ମୁଁ କବିତା ଲେଖେନି !

ମୁଁ କବିତା ଲେଖେନି,
କେବେ ଯଦି ଶବ୍ଦମାନେ
ମଗଜର ରେଷେଇଘରେ
ଖେଚଡି ରାନ୍ଧିବାର ଯୋଜନାକରନ୍ତି
କିଛି ଭାବ ଆଉ ଭାବନା
ଟକ୍ ମକ ଫୁଟି ଉତୁର ଯାଆନ୍ତି
ହୃଦୟର ଖିର ଆଟିକାରୁ,
ମୁଁ ଶବ୍ଦମାନଙ୍କୁ ସାଉଣ୍ଟି ନିଏ
କାଗଜର ଫୁଲ ଚାଙ୍ଗୁଡିରେ ।
ଆଉ କଲମ ଛୁଞ୍ଚିରେ
ଭାବନାର ସୁତାଖିଏ ଯୋଡି
ଗୁନ୍ଥିଦିଏ ଶବ୍ଦର ମାଳାଟିଏ କରେ ।

ମୁଁ କବିତା ଲେଖେନି,
କବିତା ବା କଣ
କେବଳ କିଛି ଶବ୍ଦର ମାଳାଟିଏ ସିନା
ସତେଅବା ଛେନାର ଗୋଲକଟିଏ,
ଭାବର ସିରାରେ ଭିଜିଗଲେ
ରସ ଜୁଡୁବୁଡୁ ହୋଇଯାଏ,
ନିରସ ଶବ୍ଦର ଛେନାଗୋଲା
ରସାଳ ରସଗୋଲା ହୁଏ ।

ମୁଁ କବିତା ଲେଖେନି,
ସତେଅବା କବିତା
ଶବ୍ଦର ସୁଖିଲା ବଳିତାଟିଏ,
ଥରେ ଭାବର ଘିଅରେ ଡୁବି
ରସ ଜୁଡୁବୁଡୁ ହୋଇଯାଏ
ଶବ୍ଦର ବଳିତାରେବି
ଅଗ୍ନିର ଶିଖା ଜଳିଯାଏ ।

କିଏ ଅବା ମାଳଟିକୁ
ଦୂରରୁ ଦେଖି ସୁନ୍ଦର କହେ,
କିଏ ମୁହଁ ମୋଡିଦିଏ
ଆଉ କିଏ ହାତେନେଇ
ବାସ ଆଉ ସୌନ୍ଦର୍ଯ୍ୟର
ଶବ୍ଦ ଆଉ ରସର ଆନନ୍ଦ ନିଏ
କିଏ ବାଃ ବାଃ କହିଦିଏ,
କିଏ କିଛିବି କହେନି
ଖାଲି ଟିକେ ହସିଦିଏ ।

***14/11/2018***

Advertisements

ବିରହିଣୀ ରାତି Birahini Raati

ରାତ୍ରୀ ବି ମୋ ପରି
ନିଛାଟିଆ ନିସଙ୍ଗ ବିରହି ଥିଲା,
ପ୍ରିୟପଥ ଚାହିଁ ରହିଥିଲା,
ହେଲେ ଟୋପି ଟୋପି ଝରିଗଲା ଲୁହ
ତାର ସଜଳ ନୟନର
କଜ୍ୱଳର ଧାରେ ଧାରେ ବୋହିଗଲା,
ଅଭିଆଡି ରାତ୍ରୀକୁ କଳା କରିଦେଇ
ଅଂଧାରର ପଣତରେ ମୁଁହ ଢାଙ୍କିନେଲା ।
ରାତ୍ରୀବି ଖୋଜୁଛି ଜହ୍ନକୁ
ଜହ୍ନ ଆସିବ କୁମୁଦିନୀ ପାଇଁ,
ଆଉ ରାତ୍ରୀର ଅଗଣାରେ ବିଞ୍ଚିଦେବ
ସୁନେଲି ଜୋଛନାର ମୁରୁଜକୁ ନେଇ,
ହେଲେ, ରାତ୍ରୀ କାନ୍ଦୁଥିଲା
ଟୋପି ଟୋପି ଶିଶିର ବୁନ୍ଦାରେ
ଚୁପ୍ ଚାପ୍ ଆଖି ଲୁହ ଢାଳି
ରାତିର ବେଦନା କେତେ
ଜହ୍ନତ ବୁଝିଲା ନାହିଁ ।

ଉପବନେ ଫୁଲ ବି ଫୁଟିଛି
କୁଆରୀ କନିଆ ସତେ
ସାତରଙ୍ଗି ପଣତ ହଜାଇ
ବୈଧବର ସଫେଦ ଶାଢୀରେ
ଅଭିଆଡି ତନୁଲତା, ଲୁଚାଇ ଦେଇଛି ।
ବେରଙ୍ଗ ଜୀବନରେ ରଙ୍ଗ ଟୋପେ ମାଗେ
କିଏ ଦେବ ରଙ୍ଗ ତାକୁ
ସାତରଙ୍ଗ ପେଟି ଆଉ ସବୁଜାକ ତୁଳୀ
ସୁରୁଜ ତା ସାଥିରେ ନେଇଛି ।
ସିଏ ଆସିଲେ ରଙ୍ଗ ବୋଳିଦେବ
ତାର କୁଆରୀ ତନୁକୁ ପ୍ରଣୟ ରଙ୍ଗରେ
ସରାଗେ ରଙ୍ଗେଇ ଦେବ ।

ମୁଁ ବି ରହିଛି ଚାହିଁ
ରାତିପରି ବିରହ ବେଦନା ସହି
ଫୁଲ ସରି ରଙ୍ଗହୀନ ହୋଇ
ମୋ ପ୍ରିୟ ଆସିଲେ ଜୋଛନା ଆଣିବ
ମନ କାନଭାସରେ ମୋର
ପ୍ରଣୟର ରଙ୍ଗ ଲେପି ଦେବ ।

***15/10/2018***

ତର୍କେ ବହୁଦୂର Tarke Bahudura

ଗଳ୍ପଟି କହିବା ଆଗରୁ ମୁଁ ପ୍ରଥମେ ଆପଣଙ୍କୁ ଚନ୍ଦ୍ର ମୋହନଙ୍କ ସହିତ ଆପଣଙ୍କର ପରିଚୟଟା କରେଇ ଦିଏ । ଚନ୍ଦ୍ର ମୋହନ ନାମକ ଚରିତ୍ରଟି କୌଣସି ଏକ ସରକାରୀ ଅଫିସରେ କିରାଣୀଟିଏ, ଯିଏ ଆଗରୁ ଏତେ ଦୁର୍ବଳ ନଥିଲା ! ମନରେ ତାର ବହୁତ ସାହସ ଥିଲା, ବଡ ଉତ୍ସାହୀ ଯୁବକଟିଏ, ସବୁ କାମରେ ଆଗୁଆ ଥିଲା ସିଏ । ତା କହିବା ଅନୁଶାରେ ଦୁନିଆରେ କିଛିବି କାର୍ଯ୍ୟ ଅସମ୍ଭବ ନୁହେଁ । ସଫଳତା ପାଇଁ ଖାଲି ଟିକିଏ ଧୈର୍ଯ୍ୟ ଆଉ ଟିକିଏ ପରିଶ୍ରମ ଲୋଡା । କାମ ଆରମ୍ଭ କରିବା ଆଗରୁ ସବୁକଥା ଏମିତି କଠିନ ଲାଗେ, କିନ୍ତୁ ଥରେ ବାହାରକୁ ଗୋଡକାଢି ଦି’କଦମ ଚାଲିବା ଆରମ୍ଭ କରିଦେଲେ, ଦୂରତା ଆଉ ଦୂରତାପରି ଲାଗନା । ପାଦ ଚାଲିଲେ ବାଟ ବି ସରିଯାଏ । ଆଗରୁ ସେ କେବେବି କଥା କଥାରେ ଭାଗ୍ୟ କିମ୍ବା ଭଗବାନଙ୍କ ପ୍ରସଙ୍ଗ ଉଠଉ ନଥିଲା । ନିଜର ସୌଭାଗ୍ୟ ପାଇଁ ନିଜକୁ ଯେପରି ଖୁବ୍ ପାରିବାର ଭାବୁଥିଲା, ନିଜର ଦୂର୍ଭାଗ୍ୟ ପାଇଁ ସେମିତି କେବଳ ନିଜର ଅପାରଗତାକୁ ହିଁ ଦୋଷୀ କରୁଥିଲା । ହେଲେ ହଠାତ୍ ଦିନେ ଚନ୍ଦ୍ର ମୋହନର କାୟାପଲଟ ହୋଇଗଲା । ସେ ଏପରି ଦୁର୍ବଳ ହୋଇଗଲା ଯେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଏଇ ଲୋକଟି କଣ ସେଇ ଚନ୍ଦ୍ର ମୋହନ ? ଆଜି ଯିଏ କଥା କଥାକେ କହୁଛି ଛାଡ, ଭାଗ୍ୟରେ ନଥିଲା ! “ଭାଗ୍ୟଂ ଫଳତି ସର୍ବତ୍ରଃ, ନଃ ଚ ବିଦ୍ୟାଂ ନଃ ଚ ପୌରୁଷଃ”, କିମ୍ବା ‘ଏହା ଭଗବାନ ଇଚ୍ଛା ନଥିଲା’ ଏପରି କହି ଗୁଡାଏ ଦୀର୍ଘ ନିଶ୍ୱାସ ହିଁ ଛାଡିପକଉଥିଲା । ବିଶ୍ୱାସ ହୁଏନା, ଚନ୍ଦ୍ର ମୋହନର ହଠାତ୍ ଏତେ ପରିବର୍ତ୍ତନ କେମିତି ହୋଇଗଲା ? ସତେ ଯେପରି ଜନାର୍ଦ୍ଦନଙ୍କ ପାଦତଳେ ଗାଣ୍ଡିବଧନୁ ଥୋଇଦେଇ ହଠାତ୍ ଏ ଅର୍ଜୁନ ଏତେ ନିଶ୍ୱ ଏତେ ଦୂର୍ବଳ କିପରି ହୋଇଗଲା ? ଘଟଣା କଣ ? ପ୍ରେମରେ ଧୋକା ପାଇଗଲା ନା ପରୀକ୍ଷାରେ ଫେଲ ହୋଇଗଲା ?

