ତୁମରି ଅବର୍ତ୍ତମାନରେ
କାଲି ବି ବଞ୍ଚିଥିଲି, ଆଜି ବି ବଞ୍ଚିଛି ।
ଜଣା ନାହିଁ କେତେ କାଳ
ତୁମ ବିନା ଅହୁରି ବଞ୍ଚିବି !
ସତ କଥା,
କାହା ବିନା, କେହି କେବେ
ମରି ତ ଯାଏନା,
କାହା ବିନା ଦୁନିଆରେ
କାମ କିଛି ଅଟକି ଯାଏନା,
ଦୁନିଆ ତ ସେମିତି ଚାଲୁଥାଏ
ଯେମିତି ଦିନ, ପ୍ରତିଦିନ ବିତିଯାଏ ।

ଫଗୁଣ ତ ବେରଙ୍ଗ ଲେଉଟି ଗଲା,
ମୋତେ ଟିକେ ବୁଝେଇ ଦେବାକୁ
ତା ପାଖରେ କିଛି ଶବ୍ଦ ବି ନଥିଲା ।
ଖାଲି ଏତିକି କହିଲା,
ବିସନ୍ନ କାହିଁକି ବନ୍ଧୁ?
ଗୋଟିଏ ଫଗୁଣରେ,
ଜୀବନ ତ ଯାଏ ନାହିଁ ସରି,
ଗୋଟିଏ ବସନ୍ତରେ,
ଫୁଲ ଫୁଟି, ଯାଏ ନାହିଁ ମରି ।
ଏଇ ରୁତୁ ମାନଙ୍କର କଣ ଅଛି?
ପୁଣି ଆସିବେ ସେମାନେ,
ସବୁ କିଛି ଫେରିବ ତ ଦିନେ
ଆଜି ଟିକେ ହିସିଦିଅ,
ସବୁ ଦିନ ସମାନ ରହେନା ।

ସ୍ଥାନ କେବେ ରିକ୍ତ ରହେ ନାହିଁ
ଶୂନ୍ୟ କେବେ ରହେ ନାହିଁ କିଛି,
ଶୂନ୍ୟ ତ ସଦା ପରିପୂର୍ଣ୍ଣ,
ତୁମେ ସିନା ନାହଁ,
ମୋ ସାଥେ ତୁମ ସ୍ମୃତି ବାକି ଅଛି,
ଆଜି ତୁମ ପ୍ରିତି ନାହିଁ,
ମୋ ପାଇଁ ବିରହର ରାତ୍ରୀ ବାକି ଅଛି ।
ଅପେକ୍ଷା ରହିଛି, ରହିବ,
କେହି ଜଣେ ଆସିବ ତ ଦିନେ,
ଏଇ କଥା ସତ ସତ,
ସିଏ କିନ୍ତୁ, ତୁମେ ତ ନଥିବ,
ହେଲେ ଯିଏ ବି ଥିବ,
ସିଏ ମୋର ଜୀବନର ସାଥୀ ହେବ ।

***18/11/2017***