନିଇତି ଦେଖୁ ଥିଲେ ବସି
ଭୂଲି ଯିବି ସତେ ଦୁନିଆଁ ଜଂଞ୍ଜାଳ ଦୁଃଖ ।

ଚୁର୍ଣ୍ଣ କୁନ୍ତଳ ତା ମୁହଁ ଢାଙ୍କୁ ଥିବ
କଳା କଳା ମେଘ ଢାଙ୍କି ଯାଏ ଅବା ଜହ୍ନ,
ମଳୟକୁ ଡାକେ ଉଡାଇ ନେବାକୁ
ତା ଚୁର୍ଣ୍ଣ କୁନ୍ତଳ, ଜହ୍ନ ଦେଖିବାକୁ ମନ ।

କପାଳରେ ତାର ନାଲିଆ ବିନ୍ଦି ଲୋ
ଦେଉ ଥିବ ଅବା ଟିକିଏ ମୁରୁକି ହସି,
ମୋ ପ୍ରିୟା ଓଠର ଟିକିଏ ହସରେ
ଝଣ ଝଣ କରି ମୁକୁତା ପଡିବ ଖସି ।

ମହକୁଥିବ ତା’ କସ୍ତୁରୀ ମହକ
ପବନରେ ଦେଇ କୁଆରୀ ତନୁର ବାସ,
ମାଳତୀ କୁଞ୍ଜରେ ମାନିନୀ ରାଧୀକା
ଅଭିଶାରେ ଅବା ଚାହିଁଛି ରଚିବ ରାସ ।

***12/01/2018****

ମୋର ପ୍ରଥମ କବିତା ସଂକଳନ ପୁସ୍ତକ “ଜୀବନ ସପନ ପ୍ରେମ” ରେ ପ୍ରକାଶିତ । (ନଭେମ୍ବର 2020)