ବାହାଘର ପୂର୍ବର ଚନ୍ଦ୍ର ମୋହନ ଆଉ ବାହାଘର ପରେ ଆଜିର ଚନ୍ଦ୍ର ମୋହନ ଭିତରେ ଆକାଶ ପାତାଳର ଫରକ୍ । ସତେ ଅବା, ଦଗବିଜୟରେ ବାହାରିଥିବା ଚଣ୍ଡାଶୋକ, ଧଉଳୀର ପାଦଦେଶରେ ପହଞ୍ଚି ହଠାତ୍ ନିଶ୍ୱ ନିର୍ବିର୍ଯ୍ୟ, ଶୋକାକୁଳ ହୋଇ ଧର୍ମାଶୋକ ପାଲଟି ଯାଇଛି । ହଠାତ୍ ଦିନେ ଚନ୍ଦ୍ର ମୋହନ ମଥାରେ ଚନ୍ଦନ ଟିପାଟିଏ ଦେଖି ମୋ ପରି ଅନେକ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଘଟଣାଟା କଣ ବୁଝୁବୁଝୁ ଜଣାପଡିଲା, ତାର ଧର୍ମପତ୍ନୀ ଯେଉଁ ଗୁରୁଙ୍କର ଶିଷ୍ୟା, ସେ ମଧ୍ୟ ସେହି ଗୁରୁଙ୍କର ଦୀକ୍ଷା ନେଇ ଯାଇଛି । ବାସ, ତା’ପର ଠାରୁ ଚନ୍ଦ୍ର ମୋହନର ଏ କାୟାକଳ୍ପ । ଏବେ ସେ କଥା କଥାକେ ସେହି ଗୁରୁଙ୍କର ଗୁଣ କୀର୍ତ୍ତନକରିବା ଏବଂ ମହିମା ବଖାଣ କରିବାକୁ ଲାଗିଗଲା । ଗୁରୁଙ୍କର ବେଶ୍ ଗୁଡିଏ ବାଣୀ କଣ୍ଠସ୍ଥ, ମୁଖସ୍ଥ କରି ବ୍ୟାଖ୍ୟା କରିବାକୁ ଆରମ୍ଭ କରିଦେଲା । ତାର ଏପରି ଗୋଟିଏ ବିଶ୍ୱାସ ଆସିଗଲା ଯେ ଏ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡରେ, ପ୍ରତି ମୁହୂର୍ତ୍ତରେ ଯାହାବି ଘଟୁଚି ବା ଘଟିବ, ସବୁ ସେଇ ତାର ଗୁରୁଙ୍କର ଅପାର କରୁଣାରୁ ହିଁ ଘଟିବ । ନହେଲେ କେଉଁ ମୁହୂର୍ତ୍ତରେ କେଉଁଠିନା କେଉଁଠି, କିଛିନା କିଛି ବିଭ୍ରାଟ ନିଶ୍ଚୟ ଘଟିଯିବ ।

ସେଦିନ ଚନ୍ଦ୍ର ମୋହନ ଆଉ ଶ୍ୟାମ ସୁନ୍ଦର ବାବୁଙ୍କ ମଧ୍ୟରେ ସୁଖିଲାଟାରେ ଏମିତି ଝଗଡା ଆରମ୍ଭ ହୋଇଗଲା । କଥା ଏପରି ଗୁରୁତର ହେଲାଯେ, ଆସେମ୍ବ୍ଲି କି ପାର୍ଲିଆମେଣ୍ଟରେ ଚଉକି ଫିଙ୍ଗା କି ଚପଲ ଫିଙ୍ଗା କଥାଠାରୁ ମଧ୍ୟ ବହୁତ ଆଗକୁ ବଢିଗଲା । ଶେଷରେ ହାତାହାତି ପର୍ଯ୍ୟନ୍ତ କଥା ପହଞ୍ଚିଗଲା । କଥା ସେମିତି କଛି ଗୁରୁତର ନଥିଲା । ଝଗଡାର କାରଣଟା ବୁଝୁବୁଝୁ ଜଣା ପଡିଲା ଯେ, ଦୁଇଜଣଙ୍କ ମଝିରେ ଏଇକଥାକୁ ନେଇ ମିମାଂସା ହୋଇପାରିଲା ନାହିଁ ଯେ ଚନ୍ଦ୍ର ମୋହନର ଗୁରୁ ବଡ ନା ଶ୍ୟାମ ସୁନ୍ଦର ବାବୁଙ୍କ ଗୁରୁ ବଡ ? ଏଇ କଥାରୁ ହାତା ହାତି ମୁଥ ମରା ମରି ପର୍ଯ୍ୟନ୍ତ ମାମଲା ବଢିଗଲା । ଠିକ୍ ସମୟରେ ବଡବାବୁ ହସ୍ତକ୍ଷେପ କରି ନଥିଲେ ଅଫିସରେ ହୁଏତ ମିନି ମହାଭାରତ ଯୁଦ୍ଧଟିଏ ଘଟି ଯାଇଥାନ୍ତା । ତୃତୀୟ ବିଶ୍ୱଯୁଦ୍ଧ ଟଳିଗଲା କହିଲେ ଚଳେ, ନହେଲେ ଯୁଦ୍ଧ ପାଇଁ ଆଉ ମାତ୍ର ମୁହୁର୍ତ୍ତେ ବାକିଥିଲା ।

କଥା କଣ ପଚାରିବାରୁ ଜଣା ପଡିଲା ଯେ ଚନ୍ଦ୍ର ମୋହନ ତାର ଗୁରୁଙ୍କୁ ସ୍ୱୟଂ ଈଶ୍ୱର ସାବ୍ୟସ୍ଥ କରି ଶ୍ୟାମ ସୁନ୍ଦର ବାବୁଙ୍କ ଗୁରୁଙ୍କୁ ତାଙ୍କର ଜଣେ ଅବତାର ଅର୍ଥାତ୍ ତା ଗୁରୁଙ୍କ ଠାରୁ ଶ୍ୟାମ ସୁନ୍ଦରବାବୁଙ୍କ ଗୁରୁ ଛୋଟ, ମାନେ ଜୁନିୟର ବାବା ବୋଲି ପ୍ରମାଣିତ କରିବାକୁ ଯାଉଥିଲା । ହେଲେ ଏତେ ଧୃଷ୍ଟତାକୁ ଶ୍ୟାମ ସୁନ୍ଦରବାବୁ କେମିତି ବରଦାସ୍ତ କରିପାରି ଥାଆନ୍ତେ ଭଲା ? ଯେତେହେଲେ ତାର ଗୁରୁଙ୍କର ‘ଇଜ୍ଜତ୍ କା ସୱାଲ’, ହାଟ ମଝିଟାରେ, ବିଚ୍ ବଜାର ଭିତରେ ତା ଗୁରୁଙ୍କର ନାକ ନିଶ ତଳେ ପଡିଯାଇ ନଥାନ୍ତା ? ଥ୍ୟାଙ୍କ ଗଡ୍, ଠିକ୍ ସମୟରେ ବଡବାବୁ ହସ୍ତକ୍ଷେପ କରିଦେଲେ, ନହେଲେ ଅଫିସରେ କଣ ଯେ ହୋଇଯାଇ ନଥାନ୍ତା ଆଜି !

