ପଖାଳ କୁ କିଏ କେମିତି
ଅବା ଭୁଲି ଯିବ ?
ଓଡିଆ ଯେଉଁଠି ବି ରହୁ ,
ଦିଲ୍ଲୀ ହେଉ ଅବା କଲିକତା,
ଲଣ୍ଡନ ଅବା ଆମେରିକା,
ପଖାଳ ତାର ଟେବ୍ଲ ରେ
ନ ଥିଲେ ବି, ତାର ସ୍ମୃତି ରେ
ନିଶ୍ଚୟ ସବୁ ବେଳେ ଥିବ ।
ତା ଲହୁ ରେ ବୁନ୍ଦା ବୁନ୍ଦା,
ତୋରାଣି ର ମହକ,
ତାକୁ ସକାଳ ପଖାଳ କୁ
ଭୁଲିବାକୁ ଦେବନି ।
ଏବେ ବି ମନେ ପଡେ
ସେଇ ପିଲା ଦିନ କଥା
ସକାଳ ପଖାଳ,
ବାଡି ବାଇଗଣ ପୋଡା ଆଉ
କୋଶଳା ଶାଗ ର ଭଜା ।
କଂସା ଭରି ବାସି ପଖାଳ,
ଚୁଙ୍ଗୁଡି ଶୁଖୁଆ ଆଉ
କସି ବାଇଗଣ ପୋଡା,
ଧନିଆ ପତର ସଙ୍ଗେ
କସି କସି କଞ୍ଚା ଲଙ୍କା,
ମାଆ ପାଗ କରି ଦିଏ।
କେବେ ଅବା ଆମ୍ବୁଲ ପାଣି
ଆହା ପାଟି ମୋର
ହୁଏ ପାଣି ପାଣି ।
ଏଇମିତି ଆହୁରି ଆନନ୍ଦ ଦିଏ
ଯେତେବେ ଦୁଇ ତିନି ଭାଇ ଭଉଣି
ଗୋଟିଏ କଂସାର ଚାରି ପଟେ
ବେଢି ବସି ଥାଉ।
ମାଆ ଥର ଥର କରି
କଂସା ଭରି ଦେଉ ଥିବ
ଯେତେ ଖାଇଲେ ବି,
ଆନନ୍ଦ ରେ ପେଟ ଭରୁ ନ ଥିବ ।
କଂସା ଭିତରେ,
ହାତରେ ହାତ ବାଜୁ ଥିବ ।
କେବେ ପୁଣି କଂସା ରେ
ହାତ ଭରିବା ପାଳି କୁ
ଅପେକ୍ଷା କରିବା କୁ ହେବ ।
ବାଇଗଣ ଭରତା ରେ
କେତେ ଲଙ୍କା ଦଳା ଯିବ
ସେଇ କଥା,
ସବୁ ଠାରୁ ସାନ ଯିଏ
ସିଏ ତ କହିବ।
ପଖାଳର ସ୍ଵାଦ ଅମୃତ ଠୁ ବଳି
ହେଲେ ଖାଇବା ର ପରେ
ଦୁଇ ଢୋକ
ତୋରାଣୀ ର ସ୍ଵାଦ
ଆହା ତାର ତୁଳନା
କେଉଁଠୁ ଆଣିବ?
।। ଜୟ ଓଡିଶା ଜୟ ପଖାଳ।।