ଶେଷରେ ସୁପ୍ରୀମ କୋର୍ଟର ଅଧ୍ୟାଦେଶ ଜାରି କରିଲା ପରି ବଡବାବୁ କହିଲେ, ସମସ୍ତେ ଶୁଣନ୍ତୁ, ଆମ ଦେଶ ଭାରତବର୍ଷ ଏକ ଧର୍ମ ନୀରପେକ୍ଷ ରାଷ୍ଟ୍ର । ଏଇ ଦେଶରେ ସବୁ ଧର୍ମ, ସବୁ ଗୁରୁ ସମାନ, କେହି ଛୋଟ ବା ବଡ ନୁହଁନ୍ତି । ତେଣୁ ସବୁ ଧର୍ମ, ସବୁ ଦେବାଦେବୀ, ସବୁ ଗୁରୁଜୀ, ମାତାଜୀ, ବାବାଜୀ ସମାନ ସମ୍ମାନର ହକଦାର । ସମସ୍ତଙ୍କୁ ସମାନ ସମ୍ମାନ ଦେବା ଜଣେ ଭଲ ନାଗରୀକର କର୍ତ୍ତବ୍ୟ । ଏକଥା ଆମର ସମ୍ବିଧାନ କହୁଛି । ଆମେ ନାଗରୀକ ହିସାବରେ ଆମର ସମ୍ବିଧାନକୁ ସମ୍ମାନ ଦେବା ଉଚିତ୍ । ବାକ୍ ସ୍ୱାଧୀନତାର ଦ୍ୱାହୀ ଦେଇ କେହି କାହାର ଗୁରୁଙ୍କର ଅପମାନ କରିବା ଉଚିତ୍ ନୁହେଁ । ବୁଝିଲେ ସମସ୍ତେ? ଏବେ ଯାଆନ୍ତୁ ନିଜ ନିଜ ସିଟକୁ । କାମ କରନ୍ତୁ, ଅଫିସ କାମ କରିବାକୁ ଆସୁଛନ୍ତି ନା ଏପରି ବେକାର କଥାକୁ ନେଇ ଝଗଡା କରିବାକୁ ? ଚନ୍ଦ୍ର ମୋହନ ସଙ୍ଗେ ସଙ୍ଗେ ପ୍ରତିବାଦ କରି କହିଲା, ସାର୍ ଆପଣ ଧର୍ମଚର୍ଚ୍ଚାକୁ ବେକାର କଥା କହୁଛନ୍ତି ? ବଡବାବୁ ବିରକ୍ତହୋଇ କହିଲେ ବେକାର କଥା ନୁହେଁତ ଆଉ କଣ ? ଅଫିସରେ ଅଫିସକାମ ବିଷୟରେ କଥାବାର୍ତ୍ତା କରନ୍ତୁ, ସେଇଟା କାମର କଥା । ଧର୍ମଚର୍ଚ୍ଚା ପାଇଁ ସଂଧ୍ୟାରେ ପ୍ରବଚନ କି ଭଜନମଣ୍ଠଳୀକୁ ଯାଆନ୍ତୁ, ସେଇଠି ଏସବୁ ଚର୍ଚ୍ଚା କରିବେ, ସେଇଟା ଏପରି ଆଲୋଚନା ପାଇଁ ଠିକ୍ ଜାଗା । ବଡବାବୁଙ୍କ ହସ୍ତକ୍ଷେପ ପରେ କେବଳ ଯୁଦ୍ଧବିରାମ ହୋଇଯାଇଥିଲା । କିନ୍ତୁ ମନେ ହେଉଥିଲା ଏ ଯୁଦ୍ଧ ପୁଣି ଆରମ୍ଭ ହୋଇଯିବ । ନିଆଁ କୁହୁଳୁଥିଲା, କିନ୍ତୁ କେତେବେଳେ ତାର ଲେଲିହାନ ଶିଖାଟେକି ପୁଣି ଜଳିଉଠିବ କେହି ଜାଣିନଥିଲେ ।

କଥା କିନ୍ତୁ ଏତିକିରେ ସମାପ୍ତ ହେଲା ନାହିଁ । ଯାହା ଅନୁମାନଥିଲା ତାହାହିଁ ଘଟିଲା । ପୁଣି ଆରମ୍ଭ ହୋଇଗଲା ଶିତଳଯୁଦ୍ଧ, ଚାରିଟାବେଳ ଟି-ବ୍ରେକ୍ ସମୟରେ କଥାଟିକୁ ନେଇ ପୁଣି ଚା’ କପ୍ ରେ ଏକ ମୃଦୁ ଝଡ ଉଠିଲା, ଏକ ଲଘୁ ବ୍ୟକ୍ତିଙ୍କ ସଭାପତିତ୍ୱରେ । ସେ ହେଲେ ସୁଧାଂଶୁ ଶେଖର, ସିଧା କଲେଜରୁ ବାହାରି ନୁଆକରି ଏଲଡି କ୍ଲର୍କ ପୋଷ୍ଟରେ ପିଛିଲା ଛମାସ ହେଲା ଜଏନ୍ କରିଛନ୍ତି । ଚଙ୍ଗ ଚଙ୍ଗିଆ ଗଜା ଭେଣ୍ଡିଆଟିଏ । କଲେଜ ଇଲେକ୍ସନରେ ପିଲାଏ ଯେମିତି ଭାଷଣ ଦିଅନ୍ତି ସେମିତି ବଡ ପାଟିଟାଏ କରି କହିଲା, ଆମର ଏଇ ଯେଉଁ ଧର୍ମ, ବାବା ଫାବା, ଦର୍ଶନ, ଶାସ୍ତ୍ର ଏ ସବୁ ଶଳା ଗୋଟେ ଫାର୍ସ । ଶଳା ସବୁ ଯାକ ବାବା ହେଉକି ମାତା ସମସ୍ତେ ଗୋଟିଏ ଗୋଟିଏ ଭଣ୍ଡ କିମ୍ବା ପକ୍କା ବିଜିନେସମ୍ୟାନ, ନହେଲେ ମେଜିସିଆନ୍ । ଶଳେ ଏମିତି ନହେଲେ ଶୁନ୍ୟରୁ କଦଳୀ ଖସେଇବା କି ହାତ ମୁଠାରୁ ବିଭୁତି କି ସିନ୍ଦୁର ବାହାର କରିବା, ପ୍ରସାଦ ସେବନ କରେଇ ବାଞ୍ଝ ସ୍ତ୍ରୀଙ୍କୁ ଗର୍ଭବତୀ କରେଇ ଦେବା, ଏସବୁ କେତେ ଅଜବ କଥା କହୁନାହାନ୍ତି ସତେ । ୟା ଠାରୁ ଭଲ ମେଜିକ୍ ତ ପି ସି ସରକାର ଜୁନିୟର ଦେଖେଇ ପାରିବ। ଶଳେ ଧର୍ମ ଧର୍ମ କହି ଗୋଟାଏ ତାମସା ଚଳେଇଛନ୍ତି, ଧର୍ମ ନାଆଁରେ ଖାଲି ନିରହ ଜନତା ନୁହନ୍ତି ପାଠ ପଢୁଆ ବଡ ବଡ ଲୋକଙ୍କୁ କଥାରେ ଭୂଲେଇ କି ଡରେଇ ଡରେଇ ଦୋକାନ ଚଳେଇଛନ୍ତି । କୋଟି କୋଟି ଟଙ୍କାରେ ଖେଳୁଛନ୍ତି । ଗୋଟାଏ ଲୀଳା ଚଲେଇଛନ୍ତି, ସତ କହିବାକୁ ଗଲେ ଆମ ଲୋକେ କେବଳ ସରଳ କି ଧର୍ମଭୀରୁ ନୁହଁନ୍ତି, ସେମାନଙ୍କୁ ଅତିଲୋଭି ଆଉ ନିହାତି ବୋକା କହିଲେବି ଭୂଲ ହେବନି । ଶଳେ ହିନ୍ଦୁ ମୁସଲମାନ କହି ଭାରତ ପାକିସ୍ଥାନ କରିଦେଲେ, ଏବେ ଗୁରୁ ଗୁରୁ କରି ଲୋକଙ୍କୁ ଲୋକଙ୍କ ଠାରୁ ଅଲଗା କରୁଛନ୍ତି ।

ତା ପରେ ପରେ ଆରମ୍ଭ ହେଲା ଅସଲ ହଟ୍ ଟପିକଟା, ଭଗବାନ ଅଛନ୍ତି କି ନାହିଁ, ପୁଣି ଗୋଟିଏ ବିବାଦାସ୍ପଦ ପ୍ରଶ୍ନ, ମଞ୍ଜି ଆଗ ନା ଗଛ, ଅଣ୍ଡା ଆଗ ନା ମୁର୍ଗୀ ! ଏପରି ଏକ ଅସମାଧିତ ପ୍ରଶ୍ନ ଯେଉଁଟା ଯୁକଯୁଗ ଧରି ନିଜ ଜାଗାର ଠିଆ ସୋଇଛି, ଏ ପ୍ରଶ୍ନର ଉତ୍ତର ନାହିଁ । ପୁଣି ପ୍ରଶ୍ନ ଉଠେ ଭଗବାନ ଯଦି ନାହାନ୍ତି ତେବେ ଗୁରୁବାଦର ସୃଷ୍ଟି କାହିଁକି ଓ କିପରି ସୃଷ୍ଟି ହେଲା ? ମୃତ୍ୟୁ ପରେ ମଣିଷ, ଆଉ ଥରେ ଜନ୍ମ ହୁଏକି ନାହିଁ ? ମଲା ପରେ ମୁକ୍ତିମିଳେ ଅଥବା ନର୍କ ଗମନ ଅବା ପୂନର୍ଜନ୍ମ ? ମଲା ପରେ କଣ ହୁଏ ? କିଏ ଦେଖିଛି, କଣ ହୁଏ ଅବା ନାହିଁ ?

ସୁଧାଂଶୁ ପୁଣି କହିଲା, ମୁଁ ମାନୁଛି, ସବୁକିଛି ଆପେ ଆପେ ହୁଏନା । କିଛି ଘଟୁଛି ମାନେ କେହିତ କିଛି କରୁଛି । ଯେମିତି ଗଛର ପତ୍ର ହଲୁଛି ମାନେ ପବନ ହେଉଛି ନହେଲେ ଗଛରେ ମାଙ୍କଡ ବସିଛି । ଆମେ ଭାବୁଛୁ ଏଇ ପାଣି ପବନ ପୃଥିବୀ ଏ ସବୁ ଅନଲିମିଟେଡ, କିନ୍ତୁ ଅନଲିମିଟେଡ କିଛିବି ନାହିଁ । ପୃଥିବୀର କ୍ଷେତ୍ରଫଳ ମପା ସରିଛି, ପାଠପଢା ବହିରେ ପଢା ହେଉଛି । ସେମିତି ପବନବି, ସେଥିରେ ଅକ୍ସିଜେନ, ଅଙ୍ଗାରକାମ୍ଳ ଆଉ ଅନ୍ୟ କେତେ ପ୍ରକାରର ଗ୍ୟାସ ରହିଛି । ତାହା ସୀମିତ । ଆମେ ମଣିଷ ଯେତେ ଅକ୍ସିଜେନ ଖର୍ଚ୍ଚ କରୁଛୁ ଆଉ ଯେତେ ଅଙ୍ଗାରକାମ୍ଳ ଛାଡୁଛୁ ଗଛ ସେଇ ପବନକୁ ରିସାଇକ୍ଳିଂ କରି ଆମ ନିଶ୍ୱାସ ପାଇଁ ପୁଣି ଫେରେଇ ଦେଉଛି । କିନ୍ତୁ ଆଜି ଆମେ ଜଙ୍ଗଲକୁ କାଟିକୁଟି ସବୁ ଖାଇଗଲେ । ଅଙ୍ଗାରକାମ୍ଳକୁ ରିସାଇକ୍ଳ କରିବାକୁ ଗଛନାହିଁ । ତେଣୁ ଅଙ୍ଗାରକାମ୍ଳ ବଢୁଛି, ଓଜନ ସ୍ଥରରେ କଣା ବଡ ହେଉଚି ଆଉ ପାଣିପାଗ ବିଗିଡି ଯାଉଛି । ଏଥିରେ କୋଉ ଭଗବାନ କି ଗୁରୁ କଣ କରିକି ଦୁନିଆକୁ ବଞ୍ଚେଇଦେବ ?

ସାମାନ୍ୟ ଫୋନଟିଏ, ଆଜି ତିଆରିହେଲେ ଆରମାସକୁ ଡିଜାଇନ୍ ଚେଞ୍ଜ କରି ନୁଆ ପ୍ରକାର ଫୋନ ହୋଇଯାଉଛି । କିନ୍ତୁ ଲକ୍ଷଲକ୍ଷ ବର୍ଷ ଆଗରୁ ମଣିଷର ଯେଉଁ ଡିଜାଇନ୍ କରାଯାଇଥିଲା ତାହା ଆଜିବି ସେମିତି ଅଛି । ଆଖି କାନ ନାକ ପେଟ ମୁଣ୍ଡ ହୃତପିଣ୍ଡ କି ଝାଡା ପରିଶ୍ରାଯିବା ବାଟ ସବୁ ସେମିତି ଏକା, ସେଇ ଗୋଟିଏ ଜାଗାରେ ସବୁ ମଣିଷ ଦେହରେ ଖଞ୍ଜା ହୋଇଛି । ଭାବିଲେ ଦେଖି, ଯିଏ ମଣିଷର ଶରୀରତନ୍ତ୍ରର ଡିଜାଇନ କରିଛି ସେ କେତେବଡ ଇଞ୍ଜିନିୟର ? ହଁ କେହିତ ଡିଜାଇନ୍ କରିଛି ଏ ମଣିଷ ପଶୁ ପକ୍ଷୀ ଗଛ ଲତା ସବୁ କିଛି । ସେଇ ଶକ୍ତିର ନାଆଁ ପ୍ରକୃତି କି ଭଗବାନ, ସେ ପୁରଷ କି ନାରୀ ସେକଥା କେହି ଜାଣିନି କି ଦେଖିନି । ତା ନାଆ, ଇଶ୍ୱର କି ଆଲ୍ଲା, ଗଡ କି ବୁଦ୍ଧ କି ଆଉକଣ ମୁଁ ଜାଣେନା, ଆପଣମାନେ ବି ଜାଣନ୍ତିନାହିଁ । ସେଇ ଅଜଣା ଜିନିଷଟି ମଣିଷ କି ଗୋଟାଏ ଶକ୍ତି କି ଗୋଟାଏ ବସ୍ତୁ ସେକଥା ନଜାଣି ତାଆରି ପାଇଁ ଆମେ ସବୁ ଜୀଅନ୍ତା ମଣିଷଗୁଡାକ ମରାମରି ହଣାକଟା ହେଉଛେ ? ଧୀକ୍ ଆମ ମଣିଜ ଜନ୍ମକୁ ।

ସଭା ମଝିରେ ତାର ଏହି ସଂକ୍ଷିପ୍ତ ଭାଷଣରେ ଚନ୍ଦ୍ର ମୋହନ ଯାହା କହିଲା, ତାର ସାରମର୍ମ ଏତିକି ବୁଝି ହେଲା ଯେ, ଭଗବାନ ବୋଲି ଗୋଟାଏ ଶକ୍ତି ଅଛି, ତାର କିଛି ନିର୍ଦ୍ଦିଷ୍ଟ ନାମ ନାହିଁ । ସେ ନିରାକାର, ଅଦୃଶ୍ୟ, ସ୍ପର୍ଶର ପରିସୀମାରୁ ବହୁତ ଦୂର, ସେଇ ଶକ୍ତିଟି କେବଳ ବିଶ୍ୱାସ ଆଉ ଅନୁଭବର ଜିନିଷ, ଏବଂ ଭକ୍ତ ପ୍ରହଲ୍ଲାଦ ଉପାଖ୍ୟାନଟିକୁ ସଂକ୍ଷିପ୍ତରେ ବର୍ଣନାକରି କହିଲା, ଭଗବାନ ସର୍ବ ଶକ୍ତିମାନ, ସର୍ବତ୍ର ବିଦ୍ୟମାନ ।

ଶ୍ୟାମ ସୁନ୍ଦର କିନ୍ତୁ କଥାଟାକୁ ମଝିରେ କାଟି କହି ଉଠିଲେ ଭଗବାନ ନିରାକାର ନୁହନ୍ତି, ଆମ ଗୁରୁଜୀ ହିଁ ହେଉଛନ୍ତି ସାକ୍ଷାତ ପରମେଶ୍ୱର । ସବୁ ଅସମ୍ଭବକୁ ସମ୍ଭବ କରି ପାରିବାର ଚମତ୍କାରୀ କ୍ଷମତା ଥିବା ଗୁରୁ ହିଁ ଭଗବାନ, ଯେପରି ଆମ ଗୁରୁ । ଏତିକି କହି ସେ ଦୁଇହାତ ଯୋଡି ତାର ଗୁରୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା ଓ ରକ୍ଷାକର ହେ ଗୁରୁଦେବ, ଶରଣରେ ନିଅ, ଏ ସମସ୍ତଙ୍କୁ କ୍ଷମାକର ଏବଂ ସଦବୁଦ୍ଧି ଦିଅ ବୋଲି ବୀନତି କଲା ।

ସୁଧାଂଶୁ ଶେଖରର ଧର୍ଯ୍ୟର ବନ୍ଧ ଯେମିତି ଭାଙ୍ଗିବ, ଭାଙ୍ଗିବ ହେଉଥିଲା । ସିଏ ଆଉ ସମ୍ଭାଳି ନପାରି ହଠାତ୍ ଠିଆ ହୋଇ ପଡିଲା, କହିଲା, ଭଗବାନ ଫଗବାନ କିଛି ନୁହେଁ ହୋ, ଭଗବାନ ଆଉ ଭୁତ ଏକା କଥା, ଯାହାକୁ ନା’ କେବେ କିଏ ଦେଖିଛି ନା ଛୁଇଁଛି । ଖାଲି ଗୁଲି ଗପରେ ବଢେଇ ଚଢେଇ କହିବା ପାଇଁ ଭଗବାନ ଗୋଟିଏ ବିଷୟ । ଭଗବାନଙ୍କର ଗୋଟିଏ ମୁଣ୍ଡ କି ଦୁଇଟି, କାହାର ଦୁଇ ତ କାହାର ପାଞ୍ଚ ପାଞ୍ଚଟା ମୁଣ୍ଡ, ଆଠ ଦଶୁଟା ହାତ, ହାତରେ କଣ କଣ ସବୁ ଧରିଥିବେ, ପଦ୍ମ ଫୁଲଠାରୁ ଆରମ୍ଭ କରି ଖଣ୍ଡା ତଲୁଆର, ଧନୂତୀର ଠାରୁ ଆରମ୍ଭ କରି ବର୍ଚ୍ଛା ଭାଲା ପର୍ଯ୍ୟନ୍ତ କେତେ ଅସ୍ତ୍ର ଶସ୍ତ୍ର । ସତେ ଯେପରି ଏଇ ଗୁରୁମାନେ ସବୁ ସକ୍ଷାତରେ ଭଗବାନଙ୍କ ଦର୍ଶନ କରି ଫଟୋ ଉଠେଇ ନେଇ ଆସିଛନ୍ତି । ମୋର କେବେ ଭଗବାନଙ୍କ ସଙ୍ଗେ ଭେଟ ହେଲେ, ମୁଁ ସତ କହୁଛି ଗୋଟେ ସେଲ୍ଫି ଜରୁର ନେବି । ସେଃ ଏସବୁ କି ପ୍ରକାରର କିମ୍ବୁତ କିମାକାର ଅଦ୍ଭୁତ କଳ୍ପନା ? ପିଲାଙ୍କୁ ଡରେଇବା ପାଇଁ ଯେପରି ଭୁତ କଥା କୁହଁନ୍ତି, ସେମିତି ବଡମାନଙ୍କୁ ଡରେଇବା ପାଇଁ ଭଗବାନ ଗୋଟିଏ ହତିଆର । ଏୟା କଲେ ସ୍ୱର୍ଗଯିବ ଏଇଆ କଲେ ନର୍କ ଯିବ । ସତେ ଯେପରି ସବୁ ଦେଖିଛନ୍ତି । ଆଜିଯାଏ କିଏ ସ୍ୱର୍ଗ ଯାଇକି ଫେରିଛି ? ଆଉ ତାର ଭ୍ରମଣ କାହାଣୀରେ ସବୁ ଲେଖିଛି ? ଅବା କିଏ ନର୍କର ଜେଲଖାନା ଭାଙ୍ଗି ଫେରାର ହୋଇ ଆସି କହିଛି, ନର୍କରେ କଣ କଣ ଦେଖିଲା ବୋଲି ? ଏସବୁ ମଣିଷର କଳ୍ପନା । ପଡିଶାଘର ରୋଷେଇଘରୁ ଦେଶିଘିଅର ଛୁଙ୍କ ବାସନା ଆସିଲେ ମନେମନେ ଜଳି ଯାଉଥିବେ, ପଡୋଶି ଚୁଲିରେ ଯାଇ ମୁତିବାକୁ ମନେମନେ ଭାବୁଥିବେ । ଭୋକିଲା ଲୋକକୁ ଦୂରଦୂର କହି ମୁଠାଏ ଖାଇବାକୁ ଦେବେନାହିଁ, ହେଲେ ମନ୍ଦିରରେ ଯାଇ ଠାକୁରଙ୍କୁ ସୁନା ମୁକୁଟ ଦାନ କରୁଥିବେ। ଏସବୁ ପରେ ଭଗବାନ ଭଗବାନ କହି ଚିତା ତିଳକ ଲଗେଇ ଭଜନ କୀର୍ତ୍ତନ କରୁଥିବ । ଆଜି ଧର୍ମ କହିଲେ ତ ଲୋକେ ଏଇଆ ବୁଝୁଛନ୍ତି ।

କିନ୍ତୁ ସବୁ କଥାର ଅସଲ ସାରକଥା ହେଲା ମଣିଷ ମଣିଷକୁ ଭଲପାଅ, ଭଲ କାମ କର, ଅନ୍ୟ ପ୍ରତି ଇର୍ଷା, ହିଂସା, ଛଳ କପଟ କର ନାହିଁ । ନିଜେ ସୁଖରେ, ଖୁସିରେ ରୁହ, ଅନ୍ୟକୁ ମଧ୍ୟ ସୁଖରେ ରହିବାକୁ ଦିଅ । ଅସଲ ଧର୍ମ ହେଲା ମାନବିକତା ଆଉ ମାନବ ଧର୍ମ । ମଣିଷକୁ ଭଲପାଅ, ଜାତି, ଧର୍ମ, ବର୍ଣ୍ଣ, ପୁରୁଷ କି ସ୍ତ୍ରୀ ସବୁ ଭେଦଭାବ ଭୁଲି ମଣିଷ ମଣିଷକୁ ଭଲପାଅ, ଅନ୍ୟର ସୁଖରେ ଖୁସି ହୁଅ, ଦୁଃଖରେ ସମଭାଗୀ ହୁଅ, ସମ୍ବେଦନଶୀଳ ହୁଅ । ସତକଥା ହେଲା ଭଗବାନ କୁହ କି ଗୁରୁ ସେସବୁ କେବଳ ଗୋଟିଏ ଅବଲମ୍ବନ ମାତ୍ର । ଏଇଟା ହେଉଛି ପ୍ରକୃତ ଧର୍ମ, ମୋ ପାଇଁକି ତ ଧର୍ମ କହିଲେ ମୁଁ ଏଇଆ ବୁଝେ । ବାକି ଆପଣମାନେ ନିଜର ଧର୍ମ ବିଷୟରେ ଡିସାଇଡ କରନ୍ତୁ ।

ଚନ୍ଦ୍ର ମୋହନ କୌଣସି ସାଧୁବାବାଜୀଙ୍କର ପ୍ରବଚନ ଶୁଣିଲା ପରି ଏକଲୟରେ ସୁଧାଂଶୁ ବାବୁଙ୍କ କଥା ପିଇ ଯାଉଥିଲେ । ଶେଷରେ ଜଣେ ଦାର୍ଶନୀକ ପରି ନାକ ଉପରେ ଦୁଇ ଆଙ୍ଗୁଠି ରଖି ଉର୍ଦ୍ଧମୁଖରେ କିଛି ସମୟ ସିଲିଂ ଫ୍ୟାନକୁ ଚାହିଁ ରହିଁଲେ । ସତେ ଯେପରି କିଛି ମନେ ପକଉଛନ୍ତି । କଣ ଭାବି ହଠାତ୍ ଠିଆ ହୋଇପଡିଲେ, ପୁଣି କହିଲେ ବୁଝିଲେ ସୁଧାଂଶୁ ବାବୁ, ଆପଣ ପିଲା ଲୋକ, ଧର୍ମ ଆଉ ଦର୍ଶନ ଉପରେ ଆପଣଙ୍କର କିଛି ଅନୁଭବ ନାହିଁ । ଆପଣ କଣ ଜାଣିଛନ୍ତି ଆମର ସଂସ୍କୃତି, ଗୀତା, ଭାଗବତ, ବେଦ, ପୁରାଣ ବିଷୟରେ ? ଭାଗବତ କହେ, ‘ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର’ । ଭଗବତ୍ ସଂପର୍କିତ କୌଣସିବି ଆଲୋଚନାରେ ତର୍କ ବିତର୍କର ସ୍ଥାନ ନାହିଁ । ସତେଅବା ଚନ୍ଦ୍ରମୋହନ, ସୁଧାଂଶୁର ସବୁକଥା ଠିକ୍ ଶୁଣି, ସବୁ ଠିକ୍ ବୁଝି ପାରଥିଲେ ବି ନିଜର ମତ ପରିବର୍ତ୍ତନ କରିବାକୁ କୁଣ୍ଠିତ ହେଉଥିଲେ । କିମ୍ବା ସେ ଇଚ୍ଛାକରି ମଧ୍ୟ ଗୁରୁଦ୍ରୋହୀ ହେବା ଭୟରେ ସୁଧାଂଶୁ ବାବୁଙ୍କ କଥାକୁ ମାନିନେବାକୁ ପ୍ରସ୍ତୁତ ନଥିଲେ । ସେଇଥି ପାଇଁ ତର୍କର ନାଆରେ ବସି ଏଇ ଆଲୋଚନାରୁ ପଳେଇ ଯିବାକୁ ବାଟ ଖୋଜୁଥିଲେ ।

ଟି-ବ୍ରେକ ସମୟ ସମାପ୍ତ ହୋଇ ସାରିଥିଲା । ଅନ୍ତତଃ ସମସ୍ତେ ନିଜ ନିଜର ସିଟ୍ କୁ ଚୁପଚାପ ଫେରିଗଲେ । ଅଫିସରେ ଶାନ୍ତିର ଏକ ବାତାବରଣ ଖେଳିଯାଇଥିଲା । ସମସ୍ତେ ଯେପରି ମନେମନେ ସୁଧାଂଶ ଶେଖରର କ୍ଷୁଦ୍ର ଭାଷଣର ତର୍ଜମା କରୁଥିଲେ । ଗୋଟେ ପଟରେ ସୃଷ୍ଟିର ଗୁଣତତ୍ତ୍ୱ, ଧର୍ମ ପୁରାଣ ଶାସ୍ତ୍ର ଆଉ ଗୋଟେ ପଟେ ସୁଧାଂଶୁର ବଳିଷ୍ଟ ଯୁକ୍ତି, ଏଇ ଦୁଇଟିକୁ ନିଜର ମନ ଆଉ ଜ୍ଞାନର ନିକିତିର ତଉଲି ଦେଖୁଥିଲେ । କିନ୍ତୁ ତଥାପି ମୁଁ ଭାବୁଥିଲି, ସତ ଆଉ ଠିକ୍ କଥା କିଏ କହୁଥିଲା ? ସୁଧାଂଶୁ ଶେଖର ନା’ ଚନ୍ଦ୍ର ମୋହନ ? ମୁଁ ତ କିଛି ଠିକ୍ ଭାବରେ ତର୍ଜମା କରିପାରୁନି, ମୋତେବି କିଛି ସଠିକ୍ ଉତ୍ତର ମିଳୁନି । ଯଦି ଆପଣଙ୍କୁ କିଛି ମିଳିଯାଏ, ଦୟାକରି ମୋତେ ନିଶ୍ଚୟ କହିବେ ବୋଲି ଅପେକ୍ଷା କରୁଛି, ଧନ୍ୟବାଦ୍ ।

(ଗଳ୍ପଟିର ମୂଳଳେଖା 1982 ମସିହାରେ କରିଥିଲି, ତା09/02/2016 ରିଖରେ ଏଡିଟିଂକରି ପୁନର୍ଲିଖନ କରାଯାଇଛି) ।

******Edited & Rewritten 09/02/2016*****

ଦୀପାବଳୀ ଗଲାପରେ Deepawali Galapare

ମୁଠାଏ ମାଟି ମୁଁ, ଉଠାଇଲି ଯେବେ
ବୋଳିଦେବି ବୋଲି ମଥାରେ,
ମାଟିତ ନଥିଲା ମାଆଟିଏ ପରି
ଭରିଥିଲା ମୁଠା ଅଧା ମାଟି ଆଉ
ଅଧା ଦରଜଳା,
ବାରୁଦର ମିଠା ବିଷରେ ।

ବଂଞ୍ଚିବା ପାଇଁ ପୁଳାଏ ପବନ
ଭରିନେଲି ଯେବେ ଛାତିରେ,
ପ୍ରାଣବାୟୁ ନୁହେଁ, ପବନ ଥିଲା ସେ
ଭରିଥିଲା ବିଷ, ଧୂଳି ଧୁଆଁ ଆଉ
ଜଳି ଯାଇଥିବା,
ବାରୁଦର ତୀବ୍ର ଗନ୍ଧରେ ।

ଦୀପାର ଆଲୋକ ପୋଛିଲା କି ନାହିଁ
ମନରୁ କାଳିମା ଜଣାତ ପଡିଲା ନାହିଁ,
ଅନ୍ଧାରରୁ କେତେ ଆଲୁଅକୁ ନେଲା
ଭାବନାକୁ କେତେ ପବିତ୍ର କରିଲା
ତାହାର ହିସାବ,
ପାରେନାହିଁ କେହି କହି ।

ଚକ୍ ମକ୍ ଏଠି ବିଜୁଳି ରୋଷଣୀ
ମିଞ୍ଜି ମିଞ୍ଜି ଦୀପ, ସରମରେ ଗଲା ଲିଭି,
ମନର ଶାନ୍ତି ହୃଦୟ ପ୍ରିତି, ବାଣର ଶବଦେ
କହିଲାନି କେହି, ଶୁଣିଲାନି କେହି
ସେନେହ ଶରଧା
ଲାଜରେ ଗଲା ସେ ହଜି ।

କାଗଜ ଫୁଲରେ ରଙ୍ଗ ବୋଳିଦେଇ
ଛିଞ୍ଚିଦେଇ ଟୋପେ ଅତରର ମିଛ ମହକ,
ପରବ ପାଳିବା ସମାଜରେ ଆଜି
ପ୍ରହସନ ସିନା ଦେଖାଇ ହେବାକୁ
ମିଛ ମିଛ ପ୍ରେମ
ମିଥ୍ୟା ପ୍ରଲେପିତ ଆଲୋକ ।

***08/11/2018***

ମୁଁ ମରିଚିକା ନଥିଲି Mun Marichika Nathili

ମୁଁ ତ ମରିଚିକା ନଥିଲି
ମୁଁ ଥିଲି କଳ କଳ ସୁଶିତଳ
ମିଠାପାଣି ମରୁ ଝରଣାଟିଏ
ହେଲେ, ତୁମେ ଭ୍ରମରେ ରହିଗଲ
ମରିଚିକାର ବାହାନା ଭାବି
ମୁହଁ ମୋଡି ଚାଲିଗଲ ।

ଆମେ ଜହ୍ନ ଆଉ ସୂର୍ଯ୍ୟ ହୋଇଗଲେ
ଆଉ ଆମର ସମ୍ପର୍କ ବଦଳିଗଲା
ରାସ୍ତା ତ ଆଗକୁ ସେମିତି ଚାଲିଛି,
କିନ୍ତୁ ଆମ ଯିବାର ଠିକଣା ବଦଳିଗଲା ।
ସମୟ ବଦଳିଗଲା
ସମୟ ସାଥିରେ ସତେ
ରଙ୍ଗସବୁ ଫିକା ପଡିଗଲା,
ଅନୁଭବ, ଅନୁଭୂତି ଏବଂ
ଦୃଷ୍ଟି ସଙ୍ଗେ ସଙ୍ଗେ
ଦୃଷ୍ଟିକୋଣ ବି ବଦଳିଗଲା ।

ଶ୍ରାବଣର ଚହଲା ପାଣି
ଶରତରେ ନିର୍ମଳ ହୋଇଗଲା ।
କାଚକେନ୍ଦୁ ଆଇନାରେ
ତୁମ ମୁହଁ ଦିଶେନାହିଁ ଏବେ,
ନିଜମୁହଁ ଦେଖିବାକୁ ଭାରି ଡରଲାଗେ
ଜୀବନରେ ପ୍ରଥମ ପ୍ରେମ ଅନୁଭୂତି
ରୋମାଞ୍ଚିତ କରେନାହିଁ ଆଉ
ତୁମକଥା ଯେତେବେଳେ ଭାବେ ।

ଆଜି ସେଇ ସବୁଜ ଧରାତ୍ରୀ ଅଛି
ପ୍ରତି ସକାଳେ ସୂର୍ଯ୍ୟବି ଆସୁଛି
ସୂର୍ଯ୍ୟ ଡୁବିଗଲା ପରେ
ଜହ୍ନ ହସେ ସୁନୀଳ ଆକାଶେ
ବୈଷାଖର ଖରା ଆଉ
ବସନ୍ତର ମଳୟ ବି ବହେ
ଶ୍ରାବଣରେ ମେଘ ବର୍ଷିଯାଏ
ତୁମେ ଅଛ ମୁଁ ଅଛି, କିନ୍ତୁ
ସମୟ ସାଥିରେ ସମ୍ପର୍କ ବଦଳିଯାଇଛି ।

***02/11/2018***

ମିନିଗଳ୍ପ-ଧର୍ମ Dharma

କାର୍ତ୍ତକ ମାସର ଏମିତି ଗୋଟିଏ ସୋମବାର ଥାଏ ସେଦିନ । କାର୍ତ୍ତିକ ମାସଟା ଧର୍ମର ମାସ ବୋଲି ସମସ୍ତେ ଖୁବ୍ ଧାର୍ମିକ ହୋଇ ଯାଆନ୍ତି ସାରା ମାସ । ସକାଳୁ ସକାଳୁ ଗାଧୁଆ ପାଧୁଆ ହୋଇଯାଏ, ଠାକୁରଙ୍କ ପାଖରେ ଧୂପଦୀପ ଜାଳି ପୂଜାପାଠ ହୁଏ । କହନ୍ତି ବଗ ବି ଏଇ ମାସରେ ମାଛ ଖାଇବା ଛାଡିଦେଇଥାଏ, ତେଣୁ ଘରେ ଆମିଷର ପ୍ରବେଶ ନିଷେଧ । ପିଆଜ ରସୁଣ ଖାଇବା ବି ମନା । ମାସ ସାରା ମନ୍ଦିରମାନଙ୍କରେ ଭାରି ଭିଡହୁଏ । ତଥାପି ସେଦିନ ଆଦିଆ ତାର ବାପା ମାଆଙ୍କ ସାଥିରେ ମନ୍ଦିର ଯାଇଥାଏ, ମନ୍ଦିରରେ ବହୁତ ଲୋକ ଜମା ହୋଇଥାଆନ୍ତି । ବାପାଙ୍କ ହାତଧରି ବଡ ଖୁସିରେ ଆଦିଆ ଡେଇଁ ଡେଇଁ ଚାଲିଥାଏ । ରାସ୍ତାରେ ଆଦିଆର ମାଆ ତା ବାପାଙ୍କୁ କହିଲେ, ଆଜି ମନ୍ଦିରରେ ବହୁତ ଭିଡ ଥିବ, ଆଦିଆର ହାତ ଜମାରୁ ଛାଡିବନି, ନହେଲେ ସେ ଏ ଭିଡରେ ହଜିଯିବ । ବାପା କହିଲେ ଆରେ ଡରୁଛ କାହିଁକି ? ବେଶି ଭିଡ ହେଲେ ମୁଁ ତାକୁ କାନ୍ଧରେ ବସେଇଦେବି । ସେମାନେ ମନ୍ଦିର ପାଖରେ ପହଞ୍ଚି ଗଲେ, ସେଠାରେ ପହଞ୍ଚି ବାପା କହିଲେ ଆରେ ଆଦିଆ, ଏଇ ଦେଖ ମନ୍ଦିର ଆସିଗଲା, ଏଇଟି ଭଗବାନ ରହନ୍ତି, ଏଇଟା ହେଉଛି ଭଗବାନଙ୍କର ଘର, ବୁଝିଲୁ ! ଏଇଠି ମୁଣ୍ଡିଆ ମାର, ଧର୍ମ ହେବ । ଆଦିଆ ମନ୍ଦିର ଆଡକୁ ମୁହଁକରି ଦୁଇହାତ ଯୋଡି ମୁଣ୍ଡିଆ ମାରିଲା ।

ସେମାନେ ମନ୍ଦିର ଭିତରକୁ ଗଲେ । ଭଗବାନଙ୍କର ସୁନ୍ଦର ସୁନ୍ଦର ମୁର୍ତ୍ତି, ଫୁଲମାଳରେ ଲଦି ହୋଇଯାଇଛନ୍ତି ମୁର୍ତ୍ତିଗୁଡିକ । ଭଗବାନଙ୍କ ଆଗରେ ବଡ ଛୋଟ ହୋଇ ବହୁତ ଦୀପ ଜଳୁଥାଏ । ଥାଳି ଥାଳି ଭୋଗ, ମିଠାଇ ନଡିଆ କଦଳୀ ଆଉ କେତେ ଜାତି ଫଳମୂଳ ସବୁ ଥୁଆ ହୋଇଛି । ଘଣ୍ଟ ଘଣ୍ଟି ଶଂଖ ଶବ୍ଦରେ ମନ୍ଦିର ଗୁଞ୍ଜରି ଉଠୁଛି । ଧୂପର ବାସ୍ନାରେ ମନ୍ଦିରସାରା ମହକି ଯାଉଥାଏ । ବାପା ଆଦିଆ ହାତରେ କିଛି ପଇସା ଦେଇ କହିଲେ, ନେ ଏଇ ପଇସା ମନ୍ଦିର ହୁଣ୍ଡିରେ ପକେଇ ଦେ, ଧର୍ମ ହେବ । ଭିତରକୁ ଗଲେ ଭଗବାନଙ୍କ ମୂର୍ତ୍ତିରେ ଫୁଲ ଚଢେଇବୁ, ଭଗବାନଙ୍କ ଆଗରେ ଧୂଦ ଦେବୁ, ଦୀପ ଜାଳିବୁ ଆଉ ଭଗବାନଙ୍କୁ ମୁଣ୍ଠିଆ ମାରିବୁ, ଧର୍ମ ହେବ । ଆଦିଆ ଦୁଇହାତ ଜୋଡି ନମସ୍କାର କଲା । ମାଆ କହିଲେ ସେମିତି ନୁହେଁ, ତଳେ ବସି ପ୍ରଣାମ କର । ଆଦି ଆଣ୍ଠୁମାଡି ବସିପଡିଲା ଭୁଇଁରେ ମୁଣ୍ଡଲଗାଇ ଭଗବାନଙ୍କୁ ପ୍ରଣାମକଲା ।

ଦର୍ଶନ ସରିଲାପରେ ସେମାନେ ମନ୍ଦିର ବାହାରକୁ ଆସିଲେ, ମନ୍ଦିର ବେଢାରେ ଅନେକ ଲୋକ ବସି ଖୋଳ ତାଳ ଗିନି ଖଞ୍ଜଣୀ ବଜେଇ ଭଜନ କୀର୍ତ୍ତନ କରୁ ଥାଅନ୍ତି, ମନ୍ଦିର ବେଢା ସେ ଶବ୍ଦରେ କମ୍ପି ଉଠୁଥାଏ । ମନ୍ଦିର ସାମ୍ନା ରାସ୍ତାଉପରେ କେତେ ଲୋକ ଧାଡି ହୋଇ ତଳେ ବସିଥାଆନ୍ତି, ଭୁଇଁରେ ପୁରୁଣାଲୁଗା ଖଣ୍ଡେ ଖଣ୍ଡେ ପକେଇ ଲୋକଙ୍କୁ ପଇସା ମାଗୁଥାଆନ୍ତି । କାର୍ତ୍ତିକ ମାସରେ ଦାନ ପୂଣ୍ୟକର ଧର୍ମ ହେବ ବୋଲି କହୁ ଥାଆନ୍ତି । ବାପା ଆଦି ହାତରେ କିଛି ଖୁଚୁରା ପଇସା ଧରାଇଦେଇ କହିଲେ ନେ, ସେଇ ଯେଉଁ ଲୋକମାନେ ବସି ମାଗୁଛନ୍ତି ସେମାନଙ୍କୁ ଏଇ ଖୁଚୁରା ପଇସା ବାଣ୍ଟିଦେ, କାର୍ତ୍ତିକ ମାସରେ ବହୁତ ଧର୍ମ ହେବ । ଆଦି ପଇସାନେଇ ସେମାନଙ୍କୁ ଦେଲା, ଭଗବାନ ତୁମର ମଙ୍ଗଳ କରନ୍ତୁବୋଲି ସେମାନେ ଆଦିକୁ ଆଶିର୍ବାଦ କଲେ ।

ଫେରିବା ବାଟରେ ଆଦିଆକୁ ତାର ବାପା ଧର୍ମ ବିଷୟରେ ବୁଝେଇ କହିଲେ, ଦେଖ ଆଦିଆ ତୁ ବଡ ହୋଇଗଲେ ବାର ମାସରେ ତେର ପର୍ବ ପାଳନ କରିବୁ, ଏକାଦଶୀରେ ଓପାଷ ରଖିବୁ, କାର୍ତ୍ତିକ ମାସରେ ଆଇଁଷ କି ପିଆଜ ରସୁଣ ଜମ୍ମାରୁ ଛୁଇଁବୁନି ଆଉ ବର୍ଷସାରା ସୋମବାର, ଗୁରୁବାର, ଶନିବାରଦିନ ଆଇଁଷ ଖାଇବୁନି, ଦେଖିବୁ ବହୁତ ଧର୍ମ ହେବ । ସବୁଦିନ ସକାଳ ସଞ୍ଜରେ ଠାକୁରଙ୍କ ପାଖରେ ଦୀପ ଜାଳିବୁ, ଧୂପଦେବୁ, ପ୍ରଭୂଙ୍କୁ ପ୍ରଣାମ କରିବୁ, ତୁଳସୀରେ ନିତି ପାଣି ଦେବୁ, ବୁଉଝୁ କି ନବୁଝ ନିତି ଗୀତା, ଭାଗବତ, ପୁରାଣ ପଢିବୁ, ଗୋ-ବ୍ରାହ୍ମଣଙ୍କୁୁ ପ୍ରଣାମକରିବୁ, ଭୀକାରିକୁ ଦାନ ଦେବୁ ଦେଖିବୁ ବହୁତ ଧର୍ମ ହେବ ।

ମାଆ ବାପା ଯାହା କହିଲେ, ଆଦିଆ ସବୁ ମାନିଲା, ଯେପରି କହିଲେ ସବୁକିଛି କରି ଚାଲିଲା । ହଠାତ ଦିନେ ତା ମନରେ ଗୋଟାଏ ପ୍ରଶ୍ନ ଆସିଲା, ଜାଣିବାକୁ ପ୍ରବଳ ଇଚ୍ଛାହେଲା, ପ୍ରକୃତରେ ଏଇ ଧର୍ମଟା କିପରି ଜିନିଷ ଆଉ ଏତେ ସବୁ ଧର୍ମକାମ କଲାପରେ ତା ଖାତାରେ କିଛି ପୂଣ୍ୟ ଜମା ହେଲା କି ନାହିଁ ? ସେ ମାଆ ପାଖକୁ ଯାଇ ଏ ବିଷୟରେ ପଚାରିଲା, କହିଲା ମାଆ ଏଇ ଧର୍ମଟା କଣ ? ତୁମେ ଯେପରି କହିଥିଲ ମୁଁ ସେମିତି ସବୁ କରୁଛି ତେବେ ଆଜି ପର୍ତ୍ୟନ୍ତ ମୋ ଖାତାରେ କେତେ ପୂଣ୍ୟ ଜମା ହୋଇ ସାରିଲାଣି ? ମାଆ ଆଦିକୁ କୋଳକୁ ଟାଣିନେଲେ, ଟିକେ ଗେଲ କଲେ, ପୁଣି କହିଲେ, ଧନରେ ମୁଁ କଣ ଜାଣିଛି ଏଇ ଧର୍ମ କର୍ମ କ’ଣ କେମିତି ଜିନିଷ ? ଯାଆ ଏ ବିଷୟରେ ବାପାଙ୍କୁ ପଚାରିବୁ, ସିଏ କିଛି ଜାଣିଥିବେ ! ତାପରେ ଆଦିଆ ଯାଇ ତାର ବାପାଙ୍କୁ ପଚାରିଲା, ବାପା ଏଇ ଧର୍ମଟା କଣ? କେତେ ପୂଣ୍ୟ ମୋ ଖାତାରେ ଜମା ହେଲାଣି ? ବାପା କହିଲେ, ଆରେ ଆଦିଆ, ମୋତେ କଣ ଜଣାଅଛି ଏଇ ଧର୍ମର ମାନେ କ’ଣ ! ମୋ ବାପା ମାଆ ମୋତେ ଯାହା ଯେମିତି ଶିଖାଇଥିଲେ ମୁଁ କରୁଛି, ତୁ ମୋର ପୁଅ, ତେଣୁ ମୁଁ ଆମ ପରମ୍ପରା, ଧର୍ମ କର୍ମ କଥା ତୋତେ ଶିଖାଇ ଦେଲି । ଏତେସବୁ କଲାପରେ ମୁଁ ନିଜେବି ଜାଣିନି ଆଜିଯାଏ ମୋ ଖାତାରେ କେତେ ପୂଣ୍ୟ ଜମା ହୋଇ ସାରିଲାଣି ! ପଣ୍ଡିତେ କହନ୍ତି ଶାସ୍ତ୍ରରେ ଲେଖାଅଛି, ଧର୍ମ ବିଷୟରେ ସନ୍ଦେହ କରନ୍ତିନି କି ପ୍ରଶ୍ନ କରନ୍ତିନାହିଁ । ଯଦି ସନ୍ଦେହ କି ପ୍ରଶ୍ନ କରିବ ତେବେ ବହୁତ ପାପ ହେବ । ମଲାପରେ ମଣିଷ ନର୍କକୁ ଯିବ । ଯାଆ ଠାକୁରଙ୍କୁ ମୁଣ୍ଡିଆ ମାରି ଭୂଲ ହୋଇଗଲା ବୋଲି କହିଦେବୁ ପାପ କଟିଯିବ କହି, ଆଦିଆର ବାପା ହାତଜୋଡି ଭଗବାନଙ୍କୁ ମୁଣ୍ଡିଆମାରି କହିଲା, ପ୍ରଭୂ ଆଦିଆ ଛୋଟ ପିଲାଟିଏ, ତାର ହିତାହିତ ଜ୍ଞାନ ନାହିଁ, ତାକୁ କ୍ଷମା କରିଦେବ ।
ବାପାଙ୍କ କଥା ଶୁଣି ଆଦିଆ ମନେ ମନେ ଭାବୁଥିଲା ‘ପୁଣି ଏଇ ପାପଟା କ’ଣ????’

(ଗଳ୍ପଟି ଲେଖି ସାରିଲାପରେ ମୁଁ ମୋ ନିଜକୁ ପ୍ରଶ୍ନ କରୁଥିଲି, ସତରେ ଧର୍ମ ବିଷୟରେ ଆଦିଆର ବାପା ଅପକ୍ଷା ଆମେ କଣ କିଛି ଅଧିକା ଜାଣୁ ? ମୋତେ ଲାଗେ ଯେପରି ମୁଁ ବି ସେତେକି ଜାଣିଛି, ଯେତିକି ଆଦିଆର ବାପାକୁ ଜଣା ! ତା’ଠାରୁ ଅଧିକ କିଛି ମତେ ଜଣାନାହିଁ କିନ୍ତୁ ଆପଣ କଣ ଭାବନ୍ତି ?? ଆଶା କରୁଛି ନିଶ୍ଚୟ ଜଣେଇବେ !”)

* ଗଳ୍ପଟି ମୋ କବିତା “ଧର୍ମ” ଉପରେ ଆଧାରିତ ।

***04/11/2018***

ଦୁନିଆଁର ପାଠଶାଳା Dunian Pathashala

ଜୀବନଟା ଖୋଲା ବିଦ୍ୟାଳୟଟିଏ
ଜନ୍ମର ପ୍ରଥମ ଦିନରୁ କ୍ଲାସ ଲାଗିଯାଏ,
ଏଇଠି ପିରିୟଡ ବି ବଦଳେ
କେବେ ପାଠପଢା ମଜାଲାଗେ
କେବେ ଶିକ୍ଷକର ବେତ ଡରାଇଦିଏ ।
ଏଇ ସ୍କୁଲରେ କେବେ ନିଜେ ଛାତ୍ର
କେବେ ଶିକ୍ଷକର ପଦ ମିଳିଯାଏ ।
ଏଇଠି ପଢିବା, ପଢେଇବା,
ଶିଖିବା, ଶିଖେଇବାର ଅନ୍ତ ନାହିଁ,
ଜୀବନର ପ୍ରତିଟି ମୁହୁର୍ତ୍ତ
ହାତଧରି କେତେକଥା ଶିଖେଇ ଦିଏ ।
ସହଯାତ୍ରୀ ସହପାଠୀ ଯିଏବା ମିଳିଲେ
ଜୀବ, ଜଡ ମଣିଷ ବା ପଶୁ
ସମସ୍ତେ ଯେ ଶିଖାଇ ଦେଲେ
ଜୀବନକୁ ଜୀଇବାର ମନ୍ତ୍ର ଦେଇଗଲେ ।

କେବେ ବୁଝି ବି ବୁଝି ହୁଏନା
କିଏ କଣ ଶିଖାଇ ଦେଲା
ସମୟ କେଉଁ ପାଠ ପଢାଇଲା
ଜୀବନରେ ଗୋଟିଏ ନୁହେଁ
ଅସରନ୍ତି ଗୁରୁଙ୍କର ମେଳା ଲାଗିଗଲା ।
ତୁଚ୍ଛ ପିମ୍ପୁଡି ଠାରୁ ମହାବଳୀ ହାତୀ ଯାଏ
ସୂର୍ଯ୍ୟ ଅବା ଦୀପ ଶିଖା ସିଏ,
ବେଦଜ୍ଞାନୀ ଗୁରୁ ଅବା
ସାମାନ୍ୟ ରିକ୍ସାବାଲାଟିଏ ।
ଶତ୍ରୁ, ମିତ୍ର ବନ୍ଧୁ ଅବା ପୁତ୍ର
କିଏ ଶରଧାରେ କିଏ ଦଣ୍ଡିଯାଏ
ହେଲେ ସମସ୍ତେ ଶିଖାଇ ଦିଅନ୍ତି
ଜୀବନରେ ଜିଇଁବାର ଜଟିଳ ମନ୍ତ୍ର ମିଳିଯାଏ ।

ଜୀବନରେ ଶିଖିବାର ଅନ୍ତ ହୁଏନାହିଁ
ଶିଖିବା ଯେ ଜାରିରଖେ ମହାଜ୍ଞାନୀ ସିଏ
ଶିଖିବା ସମାପ୍ତହେଲା ଯିଏ ଭାବି ନିଏ
ଜୀବନର ଅଧୋଗତି ପତନକୁ ପାଏ ।

***26/10/2018***